କେଉଁଠି ଗୋଟେ କୋଳାହଳ ହେଉଥିଲା ପରି ଶୁଭୁଥାଏ । ଘଷରା ଶବ୍ଦ ମେଞ୍ଚେ କୁଆଡୁ ଆସି କାନ ଭିତରେ ପଶି ଯାଉଥାଏ । ଲାଇନ୍ ଡିମ୍ ଥିଲାବେଳେ ଟେପ ରେକର୍ଡରରୁ ଯେମିତି ଘଷରା ମସରା ଶବ୍ଦ ଆସେ, ଠିକ ସେମିତି ଥିଲା ସେ ଶବ୍ଦ ଗୁଡାକ । ମୋ ଆଖି ଫିଟୁ ନଥାଏ । ଅନ୍ଧାର ଭିତରେ ସେ ଶବ୍ଦ ଗୁଡାକ ଧୀରେ ଧୀରେ ଅଧିକ ସ୍ପଷ୍ଟ ହେଲା ଓ ଅଧିକ ଜୋରରେ ଶୁଣା ହେଲା ।
"ଆଉ କଣ ଖରା ଆସି ଦିନ ହେଲେ ଡଙ୍ଗା ଭସେଇବାକୁ ଯିବ ! ଜଲଦି ଆସ ନହେଲେ ମୁଁ ଚାଲିଲି ଏକା ଏକା ।"
ଇଏ ତ ବୁଢ଼ୀ ମାଉସୀର ସ୍ୱର । ଚମକିଲା ପରି ଉଠି ପଡିଲି । ଏକାବେଳେ ନିଦ କୁଆଡେ ଉଭାନ । ଦେହରେ ଯେମିତି ହଠାତ ଶକ୍ତି ଚାଲି ଆସିଲା କୁଆଡୁ । ଏକାଥରକେ ରେଜେଇ ଫୋଫାଡ଼ି ଖଟ ଉପରୁ ମୁଁ
ଡିଆଁ ମାରିଲି ତଳକୁ । ଅରୁ, କୁନୁ, ନମୀଦେଈ, ବୁଢ଼ୀ ମାଉସୀ ସମସ୍ତେ
ଆସି ବସିଥାନ୍ତି ଆମ ଘର ଭିତରେ । ବୋଉ ପୁରୁଣା ଧୋତିକୁ ଚିରି, ତାକୁ ଅଳ୍ପ ଜଡ଼ା ତେଲରେ ବୁଡେଇ, ବଳିକି ସଳିତା କରୁଥାଏ । ବୁଢ଼ୀ ମାଉସୀ ହାତରେ ଥାଏ ଲଣ୍ଠନ । ଗୋଡ଼ ପାଖକୁ ଥୁଆ ହୋଇଥାଏ ଧଳା ଶାଢ଼ୀ ଓ କଦଳୀ ପଟୁଆ ଡଙ୍ଗାଟିଏ । ଅରୁ, କୁନୁ, ନମୀଦେଈ ସମସ୍ତେ ଧରିଥାନ୍ତି ଗୋଟେ ଗୋଟେ ରଙ୍ଗୀନ କାଗଜରେ ତିଆରି ସୋଲ ଡଙ୍ଗା ।
ବୁଢ଼ୀ ମାଉସୀ ଆମ ପଡୋଶୀ । ବିଚାରୀର କେହି ନାହାନ୍ତି । ବାଳୁତ ବେଳୁ ବିଧବା ସିଏ । କିନ୍ତୁ ଆମ ସମସ୍ତଙ୍କର ଥିଲା ସିଏ ସବୁଠୁ ପ୍ରିୟ । ଯେତେ ଶୀତ ପଡୁ
ପଛେ, ବୁଢ଼ୀ ମାଉସୀ ଭୋରରୁ ଉଠି ଫୁଲ ତୋଳେ, ଘର ବାଡ଼ି ଖରିକା ଖରିକି କରେ ଓ ତା'ପରେ ନଈକି ଗାଧୋଇ ବାହାରେ । ଆମେ ବେଳେ ବେଳେ କହୁ, “ମାଉସୀ, ତମକୁ କଣ ଶୀତ କରୁନି ଜମା?” ମାଉସୀ ତା ପାକୁଆ ପାଟିରେ ଫେଁ କିନା ହସଟିଏ ଛାଡି କହେ, “ଯେତେ କାପଡ଼ା କୋ ସେତେ ଶୀତ, ନାଇଁ କାପଡ଼ା କୋ ନାଇଁ ଶୀତ” । କହି ସାରି ପୁଣିଥରେ ହସିଦିଏ ସେ ଫେଁ କିନା । ଆମେ ବି ହସି ପକାଉ ତା' କଥା ଶୁଣି ଆଉ ଘୋଷିଲା ପରି ଗାଇ ପକାଉ, “ଯେତେ କାପଡ଼ା କୋ ସେତେ ଶୀତ, ନାଇଁ କାପଡ଼ା କୋ ନାଇଁ ଶୀତ” । ଅରୁ, କୁନୁ, ନମୀଦେଈ ଏମାନେ ବି ଆମ ପଡୋଶୀ । ଆମେ ସବୁ ପାଖାପାଖି ବୟସର ।
