Tuesday 28 February 2017

ବିନା ଟିକେଟରେ ଯାତ୍ରା

ମାଟିଆ ରଙ୍ଗର ବସଟିଏ ଆସି ପହଞ୍ଚିଗଲା । ବସ ଆଗରେ ଇଂରାଜିରେ ଟି. ନଗର ଲେଖା ଯାଇଛି । ସଟାସଟ ଲୋକ ସବୁ ଚଢ଼ିଗଲେ ବସ ଭିତରକୁ । ନୂଆ କରି ଚେନ୍ନାଇ ଆସିଥିବା ଦୁଇ ବନ୍ଧୁ ଆଉ କାଳବିଳମ୍ବ ନକରି ଭିଡ଼ ଆଡେଇ ଚଢ଼ିଗଲେ ବସ ଭିତରକୁ । ଦୁଇଟା ଖାଲି ସିଟ ଦେଖି ଚଟାପଟ ଯାଇ ବସି ପଡିଲେ ସେ ଦୁଇ ବନ୍ଧୁ । ନିମିଷକ ମଧ୍ୟରେ ବସ ଭିତରେ ଖଚାଖଚ ଭିଡ଼ ହୋଇଗଲା । ଚେନ୍ନାଇର ଚିରହରିତ ଗରମ ସାଙ୍ଗକୁ ଲୋକଙ୍କ ଭିଡରେ ଅଣନିଶ୍ୱାସୀ ହୋଇପଡୁଥାନ୍ତି ବନ୍ଧୁ ଯୋଡି ।

ଡ୍ରାଇଭର ପେଁ ପେଁ ହର୍ନ ବଜେଇ ଛୁଟେଇଦେଲେ ବସକୁ । ଝରକା ସେପଟରୁ ପବନ କିଛି ପଶି ଆସିଲା ଭିତରକୁ ।  ଆଉ ତା ସହିତ ନେଇ ଆସିଲା ଆଗ ପଟରେ ବସିଥିବା ତାମିଲ ମହିଳାଙ୍କ ଗଭାରୁ ମଲ୍ଲୀଫୁଲର ବାସ୍ନା ।




ଝରକା ପଟେ ବାହାରକୁ ଅନେଇଥାନ୍ତି ଦୁଇ ବନ୍ଧୁ । ନୂଆ ସହରର କୋଠାବାଡ଼ି, ଗଛଲତା, ଦୋକାନ ବଜାର, ହାସପାତାଳ ଗହଣା ଦୋକାନ ଆଦି ଦେଖୁ ଦେଖୁ ବସଟି କେତେବେଳେ ଆସି ପହଞ୍ଚିଗଲା ଗନ୍ତବ୍ୟ ସ୍ଥାନରେ, ଜଣା ପଡିଲା ନାହିଁ । ଅଧ ଘଣ୍ଟାଏ ସମୟ ଯେମିତି ଯେମିତି ସାଏଁ କିନା କଟିଗଲା । ବସରୁ ଗୋଟି ଗୋଟି ହୋଇ ଯାତ୍ରୀ ଓହ୍ଲେଇ ପଡୁଥାନ୍ତି ତଳକୁ । ଦୁଇ ବନ୍ଧୁ ସବା ଶେଷରେ ଓହ୍ଲାଉ ଓହ୍ଲାଉ ମନେ ପକାଇଲେ, "ଆରେ କଣ୍ଡକ୍ଟର ତ କାହିଁ ଟିକେଟ ପଇସା ମାଗିଲା ନାହିଁ ।" 
ତଳେ କିଛି ଲୋକ ମାଟିଆ ରଙ୍ଗର ପେଣ୍ଟ ସାର୍ଟ ପିନ୍ଧା ଲୋକକୁ ଟିକେଟ ଦେଖାଉଥାନ୍ତି ନହେଲେ ନୂଆ ଟିକେଟ କାଟୁଥାଆନ୍ତି ।
"ବୋଧେ ଭିଡ଼ ଯୋଗୁ କଣ୍ଡକ୍ଟରଟି ଟିକେଟ କାଟି ପାରିନି, ସେଥିପାଇଁ ଓହ୍ଲେଇଲା ବେଳକୁ ଟିକେଟ କାଟୁଛି ।"

ବସର ପାହାଚରୁ ଓହ୍ଲାଉ ଓହ୍ଲାଉ ତଳେ ଛିଡା ହୋଇଥିବା ମାଟିଆ ପୋଷାକ ପିନ୍ଧା ବ୍ୟକ୍ତି ଜଣକ ପଚାରିଲେ, "ଟିକେଟ ?"
ପ୍ରଥମ ବନ୍ଧୁ ପକେଟରୁ ଶହେ ଟଙ୍କିଆ ନୋଟ ଖଣ୍ଡେ ବାହାର କରି ବଢ଼େଇ ଦେଉ ଦେଉ କହିଲେ, "ସାଇଦାପେଟରୁ ଟି ନଗର ଯାଏ ରଖନ୍ତୁ । "
ରାଗିଗଲେ ମାଟିଆ ପୋଷାକ ପିନ୍ଧା ବ୍ୟକ୍ତି ।
" ତାହେଲେ ବିନା ଟିକେଟରେ ଆସିଛ ତମେ !! ଫାଇନ ବାବଦକୁ 500 ଟଙ୍କା ଦିଅ ନହେଲେ ସିଧା ଚାଲ ପୋଲିସ ଷ୍ଟେସନ ।"

