Thursday, 30 August 2018

କୋକୋ - ଫିଲ୍ମ ରିଭ୍ୟୁ

ଆନିମେଟେଡ ଫିଲ୍ମ କଥା ପଡିଲେ ମନକୁ ଆସେ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଫିଲ୍ମର କଥା । ସତ କହିଲେ, ଏସବୁ ଫିଲ୍ମ ପିଲାମାନଙ୍କ ପାଇଁ ହିଁ ତିଆରି ହୋଇଥାଏ । ଘରେ କେହି ଛୋଟ ପିଲା ନଥିଲେ ଏସବୁ ଫିଲ୍ମକୁ କେହି ସିନେମା ହଲରେ ଯାଇ ପ୍ରାୟ ଦେଖନ୍ତିନି । ହେଲେ ଏସବୁ ଭିତରେ କିଛି ଏମିତି ଫିଲ୍ମ ଥାଏ, ଯାହା ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ଛୁଇଁଥାଏ । ସେହିଭଳି ଫିଲ୍ମଟିଏ ହେଉଛି Coco (କୋକୋ), 2017 ମସିହାର ଓସ୍କାର ପୁରସ୍କାର ପ୍ରାପ୍ତ ବେଷ୍ଟ ଆନିମେଟେଡ ଫିଲ୍ମ ।


ଫିଲ୍ମର କାହାଣୀଟି ବାର ବର୍ଷୀୟ ବାଳକ ମିଗେଲ୍ ଉପରେ କେନ୍ଦ୍ରୀଭୂତ । 12 ବର୍ଷର ପିଲା ମିଗେଲ୍ । ଗୀତ ସଂଗୀତରେ ଭାରି ମନ, ହେଲେ ଘରେ ଅଦ୍ଭୁତ ନିୟମ । ଗୀତ, ସଙ୍ଗୀତକୁ କଡାକଡି ବିରୋଧ । ସହର ମଝିରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ଅଭିନେତା ଏର୍ନଷ୍ଟୋ ଡେ'ଲା କ୍ରୁଜଙ୍କ ପ୍ରତିମୂର୍ତ୍ତି । ଲୋକଙ୍କ ମୁହଁରେ ସବୁବେଳେ ଶୁଣିବାକୁ ମିଳେ ଏ ମହାନ ସଙ୍ଗୀତଜ୍ଞଙ୍କ ପ୍ରଶଂସା । ଘର ପରିବାର ଛାଡି De La Cruz ଥରେ ବାହାରି ପଡ଼ିଥିଲେ ନିଜ ସଙ୍ଗୀତକୁ ଏକ ପରିଚୟ ଦେବା ଲକ୍ଷ୍ୟରେ । ବାକି ସବୁ ଇତିହାସ ।

ଜୋତା ତିଆରି କରିବା ମିଗେଲ୍ ର ପରିବାରର କୌଳିକ ବୃତ୍ତି । ଘରେ ଗୀତ, ସଙ୍ଗୀତ ଉପରେ ପୁରା ରୋକ । "ସଙ୍ଗୀତ ମଣିଷକୁ ବିଗାଡି ଦିଏ, ପରିବାରକୁ ଭାଙ୍ଗିଦିଏ" - ଏମିତି ଚିନ୍ତାଧାରା ଥାଏ ଏ ପରିବାରଟିରେ । ଅବଶ୍ୟ ଏହା ପଛରେ ଏକ କାହାଣୀ ଅଛି ।

ଲୋକଟିଏ ଥରେ ନିଜ ସଙ୍ଗୀତ ନିଶାରେ ଘରୁ ଗୀଟାର ଧରି ବାହାରିଗଲା ଯେ ଆଉ ଫେରିଲାନି । ଘରେ ରହିଗଲେ ସ୍ତ୍ରୀ ଓ ତିନି ବର୍ଷର କୁନିଝିଅ । ସ୍ତ୍ରୀ ଲୋକଟି ଶେଷକୁ ଜୋତା ତିଆରି କାମକୁ ଆଦରି ନେଲା ପରିବାର ଚଳେଇବା ପାଇଁ  । ଦୁଃଖ ଓ କ୍ରୋଧରେ ନିଜ ଖାତାରୁ ଚିରଦିନ ପାଇଁ କାଟିଦେଲା ସ୍ତ୍ରୀ ଲୋକଟି ଦୁଇଟି ନାଁ - ସଙ୍ଗୀତ ଓ ସେ ଲୋକଟାକୁ । ସେ  ତିନି ବର୍ଷର କୁନି ଝିଅଟି ହେଉଛି କୋକୋ (Coco) । ଆମ କାହାଣୀରେ ଥିବା ପରିବାରଟିର ସେ ଏବେ ହେଉଛି ସିନିୟର ମୋଷ୍ଟ ମେମ୍ବର ।

