Wednesday 11 January 2017

ଦଙ୍ଗଲ

ଗତ ସପ୍ତାହରେ ଅମୀର ଖାନଙ୍କ ଅଭିନୀତ "ଦଙ୍ଗଲ" ଫିଲ୍ମ ଦେଖିବାକୁ ଯାଇଥିଲି । ସଲମାନ ଖାନଙ୍କ ସୁଲତାନ ଫିଲ୍ମର ରିଭିୟୁ ଛାପିଲା ପରେ ଅନେକ ନାତି/ନାତୁଣୀ ଅନୁରୋଧ କରିଥିଲେ ଏମିତି ଫିଲ୍ମ ରିଭିୟୁ ରୀତିମତ ଛାପିବାକୁ । ନାତି/ନାତୁଣୀଙ୍କ ଅନୁରୋଧ ରକ୍ଷାକରି ଏଥରର ବ୍ଲଗ - "ଦଙ୍ଗଲ" । 



ଲେଖା ଆରମ୍ଭ କରିବା ପୂର୍ବରୁ ବଗୁଲିଆ ନାତି/ନାତୁଣୀମାନେ ନିଶ୍ଚୟ ପଚାରିବେ, "କିହୋ ଅଜା, ତମେ ତ ଫିଲ୍ମ ରିଲିଜ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ଦେଖିବା ଲୋକ । ଏ ଫିଲ୍ମ ବେଳକୁ ଏତେ ଲେଟ୍ କେମିତି କରିଦେଲ? ଭକ୍ତବାଦୀଙ୍କ ଦେଶପ୍ରେମ ଓ ଅସହିଷ୍ଣୁତା କଥାରେ ମାତି ଯାଇଥିଲ ନା କଣ?"

ମୁଁ ଏଇଠି ସ୍ପଷ୍ଟୀକରଣ ଦେଇଦିଏ, ଅଜା ରାଜନୈତିକ ବ୍ୟକ୍ତି ନୁହେଁ । ଭଗବାନଙ୍କ ପ୍ରଦତ୍ତ ବିଚାର ବୁଦ୍ଧି ଉପଯୋଗ କରି ମୁଁ ଯେକୌଣସି ରାଜନୈତିକ ଦଳର କାର୍ଯ୍ୟକଳାପକୁ ସମାଲୋଚନା ନହଲେ ସମର୍ଥନ କରେ ।

ଏଥର ଆସିବା ଟପିକ ଉପରକୁ । ଫିଲ୍ମଟା ଡେରିରେ ଦେଖିବାର ଦୁଇଟା କାରଣ:
ଏକ(୧): ଫିଲ୍ମ ପୋଷ୍ଟରରେ ଧୁଳିଆ ଧୁଳିଆ ଅମୀର ଖାନ ପେଟ ବାହାର କରି ଯେମିତି ବସିଛି, ଦେଖି ଦେଲା ବେଳକୁ ମନଟା ବି ଧୁଳିଆ ହୋଇଗଲା । କଣ ଗୋଟେ ପେଟୁଆ ବୁଢାକୁ ଦେଖିବାକୁ ଯାଇ ସମୟ ଓ ପଇସା ବରବାଦ କରିବି ବୋଲି ଭାବି ମନ ଆଉ ଆଗେଇଲା ନାହିଁ  ।
ଦୁଇ(୨): ଫିଲ୍ମର ନାଁ । ଜଙ୍ଗଲ ଶୁଣିଛି, ମଙ୍ଗଲ ଶୁଣିଛି, ଲଙ୍ଗଳ ବି ଶୁଣିଛି । ହେଲେ ଏ ଦଙ୍ଗଲ ଶବ୍ଦଟି କାନ ଉଠିଲା ଦିନୁ ଶୁଣି ନଥିଲି । କଣ ଗୋଟେ ଦଙ୍ଗା ଫସାଦ ଉପରେ ଫିଲ୍ମ ହୋଇଥିବ ଭାବି ମନ ଜମା ବଳେଇଲା ନାହିଁ ଫିଲ୍ମ ଦେଖିବା ପାଇଁ ।

ତେବେ ବନ୍ଧୁ ବାନ୍ଧବଙ୍କ ଠାରୁ ଚମତ୍କାର ଫିଡବ୍ୟାକ ପାଇସାରିବା ପରେ ଯାଇ ବାହାରିଲି ଫିଲ୍ମ ଦେଖିବାକୁ । କହିବା ବାହୁଲ୍ୟ, ଆଈକୁ ସାଙ୍ଗରେ ନେଇ ।

