Friday 7 December 2018

ଅରଣା ଷଣ୍ଢ (Raging Bull)

ବାଉଁଶ ବୁଦା ଭିତରେ ହେଉ କି ଖୋଲା ପଡିଆରେ ହେଉ, ଛକ କଡ଼ର ଅଳିଆ ଗଦା ପାଖରେ ହେଉ କି କେବିନ ପଛ ପଟରେ ହେଉ, ବଜାରର ଗଳି ଭିତରେ ହେଉ କି ହାଟର ଚାଳି ଭିତରେ । ସମସ୍ତେ ଦେଖିଥିବେ ସେ ଜନ୍ତୁଟାକୁ । ଲଢେଇ କରିବାକୁ ସଦା ତୟାର । ଫଁ ଫଁ ହୋଇ ହଙ୍କାଳି ହେଉଥିବ । ଶିଙ୍ଗରେ ତାଡି ପକାଉଥିବ ମାଟିକୁ ନହେଲେ ଅଳିଆ ଗଦାକୁ । ବାଳୁଙ୍ଗା ଛୁଆ କିଏ ଦୂରରୁ ଉସୁକେଇ ଦିଅନ୍ତି ଦୂରରୁ ପାଟି କରି, “ଗିରି ଗିରି”, “ହୁସୁ ହୁସୁ”.. । ମାଡିଯାଏ ଷଣ୍ଢଟି ଅପର ପାର୍ଶ୍ୱରେ ଥିବା ଷଣ୍ଢ ଆଡକୁ । ହୁଏ ଘମାଘୋଟ ଲଢେଇ, ଠେଲାପେଲା, ଭୁଷାଭୁଷି, କାଚାକାଚି । ଅପର ପଟିଆ ଷଣ୍ଢଟି ଖଣ୍ଡିଆ ଖାବରା ହୋଇ ପଳାୟନ ନ କଲା ପର୍ଯ୍ୟନ୍ତ ଶାନ୍ତ ହୁଏନି ଏ ପଟର ଷଣ୍ଢ । ଅରଣା ଷଣ୍ଢ ।

                                      (Pic Edit: Twitter - @JustLalit)
ମୁଷ୍ଟି ଯୁଦ୍ଧ (ବକ୍ସିଂ) ଆରମ୍ଭ ହେବା ପାଇଁ ରେଫରୀଙ୍କ ସୁସୁରି ଫୁଙ୍କାକୁ ସମସ୍ତଙ୍କ ଅପେକ୍ଷା । ଦର୍ଶକ ଗ୍ୟାଲେରୀରେ ଲୋକ ଟିକଟ କାଟି ଆସି ଯେଝା ଯେଝା ଚଉକିରେ ବସି ଗଲେଣି । ଖେଳ ବିଭାଗର ସାମ୍ବାଦିକ ମାନେ ଖାତା କଲମ ଧରି ପ୍ରସ୍ତୁତ । ଘୋଷକ ଧାରାବିବରଣୀ ଦେବା ପାଇଁ ମାଇକ ଆଗରେ ନିଜ ଗଳାକୁ ପ୍ରସ୍ତୁତ କରିଦେଲେଣି । ମୁଷ୍ଟି ଯୁଦ୍ଧର ରିଙ୍ଗ ଭିତରେ ଗୋଟେ କଣରେ ଚଉକି ଉପରେ ବସି ପାଟିରେ ପାନ (ବୋଧେ) ଜାକି କୋଚ୍ ଗୁରୁଙ୍କ ଉପଦେଶ ସବୁକୁ ଶୁଣି ମୁଣ୍ଡ ଟୁଙ୍ଗାରୁଥାଏ ପ୍ରତିଯୋଗୀଟି । ରିଙ୍ଗର ଅପର ପାର୍ଶ୍ୱରେ ଫଁ ଫଁ ହୋଇ ଡେଉଁଥାଏ, ଖଙ୍କାରି ହେଉଥାଏ, ହାତ ଗୋଡ଼ ଛାଟି କୁଦୁଥାଏ ଜେକ୍ ଲା’ମୋଟା । ଆମ ଫିଲ୍ମର ଅରଣା ଷଣ୍ଢ । ଅଭିନୟରେ ରବର୍ଟ ଡେ’ନିରୋ । 

ଘଣ୍ଟି ବାଜିଲା । ସୁସୁରି ଫୁଙ୍କାଗଲା । କୁଦି ପଡିଲା ଷଣ୍ଢ । ଛେଚିଗଲା, କୁଟିଗଲା, ନାଦି ଦେଇଗଲା ଅନ୍ଧାଧୁନିଆ । ଛିଡି଼ଲା ଆଖି ପତା, ଫାଟିଲା ନାକ ଦଣ୍ଡି, ଛେଚି ହେଲା ଥୋମଣା । ତଳେ ଲୋଟିଗଲା ଅପର ପଟିଆ ପ୍ରତିଯୋଗୀଟି । ରେଫରୀ ଡାକିଲେ ଏକ, ଦୁଇ.. । ନା, ଉଠିବାର କୌଣସି ଆଶା ନାହିଁ । ଦଶ ଯାଏ ଡକା ହେଲା । ଘଣ୍ଟି ପିଟା ହେଲା ଖେଳ ସରିବାର । ବିଚାରପତି ମାନେ ପଏଣ୍ଟ ହିସାବ କରି ଖାତା ବଢ଼େଇ ଦେଲେ ରେଫରୀ ହାତକୁ । ସବୁକୁ ମିଶେଇ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ରେଫରୀ । ଗୋଟେ ହାତରେ ଅରଣା ଷଣ୍ଡ ଲା’ମୋଟା ଆର ହାତରେ ମାଡ଼ ଖାଇ ଟଳମଳ ହେଉଥିବା ପ୍ରତିଯୋଗୀ ରବର୍ଟ । ରେଫରୀ ଟେକିଦେଲେ ଟଳମଳିଆର ହାତ । ଦର୍ଶକ କଲେ ପ୍ରତିବାଦ । “ପଇସା ଖିଆ ଅମ୍ପିୟାର”, “ପଇସା ଖାଇ ନିଷ୍ପତ୍ତି ଦେଉଛ”, “ଏସବୁ ଚଳିବନି”, “ଯଦି ଚଳିବ, ନିଆଁ ଜଳିବ” । ହେଲା ଖଣ୍ଡଯୁଦ୍ଧ ଦର୍ଶକ ଗ୍ୟାଲେରୀରେ । ଠେଲାପେଲା, ବିଧା ଗୋଇଠା, ଚକଡା ଚକଡ଼ି, ଦଉଡା ଦଉଡ଼ି । ଉଡିଲା ଚି଼ଆର, ଟେବୁଲ ଓ ଦୁର୍ବଳିଆ ଲୋକଙ୍କ ଶରୀର ।