ଲୋକଟିକୁ ଅଚାନକ ଝଟକା ଲାଗିଲେବି ବୁଝିବାକୁ ବାକି ରହିଲା ନାହିଁ ଯେ, ଏଠି ଟ୍ରେନ ଭଳିଆ ବ୍ୟବସ୍ଥା । ଆଉ ଏମାନେ ଗୋଟାଏ ଟାଇପର ଟିଟିଇ । ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ହେବ । ସଙ୍ଗେ ଲୋକଟିର ସ୍ୱର ବଦଳିଗଲା ।

"ବାବୁ, 500 ଟଙ୍କା ତ ନାହିଁ ମୋ ପାଖରେ । ଗରିବ ଲୋକଟେ ମୁଁ । ଘରେ ଅନ୍ଧୁଣି ମା', ବାପା ଚାଲି ଯାଇଛି ଅନେକ ଦିନରୁ । ଛୋଟ ଛୋଟ ତିନି ଭାଇ ଭଉଣୀ.."
ବିରକ୍ତ ହୋଇ ଉଠିଲେ ମାଟିଆ ପୋଷାକ ପିନ୍ଧା ଟିକେଟ କଲେକ୍ଟର ବାବୁ ।
"ବନ୍ଦ କର ତୋ ଡ୍ରାମା । ଘର କୋଉଠି ତୋର?"
"ଆଜ୍ଞା, ଉତ୍ତର ପ୍ରଦେଶରୁ ଆସିଛି । "
"200 ଟଙ୍କା ଦେ । ଏଇ ଥର ତୋତେ ଛାଡି ଦେଲି । "

ଲୋକଟି 200 ଟଙ୍କା ବଢ଼େଇଦେଲା ବାବୁଙ୍କ ହାତକୁ । ବାବୁ ଜଣକ 200 ଟଙ୍କାର ଡେଲି ଟିକେଟ ଗୋଟେ ଧରେଇ ଦେଲେ ଫାଇନ ସ୍ୱରୂପ । ଆଉ ତାଗିଦ କରି କହିଲେ ଆଗକୁ ଯେମିତି ବିନା ଟିକେଟରେ ବସରେ ନ ଚଢିବା ପାଇଁ ।

ପଛରେ ଥିବା ଦ୍ଵିତୀୟ ବନ୍ଧୁ ଜଣକ କିଛି ବୁଝିପାରୁ ନଥାଏ ଏ ଘଟଣାକ୍ରମକୁ । ନୂଆ ନୂଆ ଲାଗୁଥାଏ ସବୁ କିଛି ତାକୁ । ତାଙ୍କ ପଟେ ତ ବସ କଣ୍ଡକ୍ଟର ଶୋଇଥିବା ଲୋକକୁ ବି ଉଠେଇ ଟିକେଟ ପଇସା ନେଇଯାଏ । ଏପଟେ କି ଅଦ୍ଭୁତ ନିୟମ ।

"କିରେ ତୋ ଟିକେଟ କାହିଁ ?"
"ଟିକେଟ କରିନି । କଣ୍ଡକ୍ଟର ତ ବସ ଭିତରେ ଟିକେଟ ମାଗିବାକୁ ଆସିଲା ନାହିଁ । ଆମେ ଝରକାକୁ ଅନେଇ ଅନେଇ.."
"ସେ ବାଜେ କଥା ବନ୍ଦ କର । ଘର କୋଉଠି ତୋର? " ରାଗରେ ଫଁ ଫଁ ହୋଇ ଉଠିଲେ ବାବୁ ଜଣକ । 
"ଆଜ୍ଞା ଓଡିଶାରେ । ଏଠିକି ଗତ ସପ୍ତାହରେ.. "
"ବାସ କର ପାଗଳା । ଆଉ ପଦେ ବି କିଛି କହନା । "
ଟିକେଟ ଚେକିଂ ବାବୁଙ୍କର ମୁହଁର ରଙ୍ଗ ବଦଳିଗଲା ସଙ୍ଗେ ସଙ୍ଗେ । ଆଖିରେ ଲୁହ ଜକେଇ ଆସିଲା ।
"ତୁ ଯା ବାପା, ତୁ ଯା । ତୋ ଠୁ କଣ ଫାଇନ ନେବି ମୁଁ । ତୁ ଖାଲି ଟିକେଟ ପଇସାଟା ଦେଇକି ଯା.. "
ଭାଷା ଗୁଡାକ ଆଉ କିଛି ସ୍ପଷ୍ଟ ଶୁଭିଲା ନାହିଁ ।  କଣ୍ଠରୋଧ ହୋଇ ଆସୁଥାଏ ବାବୁଙ୍କର । 
"ପ୍ରଧାନମନ୍ତ୍ରୀଙ୍କର ୟୁପି ରାଲିର ଭାଷଣ ମୁଁ ବି ଦେଖିଛି ଟିଭିରେ.."
ଆଉ କିଛି କହି ପାରିଲେ ନାହିଁ ବାବୁ ଜଣକ । ଟିକେଟ ପଇସା ନେଇ ସେଠାରୁ ଚାଲିଗଲେ ।

ଦୁଇ ସାଙ୍ଗ ସେଠାରୁ ଚାଲି ଯାଉ ଯାଉ ପ୍ରଥମ ସାଙ୍ଗଟି ଭାବୁଥିଲା, କଣ ଏମିତି କହିଥିଲେ କି ମୋଦି ଆଜ୍ଞା ସେ ରାଲିରେ..