ଫିଲ୍ମ ପୋଷ୍ଟରର ବିପରୀତ ଏକ ହୃଷ୍ଟପୃଷ୍ଠ ଅମୀର ଖାନ ବାହାରିଲେ ପରଦା ଉପରେ । କଳାଧଳା ଟିଭିରେ ଦୂରଦର୍ଶନ ଚ୍ୟାନେଲ, ଛାତ ଉପରେ କେହି ଜଣେ ଛିଡା ହୋଇ ଆଣ୍ଟିନା ଖୁଣ୍ଟି ଆଡ଼ଜଷ୍ଟ କରୁଥିବାର ଦୃଶ୍ୟ । ଏସବୁ ଦେଖି ଆଗେ ଖୋରଦା ଗାମୁଛାରେ ଓଦା ଆଖି ଦୁଇଟାକୁ ପୋଛି ପକେଇଲି । ଫିଲ୍ମରେ ଅମୀର ଖାନ ହେଉଛନ୍ତି ପହିଲିମାନ ମହାବୀର ପୋଘତ । ଜାତୀୟ କୁସ୍ତି ଚମ୍ପିୟାନ । ଭାଗ୍ୟର ବିପରୀତ ବେଳା । ଦାରିଦ୍ର୍ୟ ଚାପରେ ଆଗକୁ ଆଉ ବଢି ନପାରି ଛୋଟ ଚାକିରୀଟିଏ କରି କୁସ୍ତି କସରତକୁ କରିଛନ୍ତି ଅଲବିଦା । ହେଲେ ମନ ଭିତରୁ କୁସ୍ତିର ପ୍ରେମ ଯାଇନି । ବେଳ ପଡିଲେ ଆଖଡ଼ାରେ କୋଚିଂ ଶିକ୍ଷା ଦେଇ ଦିଅନ୍ତି ନହେଲେ କେତେବେଳେ ଅଫିସରେ କାହାକୁ ଲଢେଇ କରି ଚିତପଟାଙ୍ଗ କରି ପକାନ୍ତି ।

ନିଜେ ଭାରତ ପାଇଁ କୁସ୍ତି ଲଢ଼ି ପାରିଲେ ନାହିଁ । ତେଣୁ ତାଙ୍କର ବଡ଼ ଆଶା ଥାଏ ପୁଅଟିଏ ହେଲେ ତାକୁ ମଲ୍ଲଯୋଦ୍ଧା କରେଇବେ । ସେ ଜିତିବ ଭାରତ ପାଇଁ ସୁନା ପଦକ । ହେଲେ ଉପରବାଲା ସ୍କ୍ରିପ୍ଟ ଲେଖିବା ଦାୟିତ୍ୱ ବୋଧେ ସିରିଏଲ ବାଲାଙ୍କୁ ଦେଇଥାଏ କି କଣ । ଗୋଟି ଗୋଟି କରି ଚାରୋଟି ଝିଅ ହେଲେ ମହାବୀରର । କୋହ ସବୁ ଛାତିତଳେ ଜମାଟ ବାନ୍ଧି ହେଲା ବରଫ । ଶେଷରେ ପୁଅ ଆଶା ସମ୍ପୂର୍ଣ୍ଣ ତ୍ୟାଗ କରି ମହାବୀର ମନ ଦେଲେ ଘର ସଂସାରରେ । କୁସ୍ତି କସରତ ନିଶା ସବୁ ବନ୍ଧା ହେଲା ପେଡି ପୁଟୁଳାରେ । ପହିଲିମାନ ଶରୀର ହେଲା ପେଟୁଆ ।

ଦୁଇ ବଡ଼ ଝିଅ ବବିତା ଓ ଗୀତା ଦିନେ ସାହିର ପିଲା ଦୁଇଟାଙ୍କୁ ଧୂମ ଧୂଲେଇ କରିଦେଇଥାନ୍ତି । ସେମାନଙ୍କ ବାପା ମା ଆସିଥାନ୍ତି ଫେରାଦ ହେବାକୁ ମହାବୀର ଘରକୁ । ହେଲେ ସେ ପିଲା ଦୁଇଟାଙ୍କ ଅବସ୍ଥା ଦେଖି ମହାବୀରର ମନରେ ସଞ୍ଚରିଲା ଆଶା ପୁଣିଥରେ । ମରୁଡି ବିଲରେ ଯେମିତି କିଏ ଢାଳିଦେଲା ଅସରାଏ ବର୍ଷା ପାଣି । ପିଲା ଦୁଇଟାଙ୍କୁ ଧୁମ କୁଟିଥାନ୍ତି ଗୀତା ଆଉ ବବିତା ।

କିହୋ ସୁନା ତ ସୁନା ! ସେ ଝିଅ ଆଣୁ କି ପୁଅ । ମହାବୀର ଲାଗିଗଲେ କୋଚିଂ ଦାୟିତ୍ୱରେ । ବବିତା, ଗୀତା ହେବେ ମଲ୍ଲଯୋଦ୍ଧା । ଭାରତ ପାଇଁ ଜିତିବେ ସୁନା ପଦକ । ରୀତିମତ ଟ୍ରେନିଂ, ସକାଳୁଆ ଧାଁ ଦଉଡ, ବ୍ୟାୟାମ ଓ କୁସ୍ତି । ଖାଦ୍ୟପେୟ ଉପରେ ରହିଲା ସତର୍କ ଦୃଷ୍ଟି । ପିଲା ଦୁଇଟି ବିଳିବିଳେଇ ଉଠିଲେ ଆଉ ବିକଳରେ ଗାଇ ପକେଇଲେ - ବାପୁ ହାନିକାରକ..