ଫିଲ୍ମଟି ଆମେରିକାର ଜଣେ ବକ୍ସିଂ ତାରକା ଜେକ୍ ଲା’ମୋଟା ର ଜୀବନ କାହାଣୀ ଉପରେ ଆଧାରିତ । ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଖୁବ ଶୀଘ୍ର ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଲା’ମୋଟା । ଅନେକ ଘରୋଇ ପ୍ରତିଯୋଗିତା ଜିତିଥିଲା । ହେଲେ ଲୋକଟିର ଅବିଶ୍ୱାସୀ ଚରିତ୍ର, ଅନ୍ୟକୁ ସନ୍ଦେହ ଚକ୍ଷୁରେ ଦେଖିବାର କୁପ୍ରଭାବ ପଡିଛି ତା ପରିବାର ଉପରେ ଓ ଖେଳ ଉପରେ । ଭାଇ ଛାଡିକି ଚାଲି ଯାଇଛି । ସ୍ତ୍ରୀ ମଧ୍ୟ ଛୁଆପିଲାଙ୍କୁ ଧରି ହାତ ଛାଡ଼ିଛି । ଜିତୁଥିବା ଖେଳ ସବୁ ହାରିଛି । ଶେଷରେ ଖେଳରୁ ବିଦାୟ ନେଇଛି । ହୋଟେଲ ବିଜିନେସରେ ମନ ଦେଇଛି । ଖାଇ ପିଇ ଦଙ୍ଗଲ ଫିଲ୍ମର ଅମୀର ଖାଁ ଭଳିଆ ଥନ୍ତଲ ପେଟ ବାହାର କରିଛି । ଶେଷକୁ ହୋଟେଲ ବ୍ୟବସାୟ ବି ବୁଡିଛି । ଲୋକଟା ବରବାଦ ହୋଇଛି ସମ୍ପୂର୍ଣ୍ଣ ଭାବରେ । ହେଲେ ତଥାପି ଅରଣା ଷଣ୍ଢ ଭଳି କୁଦିବା ଛାଡ଼ିନି ।

Raging Bull ଗୋଟେ ଉଚ୍ଚପ୍ରଶଂସିତ ଫିଲ୍ମ । ନିର୍ଦ୍ଦେଶକ ଥିଲେ Martin Scorsese । ଅଭିନେତା Rober De Niro ଓ ନିର୍ଦ୍ଦେଶକ Martin Scorsese ଙ୍କ ଯୋଡିର ଯାତ୍ରା “ଟାକ୍ସି ଡ୍ରାଇଭର” ଫିଲ୍ମରୁ ଆରମ୍ଭ ହୋଇଥିଲା । ଏଇ ଫିଲ୍ମରୁ ଆଉ ଜଣେ ଅଭିନେତା ଏମାନଙ୍କ ଦଳରେ ସାମିଲ ହୋଇଥିଲେ, Joe Pesci । Scorsese ଙ୍କ ଫିଲ୍ମ ଗୁଡାକ ସାଧାରଣତଃ ମାରପିଟ, ଅଣ୍ଡରୱାର୍ଲଡ, କ୍ରାଇମ ଉପରେ ହୋଇଥାଏ । ଏ ଫିଲ୍ମଟି ଯଦିଓ ବକ୍ସିଂ ଖେଳ ଉପରେ କିନ୍ତୁ ସେଇ ମାରପିଟ ଧାରାର ଫିଲ୍ମଟି ।

Sunday 18 November 2018

The Color Purple - ରଙ୍ଗ ବାଇଗଣି

1985 ମସିହାର ଫିଲ୍ମଟି । ସ୍ପିଲବର୍ଗଙ୍କ ଦ୍ୱାରା ନିର୍ଦ୍ଦେଶିତ । ଓସ୍କାର ଫିଲ୍ମ ପାଇଁ ମନୋନିତ ହୋଇଥିଲେ ବି ଜିତିପାରି ନଥିଲା ।


ଫିଲ୍ମଟି ଦୁଇ କୃଷ୍ଣକାୟ ଭଉଣୀଙ୍କ ଉପରେ ପର୍ଯ୍ୟବେଷିତ ଯଦିଓ ଫିଲ୍ମର ମୁଖ୍ୟ ଚରିତ୍ର ବଡ ଭଉଣୀ । ଫିଲ୍ମଟି ସମାନ ନାଁରେ ପ୍ରକାଶିତ ଉପନ୍ୟାସ ଉପରେ ଆଧାରିତ ।