ସମୟ ଗଡି ଚାଲିଛି । ଏବେ କୋକୋକୁ ବୟସ ପାଖାପାଖି ଶହେ ଛୁଇଁଲାଣି । ସ୍ମରଣ ଶକ୍ତି ହ୍ରାସ ପାଇଲାଣି । ହୁଇଲ ଚେୟାରକୁ ଆଶ୍ରା । ଏ ଫିଲ୍ମର ମୁଖ୍ୟ ଚରିତ୍ର ମିଗେଲ୍ ହେଉଛି କୋକୋର ଅଣନାତି ।

ଆମ ଆଡିକା ଦୀପାବଳି ଭଳି ଉତ୍ସବଟିଏ ହୁଏ ସେପଟେ ବି । ପରିବାରର ମୃତ ବ୍ୟକ୍ତି ମାନଙ୍କୁ ସେଇଦିନ ସମସ୍ତେ ମନେ ପକାନ୍ତି । ତାଙ୍କର ଫୋଟୋ ରଖି, ପାଖରେ ମହମବତୀ ଜାଳି, ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ପାନୀୟ ଅର୍ପଣ କରନ୍ତି ।

ଦୀପାବଳି ଅବସରରେ ସହରରେ ଗୋଟେ ଟ୍ୟାଲେଣ୍ଟ ହଣ୍ଟ ସୋ' ହେଉଥାଏ । ଗୀତ, ସଙ୍ଗୀତର କାର୍ଯ୍ୟକ୍ରମ । ପ୍ରତିଯୋଗୀମାନଙ୍କୁ ନିଜ ବାଦ୍ୟଯନ୍ତ୍ର ସହ ପ୍ରତିଯୋଗିତାରେ ଗୀତ ଗାଇବାକୁ ପଡିବ ।

ଏଇ ସୋ ରେ ଭାଗ ନେବାପାଇଁ ଘରୁ ଲୁଚି ବାହାରିଛି ମିଗେଲ୍ । ହେଲେ ପ୍ରତିଯୋଗିତାରେ ଭାଗ ନେବାପାଇଁ ତା ପାଖରେ ଗୀଟାର ନାହିଁ । De La Cruz ଙ୍କ ସମାଧି ଘର ଭିତରେ ତାଙ୍କ ଗୀଟାର ସାଇତା ହୋଇ ରଖାଯାଇଥାଏ । ମୃତ ବ୍ୟକ୍ତିମାନେ ପୃଥିବୀକୁ ଯିବା ଆସିବା ସମୟ ଏବେ । ସମାଧି ଘରେ ଭୁଲବଶତଃ ମିଗେଲ୍ ଏପଟ ଦୁନିଆରୁ ସେପଟ ଦୁନିଆକୁ ଚାଲିଯାଇଛି ।

ମୃତ ବ୍ୟକ୍ତିଙ୍କ ଦୁନିଆ ବି ଆମ ଦୁନିଆ ଭଳି । ଏଠୁ ଯାଇଥିବା ଲୋକମାନେ ସେଠି ବି ନିଜ ବନ୍ଧୁ ପରିବାର ସହ ରୁହନ୍ତି । De la Cruz ସେ ଦୁନିଆରେ ବି ବିଶିଷ୍ଟ ସଙ୍ଗୀତଜ୍ଞ । ମିଗେଲ୍ ନିଜ ଆଦର୍ଶ De la Cruz ଙ୍କୁ ପାଇ ତାଙ୍କୁ ଦେଖା କରିବାକୁ ଯାଇଛି । ନିଜ ଜେଜେମା କୋକୋର ବାପାଙ୍କୁ ଭେଟିଛି ସେ ଦୁନିଆରେ । ନାନା ନାଟକୀୟ ଘଟଣା ମାନ ଘଟିଛି । ଶେଷରେ କୋକୋ ନିଜ ହଜିଲା ଗ୍ରାଣ୍ଡ ଜେଜେବାପାଙ୍କ ପ୍ରତି ଥିବା ଭୁଲ ଭାବନାକୁ ନିଜ ପରିବାରର ମନରୁ ଦୁରେଇ ଦେବାରେ ସଫଳ ହୋଇଛି । ପରିବାର ପୁଣି ସଙ୍ଗୀତକୁ ଆପଣେଇ ନେଇଛନ୍ତି ।

ଫିଲ୍ମଟିର ଆନିମେଟଡ଼ ଦୃଶ୍ୟ ସବୁ ଚମତ୍କାର ହୋଇଛି । ମିଗେଲ୍ ସମସ୍ତଙ୍କ ମନ ଜିତିଛି । ଫିଲ୍ମରେ ଗୀତ ବି ବହୁତ ସୁନ୍ଦର ହୋଇଛି । "What color is the sky ¡Ay, mi amor! ¡Ay, mi amor" ଗୀତଟି ତ ଯେକୌଣସି ବୟସର ଦର୍ଶକକୁ ଟିକେ ଗୋଡ଼ ହଲେଇବାକୁ ବାଧ୍ୟ କରିବ.. 😍

