Saturday, 28 July 2018

Despicable Me (ଡେସ୍ପିକେବଲ ମି)


ଦିନକର କଥା ।  
ପିରାମିଡ଼ ଦେଖିବା ପାଇଁ ବସଟିଏ ଚାଲିଥାଏ ମିଶରର ଗାଜା ସହର ଅଭିମୁଖେ ମରୁଭୂମି ରାସ୍ତାରେ । 
ବସଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା କ୍ଷଣି ବସ ଭିତରୁ ଖପଖାପ ହୋଇ ଓହ୍ଲେଇ ପଡିଲେ ଯାତ୍ରୀଗଣ । ଧାଇଁଗଲେ ବିଶାଳ ପିରାମିଡ଼ ନିକଟକୁ । ଏବଂ ଲାଗି ପଡିଲେ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ । ବିଭିନ୍ନ ଅଙ୍ଗଭଙ୍ଗୀରେ ଉଠେଇ ଚାଲିଲେ ଫୋଟୁ । ଫେସବୁକରେ ଛାଡି ଲାଇକ ମେଞ୍ଚେ ରୁଣ୍ଡେଇବାକୁ ପଡିବ । ନହେଲେ ଏସବୁ ବୁଲାବୁଲିର ମାନେ କିଛି ନାହିଁ । ଏଇ ସମୟରେ ଯାତ୍ରୀଙ୍କ ମଧ୍ୟରୁ ବାଳୁଙ୍ଗା ପିଲାଟିଏ ଛୋଟ ରକେଟ ଭଳିଆ ଚାଇନା ଖେଳଣା ଗୋଟେ ଧରି "ପ୍ରବେଶ ନିଷେଧ" ବାଲା ସିକ୍ୟୁରିଟି ଫିତା ତଳେ ଗଳି ସିଧା ଧାଇଁଗଲା ପିରାମିଡ଼ ନିକଟକୁ । ସିକୁରିଟି ବାଲାଙ୍କ ଆଖିରେ ପଡିବାରୁ ହୁଇସିଲ ଫୁଙ୍କି ପିଲାଟାକୁ ଅଟକାଇବା ପାଇଁ ଦଉଡି ଗଲେ ପିଲାଟାର ପଛେ ପଛେ । ବାଳୁଙ୍ଗା ବାଳକ ସିକୁରିଟି ବାଲାଙ୍କୁ ଦେଖି ଉଠିଗଲା ପାଖରେ ଥିବା କାଠରେ ଏକ ଅର୍ଦ୍ଧନିର୍ମିତ ଛାମୁଡ଼ିଆ ଉପରକୁ ।  


ନାଁ ନାଁ କହି ପିଲାଟାକୁ ଅଟକାଇବେ କଣ, ପିଲାଟା ଛାମୁଡ଼ିଆ ଉପରେ ବାଲାନ୍ସ ହରେଇ ଟଳମଳ ହୋଇ ଗଳି ପଡିଲା ପିରାମିଡ଼ ଉପରେ । ଏତେ ଉଚ୍ଚାରୁ ପଡି ଗୋଡହାତ ଭାଙ୍ଗିବ କଣ ପିଲାଟା ବାଉନ୍ସ ଖାଇ ଉଠିଗଲା ତାଳଗଛ ଉଚ୍ଚା ଉପରକୁ ଓ ଛିଟିକି ଯାଇ ପଡିଲା ନିକଟରେ ଫେସବୁକ ପାଇଁ ଫୋଟୁ ତୋଳୁଥିବା ତା ମୋଟୁ ବାପାର ପେଟ ଉପରେ । ଓଃ.. safe landing.. ଆଶ୍ୱସ୍ତ । ହେଲେ ଏପଟେ ଭୁଷୁ ଭୁସୁ ପବନ ସହ ବିଶାଳ ପିରାମିଡ଼ଟା ଭୁଇଁରେ ଲୋଟିଗଲା ଗୋଟେ ବଡ଼ ପାଲ ପରି । ସିକୁରିଟି ବାଲା ସାଇକେଲ ପମ୍ପ ଧରି ଦଉଡ଼ିଗଲେ ଓ ପମ୍ପ ମାରି ଯଥା ଶୀଘ୍ର ପବନ ପୁରେଇ ପିରାମିଡ଼କୁ ଠିଆ କରେଇବାକୁ ଚେଷ୍ଟା କଲେ । ଏଡ଼େ ବିଶାଳ ପିରାମିଡ଼ କୋଉ ଏ ଫୁଙ୍କା ପବନରେ ତତକ୍ଷଣାତ ଠିଆ ହେବ ! ପବନ ବେଗରେ ଖେଳିଗଲା ଖବର । ମିଶର ଦେଶର ବିଶାଳ ପିରାମିଡ଼ ଚୋରି । ଟିଭିରେ ଆସିଲା ଘନ ଘନ ବ୍ରେକିଂ ନିଉଜ । ବିଶ୍ୱ ସାରା ହୁଲସ୍ତୁଲ । କିଏ ଚୋରି କଲା ପିରାମିଡ଼ !! କିଏ ସେ କୁଖ୍ୟାତ ଚୋର !!

