Saturday 31 December 2016

ନିଧି ଅଜାର ଆତ୍ମକାହାଣୀ

ପୂର୍ବ କମ୍ପାନୀରୁ resignation ଦେଇ ନୋଟିସ ପିରିୟଡ଼ରେ ଥାଏ । ନୋଟିସ ପିରିୟଡ଼ର ଅନ୍ତିମ ଦୁଇ ସପ୍ତାହ  । ବିଶେଷ କିଛି କାମ ନଥାଏ । ଏଇ ଫାଙ୍କା ସମୟରେ ଏମିତି ଏକ ଖିଆଲ ଆସିଲା, ଯାହା ପରବର୍ତ୍ତୀ ସମୟରେ ନିଧି ଅଜା ଚରିତ୍ରକୁ ଜନ୍ମ ଦେଲା । ଟ୍ୱିଟରରେ ଓଡ଼ିଆରେ କିଛି ମଜାଳିଆ ଟ୍ୱିଟ ଲେଖିବା ପାଇଁ ତିଆରି କଲି ଏହି ପ୍ରୋଫାଇଲଟି ।

ଯେ କୌଣସି କାଳ୍ପନିକ କିମ୍ବା parody ପ୍ରୋଫାଇଲ କଲାବେଳେ ଏହାର ନାମକରଣ ବେଶ୍ ଗୁରୁତ୍ୱ ବହନ କରିଥାଏ  । ସ୍ଥିର କଲି profile ଟିର ନାଁ ଏମିତି ଏକ ଓଡ଼ିଆ ଚରିତ୍ର ଉପରେ ରଖିବି ଯାହାକୁ ନେଇ ଭବିଷ୍ୟତରେ କୌଣସି ବିବାଦ ସୃଷ୍ଟି ହେଉନଥିବ ଏବଂ ସବୁ ବର୍ଗର ଲୋକେ ବିନା ଦ୍ଵିଧାରେ follow କରିପାରୁଥିବେ । ତେଣୁ ଚିରାଚରିତ ପ୍ୟାରୋଡି ଏକାଉଣ୍ଟ ବଦଳରେ ଆମ ପିଲାବେଳର କାଳ୍ପନିକ ଚରିତ୍ର ନିଧି ବୁଢାକୁ ବାଛିଲି । ଯେହେତୁ ନିଧି ବୁଢ଼ା ନାଁ'ଟା ଟିକେ ଶ୍ରୁତିକଟୁ ଥିଲା ତେଣୁ ନାଁ'ରେ ଟିକେ ପରିବର୍ତ୍ତନ କରି ନିଧିଅଜା ରଖିଦେଲି । ପ୍ରଥମେ ଲକ୍ଷ୍ୟ ଥିଲା, ସାମ୍ପ୍ରତିକ ପରିସ୍ଥିତିକୁ ନେଇ କିଛି ମଜା ମଜା କଥା ପୁରା ଖାଣ୍ଟି କଥିତ ଓଡ଼ିଆରେ ଟ୍ୱିଟ କରିବି । କ୍ରମେ ଏହା ସହିତ ଛୋଟ କବିତା ସବୁ ଯୋଡିଲି ।

ଅନେକ ଯୁବ ବର୍ଗ ତତକ୍ଷଣାତ ଏ ଏକାଉଣ୍ଟକୁ ପସନ୍ଦ କରିବା ଆରମ୍ଭ କରିଦେଲେ । କିଛି ଓଡ଼ିଆ ଟ୍ରେଣ୍ଡ (ଯଥା ପଖାଳ ଦିବସ, ଉତ୍କଳ ଦିବସ ଇତ୍ୟାଦି) ସହାୟତାରେ ଏ ଏକାଉଣ୍ଟ ପହଞ୍ଚିଲା ଅନେକ ଓଡ଼ିଆଙ୍କ ସାମନାରେ । ଏବଂ ଏଇଠୁ ଆରମ୍ଭ ହେଲା ନିଧିଅଜାର ବିଧିବଦ୍ଧ ଯାତ୍ରା ।