Driving Miss Daisy - ଡ୍ରାଇଭିଂ ମିସ୍ ଡେଜି

ଫିଲ୍ମର ନାଁ ଓ କଭର୍ ଫୋଟୋକୁ ଦେଖିଲେ ଯାହା କିଛି ଅନୁମାନ କରିହେଉଛି, ଫିଲ୍ମଟି ବି ଉଣା ଅଧିକେ ସେମିତି ହୋଇଛି  । ଜଣେ ବୟସ୍କା ମହିଳା ମିସ୍ ଡେଜି (Daisy) ଓ ତାଙ୍କ କାର ଡ୍ରାଇଭର ହୋକ୍ (Hoke) ଙ୍କୁ ନେଇ ଏ ଫିଲ୍ମର କାହାଣୀ । ଦେଢ଼ ଘଣ୍ଟାର ଛୋଟ ଫିଲ୍ମଟିଏ କିନ୍ତୁ ବହୁତ ସୁନ୍ଦର ।


ମିସ୍ ଡେଜି ଜଣେ 72 ବର୍ଷୀୟା ବୟସ୍କା ବିଧବା ମହିଳା । ଯଦିଓ ସେ ଧନୀ ତଥାପି ନିଜକୁ ଧନୀ ବୋଲି ଦେଖେଇ ହେବାକୁ ଭଲ ପାଆନ୍ତିନି । ଆଗରୁ ସ୍କୁଲ ଟିଚର୍ ଥିଲେ । ଏବେ ରିଟାୟାର୍ଡ଼ । ଘରେ ଏକା ରୁହନ୍ତି । ରୋଷେଇବାସ ତଥା ଦେଖାଶୁଣା କରିବାକୁ ଘରେ ଜଣେ କୃଷ୍ଣକାୟ ମହିଳା ଅଛନ୍ତି । ନାଁ ତାଙ୍କର ଇଡେଲା । ମିସ୍ ଡେଜିଙ୍କର 40/42 ବର୍ଷର ପୁଅଟିଏ ବୁଲି (Boolie) । ଶିଳ୍ପପତି | କପଡା ମିଲ୍ ର ମାଲିକ । ସେ ବି ସେହି ଏକା ସହରରେ ରୁହନ୍ତି । ଦେଖାଶୁଣା କରିବାକୁ କିମ୍ବା ଦରକାର ପଡିଲେ ମା’ଙ୍କ ପାଖକୁ ପ୍ରାୟ ସମୟରେ ଆସନ୍ତି ।

ମିସ୍ ଡେଜି ଟିକେ ଚିଡିଚିଡ଼ା ସ୍ୱଭାବର । କାହା ଉପରେ ଡିପେଣ୍ଡ ନ ହୋଇ  ସ୍ୱାଧୀନ ଭାବେ ନିଜ କାମ କରିବାକୁ ପସନ୍ଦ କରନ୍ତି ।
  
ଦିନେ ସକାଳୁ ମାର୍କେଟ ଯିବା ପାଇଁ ନିଜ ନୂଆ କାର ବାହାର କରୁ କରୁ ପଡୋଶୀ ଘର ଗାର୍ଡେନ ଭିତରେ ପଶେଇ ଦେଇଛନ୍ତି । କାର ଟିକେ damage ହୋଇଛି । ଇନ୍ସ୍ୟୁରାନ୍ସ କମ୍ପାନୀ ଡ୍ୟାମେଜ ପାଇଁ କ୍ଷତିପୂରଣ ଦେବାକୁ ମନା କରିଛି । ପୁଅ Boolie ସ୍ଥିର କରିଛନ୍ତି, ମାଆଙ୍କ ପାଇଁ ଜଣେ ଡ୍ରାଇଭର ରଖିବେ । 

ମିସ୍ ଡେଜି କିନ୍ତୁ ଡ୍ରାଇଭର ରଖିବାକୁ ଇଛୁକ ନୁହଁନ୍ତି । ପୁଅ ବାଧ୍ୟକରି ଜଣେ କାର ଡ୍ରାଇଭରଙ୍କୁ ନିଯୁକ୍ତ କରିଛନ୍ତି । ଡ୍ରାଇଭରଙ୍କ ନାଁ ହୋକ୍ । ଭୂମିକାରେ Morgan Freeman। ହୋକ୍ ମିଷ୍ଟଭାଷୀ ତଥା ପଜିଟିଭ ସ୍ୱଭାବର । ପ୍ରଥମେ ହୋକଙ୍କୁ ନାପସନ୍ଦ କରୁଥିବା ଓ ଡ୍ରାଇଭର ଭାବେ ରଖିବାକୁ ଅନିଛୁକ ଥିବା ମିସ୍ ଡେଜି ଧୀରେ ଧୀରେ ପରିବର୍ତ୍ତିତ ହୋଇଛନ୍ତି । ଶେଷରେ Hoke ଙ୍କୁ ନିଜ ସାଙ୍ଗ ଭାବରେ ଦେଖିଛନ୍ତି । 

