Friday 9 December 2016

ଜାତୀୟ ସଙ୍ଗୀତ

"ସୁପ୍ରିମ କୋର୍ଟରୁ ଅଡ଼ର ଆସିଛି ସବୁ ଫିଲିମ ହଲରେ ଆଗେ ଜାତୀୟ ସଙ୍ଗୀତ ବାଜିବ ଓ ସବୁ ଲୋକ ଠିଆ ହୋଇ ସମ୍ମାନ ଦେବେ, ତା'ପରେ ଯାଇ ଫିଲିମ ଚାଲିବ ।" ପ୍ଲାଷ୍ଟିକ ଚେୟାର ଉପରେ ବସି ଗୋଡ଼ ଦିଇଟାକୁ ଲମ୍ବେଇ ଦେଇ ଖବରକାଗଜ ଭିତରେ ମୁଣ୍ଡଟାକୁ ସେଇମିତି ଗଳେଇ ରଖି କହିଲେ ଜଟିଆ ବାବୁ ।

ପାଖକୁ ଲାଗି ଆଉ ଗୋଟେ ଚେୟାର ଉପରେ ବସି ସେଇ ଖବରକାଗଜର ଆଉ ଗୋଟେ ପୃଷ୍ଠାରୁ ଦୁଷ୍କର୍ମ ଅପରାଧ ବିଷୟରେ ମନ ଧ୍ୟାନ ଦେଇ ପଢ଼ୁଥିବା ନରିଆ ଦାସ କଥାଟିକୁ ଭିତରକୁ ନନେଇ ସେମିତି ନିଜ ପଢା ଜାରି ରଖିଲେ । ଭିତରେ କ୍ୟାରମ ଖେଳ ଭିତରେ ମଜ୍ଜି ଯାଇଥିବା କ୍ଲବ ପିଲାମାନେ ବି ଜଟିଆର କଥାକୁ ଗୁରୁତ୍ୱ ନଦେଇ ନିଜ ଖେଳରେ ମଜ୍ଜି ରହିଲେ ।

                                      (ପ୍ରତୀକାତ୍ମକ ଫୋଟୋ, ଭାୟା - ଗୁଗୁଲ ସର୍ଚ୍ଚ )

ଜଟିଆ ବାବୁ.. ନା ସେ କୋଉ ସରକାରୀ ଅଫିସର ନା କୋଉ ମନ୍ତ୍ରୀ କି ଏମେଲେ । ହେଲେ ଏ ଜଟିଆ ନାଁ ପଛରେ ସାଙ୍ଗିଆ ବାବୁ କିଏ ପ୍ରଥମେ ଲଗେଇଥିଲା ତାହାର କୌଣସି ଐତିହାସିକ ରେକର୍ଡପତ୍ର ନାହିଁ । ଗାଁ ରେ ସମସ୍ତେ ତାଙ୍କୁ ଜଟିଆ ବାବୁ କୁହନ୍ତି । ସେ ଏକାଧାରରେ ଜଣେ କୁଜି ନେତା, ଛୋଟ ଠିକାଦାର ଓ ପୁଲିସ ଖବରି । ଦିନର ଅଧିକାଂଶ ସମୟ ତାଙ୍କର ଏହି କ୍ଲବ ଘର ଆଗରେ ନହେଲେ ପଞ୍ଚାୟତ ଅଫିସ ଆଗରେ କଟେ । ଆଞ୍ଚଳିକ ରାଜନୀତି ଛଡା ଜାତୀୟ ରାଜନୀତିରେ ତାଙ୍କର ଅଗାଧ ପାଣ୍ଡିତ୍ୟ । ପାନ ଚୋବେଇ ଚୋବେଇ ଦାନ୍ତ ସବୁ ଈଷତ କଳା କରି ଦେଇଛନ୍ତି । ବୟସ ପାଖାପାଖି ପଚାଶ ହେବ କିନ୍ତୁ ନିଶ ଓ କେଶକୁ ବରାବର କଳା କରି ବୟସକୁ ଦଶ ବର୍ଷ ତଳକୁ ଖସେଇ ଦେବାର ଅପଚେଷ୍ଟା  କରନ୍ତି ସବୁବେଳେ ।

