Friday 7 July 2017

ନାଲି ଚୁଡ଼ା

ଭାରି ଅଣନିଶ୍ୱାସୀ ଲାଗେ । ଏ ପିଢ଼ି ସହ ତାଳ ଦେଇ ବୋଧେ ଚାଲି ହେବନି ଆଉ । ଆମ ଜେଜେ ବାପା ଜେଜେ ମା'ଙ୍କର ପିଢ଼ି ବୋଧେ ଏମିତି ଅଶ୍ଵସ୍ତି ଅନୁଭବ କରୁଥିବେ, ଆମ ବାପା ମା'ଙ୍କର ସମୟରେ । ଆମ ବାପା, ମା'ଙ୍କ ପିଢ଼ି ବୋଧେ ଠିକ ଏମିତି ଅଣନିଶ୍ୱାସୀ ହୋଇଯାଉଥିବେ ଯେତେବେଳେ ଆମ ପିଢ଼ିର କଣ୍ଟ୍ରୋଲ ଆସିଥିବ ଏ ସମାଜରେ । ବଦଳିବାଟା ତ ସଂସାରର ନିୟମ । ହେଲେ ଆମ ପିଢ଼ିର ସମୟ କଣ ଏତେ ଶୀଘ୍ର ସରିଗଲା ! ଆଜିକାଲିର ଦ୍ରୁତଗତିରେ ବଦଳୁଥିବା ସମାଜ ଭିତରେ କିଛି ବି ଅସମ୍ଭବ ହୋଇ ନପାରେ । କିମ୍ବା ଆମେ ସବୁ ଥିଲୁ ପୁରୁଣା ସ୍କୁଲର ଛାତ୍ର । ସେଥିପାଇଁ ବୋଧେ ଆମ ମାନଙ୍କ ପାଇଁ ଏ ପରିବର୍ତ୍ତନଟା ଶୀଘ୍ର ଅନୁଭୂତ ହେଉଛି ।

ଟିଭି କିମ୍ବା ଇଣ୍ଟରନେଟରେ ଆଜିକାଲିର ସିରିଏଲ କି ଫିଲ୍ମ ଦେଖିଲେ, ପାଞ୍ଚ ମିନିଟରୁ ଅଧିକ ସମୟ ଦେଖି ପାରେନି ମୁଁ । ଆପେ ଆପେ ରିମୋଟର ବୋତାମ ଟିପି ହୋଇଯାଏ ନହେଲେ mouseର ପଏଣ୍ଟର ଯାଇ ବଦଳେଇ ଦିଏ କମ୍ପୁଟରର ପରଦାକୁ । ଏ ଚରିତ୍ର ମାନଙ୍କୁ ଦେଖିଲେ ଲାଗେ, କିଏ ସବୁ ଏମାନେ?  ଅଚିହ୍ନା ଲୋକମାନଙ୍କର ଭିଡ଼ ମଧ୍ୟକୁ ପଶିଗଲା ଭଳି ଲାଗେ ନିଜକୁ । ଏ ଚରିତ୍ର ମାନଙ୍କର କଥାବାର୍ତ୍ତା ଚାଲିଚଳନ, ସବୁ କିଛି ଅନ୍ୟ କେଉଁ ସମାଜର ଭଳି ଲାଗେ । ଆମ ଆଖପାଖରେ ବୁଲୁଥିବା ଚରିତ୍ର ମିଳନ୍ତନି ସେ ଫିଲ୍ମ କି ସିରିଏଲର କାହାଣୀରେ ।

ଥରେ ଟ୍ୱିଟର Timeline ରେ scroll କରୁ କରୁ ପାଇଲି କ୍ଷୁଦ୍ର ଗପଟିଏ । ପଢୁ ପଢୁ ଛାତିଟା ଭାରି ଭାରି ହୋଇଗଲା । 50/60 ଧାଡ଼ିର ଗପ ଭିତରେ ଥିବା ଚରିତ୍ର ସବୁଙ୍କୁ ଚିହ୍ନିଲା ଚିହ୍ନିଲା ପରି ଲାଗିଲା । ସବୁ ଯେମିତି ଏଇଠି କୋଉଠି ଆମ ଆଖପାଖରେ ବୁଲୁଥିଲେ । କେହିଜଣେ ସାଉଁଟି ଆଣି ଗପଟିଏ ଲେଖି ଦେଇଥିଲା ।

ଜାଣିନି ଏ ଲେଖିକାଙ୍କୁ ମୁଁ କେବେ ଟ୍ୱିଟରରେ ଫଲୋ କରିଥିଲି ଏବଂ କେବେ ସେ ମୋତେ ଫଲୋ-ବ୍ୟାକ କରିଥିଲେ । ଗପଟି ପୁରା ଆନ୍ଦୋଳିତ କରି ରଖି ଦେଇଥିଲା ମନକୁ । ମୋ ପ୍ରତିକ୍ରିୟା ବି ଠିକ୍ ଏମିତି କିଛି ଥିଲା ନୂଆ ଲେଖିକାଙ୍କ ପ୍ରତି ଟ୍ୱିଟରରେ । ତାପରେ ଆସିଲା ଏମିତି ଅନେକ ଗପ, ଅନେକ ଚରିତ୍ର ଓ ଅନେକ ଭାବାବେଗ । ନାଲି ଚୁଡା, କ୍ଷୀରି, ଉର୍ମିଳା.. ଏମିତି କେତେ ରୂପରେ ।