ସାଧାସିଧା କାହାଣୀଟିଏ । ମୁଖ୍ୟତଃ ମିସ୍ ଡେଜି ଓ ହୋକ୍ ଙ୍କ ଉପରେ କେନ୍ଦ୍ରୀଭୂତ । ବର୍ଣ୍ଣବୈଷମ୍ୟ, ଧନୀ ଗରିବ ଆଦି ସାମାଜିକ ତାରତମ୍ୟ ମଧ୍ୟରେ ବି ଦୁଇ ଅଲଗା ମଣିଷଙ୍କ ଭିତରେ ଥିବା ଭାବାତ୍ମକ ସମ୍ପର୍କକୁ ଫିଲ୍ମରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ହୋକ୍ ଙ୍କ smooth driving ପରି ଫିଲ୍ମ ବି ଗଡି ଚାଲିଛି ବିନା ଧକଡ଼ ଚକଡ଼ରେ । ଅଭିନୟରେ ଦୁଇ ବରିଷ୍ଠ ଅଭିନେତା । Morgan Freeman ଙ୍କ ବାବଦରେ ତ କିଛି କହିବା ଦରକାର ନାହିଁ । ସମ୍ମାନସ୍ପଦ କଳାକାର ଜଣେ । ଚକିତ କରିଛନ୍ତି କିନ୍ତୁ ମିସ୍ ଡେଜି ଭୂମିକାରେ ଅଭିନୟ କରିଥିବା 81 ବର୍ଷୀୟ ମହିଳା Jessica Tandy. ଏ ଫିଲ୍ମ ପାଇଁ ସେ 1990 ରେ Best Actress ର ଓସ୍କାର ଆୱାର୍ଡ ପାଇଥିଲେ । Best Actress ପୁରସ୍କାର ପାଇବାରେ ସେ ହେଉଛନ୍ତି ଇତିହାସରେ ସବୁଠାରୁ ବୟସ୍କା ମହିଳା । 

ଏ ଦୁଇ ଚରିତ୍ରଙ୍କ ଅଭିନୟରେ ଫିଲ୍ମଟି feel good ର ଅନୁଭୂତି ଦେଇ ଆଗେଇ ଚାଲିଛି । ଶେଷ ଦୃଶ୍ୟଟି ଅତି ଚମତ୍କାର ହୋଇଛି । ଫିଲ୍ମ ସରିଲା ବେଳକୁ ଦର୍ଶକ ମିଳନ ବିଚ୍ଛେଦର ଗୋଟେ ଫେଣ୍ଟାଫେଣ୍ଟି ଅନୁଭୂତି ନେଇ ଫେରିବ ।
***

Tuesday, 28 August 2018

Taxi Driver - ଟ୍ୟାକ୍ସି ଡ୍ରାଇଭର

ରାତ୍ରିର ରଙ୍ଗୀନ ସହର । ସାକ୍ସୋଫୋନର ସ୍ୱର । ରାସ୍ତାରେ ଚାଲିଛି ଟାକ୍ସି..



