Sunday, 18 November 2018

The Color Purple - ରଙ୍ଗ ବାଇଗଣି

1985 ମସିହାର ଫିଲ୍ମଟି । ସ୍ପିଲବର୍ଗଙ୍କ ଦ୍ୱାରା ନିର୍ଦ୍ଦେଶିତ । ଓସ୍କାର ଫିଲ୍ମ ପାଇଁ ମନୋନିତ ହୋଇଥିଲେ ବି ଜିତିପାରି ନଥିଲା ।


ଫିଲ୍ମଟି ଦୁଇ କୃଷ୍ଣକାୟ ଭଉଣୀଙ୍କ ଉପରେ ପର୍ଯ୍ୟବେଷିତ ଯଦିଓ ଫିଲ୍ମର ମୁଖ୍ୟ ଚରିତ୍ର ବଡ ଭଉଣୀ । ଫିଲ୍ମଟି ସମାନ ନାଁରେ ପ୍ରକାଶିତ ଉପନ୍ୟାସ ଉପରେ ଆଧାରିତ ।

ନାରୀ ଅବଳା, ଦୂର୍ବଳା । ପରିବାର, ଘର, ସମାଜ, ପ୍ରକୃତି ତଥା ଭାଗ୍ୟ ସହ ତାର ସଂଘର୍ଷ ପ୍ରତି କ୍ଷଣରେ । ସଂଘର୍ଷର ବି ଗୋଟେ ସୀମା ଥାଏ । କାହା କାହା ସହ ଲଢିବ ସେ ! ପରେ ନିଜକୁ ସମର୍ପିତ କରିଦେବାକୁ ପଡେ ଏ ବିଶାଳ ଶକ୍ତି ମାନଙ୍କ ଆଗରେ । ନିଜ ସାମର୍ଥ୍ୟ ଉପରେ ସୃଷ୍ଟି ହୁଏ ସନ୍ଦେହ । ଶେଷକୁ ମୁଣ୍ଡ ନୁଆଁଇ ମାନିନେବାକୁ ପଡେ ସବୁକିଛି ।

ଏଇ ହେଉଛି ନାରୀର କାହାଣୀ । ଖାଲି ଯାହା ମଞ୍ଚଟି ବଦଳୁଥାଏ । ଫିଲ୍ମର ମୁଖ୍ୟ ଚରିତ୍ର ସେଲି ବି ନିଜକୁ ସମର୍ପି ଦେଇଥିଲା ବିନା ଲଢେଇରେ । ହେଲେ ସେଲିର ଜୀବନରେ ଆସନ୍ତି ଏମିତି କିଛି ନାରୀ ଚରିତ୍ର ଯେଉଁମାନଙ୍କୁ ଦେଖି ସେ ଲଢେଇ କରିବାକୁ ସାହାସ ଜୁଟାଏ । ଯଦିଓ ପୁରାପୁରି ନିଜକୁ ଠିଆ କରି ପାରେନି । ଶେଷକୁ ନିଜ ସାନ ଭଉଣୀର ପୁରୁଣା ଚିଠି ସବୁ ମିଳେ ତାକୁ । ଚିଠି ଗୁଡିକୁ ପଢି ସେଲି ଅନୁପ୍ରାଣିତ ହୁଏ, ସାହାସ ଜୁଟାଏ ଓ ଶେଷରେ ସଫଳ ହୁଏ ।

ଫିଲ୍ମ ତ ନୁହେଁ ଇଏ । ଚିତ୍ରକରର କାନଭାସ ଟିଏ ଅବା ଲେଖକର ଉପନ୍ୟାସ ଟିଏ ସିଏ । ମୁଖ୍ୟ ଚରିତ୍ରରେ ଜଣେ କୃଷ୍ଣକାୟ ଅଭିନେତ୍ରୀ । ଆମ ଆଡିକା ଫିଲ୍ମ ଇଣ୍ଡଷ୍ଟ୍ରୀ ହୋଇଥିଲେ ତାଙ୍କୁ ମୁଖ୍ୟ ଚରିତ୍ର ଛାଡ, କୌଣସି ସହ-ଅଭିନେତ୍ରୀର ଭୂମିକା ଯେ ମିଳିଥାନ୍ତା ମୋର ସନ୍ଦେହ । ନିର୍ଦ୍ଦେଶକଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ବର୍ଷର ବିଭିନ୍ନ ଋତୁକୁ ଏତେ ସୁନ୍ଦର ଭାବେ ପରଦାରେ ତୋଳିଛନ୍ତି ନଦେଖିଲେ ବିଶ୍ୱାସ କରିହେବନି । ଚରିତ୍ର ଗୁଡିକୁ ଏମିତି ଜୀବନ୍ତ କରି ପରଦାରେ ଛାଡିଛନ୍ତି ଯେ ସେମାନେ ଆମ ଆଖପାଖର ଚରିତ୍ର ଭଳି ଲାଗିବେ ।
  