ମଝିରେ କୌଣସି ଏକ ବ୍ୟକ୍ତିଗତ କାମରେ ଏତେ ବୀତସ୍ପୃହ ହୋଇଯାଇଥିଲି ଯେ, ଏ profileକୁ ବନ୍ଦ କରି ନିଜ ଦୈନନ୍ଦିନ କାମରେ ମନ ଦେବାକୁ ଭାବିଥିଲି । କିନ୍ତୁ ସେତେବେଳକୁ ଏ ନିଧିଅଜା ପ୍ରୋଫାଇଲ ମୋର ଆଉ ବ୍ୟକ୍ତିଗତ ସମ୍ପତ୍ତି ହୋଇନଥିଲା । ଅନେକ ବନ୍ଧୁ ମାନଙ୍କ ଅନୁରୋଧ କ୍ରମେ ପୁଣି ଫେରିଲି । ପୁଣି ଚାଲୁ ରହିଲା ନିଧି ଅଜାର ଟ୍ୱିଟ ଧାରା ।

ଯେହେତୁ ଓଡ଼ିଆ ଟ୍ୱିଟର userଙ୍କ ସଂଖ୍ୟା ବହୁତ କମ୍, ଅନେକ ବ୍ୟକ୍ତି ଏହା ମଧ୍ୟରେ ଜାଣିସାରିଛନ୍ତି କିଏ ଏ ଏକାଉଣ୍ଟ ପଛର ଲୋକ । ଅଧିକାଂଶ ଏପର୍ଯ୍ୟନ୍ତ ଜାଣି ନାହାନ୍ତି । ଅନେକ ବନ୍ଧୁ ଜାଣିବା ପାଇଁ ଅନୁରୋଧ କରିଛନ୍ତି । ହେଲେ ମୁଁ ନିଜେ ଦ୍ୱନ୍ଦ୍ୱରେ । କାରଣ ନିଧି ଅଜା ସହ ମୋର ବ୍ୟକ୍ତିଗତ ସାମଞ୍ଜସ୍ୟ କିଛି ବି ନାହିଁ । ଅସଲ ପରିଚୟ ଜାଣିଲେ ବି ମୋ ଠାରୁ ନିଧିଅଜା ପରି କିଛି quality ପାଇବା କଷ୍ଟ ହୋଇଯିବ । ପିଲାବେଳେ କେତେବେଳେ କେମିତି ଗପ ଲେଖୁଥିଲି । କୌଣସି ଗପ ଲେଖିଲା ବେଳେ ମୁଁ ନିଜେ ନିଜକୁ ସେ ଚରିତ୍ରଟି ବୋଲି ଭାବି ଗପ ଲେଖେ । ଏମିତିକି ଲେଖିଥିବା କିଛି ଗପର ମୁଖ୍ୟ ଚରିତ୍ର ନାରୀ ମଧ୍ୟ ଥିଲେ । ତେଣୁ ଅଜା ଚରିତ୍ର ପାଇଁ ବେଶୀ କଷ୍ଟ କରିବାକୁ ପଡିଲାନି । ଜେଜେ, ଅଜା କିମ୍ୱା ଗାଁ'ର ବୟସ୍କ ମାନଙ୍କ କଥାବାର୍ତ୍ତା, ଚାଲିଚଳନକୁ ଟିକେ ନିରେଖି ମନେ ପକାଇଲେ, ଏ ଚରିତ୍ର ଗତିଶୀଳ ହୋଇଯାଏ ଆପେ ଆପେ  ।

ଆଜି ଏତେ ସବୁ କହିବାର କାରଣ କଣ !

2016 ର ଶେଷ ରାତି । ଭାବିଲି ନୂଆ ବର୍ଷ ପାଇଁ କଣ ଦି ଧାଡି ଲେଖିବି ବୋଲି । କିଛି ମୁଣ୍ଡକୁ ଜୁଟିଲାନି ତେଣୁ ଏସବୁ ଲେଖୁଛି ।

ଶେଷରେ

ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ । ପ୍ରଭୂ ଜଗନ୍ନାଥଙ୍କ କୃପାରୁ ସଭିଙ୍କ ପାଇଁ ନୂଆ ବର୍ଷ ମଙ୍ଗଳମୟ ହେଉ ।

