Friday 7 December 2018

ଅରଣା ଷଣ୍ଢ (Raging Bull)

ବାଉଁଶ ବୁଦା ଭିତରେ ହେଉ କି ଖୋଲା ପଡିଆରେ ହେଉ, ଛକ କଡ଼ର ଅଳିଆ ଗଦା ପାଖରେ ହେଉ କି କେବିନ ପଛ ପଟରେ ହେଉ, ବଜାରର ଗଳି ଭିତରେ ହେଉ କି ହାଟର ଚାଳି ଭିତରେ । ସମସ୍ତେ ଦେଖିଥିବେ ସେ ଜନ୍ତୁଟାକୁ । ଲଢେଇ କରିବାକୁ ସଦା ତୟାର । ଫଁ ଫଁ ହୋଇ ହଙ୍କାଳି ହେଉଥିବ । ଶିଙ୍ଗରେ ତାଡି ପକାଉଥିବ ମାଟିକୁ ନହେଲେ ଅଳିଆ ଗଦାକୁ । ବାଳୁଙ୍ଗା ଛୁଆ କିଏ ଦୂରରୁ ଉସୁକେଇ ଦିଅନ୍ତି ଦୂରରୁ ପାଟି କରି, “ଗିରି ଗିରି”, “ହୁସୁ ହୁସୁ”.. । ମାଡିଯାଏ ଷଣ୍ଢଟି ଅପର ପାର୍ଶ୍ୱରେ ଥିବା ଷଣ୍ଢ ଆଡକୁ । ହୁଏ ଘମାଘୋଟ ଲଢେଇ, ଠେଲାପେଲା, ଭୁଷାଭୁଷି, କାଚାକାଚି । ଅପର ପଟିଆ ଷଣ୍ଢଟି ଖଣ୍ଡିଆ ଖାବରା ହୋଇ ପଳାୟନ ନ କଲା ପର୍ଯ୍ୟନ୍ତ ଶାନ୍ତ ହୁଏନି ଏ ପଟର ଷଣ୍ଢ । ଅରଣା ଷଣ୍ଢ ।

                                      (Pic Edit: Twitter - @JustLalit)
ମୁଷ୍ଟି ଯୁଦ୍ଧ (ବକ୍ସିଂ) ଆରମ୍ଭ ହେବା ପାଇଁ ରେଫରୀଙ୍କ ସୁସୁରି ଫୁଙ୍କାକୁ ସମସ୍ତଙ୍କ ଅପେକ୍ଷା । ଦର୍ଶକ ଗ୍ୟାଲେରୀରେ ଲୋକ ଟିକଟ କାଟି ଆସି ଯେଝା ଯେଝା ଚଉକିରେ ବସି ଗଲେଣି । ଖେଳ ବିଭାଗର ସାମ୍ବାଦିକ ମାନେ ଖାତା କଲମ ଧରି ପ୍ରସ୍ତୁତ । ଘୋଷକ ଧାରାବିବରଣୀ ଦେବା ପାଇଁ ମାଇକ ଆଗରେ ନିଜ ଗଳାକୁ ପ୍ରସ୍ତୁତ କରିଦେଲେଣି । ମୁଷ୍ଟି ଯୁଦ୍ଧର ରିଙ୍ଗ ଭିତରେ ଗୋଟେ କଣରେ ଚଉକି ଉପରେ ବସି ପାଟିରେ ପାନ (ବୋଧେ) ଜାକି କୋଚ୍ ଗୁରୁଙ୍କ ଉପଦେଶ ସବୁକୁ ଶୁଣି ମୁଣ୍ଡ ଟୁଙ୍ଗାରୁଥାଏ ପ୍ରତିଯୋଗୀଟି । ରିଙ୍ଗର ଅପର ପାର୍ଶ୍ୱରେ ଫଁ ଫଁ ହୋଇ ଡେଉଁଥାଏ, ଖଙ୍କାରି ହେଉଥାଏ, ହାତ ଗୋଡ଼ ଛାଟି କୁଦୁଥାଏ ଜେକ୍ ଲା’ମୋଟା । ଆମ ଫିଲ୍ମର ଅରଣା ଷଣ୍ଢ । ଅଭିନୟରେ ରବର୍ଟ ଡେ’ନିରୋ । 