ଆମ ଘରଠାରୁ ନଈଟା
ପ୍ରାୟ ପାଞ୍ଚଶହ ମିଟର ଦୂରରେ । ଆମେ ସବୁ କୂଅ ପାଖରେ ଗାଧୁଆ ପାଧୁଆ କରୁ । ନଈକୁ କେତେବେଳେ କେମିତି ଯାଉ । ଚାରିଟା ବେଳେ ଖେଳିବା ପାଇଁ ନହେଲେ ଏମିତି ବୁଲିବା ପାଇଁ ।
ଆଜି କାର୍ତ୍ତିକ ପୂର୍ଣ୍ଣିମା । ଡଙ୍ଗା ଭସା । ଦୁଇଦିନ ତଳୁ ଗାଁ ପାଖ ହାଟରୁ ସୋଲ ତିଆରି ଡଙ୍ଗା କିଣି ଆଣି ଆମେ
ରଖିଛୁ । ଗତକାଲି ସନ୍ଧ୍ୟାବେଳେ କଥା ହୋଇଥିଲା, ସମସ୍ତେ ମାଉସୀ ସହ ନଈକୁ ଯିବା ଡଙ୍ଗା ଭସେଇବାକୁ । ମାଉସୀ ସହ ଯିବା କଥା ହେଲେ ଘରଲୋକ ବି ରାଜି ହୋଇଯିବେ ଆମେ ଜାଣିଥିଲୁ । ସେଥିପାଇଁ ଆଜି ବଡି ଭୋରରୁ, ପ୍ରାୟ ଅନ୍ଧାରୁଆ ବେଳୁ ଉଠି ମାଉସୀ ସମସ୍ତଙ୍କୁ ଡକା ଡକି କରି ଶେଷରେ ଆସି ପହଞ୍ଚିଛି ଆମ ଘରେ । ମୋତେ କାଳେ ଏହା ପୂର୍ବରୁ ତିନି ଚାରି ଥର ଡାକି ସାରିଛନ୍ତି । ହେଲେ ମୋର ତ ଗଧ ନିଦ । ଭାଙ୍ଗୁଛି କୁଆଡୁ
!
ଡଙ୍ଗା, ପାନ, ଗୁଆ, ସଳିତା ଓ ଦିଆସିଲି ସହ ଗାଧୋଇ ସାରି ପିନ୍ଧିବା ପାଇଁ ଅଲଗା ହଳେ ପ୍ୟାଣ୍ଟ ସାର୍ଟ ଓ ତଉଲିଆ ଧରି ଆମେ ବାହାରିଲୁ ମାଉସୀ ସହ, ଡଙ୍ଗା ଭସେଇବା ପାଇଁ ନଈକୁ । ବୁଢ଼ୀ ମାଉସୀ ଡାହାଣ ହାତରେ ଲଣ୍ଠନ ଧରି ଚାଲିଥାଏ ନଇଁ ନଇଁ
। ଆର ହାତରେ ଧରିଥାଏ ତା ଧଳା ଶାଢ଼ୀ ଓ କଦଳୀ ପଟୁଆ ଡଙ୍ଗାଟି । ମାଉସୀ ଚାରିକଡେ ଆମେ ତାକୁ ଘେରିଲା ଭଳି
ଚାଲିଥାଉ ବାନର ସେନା ପଞ୍ଝାକ । ମାଉସୀ କହୁଥାଏ, “ତମେ ମାନେ ଆଉରି ଶୀଘ୍ର ବାହାରିବା କଥା । ଏଇନା
ସୂର୍ଯ୍ୟ ଉଠି ଆସିବ । ଡଙ୍ଗା ଆଉ କଣ ଖରା ପଡିଲେ ଭସେଇବ !”
ମାଉସୀ ଚାଲିବାର
ବେଗ ବଢାଉଥାଏ । ଆଉ ଆମେ ଅଧା ଦଉଡ଼ିଲା ଭଳି ଚାଲିଥାଉ ତା ଚାରିପାଖେ ଘେରା କରି । ତା ଚାରିପଟେ ତାକୁ ଘେରିକି ଏମିତି
ଯିବାର ପ୍ରଧାନ କାରଣ ହେଲା, ଅନ୍ଧାର ଓ ଭୁତ ଭୟ । ଟିକେ ପଛକୁ ରହିଗଲେ ଅବସ୍ଥା ବାରଣ୍ଡା ଦି'କଡା
ହୋଇଯିବ ଯେ । କିଛି ସମୟ ମଧ୍ୟରେ ନଈ ବନ୍ଧ ଦେଖାଗଲା
। ବୁଢ଼ୀ ମାଉସୀକୁ ପଛରେ ପକେଇ ବନ୍ଧ ଉପରକୁ ଦଉଡ଼ି ଦଉଡ଼ି ଉଠିଗଲୁ ଆମେ । ବନ୍ଧ ଠାରୁ ପ୍ରାୟ ଶହେ ମିଟର
ଛାଡି ନଈ । ବନ୍ଧ ଉପରେ ଛିଡା ହୋଇ କଣ ଦେଖୁଛୁ ଆମେ !