ନାରୀ ଅବଳା, ଦୂର୍ବଳା । ପରିବାର, ଘର, ସମାଜ, ପ୍ରକୃତି ତଥା ଭାଗ୍ୟ ସହ ତାର ସଂଘର୍ଷ ପ୍ରତି କ୍ଷଣରେ । ସଂଘର୍ଷର ବି ଗୋଟେ ସୀମା ଥାଏ । କାହା କାହା ସହ ଲଢିବ ସେ ! ପରେ ନିଜକୁ ସମର୍ପିତ କରିଦେବାକୁ ପଡେ ଏ ବିଶାଳ ଶକ୍ତି ମାନଙ୍କ ଆଗରେ । ନିଜ ସାମର୍ଥ୍ୟ ଉପରେ ସୃଷ୍ଟି ହୁଏ ସନ୍ଦେହ । ଶେଷକୁ ମୁଣ୍ଡ ନୁଆଁଇ ମାନିନେବାକୁ ପଡେ ସବୁକିଛି ।

ଏଇ ହେଉଛି ନାରୀର କାହାଣୀ । ଖାଲି ଯାହା ମଞ୍ଚଟି ବଦଳୁଥାଏ । ଫିଲ୍ମର ମୁଖ୍ୟ ଚରିତ୍ର ସେଲି ବି ନିଜକୁ ସମର୍ପି ଦେଇଥିଲା ବିନା ଲଢେଇରେ । ହେଲେ ସେଲିର ଜୀବନରେ ଆସନ୍ତି ଏମିତି କିଛି ନାରୀ ଚରିତ୍ର ଯେଉଁମାନଙ୍କୁ ଦେଖି ସେ ଲଢେଇ କରିବାକୁ ସାହାସ ଜୁଟାଏ । ଯଦିଓ ପୁରାପୁରି ନିଜକୁ ଠିଆ କରି ପାରେନି । ଶେଷକୁ ନିଜ ସାନ ଭଉଣୀର ପୁରୁଣା ଚିଠି ସବୁ ମିଳେ ତାକୁ । ଚିଠି ଗୁଡିକୁ ପଢି ସେଲି ଅନୁପ୍ରାଣିତ ହୁଏ, ସାହାସ ଜୁଟାଏ ଓ ଶେଷରେ ସଫଳ ହୁଏ ।

ଫିଲ୍ମ ତ ନୁହେଁ ଇଏ । ଚିତ୍ରକରର କାନଭାସ ଟିଏ ଅବା ଲେଖକର ଉପନ୍ୟାସ ଟିଏ ସିଏ । ମୁଖ୍ୟ ଚରିତ୍ରରେ ଜଣେ କୃଷ୍ଣକାୟ ଅଭିନେତ୍ରୀ । ଆମ ଆଡିକା ଫିଲ୍ମ ଇଣ୍ଡଷ୍ଟ୍ରୀ ହୋଇଥିଲେ ତାଙ୍କୁ ମୁଖ୍ୟ ଚରିତ୍ର ଛାଡ, କୌଣସି ସହ-ଅଭିନେତ୍ରୀର ଭୂମିକା ଯେ ମିଳିଥାନ୍ତା ମୋର ସନ୍ଦେହ । ନିର୍ଦ୍ଦେଶକଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ବର୍ଷର ବିଭିନ୍ନ ଋତୁକୁ ଏତେ ସୁନ୍ଦର ଭାବେ ପରଦାରେ ତୋଳିଛନ୍ତି ନଦେଖିଲେ ବିଶ୍ୱାସ କରିହେବନି । ଚରିତ୍ର ଗୁଡିକୁ ଏମିତି ଜୀବନ୍ତ କରି ପରଦାରେ ଛାଡିଛନ୍ତି ଯେ ସେମାନେ ଆମ ଆଖପାଖର ଚରିତ୍ର ଭଳି ଲାଗିବେ ।
  

Monday 12 November 2018

Schindler's List - ସିଣ୍ଡଲରଙ୍କ ତାଲିକା



ଫିଲ୍ମର ମୁଖ୍ୟ ଚରିତ୍ର ଓସ୍କାର ସିଣ୍ଡଲର୍ (Oscar Schindler) ଜଣେ ଜର୍ମାନ ଶିଳ୍ପପତି । ଦେଶର ବଡ଼ ବଡ଼ ଲୋକଙ୍କ ସହ ଥିଲା ତାଙ୍କର ସୁସମ୍ପର୍କ । ଫିଲ୍ମଟି ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର । ଜର୍ମାନୀ ନାଜି ସେନାର ଅତ୍ୟାଚାର ଚାଲିଥିବା ବେଳେ ସିଣ୍ଡଲର୍ ଜଣେ ଦେବପୁରୁଷ ଭଳି ଉଭା ହୁଅନ୍ତି । ନିଜ ବ୍ୟବସାୟ, ସମ୍ପତ୍ତି ବିନିମୟରେ ଅନେକ ଲୋକଙ୍କ ଜୀବନ ରକ୍ଷା କରନ୍ତି । ନିଜେ ଦେବାଳିଆ ହୋଇଛନ୍ତି ପଛେ କିନ୍ତୁ ଲୋକ ମାନଙ୍କୁ ଜର୍ମାନୀ ସେନାର ହାଣ ମୁହଁରୁ ବଞ୍ଚେଇ ପାରିଛନ୍ତି ସିଣ୍ଡଲରଙ୍କ ତାଲିକା (Schindler's List) ଏଇ ବିଷୟ ବସ୍ତୁ ଉପରେ ଆଧାରିତ ।

