Wednesday 29 March 2017

ଅଧୁରା ପ୍ରେମ କାହାଣୀ

ଘର ପଛପଟ ଖଳାକୁ ଲାଗି ଛୋଟ ପୋଖରୀ । ମାଙ୍କଡ଼ା ପଥରରେ ତିଆରି ପାହାଚ ଉପରେ ବସି ଅନେକ ସମୟ ଧରି ପୋଖରୀର ପାଣିକୁ ଚାହିଁ ରହିଥାଏ ଶିବୁ । ମୁଣ୍ଡ ଉପରେ କୁଆଁର ପୁନେଇଁ ଆକାଶର ତୋଫା ଜହ୍ନ । ଆଦ୍ର ଶୀତର ହାଲକା କୋହଲା ପବନ ଧୀରେ ଧୀରେ ଚାଲିଥାଏ ପୋଖରୀ ହୁଡାରେ ଲାଗିଥିବା ନଡ଼ିଆ ଗଛର ବାହୁଙ୍ଗା ଭିତର ଦେଇ ଥିରି ଥିରି ହୋଇ । ଜହ୍ନର ପ୍ରତିଛବି ଭାସୁଥାଏ ପୋଖରୀର ପାଣିରେ । ଚହଲି ଚହଲି ପ୍ରତିଛବିଟି ସ୍ଥିର ହୋଇ ଆସିଲା ବେଳକୁ କୁନି କୁନି ମାଛ ମୁଣ୍ଡ ଉପରକୁ ଟେକି ପୁଣି ତାକୁ ହଲେଇ ଦେଉଥାନ୍ତି । ଗୋଲ ଗୋଲ ପାଣିର ତରଙ୍ଗ ଧୀରେ ଧୀରେ କୂଳକୁ ଆସି ଯାଉଥାଏ ଓ ତା ଭିତରେ ନେସି ହୋଇଯାଉଥାଏ ଜହ୍ନର ପ୍ରତିଛବିଟି । ଠିକ ଯେମିତି ଆଜି ଶିବୁର ସ୍ୱପ୍ନର ଜହ୍ନଟା ନେସି ହେଇ ଯାଉଛି ଭାଗ୍ୟର ପାଣି ଚହଲାରେ । 