ଘଣ୍ଟି ବାଜିଲା । ସୁସୁରି ଫୁଙ୍କାଗଲା । କୁଦି ପଡିଲା ଷଣ୍ଢ । ଛେଚିଗଲା, କୁଟିଗଲା, ନାଦି ଦେଇଗଲା ଅନ୍ଧାଧୁନିଆ । ଛିଡି଼ଲା ଆଖି ପତା, ଫାଟିଲା ନାକ ଦଣ୍ଡି, ଛେଚି ହେଲା ଥୋମଣା । ତଳେ ଲୋଟିଗଲା ଅପର ପଟିଆ ପ୍ରତିଯୋଗୀଟି । ରେଫରୀ ଡାକିଲେ ଏକ, ଦୁଇ.. । ନା, ଉଠିବାର କୌଣସି ଆଶା ନାହିଁ । ଦଶ ଯାଏ ଡକା ହେଲା । ଘଣ୍ଟି ପିଟା ହେଲା ଖେଳ ସରିବାର । ବିଚାରପତି ମାନେ ପଏଣ୍ଟ ହିସାବ କରି ଖାତା ବଢ଼େଇ ଦେଲେ ରେଫରୀ ହାତକୁ । ସବୁକୁ ମିଶେଇ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ରେଫରୀ । ଗୋଟେ ହାତରେ ଅରଣା ଷଣ୍ଡ ଲା’ମୋଟା ଆର ହାତରେ ମାଡ଼ ଖାଇ ଟଳମଳ ହେଉଥିବା ପ୍ରତିଯୋଗୀ ରବର୍ଟ । ରେଫରୀ ଟେକିଦେଲେ ଟଳମଳିଆର ହାତ । ଦର୍ଶକ କଲେ ପ୍ରତିବାଦ । “ପଇସା ଖିଆ ଅମ୍ପିୟାର”, “ପଇସା ଖାଇ ନିଷ୍ପତ୍ତି ଦେଉଛ”, “ଏସବୁ ଚଳିବନି”, “ଯଦି ଚଳିବ, ନିଆଁ ଜଳିବ” । ହେଲା ଖଣ୍ଡଯୁଦ୍ଧ ଦର୍ଶକ ଗ୍ୟାଲେରୀରେ । ଠେଲାପେଲା, ବିଧା ଗୋଇଠା, ଚକଡା ଚକଡ଼ି, ଦଉଡା ଦଉଡ଼ି । ଉଡିଲା ଚି଼ଆର, ଟେବୁଲ ଓ ଦୁର୍ବଳିଆ ଲୋକଙ୍କ ଶରୀର ।

ଫିଲ୍ମଟି ଆମେରିକାର ଜଣେ ବକ୍ସିଂ ତାରକା ଜେକ୍ ଲା’ମୋଟା ର ଜୀବନ କାହାଣୀ ଉପରେ ଆଧାରିତ । ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଖୁବ ଶୀଘ୍ର ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଲା’ମୋଟା । ଅନେକ ଘରୋଇ ପ୍ରତିଯୋଗିତା ଜିତିଥିଲା । ହେଲେ ଲୋକଟିର ଅବିଶ୍ୱାସୀ ଚରିତ୍ର, ଅନ୍ୟକୁ ସନ୍ଦେହ ଚକ୍ଷୁରେ ଦେଖିବାର କୁପ୍ରଭାବ ପଡିଛି ତା ପରିବାର ଉପରେ ଓ ଖେଳ ଉପରେ । ଭାଇ ଛାଡିକି ଚାଲି ଯାଇଛି । ସ୍ତ୍ରୀ ମଧ୍ୟ ଛୁଆପିଲାଙ୍କୁ ଧରି ହାତ ଛାଡ଼ିଛି । ଜିତୁଥିବା ଖେଳ ସବୁ ହାରିଛି । ଶେଷରେ ଖେଳରୁ ବିଦାୟ ନେଇଛି । ହୋଟେଲ ବିଜିନେସରେ ମନ ଦେଇଛି । ଖାଇ ପିଇ ଦଙ୍ଗଲ ଫିଲ୍ମର ଅମୀର ଖାଁ ଭଳିଆ ଥନ୍ତଲ ପେଟ ବାହାର କରିଛି । ଶେଷକୁ ହୋଟେଲ ବ୍ୟବସାୟ ବି ବୁଡିଛି । ଲୋକଟା ବରବାଦ ହୋଇଛି ସମ୍ପୂର୍ଣ୍ଣ ଭାବରେ । ହେଲେ ତଥାପି ଅରଣା ଷଣ୍ଢ ଭଳି କୁଦିବା ଛାଡ଼ିନି ।

Raging Bull ଗୋଟେ ଉଚ୍ଚପ୍ରଶଂସିତ ଫିଲ୍ମ । ନିର୍ଦ୍ଦେଶକ ଥିଲେ Martin Scorsese । ଅଭିନେତା Rober De Niro ଓ ନିର୍ଦ୍ଦେଶକ Martin Scorsese ଙ୍କ ଯୋଡିର ଯାତ୍ରା “ଟାକ୍ସି ଡ୍ରାଇଭର” ଫିଲ୍ମରୁ ଆରମ୍ଭ ହୋଇଥିଲା । ଏଇ ଫିଲ୍ମରୁ ଆଉ ଜଣେ ଅଭିନେତା ଏମାନଙ୍କ ଦଳରେ ସାମିଲ ହୋଇଥିଲେ, Joe Pesci । Scorsese ଙ୍କ ଫିଲ୍ମ ଗୁଡାକ ସାଧାରଣତଃ ମାରପିଟ, ଅଣ୍ଡରୱାର୍ଲଡ, କ୍ରାଇମ ଉପରେ ହୋଇଥାଏ । ଏ ଫିଲ୍ମଟି ଯଦିଓ ବକ୍ସିଂ ଖେଳ ଉପରେ କିନ୍ତୁ ସେଇ ମାରପିଟ ଧାରାର ଫିଲ୍ମଟି ।