ସବୁଆଡେ ପିରାମିଡ଼ ଚୋରି ହେବାର ଚର୍ଚ୍ଚା । ଚୋରକୁ ନେଇ ନାନା କଳ୍ପନା ଜଳ୍ପନା । ଗବର ସିଂହ (ଶୋଲେ), କୁରୁ ସିଂହ (ଚନ୍ଦ୍ରକାନ୍ତା) ପରେ ଏ ଚୋର ସାରା ପୃଥିବୀରେ ଏବେ ମୁଖ୍ୟ ଖଳନାୟକ । ଖବର ଯାଇ ବାଜିଲା Gru ର କାନରେ । ତା ସ୍ୱାଭିମାନକୁ ହେଲା ଧକ୍କା । କିଛି ଗୋଟେ ତୁରନ୍ତ କରିବାକୁ ପଡିବ । ମଇତ୍ର ଡାକ୍ତର ନେଫାରିଓ ସହ ଭିଡିଓ ଚାଟ ଟିଏ କରି Gru ଦଉଡିଲା ନିଜ ଗୁପ୍ତ ଚାମ୍ବରକୁ ଯୋଉଠି ଥିଲେ ତାର ହଜାର ହଜାର ମିନିୟନ ସେନା । ଟ୍ୱିଟରରେ ରାଜନୈତିକ ଦଳଙ୍କ ବଟସେନା ଟ୍ରେଣ୍ଡ କରିବା ଖବର ଶୁଣି ଧାଇଁ ଆସିଲା ପରି, ନିଜ କାମଧନ୍ଦା ଅଧାରୁ ରଖି ଧାଇଁ ଆସିଲେ ମିନିୟନ ସେନା ଖବର ଶୁଣୁ ଶୁଣୁ  । ସଭା ମଞ୍ଚ ତଳେ ଆସି ଏକାଠି ହେଲେ ସମସ୍ତେ । Gru କଲା ବଡ଼ ଘୋଷଣା । ଏ ନୂଆ ଚୋରକୁ ବାଜିମାତ ଦେଇ ଆମକୁ ରହିବାକୁ ହେବ ଖବରର ଶୀର୍ଷରେ । ଆମେ ଚୋରି କରିବା ସବୁଠାରୁ ବଡ଼ ଚୋରି.. ଜହ୍ନ ଓରଫ Moon. 


Gru ଜଣେ ଖ୍ୟାତନାମା ଭିଲିୟାନ । ଲମ୍ବା ନାକ, ପତଳା ଗୋଡ଼, ଚନ୍ଦା ମୁଣ୍ଡ, ଢିମା ଆଖି ଓ ଘମ ପରି ଉଦର । ବୁଦ୍ଧି ଓ ଜ୍ଞାନ କୌଶଳରେ ବେଶ ପାରଙ୍ଗମ । Gru ର ଡାହାଣ ହାତ ତା ସାଙ୍ଗ ଡାକ୍ତର ନେଫାରିଓ । ଜହ୍ନ ଚୋରି ଅଭିଯାନ ପାଇଁ ଆରମ୍ଭ ହେଲା ପ୍ଲାନ । ଗୋଟେ "ସଙ୍କୁଚିତ ଯନ୍ତ୍ର" ସାହାଯ୍ୟରେ ଜହ୍ନକୁ ପ୍ରଥମେ ସଙ୍କୁଚିତ କରି ଛୋଟ କରାଯିବ । ତାପରେ ଟେନିସ ଖେଳାଳି ହାଫ ପେଣ୍ଟ ପାକିଟିରେ ଟେନିସ ବଲ ଦୁଇ ଚାରିଟା ରଖିଲା ପରି ଜହ୍ନକୁ ପାକିଟିରେ ପୁରେଇ ଘରକୁ ନେଇ ଆସିହେବ । ହେଲେ ଜହ୍ନ ପାଖକୁ ଯିବା ପାଇଁ ରକେଟ ତିଆରି ପାଇଁ ଆବଶ୍ୟକ ଅନେକ ଗୁଡ଼ାଏ ଅର୍ଥ । "ଚୋର ମାନଙ୍କ ବ୍ୟାଙ୍କ" ର ମ୍ୟାନେଜର ବିନା ପ୍ରମାଣପତ୍ରରେ ଟଙ୍କା ଦେବାକୁ ସଫା ସଫା ମନା କରିଦେଲା । ଆଜି "ସଂକୁଚିତ ଯନ୍ତ୍ର" ଦେଖାଅ, ତା ପରେ ମିଳିବ ଟଙ୍କା ।