ଧୀରେ ଧୀରେ ଜହ୍ନଟା ସ୍ଥିର ହୋଇ ଆସୁଥାଏ ପୋଖରୀର ଜଳରାଶି ଉପରେ । ଟବ କରି ଶବ୍ଦ ସହ ଉପରୁ ପଡିଲା ଟେକାଟିଏ ପାଣିରେ । ପୁଣି ଘାଣ୍ଟି ହୋଇଗଲା ଜହ୍ନର ପ୍ରତିଛବିି । ଆଃ.. କି ନିଷ୍ଠୁର! ପଛକୁ ବୁଲି ଚାହିଁଲା ଶିବୁ । ଠିକ ଗୋଟେ ପାହାଚ ଛାଡି ଉପର ପାହାଚରେ ବସିଥାଏ ମିନୁ । ହଠାତ ମିନୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସେ । 
“ତୁ କେତେବେଳେ ଆସିଲୁ?”
“କଣ କରୁଛୁ ଏଠି? ଦଶ ମିନିଟ ହେଲା ଆସି ବସିଲିଣି ହେଲେ ତୋର ଜମା ବି ଧ୍ୟାନ ନାହିଁ । କଣ ଭାବୁଛୁ ଏଠି ବସି ଏକୁଟିଆ?”
“ନାଁ କିଛି ନୁହେଁ । ଘରେ ସବୁ ଟିଭି ଦେଖୁଥିଲେ ତ ବାରି ପଟକୁ ଚାଲି ଆସିଲି । ହେଲେ ତୁ ହଠାତ ରାତିରେ? ଆମ ଘରକୁ ଆସିଥିଲୁ ନା କଣ?”
“ହଁ । ତୋତେ ଦେଖା କରିବାକୁ ଆସିଥିଲି । “
ଛାତି ଭିତରେ ଯେମିତି କିଏ ଦୁମ କରି ପିଟିଦେଲା ଶିବୁର । ଯାହାକୁ କାଲିଠାରୁ ସେ ଦୂରେଇ ଦୂରେଇ ଆସୁଥିଲା, ସେଇ କଥା ପୁଣି ଥରେ ତା ଆଗରେ । ଚୁପ ହୋଇଗଲା ଶିବୁ ।
ଉପର ପାହଚରୁ ଉଠି ତଳ ପାହାଚରେ ବସିଲା ମିନୁ, ଶିବୁ ପାଖକୁ ଲାଗି । ତା ହାତକୁ ଟାଣି ନେଇ ନିଜ ଦୁଇ ହାତ ଭିତରେ ଚାପି ଧରିଲା ।
“ଶିବୁ, ମଣିଷ ଯାହା ଚାହେଁ ସବୁ କିଛି ଯଦି ପାଇ ଯାଉଥାନ୍ତା ତାହେଲେ ଏ ଦୁନିଆଟା ଏମିତି ହୋଇ ନଥାନ୍ତା । କିଛି ପାଇବା ଓ କିଛି ନ ପାଇବାଟା ହିଁ ବୋଧେ ଜୀବନ ।”
ଆଖି ଉଠେଇ ଚାହିଁଲା ଶିବୁ । ଜହ୍ନ ଆଲୁଅରେ ଗୋରା ମୁହଁଟା ମିନୁର ଦକଦକ ହୋଇ ସଫା ଦେଖାଯାଉଥାଏ । ଟଣା ଟଣା ଆଖି, ସିଧା ନାକ । ହେଲେ ସବୁଦିନ ଭଳି ଆଜି ସେ ମୁହଁରେ କିନ୍ତୁ ଚମକ ନାହିଁ । ଦର୍ଶନ ଶାସ୍ତ୍ର ପଢାଉଥିବା ଅଧ୍ୟାପକର ମୁହଁ ପରି ଆଜି ସେ ମୁହଁ ଦେଖାଯାଉଛି ବିରସ, ଶ୍ରୀହୀନ ।
ପଛରୁ କିଏ ଡାକିଲା, “ମିନୁଦେଈ, ମିନୁଦେଈ । ଆ ଘରକୁ ଯିବା । କୋଉଠି ଅଛୁ, ମିନୁଦେଈ?”
“ବାବୁ ଆସିଛି କି ତୋ ସାଙ୍ଗରେ?” ପଚାରିଲା ଶିବୁ ।
“ହଁ, ତାକୁ ଧରି ଆସିଥିଲି । ଆଜି ମାମୁଁଘରୁ ଆସିଲି । ଘରେ ପହଞ୍ଚି ଶୁଣିଲି ତୁ ଆସିଛୁ । ତୁ ତ ଆସିବୁନି ଆମ ଘରକୁ । ଲାଜ ଖାଇଯିବ ତୋତେ । ଭାବିଲି ମୁଁ ଯାଇ ଦେଖା କରି ଆସେ । ପୁଣି କିଏ ଜାଣେ କେବେ କେମିତି ଅବସ୍ଥାରେ ପୁଣି ଦେଖା ହେବ..”
ଛାତିର କୋହ ଶେଷ ଶବ୍ଦ ଗୁଡିକୁ ଆଉ ବାହାରକୁ ଆସିବାକୁ ଦେଲାନି । କାନ୍ଧରେ ପକେଇଥିବା ଚୁନ୍ନିରେ ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ପୋଛି ଦେଲା ମିନୁ । 