ଜୁରାସିକ ପାର୍କ ଫିଲ୍ମର ନିର୍ଦ୍ଦେଶକ Steven Spielberg ଏ ଫିଲ୍ମଟିକୁ ନିର୍ମାଣ କରିଥିଲେ । ଶୁଣାଯାଏ ଏ କାହାଣୀକୁ ନେଇ ଫିଲ୍ମଟିଏ ତିଆରି କରିବାକୁ 1963 ମସିହାରେ ସ୍ପିଲବର୍ଗଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ନାଜି ମାନଙ୍କ ରୋମଟାଙ୍କୁରା ଭୟାନକ ନରସଂହାରର ପୃଷ୍ଠଭୂମିରେ ଫିଲ୍ମଟିଏ ତିଆରି କରିବା ପାଇଁ ସ୍ପିଲବର୍ଗ ସେତେବେଳେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିପାରିନଥିଲେ । ଶେଷରେ ପ୍ରାୟ ତିରିଶ ବର୍ଷ ପରେ 1993 ମସିହାରେ ଏ କାହାଣୀକୁ ନେଇ ସେ ଫିଲ୍ମଟି ତିଆରି କରିଥିଲେ । ଫିଲ୍ମଟିର ଅଳ୍ପ କେତୋଟି ଦୃଶ୍ୟକୁ ଛାଡି ଦେଲେ ପୁରା ଫିଲ୍ମଟି କଳା ଧଳା । 

କାହାଣୀ:
ଓସ୍କାର ସିଣ୍ଡଲର (Oscar Schindler) ନା ଥିଲେ ସୈନ୍ୟ ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ ନା ଦେଶର କୌଣସି ପ୍ରଭାବଶାଳୀ ପ୍ରଶାସକ । ସେ ଥିଲେ ଜଣେ ବ୍ୟବସାୟୀ ବା ଶିଳ୍ପପତି । କିଛି ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ସେହି ସୁବିଧାର ସୁଯୋଗ ଉଠାଇ ନିଜ ପାରୁପର୍ଯ୍ୟନ୍ତ ଯେତେ ସମ୍ଭବ Jews ମାନଙ୍କୁ ନାଜି ନରସଂହାରରୁ ରକ୍ଷା କରିପାରିଥିଲେ । ଯେତେବେଳେ ସୈନ୍ୟ ମାନଙ୍କୁ Jews ମାନଙ୍କୁ ହତ୍ୟା କରିବାର ନିର୍ଦ୍ଦେଶ ମିଳିଲା ଓ ନରସଂହାର ଆରମ୍ଭ ହୋଇଗଲା, ସେତେବେଳେ ସିଣ୍ଡଲର ନିଜ କାରଖାନାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିବାର ନିଷ୍ପତ୍ତି ନେଲେ । କାରଖାନା ଗଲେ ତା ସହ ସେଠି କାମ କରୁଥିବା ଶ୍ରମିକ ମାନଙ୍କୁ ମଧ୍ୟ ନେବାକୁ ହେବ । କାରଖାନାକୁ ସ୍ଥାନାନ୍ତରିତ କରିବା ପଛରେ ଥିଲା ତାଙ୍କର ଏଇ ଅସଲ ଉଦ୍ଦେଶ୍ୟ ଏଥିପାଇଁ ସେ ଜର୍ମାନ ସରକାର ସହ ଚୁକ୍ତି କଲେ । ଶ୍ରମିକ ମାନଙ୍କ ବଦଳରେ ସେ ସରକାରକୁ ପର୍ଯ୍ୟାପ୍ତ ଅର୍ଥ ଦେବେ । ସରକାରରେ ଥିବା ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପ୍ରଭାବିତ କରି ସେ ଏହାକୁ କାର୍ଯ୍ୟକାରୀ କରିପାରିଥିଲେ । ପ୍ରାୟ ହଜାରେ ପାଖାପାଖି Jews ମାନଙ୍କୁ ସେ ସ୍ଥାନାନ୍ତରିତ କରିପାରିଥିଲେ । 

ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ସିଣ୍ଡଲର ଭୂମିକାରେ ଅଭିନୟ କରିଥିଲେ ଲିଆମ ନିସନ (Liam Neeson) । ନାଜି ଆକ୍ରମଣର ପୃଷ୍ଠଭୂମିରେ ଅନେକ ଭଲ ଫିଲ୍ମ ତିଆରି ହୋଇଛି । ଇଟାଲି ଦେଶର ଫିଲ୍ମ Life Is Beautiful ମଧ୍ୟ ଏମିତି ଏକ ଭଲ ଫିଲ୍ମ । ହେଲେ ସବୁ ଫିଲ୍ମ ଭିତରେ Schindler's List ନିଶ୍ଚୟ ଉପରେ ରହିବ । 

ଏକ ସମ୍ବେଦନଶୀଳ ବିଷୟକୁ ନେଇ ଫିଲ୍ମଟି ତିଆରି କରାଯାଇଥିଲେ ବି ଏଥିରେ କଳାତ୍ମକ ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ପୁରା ଫିଲ୍ମକୁ କଳାଧଳାରେ ତିଆରି କରାଯାଇଛି କିନ୍ତୁ ଗୋଟେ ଦୃଶ୍ୟରେ ଜଣେ କୁନିଝିଅର frock କୁ ରଙ୍ଗୀନ ରଖାଯାଇଛି । ମଣିଷର ଭାବାବେଗର ସୁକ୍ଷ୍ମ ସ୍ନାୟୁତନ୍ତ୍ରକୁ ଛୁଇଁବାର ଚେଷ୍ଟା କରିଛି ଏଇ ଛୋଟ ଦୃଶ୍ୟଟି । କହିବା ବାହୁଲ୍ୟ କୁନି ଝିଅଟି ନାଜି ନରସଂହାରରେ ନିଜ ଜୀବନ ହରେଇଛି  

ଫିଲ୍ମର ସଂଳାପ ଓ ପଟ୍ଟକଥା ଅତି ମାର୍ମିକ । ସ୍ପିଲବର୍ଗଙ୍କ ଫିଲ୍ମର ଏ ହେଉଛି ଟ୍ରେଡ଼ମାର୍କ ଛାପ ଫିଲ୍ମଟିରେ ମୋ ପସନ୍ଦର ସଂଳାପଟି ହେଲା, 

"Power is when We have every justification to kill, and We don't.