ଏମିତି ଫିଲ୍ମ ଆଗେଇଲା । ଝିଅ ଦୁଇଜଣ ଲଢ଼ିଲେ ଦଙ୍ଗଲ(କୁସ୍ତି ଆଖଡ଼ା) । ପୁଅଙ୍କୁ ଉଠେଇ କାଚିଲେ କୁସ୍ତି ଆଖଡ଼ାରେ । ଜିତିଲେ ପଦକ ଉପରେ ପଦକ । ହେଲେ ଜାତୀୟ କୁସ୍ତି ଚମ୍ପିୟାନ । ଗୀତ ବାଜିଲା - ଐସୀ ଧକ୍କଡ ହୈ..

ଫିଲ୍ମର ପୁରା କାହାଣୀ କହିଦେଇ ସବୁ ମଜା କିରିକିରା କରିଦେବା ଲୋକ ଅଜା ନୁହେଁ । ଅଜା ହେଲା ପ୍ରଫେସନାଲ ରିଭ୍ୟୁୟର । ତେବେ କିଛି ଟେକନିକାଲ ଭୁଲ ଭଟକା ଉପରେ ନିଶ୍ଚୟ ଆଲୋକପାତ କରିବ ଅଜା । ସମସ୍ତେ ଜାଣନ୍ତି କେମିତିଆ ଦୁର୍ନୀତି ସବୁ ହୋଇଥିଲା ଦିଲ୍ଲୀର କମନୱେଳଥ ଗେମରେ । ସୁରେଶ କଳାମାଡି ନାଁରେ କେତେ କଥା ଉଠିଥିଲା । ହେଲେ ଖେଳ ଚାଲିଥିଲା ବେଳେ ଅମୀର ଖାନକୁ ନେଇ ଗୋଟେ ଘରେ ବନ୍ଦ କରିଦେଉଛି ସିକ୍ୟୁରିଟି ଗାର୍ଡ । ଆଉ ଶତ ଚେଷ୍ଟା କରି ବି ଅମୀର ଖାନ ଘର କାଚ କି କବାଟ ଭାଙ୍ଗି ପାରୁ ନାହାନ୍ତି.. ଏ କଥାଟା କାହିଁ ଜମା ହଜମ ହେଲାନି । କାଳମାଡି ସବୁ ଦୋ ନମ୍ବରି ପ୍ଲାଇ-ଉଡ଼ ଆଉ କାଚ ଲଗେଇଥିବା କଥା ସେ କୋଠରୀ ମାନଙ୍କରେ । କିନ୍ତୁ ଫିଲ୍ମରେ ଦେଖେଇଦେଲା କବାଟ ତିଆରି ହୋଇଛି ପୁରା ଶକ୍ତ ଓ ଏକ ନମ୍ବରି ଜିନିଷରେ । ଶ୍ରୀମାନ perfectionist ଙ୍କ ଠାରୁ ଏମିତି ଆଶା କରି ନଥିଲା ଅଜା ।

ଶେଷରେ:
ଫିଲ୍ମଟି ବହୁତ ବହୁତ ଭଲ । ପାଞ୍ଚରୁ ମୁଁ ଏହାକୁ ଦେବି ଚାରି ଆଉ ଅଧେ । ଶେଷ ଆଡକୁ ଟିକେ ଅଧିକ ଯାତ୍ରା କରିଦେଇ ଥିବାରୁ ଅଧ ପଏଣ୍ଟ କାଟୁଛି ।

ଝିଅ ହେଉ କି ପୁଅ.. ଉପଯୁକ୍ତ ଭାବେ ଗଢିଲେ ସମସ୍ତେ ନିଜ ନିଜ କ୍ଷେତ୍ରରେ ନାଁ କରିବେ । ଝିଅ ଗୋଟେ ହୋଇଗଲେ ମୁହଁକୁ ମାଣ୍ଡିଆ ଜାଉ ଖାଇଲା ଭଳି କରୁଥିବା ବାପା ମା ଓ ଜେଜେବାପା ଜେଜେମାଙ୍କ ପାଇଁ ଏ ଫିଲ୍ମ ଗୋଟେ ଉଚିତ ଶିକ୍ଷା । ଭକ୍ତବାଦୀ ହୁଅ କି ଉଦାରବାଦୀ.. ସମସ୍ତେ ଯାଇ ଦେଖ ଥରେ ଏ ଫିଲ୍ମକୁ ଆଉ କିଛି ଶିକ୍ଷା ମୁଣ୍ଡରେ ପୁରାଇ ଘରକୁ ଲେଉଟ । ଆମ ଝିଅ, ପୁଅଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ  ।