Monday, 12 November 2018

Schindler's List - ସିଣ୍ଡଲରଙ୍କ ତାଲିକା



ଫିଲ୍ମର ମୁଖ୍ୟ ଚରିତ୍ର ଓସ୍କାର ସିଣ୍ଡଲର୍ (Oscar Schindler) ଜଣେ ଜର୍ମାନ ଶିଳ୍ପପତି । ଦେଶର ବଡ଼ ବଡ଼ ଲୋକଙ୍କ ସହ ଥିଲା ତାଙ୍କର ସୁସମ୍ପର୍କ । ଫିଲ୍ମଟି ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର । ଜର୍ମାନୀ ନାଜି ସେନାର ଅତ୍ୟାଚାର ଚାଲିଥିବା ବେଳେ ସିଣ୍ଡଲର୍ ଜଣେ ଦେବପୁରୁଷ ଭଳି ଉଭା ହୁଅନ୍ତି । ନିଜ ବ୍ୟବସାୟ, ସମ୍ପତ୍ତି ବିନିମୟରେ ଅନେକ ଲୋକଙ୍କ ଜୀବନ ରକ୍ଷା କରନ୍ତି । ନିଜେ ଦେବାଳିଆ ହୋଇଛନ୍ତି ପଛେ କିନ୍ତୁ ଲୋକ ମାନଙ୍କୁ ଜର୍ମାନୀ ସେନାର ହାଣ ମୁହଁରୁ ବଞ୍ଚେଇ ପାରିଛନ୍ତି । ସିଣ୍ଡଲରଙ୍କ ତାଲିକା (Schindler's List) ଏଇ ବିଷୟ ବସ୍ତୁ ଉପରେ ଆଧାରିତ ।

ଜୁରାସିକ ପାର୍କ ଫିଲ୍ମର ନିର୍ଦ୍ଦେଶକ Steven Spielberg ଏ ଫିଲ୍ମଟିକୁ ନିର୍ମାଣ କରିଥିଲେ । ଶୁଣାଯାଏ ଏ କାହାଣୀକୁ ନେଇ ଫିଲ୍ମଟିଏ ତିଆରି କରିବାକୁ 1963 ମସିହାରେ ସ୍ପିଲବର୍ଗଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ନାଜି ମାନଙ୍କ ରୋମଟାଙ୍କୁରା ଭୟାନକ ନରସଂହାରର ପୃଷ୍ଠଭୂମିରେ ଫିଲ୍ମଟିଏ ତିଆରି କରିବା ପାଇଁ ସ୍ପିଲବର୍ଗ ସେତେବେଳେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିପାରିନଥିଲେ । ଶେଷରେ ପ୍ରାୟ ତିରିଶ ବର୍ଷ ପରେ 1993 ମସିହାରେ ଏ କାହାଣୀକୁ ନେଇ ସେ ଫିଲ୍ମଟି ତିଆରି କରିଥିଲେ । ଫିଲ୍ମଟିର ଅଳ୍ପ କେତୋଟି ଦୃଶ୍ୟକୁ ଛାଡି ଦେଲେ ପୁରା ଫିଲ୍ମଟି କଳା ଧଳା । 