Taxi Driver ଫିଲ୍ମ ଦେଖିବା ପୂର୍ବରୁ ଭାବୁଥିଲି Transporter ଫିଲ୍ମ ଭଳି କିଛି ଗୋଟେ ଧୁମଧଡକ ବାଲା ଫିଲ୍ମଟିଏ ହୋଇଥିବ ବୋଧେ । ହେଲେ ଅନେଇ ଅନେଇ ପୁରା ଫିଲ୍ମ ସରିଗଲା । 26 ବର୍ଷର ଟୋକାଟିଏ । ଭିଏତନାମ ଯୁଦ୍ଧରେ ଭାଗ ନେଇ ସାରି ଅବସର ନେଇଛି । ନିଜ ଏକୁଟିଆ ପଣ ଓ ନିଦ୍ରାହୀନତାକୁ କାଟିବା ପାଇଁ ଟ୍ୟାକ୍ସି ଚଲାଇବାକୁ ବେଉସା ରୂପେ ଧରିଛି । ନିଝୁମ ରାତିରେ ରାସ୍ତାକଡ଼ ଓ ଦୋକାନ ବଜାରର ଝିଲିମିଲି ଆଲୁଅ ଭିତରେ ଚାଲିଛି ତା ଟ୍ୟାକ୍ସି । ନିଜର ନୀତିଦିନର କାର୍ଯ୍ୟକୁ ରୁମକୁ ଆସି ଡାଏରୀରେ ଲେଖୁଛି । ସେମିତି କିଛି ଲକ୍ଷ୍ୟ ନାହିଁ, ସାଥି ପରିଚିତ ବି ନାହାଁନ୍ତି । ଗାଡି ଚଲାଅ, ସମୟ କାଟ । ତଥାପି ଯଦି ସମୟ କଟୁନି, ତାହେଲେ ସିନେମା ନହେଲେ ଟିଭି ଦେଖ ।
ମଝିରେ ଗୋଟେ ଝିଅକୁ ଦେଖି ତା ପ୍ରତି ଆକର୍ଷଣ ବଢିଛି ଯୁବକଟିର । କଥାବାର୍ତ୍ତା ଆରମ୍ଭ କରିଛି । ଚା ପିଆ, ଜଳଖିଆ ଖିଆ, ଫିଲ୍ମ ଦେଖା ପରେ ସେ ସମ୍ପର୍କ ବେଶୀ ବାଟ ଆଉ ଯାଇନି । ସ୍ୱଳ୍ପ ସମୟର ସମ୍ପର୍କ ମଧ୍ୟରେ ଝିଅଟି ଠାରୁ ଅନୁପ୍ରାଣିତ ହୋଇ ରାଷ୍ଟ୍ରପତି ପଦ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଆଗ୍ରହ ଦେଖାଇଛି । ପ୍ରାର୍ଥୀଙ୍କ ଭାଷଣ ଶୁଣିଛି, ପ୍ରଚାର ସଭାରେ ଯାଇ ବସିଛି । ସେ କାମ ବି କିଛି ଆଗକୁ ବଢିନି ।  
ରାତ୍ରିର ସହରରେ ଅସାମାଜିକ ଲୋକଙ୍କ ବେଶୀ ଚଳାଚଳ । ଟ୍ୟାକ୍ସି ଡ୍ରାଇଭର ଭେଟିଛି ଗୋଟେ 12 ବର୍ଷୀୟ ଝିଅକୁ ଯାହାକୁ ଜବରଦସ୍ତି ଆଣି ବେଶ୍ୟାବୃତ୍ତିରେ ଲଗାଯାଉଛି । ନିଜ ଆଡୁ ଝିଅଟିକୁ ରକ୍ଷା କରିବାକୁ ଆଗ୍ରହ ଦେଖାଇଛି ସେ । ବନ୍ଧୁକ କିଣିକି ଆଣିଛି, ରୀତିମତ ବ୍ୟାୟାମ କରିଛି, ନେତାଙ୍କ ପ୍ରାଇଭେଟ ସିକ୍ୟୁରିଟି ମାନଙ୍କୁ ଯାଇ ନିକଟରୁ ଭେଟିଛି । ଶେଷରେ ଆରମ୍ଭ କରିଛି ଉଦ୍ଧାର ଅଭିଯାନ । ଦଲାଲ ମାନଙ୍କୁ ଗୁଳି କରିଛି, ନିଜେ ବି ଗୁଳି ଖାଇଛି । କୋମାରେ ପଡିଛି କିଛି ଦିନ । ପରେ ସୁସ୍ଥ ହୋଇ ଫେରିଛି । ଝିଅଟିର ବାପା ଚିଠି ଲେଖି ଧନ୍ୟବାଦ ଜଣାଇଛି ତାକୁ । ତା ଯୋଗୁ ଝିଅ ନୂଆ ଜୀବନ ପାଇଲା ଓ ସେମାନେ ନିଜ ଝିଅକୁ ଫେରି ପାଇଲେ । ଆଞ୍ଚଳିକ ଖବରକାଗଜ ମଧ୍ୟ ଟ୍ୟାକ୍ସି ଡ୍ରାଇଭରକୁ ପ୍ରଶଂସା କରି ଖବର ଛାପିଛନ୍ତି । ତାପରେ.. 
ତା ପରେ ପୁଣି ରାତ୍ରୀର ସହର, ଝିଲିମିଲି ଆଲୋକ, ସାକ୍ସଫୋନର ସ୍ୱର, ହଳଦିଆ ଟ୍ୟାକ୍ସି ଚାଲିଛି.. 
ଦେଖିବାକୁ ଗଲେ ଫିଲ୍ମଟିରେ ସେମିତି କିଛି ନାହିଁ । ସାଧାସିଧା କାହାଣୀ । ନା ସସପେନ୍ସ ନା ରୋମାନ୍ସ । ଲକ୍ଷ୍ୟହୀନ ଯୁବକଟିଏର ଗାଡି ଚଲା । Robert De Niro ଟ୍ୟାକ୍ସି ଚାଳକ ଭୂମିକାରେ । 
ଫିଲ୍ମକୁ ସାହିତ୍ୟିକଙ୍କ ଭଳି ବ୍ୟାଖ୍ୟା କଲେ ଅନେକ କଥା ବାହାରିବ । ହେଲେ ସେସବୁ ଦର୍ଶକ ନିଜେ କରନ୍ତୁ । ମୋତେ ମୋଟାମୋଟି ଯାହା ଭଲ ଲାଗିଲା, ତାହା ହେଉଛି ଏ ଗାଡି ଚଲା । କୌଣସି ଏକ ଡ୍ରିମ ସିକ୍ୟୁଏନ୍ସ ଠାରୁ କମ ନୁହେଁ । ଯେମିତି ଟାଇଟାନିକ ଫିଲ୍ମରେ ସେ ବଡ଼ ବୋଇତଟି ଚାଲିଥିଲା ବିଶାଳ ଜଳରାଶିରେ..