Friday 9 November 2018

How Green was my Valley - ମୁଭି ରିଭ୍ୟୁ


1941 ମସିହା ଓସ୍କାର ପୁରସ୍କାର ବିଜୟୀ ଫିଲ୍ମଟି । ସେ ବର୍ଷ ଆସିଥିବା ଆଉ ଏକ ଚର୍ଚ୍ଚିତ ଫିଲ୍ମ "ସିଟିଜେନ୍ କେନ୍"କୁ ପଛରେ ପକାଇ ଏ ଫିଲ୍ମଟି ଜିତିଥିଲା ଓସ୍କାର । 1939 ରେ ସମାନ ନାଁ ରେ ପ୍ରକାଶିତ ହୋଇଥିବା ଉପନ୍ୟାସକୁ ନେଇ ଏ ଫିଲ୍ମର ବିଷୟବସ୍ତୁ ।

କୋଇଲା ଖଣିରେ କାମ କରୁଥିବା ଏକ ପରିବାରର କାହାଣୀ । ପରିବାରର ମୁଖ୍ୟ Gwilym Morgan, ତାଙ୍କର ପାଞ୍ଚ ପୁଅ ଓ ଗୋଟେ ଝିଅ । ସବା ସାନ ପୁଅ Huw Morgan. 
ଘଟଣା, ଦୁର୍ଘଟଣା, ଉତଥାନ, ପତନ, ପ୍ରେମ, ବିରହ.. ଏସବୁ ଭିତରେ ଚାଲେ ସଂସାର । ସବୁ ପରିବାରର ଏ ଚିରାଚରିତ କାହାଣୀ । ଫିଲ୍ମଟି ବର୍ଣ୍ଣନା କରାଯାଇଛି ସାନ ପୁଅର ମୁହଁରେ । ପିଲାବେଳୁ ବାପାଙ୍କ ହାତ ଧରି ନିଜ ଗାଁ (ଭ୍ୟାଲି)ରେ ବୁଲିଛି ସେ । ସାଇ ପଡିଶା, ବାପା ମା, ଭାଇ ଭଉଣୀଙ୍କ ସହ ଖୁସିରେ କଟିଛି ପିଲାଦିନ  । ବାପା ଘରର ମୁଖିଆ । ମଝି ଖୁଣ୍ଟ ।  

ସବୁ ପରିବାରର ତେଲ ଲୁଣର କାହାଣୀ ପରି ଏ ଫିଲ୍ମଟିର କାହାଣୀ । ସେମିତି କିଛି ବିଶେଷ ନାଟକୀୟତା ନାହିଁ କାହାଣୀରେ । କେତେବେଳେ ଖୁସି ତ କେତେବେଳେ ଦୁଃଖ । କିଛି ପାଇବା ଓ କିଛି ହରେଇବାକୁ ନେଇ ଜୀବନ । 

ସ୍ମୃତି ସବୁବେଳେ ମଧୁର । ଅତୀତର ଅନୁଭୂତି ସବୁ ସ୍ମୃତି ହୋଇ ଆମ ପାଖେ ପାଖେ ସଦା ରହିଥାଏ । କୋଇଲା ଖଣିଟି ଯୋଗୁ ସେ ଭ୍ୟାଲିଟି ଧୀରେ ଧୀରେ ନିଜ ସୁନ୍ଦରତା ହରାଇଛି । ଏଣେ ଖଣିର ଉତ୍ପାଦନ ବି କମିଛି । ଲୋକେ କାମ ନପାଇ ଧିରେ ଧିରେ ଭିଟାମାଟି ଛାଡିଛନ୍ତି । 

ଫିଲ୍ମଟି ପୁରୁଣା ଦିନର କାହାଣୀକୁ ନେଇ । ସେତେବେଳର ଜୀବନଚର୍ଯ୍ୟା, ସାମାଜିକ ଜୀବନ ଆଜିକାର ସମୟରେ ଟିକେ ଖାପଛଡ଼ା ଲାଗିପାରେ । ଗାଁ ଲୋକଙ୍କ ସମବେତ କଣ୍ଠ ସଂଗୀତ ଗୁଡିକ ବି ଭାରି ବିରକ୍ତିକର ଲାଗେ ଫିଲ୍ମଟିରେ । ତେବେ ଫିଲ୍ମଟିର ବେଷ୍ଟ ପାର୍ଟ ହେଉଛି, ତା'ର ବର୍ଣ୍ଣନା (narration) । ସାନ ପୁଅ Huw Morgan ର ମୁହଁରେ କାହାଣୀର ବର୍ଣ୍ଣନା ଯେତେ ଥର ଶୁଣିଲେ ବି ଭଲ ଲାଗେ । ଶେଷ ଦୃଶ୍ୟଟିରେ ନିଜର ବାପାଙ୍କ ମୃତ୍ୟୁ ପରର narration ଟି ବୋଧହୁଏ ପୁରା ଫିଲ୍ମର ଆତ୍ମା :

"Men like my father cannot die. They are with me still, real in memory as they were in flesh, loving and beloved forever. How green was my valley then..."