କାହାଣୀ:
ଓସ୍କାର ସିଣ୍ଡଲର (Oscar Schindler) ନା ଥିଲେ ସୈନ୍ୟ ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ ନା ଦେଶର କୌଣସି ପ୍ରଭାବଶାଳୀ ପ୍ରଶାସକ । ସେ ଥିଲେ ଜଣେ ବ୍ୟବସାୟୀ ବା ଶିଳ୍ପପତି । କିଛି ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ସେହି ସୁବିଧାର ସୁଯୋଗ ଉଠାଇ ନିଜ ପାରୁପର୍ଯ୍ୟନ୍ତ ଯେତେ ସମ୍ଭବ Jews ମାନଙ୍କୁ ନାଜି ନରସଂହାରରୁ ରକ୍ଷା କରିପାରିଥିଲେ । ଯେତେବେଳେ ସୈନ୍ୟ ମାନଙ୍କୁ Jews ମାନଙ୍କୁ ହତ୍ୟା କରିବାର ନିର୍ଦ୍ଦେଶ ମିଳିଲା ଓ ନରସଂହାର ଆରମ୍ଭ ହୋଇଗଲା, ସେତେବେଳେ ସିଣ୍ଡଲର ନିଜ କାରଖାନାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିବାର ନିଷ୍ପତ୍ତି ନେଲେ । କାରଖାନା ଗଲେ ତା ସହ ସେଠି କାମ କରୁଥିବା ଶ୍ରମିକ ମାନଙ୍କୁ ମଧ୍ୟ ନେବାକୁ ହେବ । କାରଖାନାକୁ ସ୍ଥାନାନ୍ତରିତ କରିବା ପଛରେ ଥିଲା ତାଙ୍କର ଏଇ ଅସଲ ଉଦ୍ଦେଶ୍ୟ । ଏଥିପାଇଁ ସେ ଜର୍ମାନ ସରକାର ସହ ଚୁକ୍ତି କଲେ । ଶ୍ରମିକ ମାନଙ୍କ ବଦଳରେ ସେ ସରକାରକୁ ପର୍ଯ୍ୟାପ୍ତ ଅର୍ଥ ଦେବେ । ସରକାରରେ ଥିବା ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପ୍ରଭାବିତ କରି ସେ ଏହାକୁ କାର୍ଯ୍ୟକାରୀ କରିପାରିଥିଲେ । ପ୍ରାୟ ହଜାରେ ପାଖାପାଖି Jews ମାନଙ୍କୁ ସେ ସ୍ଥାନାନ୍ତରିତ କରିପାରିଥିଲେ । 

ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ସିଣ୍ଡଲର ଭୂମିକାରେ ଅଭିନୟ କରିଥିଲେ ଲିଆମ ନିସନ (Liam Neeson) । ନାଜି ଆକ୍ରମଣର ପୃଷ୍ଠଭୂମିରେ ଅନେକ ଭଲ ଫିଲ୍ମ ତିଆରି ହୋଇଛି । ଇଟାଲି ଦେଶର ଫିଲ୍ମ Life Is Beautiful ମଧ୍ୟ ଏମିତି ଏକ ଭଲ ଫିଲ୍ମ । ହେଲେ ସବୁ ଫିଲ୍ମ ଭିତରେ Schindler's List ନିଶ୍ଚୟ ଉପରେ ରହିବ । 

ଏକ ସମ୍ବେଦନଶୀଳ ବିଷୟକୁ ନେଇ ଫିଲ୍ମଟି ତିଆରି କରାଯାଇଥିଲେ ବି ଏଥିରେ କଳାତ୍ମକ ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ପୁରା ଫିଲ୍ମକୁ କଳାଧଳାରେ ତିଆରି କରାଯାଇଛି କିନ୍ତୁ ଗୋଟେ ଦୃଶ୍ୟରେ ଜଣେ କୁନିଝିଅର frock କୁ ରଙ୍ଗୀନ ରଖାଯାଇଛି । ମଣିଷର ଭାବାବେଗର ସୁକ୍ଷ୍ମ ସ୍ନାୟୁତନ୍ତ୍ରକୁ ଛୁଇଁବାର ଚେଷ୍ଟା କରିଛି ଏଇ ଛୋଟ ଦୃଶ୍ୟଟି । କହିବା ବାହୁଲ୍ୟ କୁନି ଝିଅଟି ନାଜି ନରସଂହାରରେ ନିଜ ଜୀବନ ହରେଇଛି ।  

ଫିଲ୍ମର ସଂଳାପ ଓ ପଟ୍ଟକଥା ଅତି ମାର୍ମିକ । ସ୍ପିଲବର୍ଗଙ୍କ ଫିଲ୍ମର ଏ ହେଉଛି ଟ୍ରେଡ଼ମାର୍କ ଛାପ । ଫିଲ୍ମଟିରେ ମୋ ପସନ୍ଦର ସଂଳାପଟି ହେଲା, 

"Power is when We have every justification to kill, and We don't." 


Friday, 9 November 2018

How Green was my Valley - ମୁଭି ରିଭ୍ୟୁ


1941 ମସିହା ଓସ୍କାର ପୁରସ୍କାର ବିଜୟୀ ଫିଲ୍ମଟି । ସେ ବର୍ଷ ଆସିଥିବା ଆଉ ଏକ ଚର୍ଚ୍ଚିତ ଫିଲ୍ମ "ସିଟିଜେନ୍ କେନ୍"କୁ ପଛରେ ପକାଇ ଏ ଫିଲ୍ମଟି ଜିତିଥିଲା ଓସ୍କାର । 1939 ରେ ସମାନ ନାଁ ରେ ପ୍ରକାଶିତ ହୋଇଥିବା ଉପନ୍ୟାସକୁ ନେଇ ଏ ଫିଲ୍ମର ବିଷୟବସ୍ତୁ ।