Sunday, 26 August 2018

Psycho - ସାଇକୋ

ଦୁଇ ଦୁଇଟି କଳାଧଳା ଫିଲ୍ମ (12 Angry Men, To kill a Mockingbird) ପରେ ଭାବିଲି ଗୋଟେ ରଙ୍ଗୀନ ଫିଲ୍ମକୁ ସ୍ଥାନ ଦେବା ଏଥର, ଧାରା ବଦଳାଇବା ପାଇଁ । ଆଜିର ଫିଲ୍ମଟି Crime, Suspense ଓ Thriller genre ର । ଦୁଇଟି ଫିଲ୍ମ ମନକୁ ଆସିଲା - The silence of the Lambs ଓ Psycho. ଦୁଇଟା ଯାକ ଫିଲ୍ମ ବହୁତ ଉଚ୍ଚକୋଟୀର । କେହି କାହାଠାରୁ କମ ନୁହଁନ୍ତି । ହେଲେ ଏ ଦୁଇ ଫିଲ୍ମ ଭିତରୁ ଗୋଟାଏ ଫିଲ୍ମ ବାଛିଲା ବେଳେ Psycho ହିଁ ଭାରି ପଡିଲା "ମେଣ୍ଢାଛୁଆର ନୀରବତା" ଉପରେ । ଖାଲି horror କୁ ଯଦି କ୍ରାଇଟେରିଆ ରଖିଥାନ୍ତି, ତେବେ ବୋଧେ ଡାକ୍ତର ହାନିବାଲ (Silence of the lambs) ଚରିତ୍ର ନର୍ମାନ ବେଟ୍ସ (Psycho) ଉପରେ ଭାରି ପଡିଥାନ୍ତା । 

ତେଣୁ ପୁଣିଥରେ ଏକ କଳାଧଳା ଫିଲ୍ମ - Psycho (ସାଇକୋ)

1960 ମସିହାରେ ରିଲିଜ ହୋଇଥିଲା Psycho. ଏଇ genre ର ଫିଲ୍ମ ଗୁଡିକରେ ଖଳନାୟକ ହିଁ ମୁଖ୍ୟ ଚରିତ୍ର ଥାଏ ।  Psychoର ଖଳନାୟକ Norman Bates. ଦେଖିବାକୁ ଗଲେ ଚରିତ୍ରଟି ସେମିତି କିଛି ଭିନ୍ନ ଧରଣର ନୁହେଁ । ଅନେକ ଗୁଡ଼ାଏ ଏଇ ଧରଣର ଫିଲ୍ମ ତଥା ବହିରେ ଖଳନାୟକକୁ ପ୍ରାୟ ଏହିପରି ଦେଖାଯାଇଥାଏ । 
ମୁଁ ଏଇଠି ଟିକେ ରହିଯାଏ । ଯେକୌଣସି Suspense Thriller ଫିଲ୍ମରେ କାହାଣୀ କି ଚରିତ୍ର ମାନଙ୍କ ବିଷୟରେ କିଛି ବି ଲେଖିବା ଅର୍ଥ, suspense ଉପରୁ ପରଦା ଉଠେଇବା । ଚରିତ୍ର ମାନଙ୍କ ବିଷୟରେ କିମ୍ବା କାହାଣୀ ଉପରେ ଏଇଠି ବ୍ରେକ ଦେଲି । 
ଫିଲ୍ମଟିକୁ Top 20 ରେ ରଖିବାର ଅନେକ କାରଣ ରହିଛି । ତେବେ ସବୁଠୁ ବଡ଼ କାରଣ ମୋତେ ଯାହା ଲାଗିଲା ତାହା ହେଲା, କୌଣସି crime ଦୃଶ୍ୟକୁ ଏଠି ଆଜିକାଲିର ସ୍ପେସିଆଲ ଇଫେକ୍ଟସ ଦିଆଗଲା ଭଳି ତିଆରି କରାଯାଇନାହିଁ । Gory କିମ୍ବା disturbing scene ବି ସେମିତି କିଛି ନାହିଁ ପରଦା ଉପରେ । ତେବେ ଦର୍ଶକ ଯାହା ବି ଦେଖିବ, ସେସବୁ ରୂପେଲି ପରଦାରେ ନୁହେଁ ବରଂ ନିଜ କଳ୍ପନାରେ । କଳାଧଳା ଫିଲ୍ମରେ ଏମିତିରେ ଅନେକ ଲିମିଟେସନ ଥାଏ । ରକ୍ତର ରଙ୍ଗ ବି କଳା ଏଠି । ବିନା ରଙ୍ଗରେ ଭୟ ସୃଷ୍ଟିକାରୀ ଦୃଶ୍ୟ କରିବା ଗୋଟେ ରକମ ଅସମ୍ଭବ । ତଥାପି ସେସବୁକୁ ପଛରେ ପକାଇ ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସସପେନ୍ସକୁ ଧରି ରଖିଛି । 
ସେତେବେଳେ ଫିଲ୍ମଟିରେ ଅଶ୍ଳୀଳତା ବା ନଗ୍ନତାକୁ ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଦେଖିବାକୁ ଗଲେ ସେମିତି କିଛି ଦୃଶ୍ୟ କ୍ୟାମେରା ତୋଳିନି । ଯାହାବି ଦର୍ଶକ ଦେଖିବ ସେସବୁ ନିଜ କଳ୍ପନା ଚକ୍ଷୁରେ । ଗୋଟେ ଦୃଶ୍ୟ ଯାହା ଏ ଫିଲ୍ମକୁ ଏପିକ ସ୍ତରକୁ ନେଇଛି, ତାହା ହେଉଛି ବହୁଚର୍ଚ୍ଚିତ Shower Scene । ନିର୍ଦ୍ଦେଶନା କାହାକୁ କୁହାଯାଏ, ଏ ଦୃଶ୍ୟ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ । ଏଇଠି ଟିକେ ଟୋପି ଖୋଲିଦେବା ଫିଲ୍ମର ନିର୍ଦ୍ଦେଶକ Alfred Hitchcock ଙ୍କ ପାଇଁ । କେହି ଜଣେ ଲେଖିଥିଲେ, Psycho ଫିଲ୍ମ ଦ୍ୱାରା Hitchcock ଏ crime, suspense ଧାରାର ଫିଲ୍ମକୁ ଏକ ସମ୍ମାନସ୍ପଦ ସ୍ଥାନରେ ଆଣି ପହଞ୍ଚାଇଥିଲେ । ଆଗରୁ ଏ ଟାଇପର ଫିଲ୍ମକୁ B grade ଫିଲ୍ମ ଭାବେ ଧରା ଯାଉଥିଲା । 
ଆଗରୁ ଲେଖିଛି, ଯଦିଓ ଫିଲ୍ମଟି କ୍ରାଇମ ସସପେନ୍ସ ଉପରେ ହେଲେ ସେମିତି disturbing scene କିଛି ବି ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠା ଲାଗି ରହିବ ଫିଲ୍ମଟି ଦେଖିବା ସମୟରେ । ଗୋଟେ କ୍ରାଇମ ନଭେଲ ପଢିଲା ଭଳି ଦର୍ଶକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଫିଲ୍ମର ମଜା ନେଇପାରିବ । 