କିଛି ସମୟର ନୀରବତା । ନିରୋଳା ଘରେ କାନ୍ଥଘଡ଼ି କଣ୍ଟାର ଶବ୍ଦ ପରି ନିଜ ଛାତିର ସ୍ପନ୍ଦନକୁ ଶୁଣି ପାରୁଥାଏ ଶିବୁ । ପାଟିରେ ତାର ଭାଷା ନାହିଁ । ସତେ ଯେମିତି ପଥର ପାଲଟି ଯାଇଛି ଆଜି ସେ । ନିର୍ଲଜ ଲୁହ ବି ଝରୁ ନଥାଏ ଆଖରୁ ତାର ଆଜି ।
ଭାବୁଥାଏ ଶିବୁ । ମିନୁ ସହ ତାର କି ସମ୍ପର୍କ । ସେ କଣ ତା ପ୍ରେମିକା । ବୋଧେ ନା । ବୋଧେ ହଁ । ପିଲାଦିନରୁ ସମ୍ପର୍କ, ଚିହ୍ନା ପରିଚୟ । ଏକା ଗାଁ, ଏକା ସ୍କୁଲ । ଖାଲି ଯାହା ଅଲଗା ଅଲଗା ସାହିରେ ଦୁହିଁଙ୍କ ଘର । ଭଲ ପଢୁଥିଲା ବୋଲି ସ୍କୁଲରେ ସବୁ ସାରଙ୍କ ପ୍ରିୟ ଥିଲା ଶିବୁ । ବୋଧେ ସାର ମାନଙ୍କ ଏହି ପ୍ରଶଂସା ଯୋଗୁ ମିନୁ ବି ପସନ୍ଦ କରିଥିଲା ତାକୁ । ମିନୁର ବାପା ଥିଲେ ପ୍ରାଥମିକ ସ୍କୁଲ ଶିକ୍ଷକ । ସେ ବି ଭାରି ପସନ୍ଦ କରନ୍ତି ଶିବୁକୁ । ସ୍କୁଲ ପରେ କଲେଜ ଓ ଏବେ ଇଂଜିନିୟରିଂ । କଲେଜର ଏଇ ଶେଷ ବର୍ଷରେ ଥିଲା ବେଳେ ଦେଖା ଦେଇଛି ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା (recession) । କଲେଜକୁ କ୍ୟାମ୍ପସ ଆସିନି ଏ ବର୍ଷ । ଅନିଶ୍ଚିତ ଭବିଷ୍ୟତ ନେଇ ଶିବୁ ଅନେଇଛି ଶେଷ ସେମିଷ୍ଟର ପରୀକ୍ଷା ପରେ ହାଇଦ୍ରାବାଦ କି ବାଙ୍ଗାଲୋର ଯିବା ପାଇଁ । ଏ ସମୟରେ ଆଉ କିଛି ବିଷୟରେ ଚିନ୍ତା କରିବା ତା ସାଧ୍ୟ ବାହାରେ ।
ମିନୁ ସାଧାରଣ ଷ୍ଟାଣ୍ଡାର୍ଡର ଥିଲା । ଗାଁ ପାଖ କଲେଜରେ ଗ୍ରାଜୁଏସନ ସାରି ଘରେ ବସିଛି । ମଝିରେ ମଝିରେ competitive ପରୀକ୍ଷା ସବୁ ଦେଉଛି । ହେଲେ ସଫଳତା ପାଇନି ଏ ଯାଏ । ଏହି ସମୟରେ ବାହାଘର ପ୍ରସ୍ତାବ ଆସି ପହଞ୍ଚିଛି । ପିଲାଟି ବ୍ୟାଙ୍କରେ ଚାକିରୀ କରୁଛି । ଘର ଓ ପରିବାର ଉଭୟ ଭଲ । ପୁଅ ଘର ଲୋକଙ୍କର ମିନୁ ପସନ୍ଦ ହୋଇଛି । କୌଣସି ଯୌତୁକପତ୍ର ଦାବି ରଖି ନାହାନ୍ତି ସେମାନେ । ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକର ଝିଅ ପାଇଁ ଏହାଠାରୁ ଭଲ ପାତ୍ର ମିଳିବା କଷ୍ଟ । ସମସ୍ତେ ରାଜି ହୋଇଯାଇଛନ୍ତି । ମିନୁର ମତ ପଚାରିଲା ବେଳେ ସେ ମୌନ ସମ୍ମତ୍ତି ଦେଇଛି । ଘର ଲୋକଙ୍କ ପାଇଁ ବୋଝ ହେବାକୁ ଆଉ ଚାହୁଁନି ସିଏ । ତାର ବି ଶିବୁ ପରି ଏକା ଅବସ୍ଥା ।