କଥାଟିକୁ କେହି ଗୁରୁତ୍ୱ ଦେଉନଥିବାର ଦେଖି ଗୋଟେ ଖଣ୍ଡି କାଶ ମାରି ଭଲ୍ୟୁମ ଟିକେ ବଢ଼େଇ ଦେଲେ ଜଟିଆ ବାବୁ ।

"ଗଣେଶ ପୂଜାକୁ ଆମେ ଯୋଉ ମେଲୋଡି ଆୟୋଜନ କରୁଛେ, ସେଥିରେ ପ୍ରଥମେ ଏ ଜାତୀୟ ସଂଗୀତ ଗାନକୁ ରଖିଲେ କେମିତି ହୁଅନ୍ତା ପିଲାମାନେ? ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ପରେ ଜାତୀୟ ସଙ୍ଗୀତ ଗାନ । ଲୋକ ତ ଏମିତିରେ ପେଣ୍ଡାଲ ତଳେ ଛିଡାହୋଇ ମେଲୋଡି ଦେଖନ୍ତି । ସେମାନଙ୍କୁ ଆଉ ଠିଆ ହେବାକୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିବନି । ନୂଆ ଦେଶଭକ୍ତି କାମ ଗୋଟେ କରି ଆମ କ୍ଳବର ମଧ୍ୟ ସୁନାମ ହୁଅନ୍ତା ।"

"ଭଲ କଥାଟିଏ କହିଲ ଜଟିଆ ଭାଇ । ନିଶ୍ଚୟ କରାଯାଉ ।"

କ୍ୟାରମ ବୋର୍ଡରେ କୁଇନ ପଛରେ ବ୍ୟସ୍ତ ଥିବା ଟୁବୁଲା ମନକୁ କଥାଟା ପାଇଗଲା ପୁରା । ନିକଟସ୍ଥ ଡ଼ିଡ଼ି (ଧୃତହରି ଦାସ) କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ପାଠ ପଢ଼େ ଟୁବୁଲା ।  କଲେଜ ଯିବା ପୂର୍ବରୁ ଓ କଲେଜରୁ ଆସିବା ପରେ କିଛି ଘଣ୍ଟା ଏହି କ୍ଲବରେ କଟେଇବା ହେଲା ତା'ର ଦୈନନ୍ଦିନ କାମ । ବାପା ପ୍ରାଥମିକ ସ୍କୁଲ ଶିକ୍ଷକ । ତେଣୁ ଘର ଚିନ୍ତା କିଛି ମୁଣ୍ଡକୁ ନିଏନି ଟୁବୁଲା । କ୍ଲବ ଘର ଓ ଗାଁ କ୍ରିକେଟ ଟିମ ପାଇଁ ଜୀବନଟା ତା'ର ସମ୍ପୂର୍ଣ୍ଣ ଉତ୍ସର୍ଗ ।

"ହଁ ସେଇଆ ହେଉ ।"

ଗୁଟଖା ଛେପ ଭର୍ତ୍ତି ପାଟିକୁ ଉପରକୁ ଟେକି କଥାଟିକୁ ସମର୍ଥନ କଲା ସହ କ୍ୟାରମ ଖେଳାଳୀ ରାମା ।  ସଙ୍ଗେସଙ୍ଗେ ବଡ଼ ପାଟିରେ ଘୋଷଣା ହୋଇଗଲା ଏବର୍ଷ ଗଣେଶ ପୂଜାରେ ମେଲୋଡି କାର୍ଯ୍ୟକ୍ରମ ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯିବ । କଥାଟା ନିକଟସ୍ଥ ପାନ ଦୋକାନ ଓ ଚା ଦୋକାନରେ ଭଲ ଖଟିର ଖୋରାକ ଯୋଗାଇଲା ।


ସାଇକେଲକୁ ରାସ୍ତା କଡରେ ରଖି ଚା' ଦୋକାନ ଚାଳି ଭିତରକୁ ପଶୁ ପଶୁ ଭିତରୁ କିଏ ଜଣେ କହିଲା, "ଆରେ ଗୋପାଳ, ଶୁଣିଲୁଣି ନା !  ଏବର୍ଷ  ଜନଗଣମନ ବୋଲାଯିବ ଗଣେଶ ପୂଜା ମେଲୋଡି ପୂର୍ବରୁ । ତୁ ଜାଣିଛୁ ନା ନାହିଁ ଜାତୀୟ ସଙ୍ଗୀତ କଣ? ହେ ହେ.."