Thursday 8 November 2018

Talk To Her - ଫିଲ୍ମ ରିଭ୍ୟୁ


ଏକ ଦୁର୍ଘଟଣାରେ ଆହତ ହୋଇ କୋମାକୁ ଚାଲିଯାଇଛନ୍ତି ପତ୍ନୀ ଡାକ୍ତର କହିଛନ୍ତି ଦୁର୍ଘଟଣାରେ ବ୍ରେନ ସେଲ୍ ସବୁ ନଷ୍ଟ ହୋଇଯାଇଛି କୋମାରୁ ଫେରିବାର ଆଶା ପ୍ରାୟ ନାହିଁ । ନିରାଶ ହୁଅନ୍ତି ସ୍ୱାମୀ ମାର୍କୋ । 

                                 (2002 ରେ ରିଲିଜ ହୋଇଥିଲା Spanish ଭାଷାର ଏ ଫିଲ୍ମଟି )
 
ମାର୍କୋଙ୍କର ହସ୍ପିଟାଲରେ ଭେଟ ହୁଏ ଜଣେ ପୁରୁଷ ନର୍ସଙ୍କ ସହ । ନାଁ Benigno କୋମାରେ ପଡିଥିବା ଝିଅଟିଏ Alicia ଦେଖାଶୁଣା କରୁଛନ୍ତି  ସେ କଥାବାର୍ତ୍ତାରୁ Benigno ଜାଣନ୍ତି ମାର୍କୋଙ୍କର ମାନସିକ ସ୍ଥିତି ତାଙ୍କୁ ସଜେସନ ଦିଅନ୍ତି, ସ୍ତ୍ରୀଙ୍କ ସହ କଥା ହେବାକୁ
 
ଡାକ୍ତର କହିଥିବା କଥାକୁ ଦୋହରାନ୍ତି ମାର୍କୋ ତାଙ୍କ ସ୍ତ୍ରୀଙ୍କର ବ୍ରେନ ସେଲ୍ ସବୁ ନଷ୍ଟ ହୋଇଯାଇଛି (Brain Dead) ସେ କୌଣସି କଥା ଶୁଣିପାରିବେ ନାହିଁ ତାଙ୍କ ଶରୀରଟି କେବଳ ଯାହା involuntary କାମ ସବୁ କରିପାରିବ ଯେମିତି ଖାଦ୍ୟ ହଜମ କରିବା, ଆଖି ପତା ପକେଇବା.. ତା ଛଡା ଅନ୍ୟ କୌଣସି କାମ କରିବାକୁ ତାଙ୍କ ସ୍ତ୍ରୀଙ୍କ ଶରୀର ଅକ୍ଷମ

Benigno ବୁଝାନ୍ତି ସ୍ତ୍ରୀ ଲୋକଙ୍କ ମନକୁ ବୁଝିବା ସମ୍ଭବ ନୁହେଁ ଏବଂ ନିଜ ଅନୁଭୂତିରୁ କୁହନ୍ତି, ମାର୍କୋ ତାଙ୍କ ସହ କଥା ହେବାକୁ ସ୍ତ୍ରୀଙ୍କୁ ଭଲ ଲାଗୁଥିବା ପସନ୍ଦର କାମ ସବୁ କରି ତାଙ୍କୁ ଶୁଣେଇବାକୁ କିଏ ଜାଣେ ଦିନେ ନିଦରୁ ଉଠିଲା ଭଳିଆ ସିଏ ଭଲ ହୋଇ ଉଠି ବସିବେ Talk To Her...

ମାର୍କୋ କଥାକୁ ଏତେ ଗୁରୁତ୍ୱ ନଦେଇ ଚାଲି ଯାଆନ୍ତି  

ହସ୍ପିଟାଲରେ ମାର୍କୋ ଲକ୍ଷ୍ୟ କରନ୍ତି, Benigno ତାଙ୍କ ରୋଗୀ Alicia କୁ Benigno ଆଲିସିଆଙ୍କୁ ବାହାରେ ହସ୍ପିଟାଲ ବାଲକୋନୀକୁ ବୁଲେଇବାକୁ ଆଣନ୍ତି ଆଲିସିଆଙ୍କ ସହ ସବୁବେଳେ ଗପନ୍ତି ଆଲିସିଆଙ୍କୁ Silent movie ଷ୍ଟେଜ ଅପେରା ପସନ୍ଦ ସେଥିପାଇଁ ନିର୍ବାକ ଫିଲ୍ମ ତଥା ଅପେରା ଦେଖିକି ଆସି ଆଲିସିଆଙ୍କୁ ଶୁଣାନ୍ତି ତାର କାହାଣୀ ଫିଲ୍ମ ମାଗାଜିନ ପଢି ଶୁଣାନ୍ତି Alicia କୋମାରେ ପଡିବା ପୂର୍ବରୁ ଜଣେ ଡ୍ୟାନ୍ସ ଟିଚରଙ୍କ ଠାରୁ ଡ୍ୟାନ୍ସ ଶିଖୁଥିଲେ Benigno ତାଙ୍କ ଡ୍ୟାନ୍ସ ଟିଚରଙ୍କୁ ମଝିରେ ମଝିରେ ଆଣି କଥା କରାନ୍ତି ନୂଆ ଡ୍ୟାନ୍ସ ପ୍ରୋଗ୍ରାମ ଉପରେ ଆଲିସିଆଙ୍କୁ ଶୁଣାନ୍ତି

ଧୀରେ ଧୀରେ ମାର୍କୋ ବି ଅନୁସରଣ କରିଛନ୍ତି Benigno ଙ୍କ କାର୍ଯ୍ୟକଳାପକୁ । କୋମାରେ ପଡିଥିବା ନିଜ ସ୍ତ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି । ତାଙ୍କୁ ବାଲକୋନିରେ ଆଣି ବୁଲାନ୍ତି । ତାଙ୍କ ସ୍ତ୍ରୀଙ୍କ ପସନ୍ଦ ଦେଶ ବିଦେଶର ଭ୍ରମଣ କାହାଣୀ ପଢିବା । ହେଲେ ସେଇ ଇଚ୍ଛାଟି ପୁରଣ କରିବା ଏବେ ସମ୍ଭବ ନୁହେଁ । 