Friday 30 December 2016

ବିଦାୟ ୨୦୧୬

୨୦୧୬ ମନେ ରହିବ ଛିଡା ହେବା ପାଇଁ । ସ୍ଵେଚ୍ଛାକୃତ ଭାବେ ହେଉ କି ଅନିଚ୍ଛା ସତ୍ତ୍ୱେ ହେଉ ସମସ୍ତଙ୍କୁ ଛିଡା ହେବାକୁ ପଡିଥିଲା ଏ ବର୍ଷ କେତେବେଳେ ନା ନାହିଁ କେତେବେଳେ । କେବେ ଗର୍ବରେ ଛାତି ଫୁଲେଇ ଆମେ ଛିଡା ହୋଇଥିଲୁ ତ କେବେ ଛିଡା ହୋଇଥିଲୁ ଲଜ୍ଜାରେ ମଥାନତ କରି ।


ସୁପ୍ରୀମକୋର୍ଟ ଲୋକଙ୍କୁ ସିନେମା ହଲରେ ଛିଡା ହେବାକୁ ନିୟମ ତିଆରି କରିଥିଲେ ତ ମୋଦି ଆଜ୍ଞା ଛିଡା ହେବାକୁ ବାଧ୍ୟ କରାଇଥିଲେ ବ୍ୟାଙ୍କ ଆଉ ATM ଆଗରେ, ନୋଟବନ୍ଦୀ ଚଳାଇ । ସିନ୍ଧୁ, ସାକ୍ଷୀ ଆଦି ମହିଳାମାନେ ନିଜ କ୍ରୀଡ଼ା ନୈପୁଣ୍ୟତାରେ ବଶୀଭୂତ କରିଥିଲେ କ୍ରିକେଟ ପାଗଳ ଦେଶବାସୀଙ୍କୁ । ସାରା ଦେଶ ଗୌରବର ସହ ଛିଡା ହୋଇଥିଲା ରିଓ ଅଲମ୍ପିକ୍ସରେ ସେମାନଙ୍କର ଅତୁଳନୀୟ କ୍ରୀଡ଼ା କୌଶଳ ଦେଖି  । ଭାରତୀୟ ସେନାର ରାତି ଅଧିଆ ସର୍ଜିକାଲ ଆକ୍ରମଣ ସାରା ଦେଶରେ କମ୍ପନ ସୃଷ୍ଟି କରିଥିଲା । ସାରା ଦେଶବାସୀ ଏକାଠି ଛିଡା ହୋଇ ସମ୍ମାନ ଜଣାଇଥିଲେ ବୀର ସୈନିକଙ୍କ ସାହାସିକତାକୁ ।

ସେମିତି କିଛି ଘଟଣା କାଠଗଡ଼ାରେ ଛିଡା କରେଇଥିଲା ଆମ ସଭ୍ୟ ସମାଜର ପାରିବାପଣିଆକୁ ।  ନଗଡା ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ପ୍ରଶାସନକୁ କାଠଗଡ଼ାରେ ଛିଡା କରେଇଥିଲା ତ ଦାନ ମାଝି ଘଟଣା ଛିଡା କରେଇଥିଲା ପ୍ରଶାସନ ସମେତ ଶହ ଶହ NGO ସଂସ୍ଥାଙ୍କୁ ।

ଖାଲି ମଣିଷ କାହିଁକି ଭଗବାନ ବି ଏ ଛିଡା ହେବାରୁ ବାଦ ପଡି ନଥିଲେ ଏ ବର୍ଷ । ସେବାୟତଙ୍କ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଥିଲା ଆଉ ନୀଳାଦ୍ରି ବିଜେ ବେଳେ ଚାରମାଳ ଉପରେ ଘଣ୍ଟାଧିକ ସମୟ ଛିଡା ହେବାକୁ ପଡିଥିଲା ସ୍ୱୟଂ ସୁଦର୍ଶନ ମହାପ୍ରଭୁଙ୍କୁ ।