Saturday, 25 August 2018

To Kill a Mockingbird - ଫିଲ୍ମ ରିଭିୟୁ

ପୁଣିଥରେ ଆଉ ଗୋଟେ କଳାଧଳା ଫିଲ୍ମ । To Kill a Mockingbird. 1962 ମସିହାରେ ରିଲିଜ ହୋଇଥିଲା ଏ ଫିଲ୍ମଟି । Harper Lee ଙ୍କ ଲୋକପ୍ରିୟ ଉପନ୍ୟାସ To Kill a Mockingbird ର କାହାଣୀକୁ ନେଇ ନିର୍ମିତ ଏ ଫିଲ୍ମଟି । 1960 ରେ ପ୍ରକାଶିତ ହୋଇଥିଲା ବହି ଓ ଏହାର ଦୁଇ ବର୍ଷ ପରେ ବାହାରିଥିଲା ଫିଲ୍ମ । ଫିଲ୍ମଟି ଆଶାନୁରୂପ ଭାବେ ବହୁତ ଲୋକପ୍ରିୟ ହେବା ସହ କ୍ରିଟିକଙ୍କ ଦ୍ୱାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏ ଫିଲ୍ମକୁ ମୁଁ Top 20 ଲିଷ୍ଟରେ ରଖିବାର ଅନେକ କାରଣ ଅଛି । କାହାଣୀ, ଅଭିନୟ, ନିର୍ଦ୍ଦେଶନା.. ସବୁ କିଛି ଉଚ୍ଚକୋଟିର, ଏ ଫିଲ୍ମଟିରେ । 


ପୁରା କାହାଣୀ ଗୋଟେ ପରିବାର ଉପରେ କେନ୍ଦ୍ରୀଭୂତ, ଯେଉଁଠି ରୁହନ୍ତି ଆଇନଜିବୀ ଆଟିକସ୍ ଫିଞ୍ଚ୍ (ଭୂମିକାରେ Gregory Peck) ଓ ତାଙ୍କ ଛଅ ବର୍ଷର ଝିଅ ସ୍କାଉଟ ଓ ଆଠ ବର୍ଷର ପୁଅ ଜେମ୍ । ଝିଅ ଦୁଇ ବର୍ଷର ହୋଇଥିବା ବେଳେ ପତ୍ନୀଙ୍କର ବିୟୋଗ ଘଟିଛି । ଆଟିକସ୍ ଏକ ଛୋଟ ଟାଉନରେ ରହନ୍ତି । କାହାଣୀଟି 1930 ମସିହାର ପୃଷ୍ଠଭୂମିରେ ନିର୍ମିତ, ଯେତେବେଳେ ସମାଜରେ ବର୍ଣ୍ଣଭେଦ ଏକ ମୁଖ୍ୟ ସମସ୍ୟା ଥିଲା । 
 