ଅଦ୍ଭୁତ ! ଚମତ୍କାର ଥିଲା ସେ ଦୃଶ୍ୟ
।
ଟିକେ ଦୂରରେ ଅଙ୍କା ବଙ୍କା ହୋଇ ବହି ଯାଇଛି ଆମ ଗାଁ ନଈ । ଅନ୍ଧାର ଭିତରେ ତା ସାପ ଭଳି ଅଙ୍କା ବଙ୍କା ଦେହରେ
କିଏ ଯେମିତି ଛାଡି ଦେଇଥିଲା ହଜାର ହଜାର ଜୁଳୁଜୁଳିଆ ପୋକ । ତା ପୁରା ଅବୟବ
ଚିକମିକ କରୁଥିଲା କିଟିମିଟିଆ ଅନ୍ଧାର ଭିତରେ । ଶହ ଶହ କାଗଜ ଡଙ୍ଗାର ମିଞ୍ଜି ମିଞ୍ଜି ଆଲୋକରେ ଆମ ଗାଁ ନଈ ଝଟକୁଥିଲା ସୁନା ଗହଣାରେ ଲଦି ହୋଇଥିବା ନୂଆ ବୋହୂଟିଏ ପରି । ଉତ୍କଳର ହଜାର ହଜାର ବର୍ଷର ପରମ୍ପରା ଓ ଗୌରବମୟ ଐତିହ୍ୟକୁ ମନେ ପକେଇ ସେ ବି କମ ଫୁଲେଇ ହୋଇନଥିବ ସେତେବେଳେ ।
ପଛରୁ ବୁଢ଼ୀ ମାଉସୀ ଡାକ
ପକେଇଲା, "ଆରେ ଚାଲ ତଳକୁ । ଏଇଠି ସବୁ ଛିଡା ହୋଇ କଣ ଦେଖୁଛ ! ଜଲଦି ଜଲଦି ଗାଧୋଇ ଡଙ୍ଗା ଭସେଇବ
ଚାଲ । ଏଇନା ଅନଉ ଅନଉ ଦିନ ହୋଇଯିବ ।" ଆମେ ଏକ ଅଜବ
ଉତ୍ସାହରେ ଏବେ ମାଡି ଚାଲିଲୁ । ନଈ ବାଲିରେ ସାର୍ଟ, ପ୍ୟାଣ୍ଟ ଓ ଡଙ୍ଗା ରଖି ଚାଲିଲୁ ନଈ ଭିତରକୁ । ଅଣ୍ଟାଏ
ପାଣିରେ ପଶି ବୁଡ଼ଟିଏ ମାରିଲା ବେଳକୁ ଶୀତରେ ହାଡ଼ ମଞ୍ଜ ଥରି ଯାଉଥାଏ । ଥରି ଥରି ଆସି ନୂଆ ସାର୍ଟ
ପେଣ୍ଟ ପିନ୍ଧି, ପବନକୁ ଆଢୁଆଳ କରି ଦିଆସିଲି ଲଗେଇ, ଡଙ୍ଗା ଧରି ପୁଣିଥରେ ଚାଲିଲୁ ଆଣ୍ଠୁଏ ପାଣିକୁ ।
ଆ କା ମା ବଇ,
ପାନ ଗୁଆ ଥୋଇ,
ମାସକ ଧରମ ତୋର,
ଦିନକ ଧରମ ମୋର ।
ଅରୁ, କୁନୁ, ନମୀଦେଈ
ଆମେ ସମସ୍ତେ ମିଶି ଏକା ସଙ୍ଗେ ଗୀତ ଗାଇ ଆସ୍ତେ କିନା ପାଣିରେ ଭସେଇ ଦେଲୁ ନିଜ ନିଜ କାଗଜ ଡଙ୍ଗାକୁ । ଅନ୍ଧାରକୁ
ଚିରି ଜଳୁଥାଏ କାଗଜ ଡଙ୍ଗାରେ ଆମ ସଳିତାର ଦୀପ । ନଈ କୁଳିଆ ପବନରେ ଚହଲି ଚହଲି ଚାଲୁଥାଏ ଆଗକୁ ଆମ ଡଙ୍ଗା । ଢେର ସମୟ
ଧରି ଆମେ ଚାହିଁ ରହିଲୁ ସେ ଡଙ୍ଗାକୁ । ଆଖିରୁ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ନହେଲା ପର୍ଯ୍ୟନ୍ତ ।
*** ****
*** ****
ବୁଢ଼ୀ ମାଉସୀ ଚାଲି
ଗଲାଣି ଅନେକ ଦିନରୁ । କର୍ମ ଜଞ୍ଜାଳରେ ଛନ୍ଦି ହୋଇ ଆମେ ଏବେ ରାଜ୍ୟ ବାହାରେ । ପ୍ରତିବର୍ଷ
ଆସୁଛି ଡଙ୍ଗାଭସା କ୍ୟାଲେଣ୍ଡରରେ । ଆଉ ଚାଲି ଯାଉଛି ଚୁପ ଚାପ ।