ହେଲେ ବର୍ଷ ୨୦୧୬ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା ଓଡ଼ିଆ ମାନଙ୍କର ସୋସିଆଲ ମିଡ଼ିଆରେ ଅନୁପ୍ରବେଶ । ରଜ ହେଉ କି ଅଷ୍ଟମୀ, ନୂଆଖାଇ ହେଉ କି ରଥଯାତ୍ରା, ରସଗୋଲା ହେଉ କି ପଖାଳ । ଅନଲାଇନ ଓଡ଼ିଆ ସବୁ ସମୟରେ ଛିଡା ହୋଇଥିଲେ କାନ୍ଧରେ କାନ୍ଧ ମିଶେଇ ଆଉ  କରିଥିଲେ ଓଡ଼ିଆମି । ଉଡ଼େଇଥିଲେ ଉତ୍କଳର ଧ୍ୱଜା ସାରା ଦେଶରେ ।

ଡାଏରୀ କିମ୍ବା କ୍ୟାଲେଣ୍ଡର ପୃଷ୍ଠାରୁ ଚାଲିଯାଇ ସ୍ମୃତିଟିଏ ବନିଯିବା ଯିବା ପୂର୍ବରୁ ଶେଷଥର ପାଇଁ "ବିଦାୟ ୨୦୧୬" ଛିଡା ହୋଇ (ଏହାକୁ standing ovation ମଧ୍ୟ କହିପାରନ୍ତି)।

Friday 9 December 2016

ଜାତୀୟ ସଙ୍ଗୀତ

"ସୁପ୍ରିମ କୋର୍ଟରୁ ଅଡ଼ର ଆସିଛି ସବୁ ଫିଲିମ ହଲରେ ଆଗେ ଜାତୀୟ ସଙ୍ଗୀତ ବାଜିବ ଓ ସବୁ ଲୋକ ଠିଆ ହୋଇ ସମ୍ମାନ ଦେବେ, ତା'ପରେ ଯାଇ ଫିଲିମ ଚାଲିବ ।" ପ୍ଲାଷ୍ଟିକ ଚେୟାର ଉପରେ ବସି ଗୋଡ଼ ଦିଇଟାକୁ ଲମ୍ବେଇ ଦେଇ ଖବରକାଗଜ ଭିତରେ ମୁଣ୍ଡଟାକୁ ସେଇମିତି ଗଳେଇ ରଖି କହିଲେ ଜଟିଆ ବାବୁ ।

ପାଖକୁ ଲାଗି ଆଉ ଗୋଟେ ଚେୟାର ଉପରେ ବସି ସେଇ ଖବରକାଗଜର ଆଉ ଗୋଟେ ପୃଷ୍ଠାରୁ ଦୁଷ୍କର୍ମ ଅପରାଧ ବିଷୟରେ ମନ ଧ୍ୟାନ ଦେଇ ପଢ଼ୁଥିବା ନରିଆ ଦାସ କଥାଟିକୁ ଭିତରକୁ ନନେଇ ସେମିତି ନିଜ ପଢା ଜାରି ରଖିଲେ । ଭିତରେ କ୍ୟାରମ ଖେଳ ଭିତରେ ମଜ୍ଜି ଯାଇଥିବା କ୍ଲବ ପିଲାମାନେ ବି ଜଟିଆର କଥାକୁ ଗୁରୁତ୍ୱ ନଦେଇ ନିଜ ଖେଳରେ ମଜ୍ଜି ରହିଲେ ।

                                      (ପ୍ରତୀକାତ୍ମକ ଫୋଟୋ, ଭାୟା - ଗୁଗୁଲ ସର୍ଚ୍ଚ )

