Sunday 30 October 2016

ସୁଲତାଣ

ସୁଲତାଣ । ଅଜାର ଚଡ଼ିପିନ୍ଧା ଦିନର ମଇତ୍ର ଯାହାକୁ ଭୁବନେଶ୍ଵରିଆ ଓଡ଼ିଆରେ କହନ୍ତି ଲଙ୍ଗୋଟୟାର, ସଲମାନ ଖାନର ଫିଲ୍ମ ରିଲିଜ ହୋଇଥିଲା ଏଇ ସନ ପବିତ୍ର ଇଦ୍ ରେ ।  ଫିଲ୍ମ ପୋଷ୍ଟରରେ ଚଡ଼ିପିନ୍ଧା ଦିନର ମଇତ୍ରର ଚଡ଼ିପିନ୍ଧା ଫୋଟୁ ଦେଖିଦେଲା ପରେ ମନଟା ଉଚ୍ଛନ୍ନ ହୋଇଯାଇଥିଲା । ତେଣୁ ଲୁନାଟା ଧରି ଆଈକୁ ପଛ ସିଟରେ ବସେଇ ମୁଁ ଚାଲି ଯାଇଥିଲି ପ୍ରଥମ ଦିନର ପ୍ରଥମ ସୋ ଦେଖିବା ପାଇଁ ସିନେମା ଘର ଅଭିମୁଖେ ।


ହରିୟାଣାର ଗୋଟେ ଗାଁର କେବୁଲ ବାଲା ହେଉଛି ସୁଲତାଣ । କେବୁଲ କନେକ୍ସନ ଦେବା ଓ ଡ଼ିସ ଆଣ୍ଟିନା ବିକିବା ଛଡା ବୁଲି ବୁଲି କଟି ଯାଇଥିବା ଗୁଡ଼ି ଗୋଟାଇବା ହେଉଛି ସୁଲତାଣର ଦୈନନ୍ଦିନ କାମ । ଏମିତି ଗୋଟେ କଟି ଯାଇଥିବା ଗୁଡ଼ି ଗୋଟେଇବାକୁ ଯାଇ ସୁଲତାଣର ଦେଖାହୁଏ ନାତୁଣୀ ଅନୁଷ୍କା ସହ । ନାତୁଣୀ ଅନୁଷ୍କା ଯଦିଓ ତନୁପାତେଳି କିନ୍ତୁ ସେ ଏଇ ଫିଲ୍ମରେ ସାଜିଛି ରାଜ୍ୟସ୍ତରୀୟ କୁସ୍ତିଯୋଦ୍ଧା ଚମ୍ପିୟାନ, ପହିଲିମାନ ଆରିଫା । ଆରିଫାକୁ ଦେଖିଲା ପରେ ପ୍ରେମର ଗୁଡ଼ି ସୂତାରେ ଛନ୍ଦି ହୋଇଯାଇଛି ପରିଣତ ବୟସରେ ଉପନୀତ ସୁଲତାଣ । "ବେବିକୁ ବେସ ପସନ୍ଦ ହେ" ଗୀତ ଗାଇ ଡିଆଁକୁଦା କରିଛି । ହେଲେ ପହିଲିମାନ ଆରିଫାର ମନ ଜିତି ପାରିନି ସେଥିରେ । ମନ ଜିତିବା ଲକ୍ଷ୍ୟରେ ସୁଲତାଣ ଯୋଗ ଦେଇଛି ଗାଁର କୁସ୍ତି ଆଖଡ଼ାରେ । ତା ପରେ ଗାଁ ଆଖଡ଼ାରୁ ଯାଇଛି ରାଜ୍ୟ ସ୍ତରୀୟ ଓ ବିଶ୍ୱ ସ୍ତରୀୟ କୁସ୍ତି ପ୍ରତିଯୋଗିତାକୁ  । ସବୁଠି ସୁଲତାଣ ଧୋବା ତୁଠର ଲୁଗା ପରି ଉଠେଇ କାଚି ପକେଇଛି ଅପର ପଟର ପ୍ରତିଯୋଗୀକୁ । ଯାହାକୁ ଭୁବନେଶ୍ଵରିଆ ଓଡ଼ିଆରେ କହନ୍ତି "ଧୋବି ପଛାଡ" ।  ଏସବୁ ମଝିରେ ସଙ୍ଗୀତଜ୍ଞ ମିକା ନନାଙ୍କର ଗୀତ ଆସିଛି "440 ଭୋଲ୍ଟ ଲାଗିଗଲା ଛୁଣେ ସେ ତେରେ" । ଆଉ ତାହା ସହିତ ସୁଲତାଣ ପ୍ରେମରେ ପଡି ଯାଇଛି ଆରିଫା ।

ପ୍ରେମ, ବାହାଘର ଓ ତାପରେ ମତାନ୍ତର । ସରିଛି ପ୍ରଥମାର୍ଦ୍ଧ । ମକା ଭଜା ଓ ଥଣ୍ଡା ପାନୀୟ ଆଣି ଆସିଲା ପରେ ଶାଢ଼ୀ ଦୋକାନ ବିଜ୍ଞାପନ, ଗହଣା ଦୋକାନ ବିଜ୍ଞାପନ, ମୁକେଶ ବିଜ୍ଞାପନ ଆଦି ସରିଲା ପରେ ଆରମ୍ଭ ହୋଇଛି ଦ୍ଵିତୀୟାର୍ଦ୍ଧ  ।

ଜଣେ ପୋଖତ ଫିଲ୍ମ ରିଭିଉ-ଜ୍ଞ ଫିଲ୍ମ ରିଭିଉ କଲାବେଳେ ପୁରା ଷ୍ଟୋରି ଖୋଲି ଦିଏନାହିଁ । ଅଜା ଯେହେତୁ ଜଣେ ପୋଖତ ଫିଲ୍ମ ରିଭିଉଜ୍ଞ ତେଣୁ ଆଗ କାହାଣୀ ଆଉ ନକହି ଏଇ ସଜେସଣ ଦେବ ଯେ, ଫିଲ୍ମକୁ ନିଜେ ସବୁ ଦେଖିବା ପାଇଁ ।

ପାଞ୍ଚରୁ ଅଜା ଦେବ ଏଇ ଫିଲ୍ମକୁ ସାଢେ ତିନି ତାରା । ଭଲ ଭଲ ଗୀତ ଅଛି ଏ ଫିଲ୍ମରେ ଓ ବିନା ଧକଡ଼ ଚକଡ଼ରେ ଫିଲ୍ମଟି ଚାଲିଛି ଭଲ ସ୍ପିଡ଼ରେ ଆରମ୍ଭରୁ ଶେଷଯାଏ ।  ପଇସା ଅସୁଲ ହେଲା ଭଳି ଫିଲ୍ମ ହେଉଛି ସୁଲତାଣ ।





2 comments:

  1. ଅଜାର ପସନ୍ଦ ଆମର୍ ପସନ୍ଦ, ଫିଲମ୍ ଦେଖୁ ବା ନଦେଖିବା ମୋର ପସନ୍ଦ I

    ReplyDelete