କଥାବାର୍ତ୍ତାରୁ ମାର୍କୋ ଜାଣନ୍ତି, Benigno ଆଗରୁ Alicia ଙ୍କୁ ଜାଣିଥିଲେ ଓ ମନେ ମନେ ଭଲ ପାଉଥିଲେ । ସମ୍ପର୍କ ଅଳ୍ପ ଟିକେ ଆଗକୁ ବଢିବା ପୂର୍ବରୁ ଏକ ସଡକ ଦୁର୍ଘଟଣାରେ Alicia ଚାଲିଯାଆନ୍ତି କୋମା ଅବସ୍ଥାକୁ । 

ମାର୍କୋ ନିଜ ସ୍ତ୍ରୀଙ୍କ ଭ୍ରମଣ କାହାଣୀ ପଢିବା ଇଚ୍ଛାକୁ ପୁରଣ କରିବା ପାଇଁ ଦେଶ ବିଦେଶ ସବୁ ବୁଲନ୍ତି ଭ୍ରମଣ ବହି ସବୁ ଲେଖନ୍ତି  

ହଠାତ ଦିନେ ସେ ଖବର ପାଆନ୍ତି ତାଙ୍କ ସ୍ତ୍ରୀଙ୍କ ବିଷୟରେ । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମାର୍କୋ Benigno ଙ୍କୁ ଫୋନ କରନ୍ତି । କିନ୍ତୁ ହସ୍ପିଟାଲରୁ ଜାଣିବାକୁ ପାଆନ୍ତି, Benigno ଆଉ ସେଠି କାମ କରୁନାହାନ୍ତି । ମାର୍କୋ ଆଉ ଜଣେ ଚିହ୍ନା ନର୍ସଙ୍କୁ ଫୋନ କରି ତାଙ୍କଠାରୁ ଜାଣିବାକୁ ପାଆନ୍ତି, Benigno ଏବେ ଜେଲରେ । Alicia ଙ୍କୁ rape କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସେ । 

ମାର୍କୋ ନିଜ ଦେଶକୁ ଫେରନ୍ତି । ଜେଲରେ ଭେଟ କରନ୍ତି Benigno ଙ୍କୁ । Benigno ତାଙ୍କୁ Alicia ଙ୍କ ବିଷୟରେ ଖବର ସଂଗ୍ରହ କରି ଜଣେଇବାକୁ ଅନୁରୋଧ କରନ୍ତି । ମାର୍କୋ ଜାଣିବାକୁ ପାଆନ୍ତି ଯେ Alicia କୋମାରୁ ସୁସ୍ଥ ହୋଇଛନ୍ତି । 

ଏପଟେ Benigno ଜେଲରେ ଆତ୍ମହତ୍ୟା କରିଛନ୍ତି । 

ଫିଲ୍ମ ଶେଷ ହୁଏ ଏକ ଅପେରା ହାଉସରେ । ଯେଉଁଠି ଡ୍ୟାନ୍ସ ଦେଖିବା ସମୟରେ ମାର୍କୋ ଭେଟନ୍ତି Alicia ଙ୍କୁ ।

ଫିଲ୍ମର କାହାଣୀ ଟିକେ ସ୍ଲୋ ଜୀବନ, ମୃତ୍ୟୁର transition ସମୟକୁ ଅତି ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ଫିଲ୍ମର background music, ଅପେରା ଡ୍ୟାନ୍ସ ଗୀତ ସବୁ ବହୁତ ସୁନ୍ଦର ହୋଇଛି ଏଗୁଡିକ ଏମିତି ହୋଇଛି ଯେ, ଅନେକ ଦିନ ପର୍ଯ୍ୟନ୍ତ ଅବଚେତନ ମନରେ ବସା ବାନ୍ଧି ରହିଯିବ ଫିଲ୍ମଟି ଶେଷ ହୋଇଛି ଏକ ଅପେରା ଡ୍ୟାନ୍ସର ଦୃଶ୍ୟରେ ଏଇ ଦୃଶ୍ୟଟି ହିଁ ଫିଲ୍ମକୁ ଚମତ୍କାର ଭାବେ ଅନ୍ତିମ ସ୍ପର୍ଶ ଦେଇଛି । 

ଯେଉଁ ମାନଙ୍କ ସ୍ଲୋ ମୁଭି ପସନ୍ଦ, ସେମାନଙ୍କୁ ଏ ଫିଲ୍ମଟି ଭଲ ଲାଗିବ ଅନ୍ୟମାନଙ୍କୁ ଫିଲ୍ମଟି ଏତେ ଭଲ ନ ଲାଗିପାରେ

Saturday 3 November 2018

The Lives of Others - ଫିଲ୍ମ ରିଭ୍ୟୁ

ସିକ୍ରେଟ ପୋଲିସ ସଂସ୍ଥାରେ କାମ କରୁଥିବା ଜଣେ ଅଫିସରଙ୍କୁ ଦେଶର ଜଣେ ପ୍ରସିଦ୍ଧ ଲେଖକ ତାଙ୍କ ଅଭିନେତ୍ରୀ ପ୍ରେମିକାଙ୍କ ଗତିବିଧି, କାର୍ଯ୍ୟକଳାପ, କଥାବାର୍ତ୍ତା ଉପରେ 24 ଘଣ୍ଟା ନଜର ରଖିବାର ଦାୟିତ୍ୱ ମିଳେ । ସେମାନଙ୍କ ଉପରେ ନଜର ରଖୁ ରଖୁ ସେମାନଙ୍କ କଥାବାର୍ତ୍ତା ସବୁ ଗୁପ୍ତରେ ଶୁଣୁ ଶୁଣୁ ଅଫିସର ଜଣକ ପ୍ରଭାବିତ ହୋଇପଡନ୍ତି ସେମାନଙ୍କ ବ୍ୟକ୍ତିତ୍ୱ କାର୍ଯ୍ୟ ଉପରେ ପରେ ସେମାନଙ୍କ ଦେଶଦ୍ରୋହ କାର୍ଯ୍ୟକୁ ଲୁଚାଇବାକୁ ଚେଷ୍ଟାକରି ନିଜ ଚାକିରୀ ହରାନ୍ତି ।