ଜଟିଆ ବାବୁ.. ନା ସେ କୋଉ ସରକାରୀ ଅଫିସର ନା କୋଉ ମନ୍ତ୍ରୀ କି ଏମେଲେ । ହେଲେ ଏ ଜଟିଆ ନାଁ ପଛରେ ସାଙ୍ଗିଆ ବାବୁ କିଏ ପ୍ରଥମେ ଲଗେଇଥିଲା ତାହାର କୌଣସି ଐତିହାସିକ ରେକର୍ଡପତ୍ର ନାହିଁ । ଗାଁ ରେ ସମସ୍ତେ ତାଙ୍କୁ ଜଟିଆ ବାବୁ କୁହନ୍ତି । ସେ ଏକାଧାରରେ ଜଣେ କୁଜି ନେତା, ଛୋଟ ଠିକାଦାର ଓ ପୁଲିସ ଖବରି । ଦିନର ଅଧିକାଂଶ ସମୟ ତାଙ୍କର ଏହି କ୍ଲବ ଘର ଆଗରେ ନହେଲେ ପଞ୍ଚାୟତ ଅଫିସ ଆଗରେ କଟେ । ଆଞ୍ଚଳିକ ରାଜନୀତି ଛଡା ଜାତୀୟ ରାଜନୀତିରେ ତାଙ୍କର ଅଗାଧ ପାଣ୍ଡିତ୍ୟ । ପାନ ଚୋବେଇ ଚୋବେଇ ଦାନ୍ତ ସବୁ ଈଷତ କଳା କରି ଦେଇଛନ୍ତି । ବୟସ ପାଖାପାଖି ପଚାଶ ହେବ କିନ୍ତୁ ନିଶ ଓ କେଶକୁ ବରାବର କଳା କରି ବୟସକୁ ଦଶ ବର୍ଷ ତଳକୁ ଖସେଇ ଦେବାର ଅପଚେଷ୍ଟା  କରନ୍ତି ସବୁବେଳେ ।

କଥାଟିକୁ କେହି ଗୁରୁତ୍ୱ ଦେଉନଥିବାର ଦେଖି ଗୋଟେ ଖଣ୍ଡି କାଶ ମାରି ଭଲ୍ୟୁମ ଟିକେ ବଢ଼େଇ ଦେଲେ ଜଟିଆ ବାବୁ ।

"ଗଣେଶ ପୂଜାକୁ ଆମେ ଯୋଉ ମେଲୋଡି ଆୟୋଜନ କରୁଛେ, ସେଥିରେ ପ୍ରଥମେ ଏ ଜାତୀୟ ସଂଗୀତ ଗାନକୁ ରଖିଲେ କେମିତି ହୁଅନ୍ତା ପିଲାମାନେ? ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ପରେ ଜାତୀୟ ସଙ୍ଗୀତ ଗାନ । ଲୋକ ତ ଏମିତିରେ ପେଣ୍ଡାଲ ତଳେ ଛିଡାହୋଇ ମେଲୋଡି ଦେଖନ୍ତି । ସେମାନଙ୍କୁ ଆଉ ଠିଆ ହେବାକୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିବନି । ନୂଆ ଦେଶଭକ୍ତି କାମ ଗୋଟେ କରି ଆମ କ୍ଳବର ମଧ୍ୟ ସୁନାମ ହୁଅନ୍ତା ।"

"ଭଲ କଥାଟିଏ କହିଲ ଜଟିଆ ଭାଇ । ନିଶ୍ଚୟ କରାଯାଉ ।"

କ୍ୟାରମ ବୋର୍ଡରେ କୁଇନ ପଛରେ ବ୍ୟସ୍ତ ଥିବା ଟୁବୁଲା ମନକୁ କଥାଟା ପାଇଗଲା ପୁରା । ନିକଟସ୍ଥ ଡ଼ିଡ଼ି (ଧୃତହରି ଦାସ) କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ପାଠ ପଢ଼େ ଟୁବୁଲା ।  କଲେଜ ଯିବା ପୂର୍ବରୁ ଓ କଲେଜରୁ ଆସିବା ପରେ କିଛି ଘଣ୍ଟା ଏହି କ୍ଲବରେ କଟେଇବା ହେଲା ତା'ର ଦୈନନ୍ଦିନ କାମ । ବାପା ପ୍ରାଥମିକ ସ୍କୁଲ ଶିକ୍ଷକ । ତେଣୁ ଘର ଚିନ୍ତା କିଛି ମୁଣ୍ଡକୁ ନିଏନି ଟୁବୁଲା । କ୍ଲବ ଘର ଓ ଗାଁ କ୍ରିକେଟ ଟିମ ପାଇଁ ଜୀବନଟା ତା'ର ସମ୍ପୂର୍ଣ୍ଣ ଉତ୍ସର୍ଗ ।

"ହଁ ସେଇଆ ହେଉ ।"

