Thursday 31 May 2018

ଯୋକଡିଆ ଆନିକଟ

ଯାଜପୁର ଜିଲ୍ଲା, ଧର୍ମଶାଳା ଥାନା ଅନ୍ତର୍ଗତ ଖରସ୍ରୋତା ନଦୀରେ ଯୋକଡିଆ ଠାରେ ଥିବା ଆନିକଟର ଅବସ୍ଥା ଏବେ ହଡ଼ା ବଳଦର କାହାଣୀ ପରି ହୋଇଛି ।




ଏ ଆନିକଟଟି ନଅଙ୍କ ଦୁର୍ଭିକ୍ଷ ସମୟର ସ୍ମାରକୀ ବହନ କରୁଥିବା ବ୍ରିଟିଶ ଅମଳର ଏକ ସୁନ୍ଦର ପ୍ରକଳ୍ପ । ନଦୀ ସଂଯୋଗୀକରଣ ସହ ନୌବାଣିଜ୍ୟ ଯୋଜନାର ଏହା ଏକ ଅଭିନବ ପ୍ରୟାସ ଥିଲା । 1866 ମସିହା ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତୀ ସମୟରେ ଜଣାଗଲା ଯେ ଯୋଗାଯୋଗ ଅଭାବରୁ ଏତେ ବଡ଼ ବିପର୍ଯୟ ଘଟିଗଲା । ବୋଧହୁଏ ସେଥିପାଇଁ ଇଂରେଜ ସରକାର ନଦୀ ସଂଯୋଗୀକରଣ ତଥା ଜଳପଥରେ ମାଲ ପରିବହନ ପାଇଁ ଏ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ।




ବିରୂପା ନଦୀରୁ ଜେନାପୁର ପର୍ଯ୍ୟନ୍ତ କେନାଲ ଦ୍ୱାରା ବ୍ରାହ୍ମଣୀ ନଦୀକୁ ସଂଯୁକ୍ତ କରାଗଲା । ଜେନାପୁର ଠାରେ ବ୍ରାହ୍ମଣୀ ନଦୀରେ ଆନିକଟ କରାଯାଇ ନଦୀଜଳକୁ ଅଟକା ଯାଇ ଉଦବୃତ ଜଳକୁ ଖରସ୍ରୋତା ନଦୀରେ ବହିବାକୁ ଦିଆଗଲା । ଯୋକଡିଆରେ ଖରସ୍ରୋତା ନଦୀରେ ଆନିକଟ କରାଯାଇ ଏହି ଜଳକୁ ଅନ୍ୟ ଏକ କେନାଲ ଯୋଗେ ରୁଢିଆ ପର୍ଯ୍ୟନ୍ତ ନିଆଯାଇ ବୈତରଣୀ ନଦୀ ସହ ସଂଯୁକ୍ତ କରାଗଲା । ଫଳରେ କଟକ ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଜଳପଥରେ ମାଲ ପରିବହନ କରାଯାଇ ପାରୁଥିଲା । ଏହି ପ୍ରକଳ୍ପ କିଛି ଦିନ କାମ କଲାପରେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା ।



ଯୋକଡିଆ ଠାରେ ନିର୍ମିତ ଆନିକଟଟି ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ବହୁ ବର୍ଷ ଧରି ଏହା ହଜାର ହଜାର ଲୋକଙ୍କର ଯାତାୟାତର ଏକ ମାଧ୍ୟମ ହୋଇ ରହିଥିଲା । ମାଙ୍କଡ଼ା ପଥରରେ ନିର୍ମିତ ଏହାର ଉଭୟ ପାର୍ଶ୍ବରେ ସୁଉଚ୍ଚ ପ୍ରାଚୀର ସହ ପଥରରେ  ନିର୍ମିତ ଖୁଣ୍ଟ ଗୁଡିକ ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ବହନ କରେ । ଲୁହା ବିମ୍ ରେ ଗଠିତ ଏହି ପାଦଚଲା ପୋଲଟି ଉପରେ ଠିଆହୋଇ ନଦୀର ଦୃଶ୍ୟ ପରିଦର୍ଶନ ବେଶ ଉପଭୋଗ୍ୟ ।



ଯୋକଡିଆ ଠାରେ ନୂଆ ପୋଲ ହେଲାପରେ ଏହାର ଗୁରୁତ୍ୱ ଏବେ ଆଗପରି ଆଉ ନାହିଁ ।  ସୌନ୍ଦର୍ଯ୍ୟ ଓ ସ୍ମୃତି ବହନ କରୁଥିବା ଏ ଆନିକଟଟି କ୍ଷୟ ହୋଇ ନଷ୍ଟ ହେବାକୁ ବସିଲାଣି । ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଗଛ ମାନ ସୃଷ୍ଟି ହୋଇ ପ୍ରାଚୀରକୁ ଫଟାଇବାକୁ ଆରମ୍ଭ କଲାଣି । ଲୁହା ପୋଲଟିର ବିମ୍ ମାନଙ୍କରେ ରଙ୍ଗ ଲେପନ ଅଭାବରୁ କଳଙ୍କି ଲାଗି ନଷ୍ଟ ହେବାକୁ ଆରମ୍ଭ କଲାଣି । ପୋଲ ଉପରେ ବିଛା ଯାଇଥିବା ଲୁହା ଚଦର ଗୁଡିକରେ ୱେଲଡିଙ୍ଗ ଛାଡିବାକୁ ଆରମ୍ଭ କଲାଣି । ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଲା ଯେ ପୋଲଟିର ଏକ୍ସପାରି ତାରିଖ ବିଗତ ହୋଇ ଯାଇଥିବାରୁ ସରକାରଙ୍କ ତରଫରୁ ଆଉ ମରାମତି କରାଯାଉ ନାହିଁ ଏବଂ ଏହାକୁ ନଷ୍ଟ ହେବାକୁ ଛାଡି ଦିଆଯାଇଛି ।



ଆନିକଟଟି ଏକ ପୁରାତନ କୀର୍ତ୍ତି ହୋଇଥିବାରୁ ଏବଂ ଏହା ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ବହନ କରୁଥିବାରୁ ଏହାର ରକ୍ଷଣାବେକ୍ଷଣ କରାଯାଉ । ପୋଲ ଉପରେ ଗାଈ ଗୋରୁ, ମଟର ସାଇକେଲ ଆଦିର ଯିବା ଆସିବାକୁ ବନ୍ଦ କରାଯାଇ ଏହାର ସୁରକ୍ଷା ପାଇଁ ଚିନ୍ତା କରାଯାଉ । ଆନିକଟ ଓ ଏହାର ଆଖପାଖ ଅଂଚଳକୁ ଉନ୍ନତିକରଣ କରାଗଲେ ଏହା ଏକ ସୁନ୍ଦର ଦର୍ଶନୀୟ ସ୍ଥାନ ହୋଇ ଭବିଷ୍ୟତର ପିଢ଼ି ପାଇଁ ସାଇତି ରଖାଯାଇ ପାରନ୍ତା ।

ଆଶା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବେ ।