Sunday 27 November 2016

ଡିୟର ଜିନ୍ଦଗି

ବିମୁଦ୍ରାକରଣ ବେଳେ ଫିଲ୍ମ ଦେଖିବାକୁ ଯିବା ଏକ ରିସ୍କ । ଖୁଚୁରାର ଯେମିତି ସଙ୍କଟ ଚାଲିଛି ସେତେବେଳେ ପାଖରେ ଥିବା ଖୁଚୁରାକୁ ଫିଲ୍ମ ଦେଖିବାରେ ସାରିଦେବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ  ।  କିନ୍ତୁ Dear Zindagi ର ଟ୍ରେଲର ଟିଭିରେ ଦେଖି କାହିଁକି ଲାଗିଲା ଯେ ଏ ଫିଲ୍ମଟି ଟିକେ ଭିନ୍ନ ଧରଣର ହୋଇଥିବ ।  ସାଇକେଲରେ ଆଲିଆ, ଶାହରୁଖ ଯାଉଥିବାର ଦୃଶ୍ୟ ବହୁତ ଆକର୍ଷକ ଥିଲା । ଯେହେତୁ ଆଜିକାଲି ଅନଲାଇନର ସୁବିଧା ଚାରିଆଡେ ହୋଇଗଲାଣି ତେଣୁ ବିନା କ୍ୟାସରେ ଅନଲାଇନରେ ଟିକଟ କାଟି ଚାଲିଲି ଫିଲ୍ମ ଦେଖିବାକୁ ।

ଫିଲ୍ମରେ ଆଲିଆ ଜଣେ ଆସିଷ୍ଟାଣ୍ଟ ସିନେ-ଫୋଟୋଗ୍ରାଫର । ସ୍ୱାବଲମ୍ବୀ, ଆଧୁନିକା ଓ ସହରିଆ ଝିଅ । ସୁଟିଂ, ପାର୍ଟି, ଅନଲାଇନ ସପିଂ, ସାଙ୍ଗମାନଙ୍କ ସହ ବୁଲାବୁଲି.. ଏ ହେଉଛି ତାର ନିତିଦିନିଆ କାମ । ଚିରା ଜିନ୍ସ ପେଣ୍ଟ ତାର ପ୍ରିୟ ପୋଷାକ । ଘରେ ରୋଷେଇ ଓ ଅନ୍ୟକାମ ପାଇଁ ସ୍ତ୍ରୀ ଲୋକଟିଏ ଅଛି  ।  ବୟଫ୍ରେଣ୍ଡ ଫୋଟୋ କାନ୍ଥରେ ଲଗା ହୋଇଛି ଓ ବଦଳୁଛି ସମୟ ସହ ତାଳ ଦେଇ  ।  କେତେବେଳେ କାନ୍ଦି ପକାଉଛି  । କେତେବେଳେ ଦୁଇ ଗ୍ଲାସ ମଦ ଚଢେଇ ଓ ଲେମ୍ବୁ ଟିକେ ଚାଟିଦେଇ କାନରେ ଇୟରଫୋନ ଲଗେଇ ପାର୍ଟିରେ ଡ୍ୟାନ୍ସ କରୁଛି  । କେତେବେଳେ ବୟଫ୍ରେଣ୍ଡର ନାଁ ରାଘବେନ୍ଦ୍ର ବୋଲି ରଘୁ ଆଚାର କିଣି ପକାଉଛି ତ କେତେବେଳେ ବୟଫ୍ରେଣ୍ଡ ଚାଲିଗଲେ ଆଚାର ଡବା ଭାଙ୍ଗି ଦେଉଛି । କେତେବେଳେ ବୟଫ୍ରେଣ୍ଡ ଆଉ କାହା ସହ ନିର୍ବନ୍ଧ କରିଦେଲା ବୋଲି ଖବର ଶୁଣି କଞ୍ଚାଲଙ୍କା ଚୋବେଇ ପକାଉଛି । 

                                          (Dear Zindagi. ଫୋଟୋ : ଗୁଗୁଲ ସର୍ଚ୍ଚ )

ଆଲିଆ confused, ଫିଲ୍ମ ବନେଇଥିବା ଡାଇରେକ୍ଟର confused ଓ ହଲରେ ଫିଲ୍ମ ଦେଖୁଥିବା ଦର୍ଶକ ବି confused.

ହାଫ ଟାଇମ ହୋଇଛି । କିନ୍ତୁ ଏତେ କନଫୁଜନ ଭିତରେ ଆଉ ଉଠିକି ଯାଇ ମକା ଖଈ କି ମୃଦ୍ୟୁ ପାନୀୟ ଆଣିବାକୁ ଇଚ୍ଛା ହେଲାନି ।

ଫିଲ୍ମରେ ଶାହରୁଖ ଜଣେ ମନୋଚିକିତ୍ସକ । ରୁହନ୍ତି ଏକୁଟିଆ । ସ୍ତ୍ରୀ ଛାଡପତ୍ର ଦେଇ ଚାଲି ଯାଇଛି । ଆଲିଆ ତାଙ୍କ ପାଖରେ ନିଜ ମାନସିକ ଚିକିତ୍ସା କରୁଛି ଥେରାପିକ କ୍ଲାସ ଦ୍ୱାରା । ଫିଲ୍ମ ଗେଣ୍ଡା ସ୍ପିଡ଼ ଠାରୁ ଆହୁରି ମନ୍ଥର ଗତିରେ ଚାଲିଛି । ତିନି ଚାରୋଟି କ୍ଲାସ କଲାପରେ ଆଲିଆ ସୁସ୍ଥ ହୋଇଛି । ସେ ବୁଝି ପାରୁଛି ଚଉକି ବାଛିଲା ଭଳି କେମିତି ବୟଫ୍ରେଣ୍ଡ ବାଛିବ ।

ଆହୁରି କିଛି କାହାଣୀ ଅଛି କିନ୍ତୁ ସବୁତକ ଲେଖି ଫିଲ୍ମର ପୁରା କାହାଣୀ ଖୋଲିଦେବା ଠିକ ହେବନି ।

ଭାରି ବୋରିଂ ଓ confused ଫିଲ୍ମ । ଇଚ୍ଛା ହେଲେ ନିଜ ରିସ୍କରେ ଯାଇ ଆପଣ ଦେଖି ପାରନ୍ତି ଏ ଫିଲ୍ମକୁ । ଗୀତ ଠିକ ଠାକ ଅଛି । ଫିଲ୍ମର ଲୋକେସନ ସବୁ ଅଧିକାଂଶ ଗୋଆରେ ସୁଟିଂ ହୋଇଛି । ଗୋଆର ବହୁତ ସୁନ୍ଦର ଜାଗା ସବୁ ଫିଲ୍ମରେ ଦେଖା ଯାଇଛି ।  କିନ୍ତୁ କାହାଣୀର ଗତିଶୀଳତା ଭାରି ସ୍ଲୋ ।  ନା ଇଏ ଏକ ଆର୍ଟ ଫିଲ୍ମ ନା ଏକ କମର୍ସିୟାଲ ଫିଲ୍ମ । ପାଞ୍ଚରୁ ମୋ ରେଟିଂ ରହିବ ଏ ଫିଲ୍ମକୁ ଦେଢ଼ (1.5) ଷ୍ଟାର ।

ଫିଲ୍ମ ରିଭିଉ ସରିଲା । ପୁଣି ଦେଖା ହେବ ଆଉ ଗୋଟେ ବ୍ଲଗ ଲେଖିଲେ ।