 


2006 ମସିହାରେ ରିଲିଜ ହୋଇଥିଲା ଜର୍ମାନ ଭାଷାର ଏଇ ଫିଲ୍ମଟି, The Lives of Others କାହାଣୀଟି ବର୍ଲିନ ପ୍ରାଚୀର ଭାଙ୍ଗିବାର ପୂର୍ବ ସମୟର ଯେତେବେଳେ ପୂର୍ବ ଜର୍ମାନୀରେ ରୁଷର ଆଧିପତ୍ୟ ଥିଲା ସେଠିକାର ବୁଦ୍ଧିଜୀବୀ  ଶାସକ ଦଳର ମାତ୍ରାଧିକ ଅତ୍ୟାଚାର ବଳପ୍ରୟୋଗ ବିରୋଧରେ ଲୁଚି ଲୁଚି ଲେଖୁଥିଲେ ସରକାର ଏ ବୁଦ୍ଧିଜୀବୀ ଗୋଷ୍ଠୀଙ୍କୁ ଦମନ କରିବା ପାଇଁ ସ୍ପେଶାଲ ସିକ୍ରେଟ ପୋଲିସ ସଂସ୍ଥାକୁ ନିଯୁକ୍ତ କରିଥିଲେ କେହି ବ୍ୟକ୍ତି କୌଣସି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ମିଳିଲେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା

ଫିଲ୍ମଟିରେ ଅଫିସର ଜଣଙ୍କୁ ଜଣେ ପ୍ରସିଦ୍ଧ ମଞ୍ଚ ଲେଖକଙ୍କ ଉପରେ ନଜର ରଖିବାର ଦାୟିତ୍ୱ ମିଳିଛି ଲେଖକଙ୍କ ଘର ଆଗରେ ସିକ୍ରେଟ କ୍ୟାମେରା ଘର ଭିତରେ ଅଡିଓ device ସବୁ ଲୁଚେଇକି ଲଗାଯାଇଛି   ଲେଖକଙ୍କ ସବୁ କଥାବାର୍ତ୍ତା ଶୁଣି, କିଛି ଦେଶଦ୍ରୋହ କାର୍ଯ୍ୟର ପ୍ରମାଣ ପାଇଲେ ଉପରିସ୍ଥ ଅଧିକାରୀଙ୍କୁ ଦେବାପାଇଁ ଅଫିସରଙ୍କୁ କୁହାଯାଇଛି ସିକ୍ରେଟ ଅପରେସନର ନାଁ ରଖାଯାଇଛି ଅପରେସନ ଲାଜଲୋ

ଲେଖକଙ୍କ ପ୍ରେମିକା ଜଣେ ପ୍ରତିଷ୍ଠିତ ମଞ୍ଚ ଅଭିନେତ୍ରୀ ଏମାନଙ୍କ କଥାବାର୍ତ୍ତା ଶୁଣୁ ଶୁଣୁ ଅଫିସର ଜଣକ ଜାଣିବାକୁ ପାଇଛନ୍ତି ଯେ, ଦେଶର ସଂସ୍କୃତି ମନ୍ତ୍ରୀ ଅଭିନେତ୍ରୀଙ୍କୁ ନିଜ କ୍ଷମତା ବଳରେ ଅଯଥା ଅତ୍ୟାଚାର କରୁଛନ୍ତି ଏବଂ ଧୀରେ ଧୀରେ ଲେଖକ ତାଙ୍କ ସହ ମିଳାମିଶା କରୁଥିବା ବ୍ୟକ୍ତି ମାନଙ୍କ କଥାବାର୍ତ୍ତା ଶୁଣି ଅଫିସର ଜଣକ ପ୍ରଭାବିତ ହୋଇପଡିଛନ୍ତି

ଏଇଠୁ କାହାଣୀର ମୋଡ ବଦଳିଛି ଅଫିସର ଜଣକ ନିଜ ଉପରିସ୍ଥ ଅଧିକାରୀଙ୍କୁ ସଠିକ ତଥ୍ୟ ଦେଇନାହାନ୍ତି ପରୋକ୍ଷରେ ଲେଖକଙ୍କୁ ସାହାଯ୍ୟ କରିଛନ୍ତି ଶେଷକୁ ଲେଖକଓ ତାଙ୍କ ପ୍ରେମିକାଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ଚାକିରୀ ହରାଇଛନ୍ତି ଫିଲ୍ମଟିର ସମାପ୍ତି ବହୁତ ସୁନ୍ଦର ଭାବପ୍ରବଣତାର ସହ କରାଯାଇଛି
ଫିଲ୍ମଟି ଅତି ରୋମାଞ୍ଚକର ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଛି । ମଝିରେ ମଝିରେ ଟ୍ଵିଷ୍ଟ ଓ ସସପେନ୍ସ ଫିଲ୍ମଟିକୁ ଉତ୍କଣ୍ଠାର ଶୀର୍ଷରେ ପହଞ୍ଚାଇଛି ।