ଗୁଟଖା ଛେପ ଭର୍ତ୍ତି ପାଟିକୁ ଉପରକୁ ଟେକି କଥାଟିକୁ ସମର୍ଥନ କଲା ସହ କ୍ୟାରମ ଖେଳାଳୀ ରାମା ।  ସଙ୍ଗେସଙ୍ଗେ ବଡ଼ ପାଟିରେ ଘୋଷଣା ହୋଇଗଲା ଏବର୍ଷ ଗଣେଶ ପୂଜାରେ ମେଲୋଡି କାର୍ଯ୍ୟକ୍ରମ ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯିବ । କଥାଟା ନିକଟସ୍ଥ ପାନ ଦୋକାନ ଓ ଚା ଦୋକାନରେ ଭଲ ଖଟିର ଖୋରାକ ଯୋଗାଇଲା ।


ସାଇକେଲକୁ ରାସ୍ତା କଡରେ ରଖି ଚା' ଦୋକାନ ଚାଳି ଭିତରକୁ ପଶୁ ପଶୁ ଭିତରୁ କିଏ ଜଣେ କହିଲା, "ଆରେ ଗୋପାଳ, ଶୁଣିଲୁଣି ନା !  ଏବର୍ଷ  ଜନଗଣମନ ବୋଲାଯିବ ଗଣେଶ ପୂଜା ମେଲୋଡି ପୂର୍ବରୁ । ତୁ ଜାଣିଛୁ ନା ନାହିଁ ଜାତୀୟ ସଙ୍ଗୀତ କଣ? ହେ ହେ.."

ଚା' ଦୋକାନ ଚାଳି ଭିତରୁ ଦୁଇ ତିନି ଜଣଙ୍କ ହାସ୍ୟରୋଳ ଶୁଣାଗଲା ଏକ ସାଙ୍ଗରେ ।

ଏଇମିତି ଗାଁ ଛକ କି ଦୋକାନ ଖଟିରେ ଥଟ୍ଟା ପରିହାସର ପାତ୍ର ହେବାଟା ଗୋପାଳ ପାଇଁ କିଛି ନୂଆ ନୁହେଁ । ବୈରାଗୀ ସନ୍ୟାସୀଟିଏ ଭଳି ସେ କିନ୍ତୁ ଥାଏ ଏସବୁ ବିଷୟରୁ ନିର୍ବିକାର । ଗରିବ ଚାଷୀଟିଏ ଗୋପାଳ । ତୃତୀୟ ଶ୍ରେଣୀରେ ପଢୁଥିଲା ବେଳେ ତା ବାପା ଚାଲିଗଲା । ସେହିଦିନ ଠାରୁ ତା ଜୀବନ କଟୁଛି ବିଲ ମାଟିରେ । ଘରେ ସ୍ତ୍ରୀ ଓ ଦୁଇଟା ପିଲା । ନାହିଁ ନାହିଁର ସଂସାର । ଏ ଦୁନିଆରେ କଣ ଘଟୁଛି ସେସବୁ ତା ମୁଣ୍ଡରେ ପଶେନି । ଅନେକ ସମୟରେ ସେ ବୁଝିବା ପାଇଁ ଚେଷ୍ଟା କରେ କିଛି କିଛି । କେତେବେଳେ ଭେଣ୍ଡି ଗଛରେ ଔଷଧ ପକେଇବାକୁ ହେବ ତ କେତେବେଳେ ବିଲାତି ବୁଦାରେ ପାଣି ମଡ଼େଇବାକୁ ହେବ.. ଏମିତି କଥା ସବୁ ଆସି ତା ଭାବନାକୁ ବିଗାଡି ଦିଅନ୍ତି । ସେ ପୁଣି ଫେରିଯାଏ ତା ବିଲବାଡ଼ି ଓ ସଂସାର ଜଞ୍ଜାଳ ଭିତରକୁ ।

ଚା ଗିଲାସଟା ଦୋକାନୀ ହାତରୁ ଆଣି ଚାଳି ଭିତରେ ହସୁଥିବା ମୁହଁ ମାନଙ୍କ ଉଦ୍ଦେଶ୍ୟରେ ଶୁଖିଲା ମୁହଁରେ ପଚାରିଲା ଗୋପାଳ,

"ପୂଜା ଚାନ୍ଦା ସେଇଆ ରହିବ ନା ବଢ଼ାଯିବ ଏ ସନ?"