ଦୁଇଦିନ ତଳେ କଲେଜରୁ ଘରକୁ ଆସିଥିଲା ବେଳେ ଶିବୁ ଶୁଣିଲା ଯେ ମିନୁର ବାହାଘର ସ୍ଥିର ହୋଇ ଯାଇଛି । ମୁଣ୍ଡ ଉପରୁ ତାର ଆକାଶଟା ଖସି ପଡିଲା ଯେମିତି । ଦେହର ଗୋଟେ ଅଂଶ କାଟିହୋଇ ଚାଲିଗଲା ଭଳି ଲାଗିଲା ତାକୁ । ଶୁଭାକାଂକ୍ଷୀ ବାନ୍ଧବୀ ଠାରୁ ଅଧିକ ଥିଲା ମିନୁ । ଶିବୁ ଗାଁକୁ ଆସିଲେ ଯେମିତି ହେଲେ ବି ଆସି ପହଞ୍ଚି ଯାଉଥିଲା ମିନୁ । ହଷ୍ଟେଲକୁ ଗଲାବେଳେ ଚୁଡା ମୁଢି ଧରି ଯିବାକୁ ରାଜି ହୁଏନି ଶିବୁ । ହେଲେ ମିନୁର ଥରେ କହିବାରେ ରାଜି ହୋଇଯାଏ ସେ ।

ମିନୁର ଘର ସହ ଭଲ ସମ୍ପର୍କ ଥାଏ ଶିବୁ ଘର ଲୋକଙ୍କର । ଦୁଇ ଜଣକ ବାପା ଉଭୟ ଉଭୟଙ୍କୁ ବେଶ ସମ୍ମାନ ଦିଅନ୍ତି । ଅନେକ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲେ ଉଭୟ ଉଭୟଙ୍କ ମତାମତ ଲୋଡ଼ନ୍ତି ।

“ତୁ ପୁଣି କେବେ ଆସିବୁ? ମୋ ବାହାଘରରେ ଆସିବୁ?” କିଛି ସମୟର ନୀରବତାକୁ ଭାଙ୍ଗି ପଚାରିଲା ମିନୁ ।
“ନା । ପୁଣି ସେମିଷ୍ଟର exam ସରିଲେ ଯାଇ ଆସିବି ।” 

ପୁଣି ନୀରବତା । 

“ଶୁଣିଲି ବ୍ୟାଙ୍କରେ ଚାକିରୀ କରୁଛି ତୋ ବର”, ପଚାରିଲା ଶିବୁ ନିଜକୁ ଟିକେ ସହଜ କରି ।
କିଛି କହିଲା ନାହିଁ ମିନୁ । 
ପଛରୁ ପୁଣି ଶୁଭିଲା ବାବୁର ଡାକ ।
“ ମିନୁ ଦେଈ, ମିନୁ ଦେଈ.. ଆସେ ଜଲଦି । ଘରକୁ ଯିବା”
“ତୁ ଘରେ ବସିଥା.. ମୁଁ ଯାଉଛି ।” ବଡ଼ ପାଟିରେ କହିଲା ମିନୁ ।