ଚା' ଦୋକାନ ଚାଳି ଭିତରୁ ଦୁଇ ତିନି ଜଣଙ୍କ ହାସ୍ୟରୋଳ ଶୁଣାଗଲା ଏକ ସାଙ୍ଗରେ ।

ଏଇମିତି ଗାଁ ଛକ କି ଦୋକାନ ଖଟିରେ ଥଟ୍ଟା ପରିହାସର ପାତ୍ର ହେବାଟା ଗୋପାଳ ପାଇଁ କିଛି ନୂଆ ନୁହେଁ । ବୈରାଗୀ ସନ୍ୟାସୀଟିଏ ଭଳି ସେ କିନ୍ତୁ ଥାଏ ଏସବୁ ବିଷୟରୁ ନିର୍ବିକାର । ଗରିବ ଚାଷୀଟିଏ ଗୋପାଳ । ତୃତୀୟ ଶ୍ରେଣୀରେ ପଢୁଥିଲା ବେଳେ ତା ବାପା ଚାଲିଗଲା । ସେହିଦିନ ଠାରୁ ତା ଜୀବନ କଟୁଛି ବିଲ ମାଟିରେ । ଘରେ ସ୍ତ୍ରୀ ଓ ଦୁଇଟା ପିଲା । ନାହିଁ ନାହିଁର ସଂସାର । ଏ ଦୁନିଆରେ କଣ ଘଟୁଛି ସେସବୁ ତା ମୁଣ୍ଡରେ ପଶେନି । ଅନେକ ସମୟରେ ସେ ବୁଝିବା ପାଇଁ ଚେଷ୍ଟା କରେ କିଛି କିଛି । କେତେବେଳେ ଭେଣ୍ଡି ଗଛରେ ଔଷଧ ପକେଇବାକୁ ହେବ ତ କେତେବେଳେ ବିଲାତି ବୁଦାରେ ପାଣି ମଡ଼େଇବାକୁ ହେବ.. ଏମିତି କଥା ସବୁ ଆସି ତା ଭାବନାକୁ ବିଗାଡି ଦିଅନ୍ତି । ସେ ପୁଣି ଫେରିଯାଏ ତା ବିଲବାଡ଼ି ଓ ସଂସାର ଜଞ୍ଜାଳ ଭିତରକୁ ।

ଚା ଗିଲାସଟା ଦୋକାନୀ ହାତରୁ ଆଣି ଚାଳି ଭିତରେ ହସୁଥିବା ମୁହଁ ମାନଙ୍କ ଉଦ୍ଦେଶ୍ୟରେ ଶୁଖିଲା ମୁହଁରେ ପଚାରିଲା ଗୋପାଳ,

"ପୂଜା ଚାନ୍ଦା ସେଇଆ ରହିବ ନା ବଢ଼ାଯିବ ଏ ସନ?"

8 comments:

  1. ଲେଖା ଭଳିଆ ଲେଖା ଖଣ୍ଡିଏ ହେଇଛି ହେ ଅଜା ।
    ପୁରା ମନ‌କୁ ପାଇଗଲା ।

    ReplyDelete
    Replies
    1. ଅଜା ଖୁସ ହୁଆ.. ହା ହା

      Delete
  2. ବହୁତ୍ ସୁନ୍ଦର

    ReplyDelete
  3. ଅଜା, ଜୋରଦାରିଆ ଲେଖାଟେ ହୋଇଛି। :)

    ReplyDelete
  4. ଭଲ ଲେଖୁଛ ଅଜା😊😊 ଜାରି ରଖ।

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ । ରେଗୁଲାର ଲେଖି ହେଉନି । ତଥାପି ଲେଖା ଚାଲିବ ଆଗକୁ

      Delete