ଫିଲ୍ମଟିର ଏମିତି ନାମକରଣ କାହିଁକ?
Mockingbird ଗୋଟେ ଛୋଟ ଗୀତ ଗାଉଥିବା ଚଢେଇ, ଯାହାକୁ ଏ ଫିଲ୍ମରେ ସାଙ୍କେତିକ ଭାବେ ବ୍ୟବହାର କରାଯାଇଛି । ଏ ଚଢେଇକୁ ମାରିବା ପାପ ବୋଲି କୁହାଯାଏ, ଯେହେତୁ ଛୋଟ ଚଢେଇଟି କାହାର କ୍ଷତି କରେନି । ପୁରା କାହାଣୀରେ ଆଟିକସ୍ ଙ୍କ ଦୁଇ ଛୋଟ ପିଲାଙ୍କ କଥାବାର୍ତ୍ତା, ଚପଳାମୀ, innocence ହିଁ ମୁଖ୍ୟ ବିଷୟ ପାଲଟିଛି । ଏପଟେ ପିଲାଙ୍କ simple ଦୁନିଆ ଓ ସେପଟେ ସମାନ୍ତରାଳ ଭାବେ ବଡ଼ ଲୋକଙ୍କ complex ଦୁନିଆ । ଦୁଇ ଦୁନିଆ ମଝିରେ ପିତାର ଭୂମିକା ନେଇ ଅଛନ୍ତି ଆଟିକସ୍ । ଜଣେ ଭଲ ମଣିଷ, ଆଇନଜୀବୀ ଓ ଦୁଇ ବଢୁଥିବା ପିଲାଙ୍କ ବାପା । ଅଭିନେତା Gregory Peck ଆଟିକସ୍ ଭୂମିକାକୁ ଅତି ସୁନ୍ଦର ଭାବେ ପରଦାରେ ଫୁଟେଇଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ଏକାଡେମୀ ପୁରସ୍କାର ମିଳିଥିଲା Peck ଙ୍କୁ ଏ ଫିଲ୍ମ ପାଇଁ  । Peck ଙ୍କ ସହ ଦୁଇ ଶିଶୁ କଳାକାର ଭାବେ ସ୍କାଉଟ ଓ ଜେମ୍ ଚମତ୍କାର ଅଭିନୟ କରିଛନ୍ତି । ଦୁଇ ଶିଶୁ କଳାକାରଙ୍କ ଏ ଥିଲା ପ୍ରଥମ ଫିଲ୍ମ । ପିଲାଙ୍କ ଚପଳାମୀ ଓ ସରଳତା ହେଉଛି ଏ ଫିଲ୍ମର mockingbird, ଯାହାକୁ ବାହାରର ଜଟିଳ ଦୁନିଆ ମଧ୍ୟରେ ଅକ୍ଷୁର୍ଣ୍ଣ, ଅତୁଟ ରଖିବାକୁ ଚେଷ୍ଟା କରୁଛନ୍ତି ବାପା ଆଟିକସ୍ ।

କାହାଣୀ:
ଜଣେ ନିଗ୍ରୋ ଲୋକ ଶ୍ବେତାଙ୍ଗୀ ମହିଳାଙ୍କୁ ବଳାତ୍କାର କରିବାର ମିଛ ଅଭିଯୋଗରେ ଗିରଫ ହୋଇଛି । କୋର୍ଟ ଫାଇନାଲ ନିଷ୍ପତ୍ତି ନେବାକୁ ମାମଲାଟିକୁ ଜୁରୀ ପାଖକୁ ପଠାଇଛି । କୋର୍ଟରେ ସେ ନିଗ୍ରୋ ବ୍ୟକ୍ତିକୁ ଡିଫେଣ୍ଡ କରିବାର ଦାୟିତ୍ୱ ନେଇଛନ୍ତି ଆଟିକସ୍ । ଏ ସମୟ 1930 ମସିହାର । ସମାଜ ଏଠି ବି prejudice ର ଶିକାର । ଜଣେ ଶ୍ବେତାଙ୍ଗୀ ମହିଳାଙ୍କୁ ବଳାତ୍କାର କରିଥିବା ନିଗ୍ରୋ ଲୋକକୁ ଡିଫେଣ୍ଡ କରିବାର ନିଷ୍ପତ୍ତିକୁ ଅନେକ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗୋଟେ ପଟେ ପିଲାଙ୍କ ଦୁନିଆ ଓ ଆର ପଟେ ଏ କୋର୍ଟ କାହାଣୀକୁ ନେଇ ଫିଲ୍ମଟି ଆଗକୁ ବଢୁଛି । 

ଦୁଇ ତିନୋଟି ଦୃଶ୍ୟ ଏତେ ମାର୍ମିକ ହୋଇଛି ଯେ ଦର୍ଶକ ଭାବପ୍ରବଣ ହୋଇଯିବ । ବିଶେଷ କରି କୋର୍ଟ ରୁମରେ ଆଟିକସଙ୍କ ସମ୍ମାନରେ କୃଷ୍ଣକାୟ ବ୍ୟକ୍ତିମାନଙ୍କ ଛିଡା ହେବାର ଦୃଶ୍ୟ । ଆଟିକସ୍ କୋର୍ଟ ରୁମରୁ ବାହାରିଲା ବେଳେ ଜଣେ ବୟସ୍କ ଲୋକ ଆଟିକସଙ୍କ ଝିଅକୁ ଛିଡାହେବା ପାଇଁ ଅନୁରୋଧ କରୁଛି, 
"Miss Jean Louise, Stand up. Your father is passing. "