ଦୁହେଁ ଉଠି ଛିଡା ହେଲେ । ଟିକେ ଚୁପ ରହି ପଚାରିଲା ମିନୁ, “ଶିବୁ, ଗୋଟେ କଥା ପଚାରିବି । ସତ କହିବୁ?”
“ପଚାରେ । ତୋତେ କଣ କିଛି କଥା ଲୁଚେଇଛି ଆଜିଯାଏ ।”
“ଯଦି ତୋର ଚାକିରୀ ହୋଇଯାଇଥାନ୍ତା, ତୁ କଣ ଆଜି ମୋତେ ଏମିତି ଛାଡିଦେଇ ଚାଲିଯାଇ ଥାଆନ୍ତୁ?”
କିଛି କହି ପାରିଲା ନାହିଁ ଶିବୁ । ଜୀବନରେ ପ୍ରଥମ ଥର ପାଇଁ ଛାତିରେ ଭିଡିକି ଧରିଲା ମିନୁକୁ । ଛୋଟ ଛୁଆଟେ ପରି କାନ୍ଦି ଉଠିଲା ସେ ।
“ମୁଁ ଜାଣିନି ମିନୁ, ମୁଁ ଜାଣିନି । କେବେ ଭାବି ନଥିଲି ଏତେ ସବୁ । ଘରକୁ ଆସି ହଠାତ କରି ଶୁଣିଲି ତୋ ବାହାଘର କଥା । ଲାଗିଲା ଯେମିତି ତୁ ମୋ ଠାରୁ ବହୁ ଦୁରକୁ ଚାଲି ଯାଉଛୁ । ମୁଁ ଚାହିଁଲେ ବି ରୋକି ପାରୁନି । ହାତ ବଢ଼େଇ ମୁଁ ଧରିବାକୁ ଚେଷ୍ଟା କରୁଛି ହେଲେ  ମୋ ହାତ ପାଉନି ଆଜି ।”
“ମୋ ଉତ୍ତର ମୁଁ ପାଇଗଲି ଶିବୁ । ଏତିକି ଶୁଣିବା ପାଇଁ ଆସିଥିଲି । ଏଇ ସାନ୍ତ୍ୱନା ନେଇ ସାରା ଜୀବନ ଜିଇଁଯିବି ଯେ ତୁ ଥିଲୁ ମୋ ପ୍ରଥମ ପ୍ରେମ ଆଉ ମୁଁ ତୋର..”

ପ୍ରେମ କାହାଣୀ କେବେ ଅଧା ହୁଏନି । ଛୋଟ କି ବଡ଼ ହୋଇପାରେ ପ୍ରେମ କାହାଣୀ । କିନ୍ତୁ ଏହା ସବୁବେଳେ ସମ୍ପୂର୍ଣ୍ଣ । ହରାଇବାରେ ବି ଥାଏ ପ୍ରେମ, ପାଇବାରେ ବି ଥାଏ ପ୍ରେମ ।



10 comments:

  1. Replies
    1. ବହୁତ ସୁନ୍ଦର। ଲାଗିଲା ଯେମିତି ଶିବୁ ମୋ ଭିତରେ।

      Delete
    2. ମୋ ମତରେ, ଗପ ଭିତରେ ଯଦି ପାଠକ ନିଜକୁ ନପାଇଲା ତାହେଲେ ସେ କାହାଣୀଟା ଉପର ଠାଉରିଆ ହୋଇଗଲା | ମତାମତ ପାଇଁ ଧନ୍ୟବାଦ

      Delete
  2. ଚମତ୍କାର କାହାଣୀ 👌

    ReplyDelete
  3. କଣ କହି ଆପଣଙ୍କ ଲେଖାର ସନ୍ନମାନ କରିବି ଭାବି ପାରୁନି, ହେଲେ ଏତିକି କହିବି ଆପଣଙ୍କ ଲେଖା ଅତି ଉଚ୍ଚ କୋଟିର।ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ।

    ReplyDelete
    Replies
    1. ଓଡ଼ିଆ ଗଳ୍ପକୁ ଏବେବି ଯୁବପିଢ଼ି ପସନ୍ଦ କରୁଛନ୍ତି, ତାହା ଦେଖି ଭାରି ଖୁସି ଲାଗୁଛି । ମତାମତ ପାଇଁ ଧନ୍ୟବାଦ ।

      Delete
  4. ବହୁତ ବଡିଆ ହୋଇଛି ଅଜା।

    ReplyDelete
    Replies
    1. ଲେଖାଟି ଭଲ ଲାଗିଲା ଜାଣି ଖୁସି ଲାଗିଲା

      Delete