ସଙ୍କୁଚିତ ଯନ୍ତ୍ରଟି ଥାଏ ପିରାମିଡ଼ ଚୋର ଭିକ୍ଟରର ଘରେ । ଭିକ୍ଟର ବି ଚୋର ବୁଦ୍ଧି ଓ ଜ୍ଞାନ କୌଶଳରେ କିଛି କମ ନୁହେଁ । Gru ଶତ ଚେଷ୍ଟା କରି ମଧ୍ୟ ଭିକ୍ଟରର ସିକ୍ୟୁରିଟି ଭେଦ କରି ତା ଘରୁ ଯନ୍ତ୍ରଟି ଚୋରି କରି ଆଣି ପାରିଲା ନାହିଁ । ବାରମ୍ବାର ଚେଷ୍ଟା କରି ଫେଲ ମାରିଲା ପରେ ଦିନେ Gru ଦେଖିଲା, ତିନୋଟି କୁନି ଝିଅ ବିସ୍କୁଟ ବିକିବା ପାଇଁ ଭିକ୍ଟର ଘରକୁ ଯାଉଛନ୍ତି । Gru ସ୍ଥିର କଲା ଏଇ କୁନି ଝିଅ ମାନଙ୍କୁ ହାତବାରିସୀ କରିବାକୁ ହେବ । ଠିକଣା ନେଇ ବୁଝିଲା ଯେ ଝିଅ ତିନୋଟି ଗୋଟେ ଅନାଥ ଆଶ୍ରମର । Gru ସେମାନଙ୍କୁ ନିଜ ପୋଷ୍ୟ କନ୍ୟା କରି ଅନାଥ ଆଶ୍ରମରୁ ନିଜ ଘରକୁ ନେଇ ଆସିଲା । ଏପଟେ ବନ୍ଧୁ ଡାକ୍ତର ନେଫାରିଓ ସହାୟତାରେ ତିଆରି କଲା ବିସ୍କୁଟ ରୋବଟ । ରୋବଟ ଯାହା ଦେଖିବାକୁ ବିସ୍କୁଟ ଭଳି ହୋଇଥିବେ ଠିକ ଯେମିତି ରାଜନୈତିକ ଦଳମାନେ ନିଜ କାମ ପାଇଁ ତିଆରି କରନ୍ତି ଟ୍ୱିଟରରେ ବଟ ମଣିଷ ।

କୁନି ଝିଅ ତିନୋଟିଙ୍କ ବିସ୍କୁଟ ପ୍ୟାକେଟରେ ବଟ ବିସ୍କୁଟ କିଛି ରଖି ଭିକ୍ଟର ଘରେ ପହଞ୍ଚାଇ ଦିଆଗଲା । ବଟ ବିସ୍କୁଟ ଭିକ୍ଟରର ସିକ୍ୟୁରିଟି କଳ ଅକାମି କରିଦେଲେ ଭିତର ଆଡୁ । Gru ନିଜର କିଛି ମିନିୟନସଙ୍କୁ ଧରି ଭିକ୍ଟର ଘରୁ ଫାଇନାଲି ସଙ୍କୁଚିତ ଯନ୍ତ୍ରଟି ଆଣିବାକୁ ସକ୍ଷମ ହେଲା ।

ହେଲେ Gru କଣ ଚୋରି କରିବାକୁ ସକ୍ଷମ ହେଲା ଜହ୍ନକୁ ! ଭିକ୍ଟର କଣ ହାତରେ ହାତ ଧରି ବସି ରହିଲା? କାମ ସରିଗଲା ପରେ Gru କଣ ପୁଣି ଛାଡିଦେଲା ଅନାଥ ଆଶ୍ରମରୁ ଆଣିଥିବା ତିନି କୁନି ଝିଅଙ୍କୁ ! 

ସବୁ କିଛି ଜାଣିବା ପାଇଁ ନିଜେ ଦେଖନ୍ତୁ Despicable Me ର ପ୍ରଥମ ଭାଗକୁ । ସପରିବାର ସହ ।

Wednesday, 25 July 2018

ରସଗୋଲା

ଯିଏ ଖାଇଲା..  ସିଏ କହିଲା,
ଓଡ଼ିଶା ମିଠା.. ମନ ମୋହିଲା,
ରସଗୋଲା.. ସେ ଆମ ରସଗୋଲା ।

ହସ ଖୁସି ବାହାଘର.. ପୁନେଇଁ ପର୍ବ, 
ସବୁଥିରେ ଖୋଜା ହୁଏ.. ତାକୁ ହିଁ ଆଗ । 
ସାଙ୍ଗ ସାଥି ଭାଇ ବନ୍ଧୁ.. ପାଖ ପଡୋଶୀ, 
ଖୁସି ଖବରେ ଲୋଡ଼ନ୍ତି.. ତାକୁ ହିଁ ବେଶୀ ।

ଆସରରେ ସିଏ ଥିଲେ.. ସବୁ ଜମିଲା,
ରସଗୋଲା.. ସେ ଆମ ରସଗୋଲା ।।

ବରଷକେ ଆସେ ଥରେ.. ରଥ ଯାତରା, 
ଭକତଙ୍କୁ ପାଶେ ପାଇ ଜଗା.. ସବୁ ଭୁଲିଲା ।
ମା ସାଆନ୍ତାଣୀ ରୋଷେ.. କବାଟ ଦେଇ, 
ଫେରିବାର ବାଟ ଆଉ.. ଛାଡିଲେ ନାହିଁ ।

ମାନ ଭଙ୍ଗ ହେଲା ଜଣେ.. କିମିଆ କଲା, 
ରସଗୋଲା.. ସେ ଆମ ରସଗୋଲା ।।