ମୁଁ ଅନେକ ସମୟରେ ଭାବେ, କାହିଁକି ଆମ ଫିଲ୍ମ/ସିରିଏଲ ଆମଠାରୁ ଏମିତି ଆଲିଏନ ହୋଇ ଯାଇଛନ୍ତି ! କାହିଁକି ପରଦା ଉପରେ ଆସୁଥିବା ଦୃଶ୍ୟ ଗୁଡିକ ଫିକାଫିକା କୃତ୍ରିମ ଲାଗନ୍ତି !! ପ୍ଲାଷ୍ଟିକ ଭଳି ଚକଚକ ହେଲେ ନିର୍ଜୀବ । ଏମାନେ ଛୁଇଁ ପାରନ୍ତିନି ମନର ସେ ନିବୃତ କୋଠରୀକୁ । କାହାଣୀ ସବୁ ଚହଲେଇ ପାରନ୍ତିନି ଛାତି ଭିତରେ ବରଫ ପାଲଟି ଯାଇଥିବା କ୍ଷତକୁ । ହେଲେ ଏ ଲେଖିକାଙ୍କର କିଛି ଧାଡ଼ିର କାହାଣୀ କେମିତି ବିଦାରି ଦେଉଛି ସେ କ୍ଷତକୁ ! ଆଖି କୋଣରୁ ଅଜାଣତରେ କେତେବେଳେ ଲୁହ ତ କେତେବେଳେ ଓଠରୁ ହସଟିଏ.. କେମିତି ଝରି ଆସୁଛି ଗପ ପଢିଲା ଭିତରେ ! କାହାଣୀର ଚରିତ୍ର ଗୁଡିକ କେମିତି ଜାଗା ମାଡି ବସି ପଡୁଛନ୍ତି ଜବରଦସ୍ତି ହୃଦୟରେ!!

ଗଳ୍ପ କିମ୍ବା କାହାଣୀ ଲେଖିବା ସମସ୍ତଙ୍କର ଆୟତ୍ତରେ ନଥାଏ । ଏ ହେଉଛି ଏକ ସୃଜନଶୀଳତା । ବୋଧେ ଆଜିର ଲୋକଙ୍କ ପ୍ରଫେସନ ଏପଟ ସେପଟ ହୋଇଯାଇଛି । ଫିଲ୍ମ ସିରିଏଲ ପାଇଁ ଲେଖୁଥିବା କାହାଣୀକାର ବୋଧେ ଭୁଲରେ ପଶି ଆସିଛନ୍ତି ଏହା ଭିତରକୁ । ଏବଂ ପ୍ରକୃତ ଲେଖକ ଅନ୍ୟ କୋଉ ପ୍ରଫେସନ ଭିତରେ ପଶି କାହାଣୀ ଲେଖିବା ଦିଗଟିକୁ ହଜେଇ ଦେଉଛି । ଯାହାର ଦୁଃଖଦ ପରିଣତି ଭୋଗୁଛି ଆମ ସମାଜ ।

ସେ ଯାହାହେଉ, ସୁଲଗ୍ନାଙ୍କର ଗପବହିଟି ଆଣିଛି ଗୋଟେ ଆଶାର କିରଣ । ମୁଁ ଥରେ କଥା ଛଳରେ ଲେଖିଥିଲି ତାଙ୍କୁ, ସବୁ ଗପକୁ ମିଶେଇ ଗୋଟେ ଗଳ୍ପ ସଂକଳନ ପ୍ରକାଶ କରିବାକୁ । ଯେତେବେଳେ ଗପବହିଟି ଆସିଲା, ପଢି ଜାଣିଲି ମୋ ପରି ଅନେକ ଲୋକଙ୍କର ସେଇ ଏକା ଅନୁରୋଧ ଥିଲା । ମନକୁ ଖୁସି ଲାଗିଲା ଯାହାହେଉ ପିଢ଼ି ବଦଳିଛି ହେଲେ ବଦଳିନି ମଣିଷର ଭାବାବେଗ । କାଠ ଚୁଲି ବଦଳି ଇଣ୍ଡକ୍ସନ ଚୁଲା ଆସିପାରେ, ଶିଳ ବଦଳି ଗ୍ରାଇଣ୍ଡର କିମ୍ବା ଚିଠି ବଦଳି WhatsApp ଆସିପାରେ, ହେଲେ ମାନବିକ ଭାବାବେଗ କେବେବି ବଦଳି ପାରେନା । ସେଥିପାଇଁ ତ ଷାଠିଏ ଦଶକର ଫିଲ୍ମ, ଅଷ୍ଟାଦଶ ଶତାବ୍ଦୀର କ୍ଲାସିକ ଉପନ୍ୟାସ ଆଜିବି ଏକବିଂଶ ଶତାବ୍ଦୀର ମଣିଷକୁ ଭାବବିହ୍ୱଳିତ କରି ପକାଏ ।

ପିଜା, ବର୍ଗର ଯୁଗରେ ବି ନାଲିଚୁଡ଼ାର ଆଦର ରହିଛି ଓ ଆଗକୁ ରହିବ ।

PS: ସୁଲଗ୍ନାଙ୍କର ବହିଟିର ରିଭ୍ୟୁ ଲେଖିବାକୁ କଲମ ବାହାର କରିଥିଲି, ହେଲେ ଲେଖୁ ଲେଖୁ କଲମଟି ମାଡ଼ିଗଲା ଅନ୍ୟ ଆଡକୁ ।