କୋଇଲା ଖଣିରେ କାମ କରୁଥିବା ଏକ ପରିବାରର କାହାଣୀ । ପରିବାରର ମୁଖ୍ୟ Gwilym Morgan, ତାଙ୍କର ପାଞ୍ଚ ପୁଅ ଓ ଗୋଟେ ଝିଅ । ସବା ସାନ ପୁଅ Huw Morgan. 
ଘଟଣା, ଦୁର୍ଘଟଣା, ଉତଥାନ, ପତନ, ପ୍ରେମ, ବିରହ.. ଏସବୁ ଭିତରେ ଚାଲେ ସଂସାର । ସବୁ ପରିବାରର ଏ ଚିରାଚରିତ କାହାଣୀ । ଫିଲ୍ମଟି ବର୍ଣ୍ଣନା କରାଯାଇଛି ସାନ ପୁଅର ମୁହଁରେ । ପିଲାବେଳୁ ବାପାଙ୍କ ହାତ ଧରି ନିଜ ଗାଁ (ଭ୍ୟାଲି)ରେ ବୁଲିଛି ସେ । ସାଇ ପଡିଶା, ବାପା ମା, ଭାଇ ଭଉଣୀଙ୍କ ସହ ଖୁସିରେ କଟିଛି ପିଲାଦିନ  । ବାପା ଘରର ମୁଖିଆ । ମଝି ଖୁଣ୍ଟ ।  

ସବୁ ପରିବାରର ତେଲ ଲୁଣର କାହାଣୀ ପରି ଏ ଫିଲ୍ମଟିର କାହାଣୀ । ସେମିତି କିଛି ବିଶେଷ ନାଟକୀୟତା ନାହିଁ କାହାଣୀରେ । କେତେବେଳେ ଖୁସି ତ କେତେବେଳେ ଦୁଃଖ । କିଛି ପାଇବା ଓ କିଛି ହରେଇବାକୁ ନେଇ ଜୀବନ । 

ସ୍ମୃତି ସବୁବେଳେ ମଧୁର । ଅତୀତର ଅନୁଭୂତି ସବୁ ସ୍ମୃତି ହୋଇ ଆମ ପାଖେ ପାଖେ ସଦା ରହିଥାଏ । କୋଇଲା ଖଣିଟି ଯୋଗୁ ସେ ଭ୍ୟାଲିଟି ଧୀରେ ଧୀରେ ନିଜ ସୁନ୍ଦରତା ହରାଇଛି । ଏଣେ ଖଣିର ଉତ୍ପାଦନ ବି କମିଛି । ଲୋକେ କାମ ନପାଇ ଧିରେ ଧିରେ ଭିଟାମାଟି ଛାଡିଛନ୍ତି । 

ଫିଲ୍ମଟି ପୁରୁଣା ଦିନର କାହାଣୀକୁ ନେଇ । ସେତେବେଳର ଜୀବନଚର୍ଯ୍ୟା, ସାମାଜିକ ଜୀବନ ଆଜିକାର ସମୟରେ ଟିକେ ଖାପଛଡ଼ା ଲାଗିପାରେ । ଗାଁ ଲୋକଙ୍କ ସମବେତ କଣ୍ଠ ସଂଗୀତ ଗୁଡିକ ବି ଭାରି ବିରକ୍ତିକର ଲାଗେ ଫିଲ୍ମଟିରେ । ତେବେ ଫିଲ୍ମଟିର ବେଷ୍ଟ ପାର୍ଟ ହେଉଛି, ତା'ର ବର୍ଣ୍ଣନା (narration) । ସାନ ପୁଅ Huw Morgan ର ମୁହଁରେ କାହାଣୀର ବର୍ଣ୍ଣନା ଯେତେ ଥର ଶୁଣିଲେ ବି ଭଲ ଲାଗେ । ଶେଷ ଦୃଶ୍ୟଟିରେ ନିଜର ବାପାଙ୍କ ମୃତ୍ୟୁ ପରର narration ଟି ବୋଧହୁଏ ପୁରା ଫିଲ୍ମର ଆତ୍ମା :

"Men like my father cannot die. They are with me still, real in memory as they were in flesh, loving and beloved forever. How green was my valley then..."

Thursday, 8 November 2018

Talk To Her - ଫିଲ୍ମ ରିଭ୍ୟୁ


ଏକ ଦୁର୍ଘଟଣାରେ ଆହତ ହୋଇ କୋମାକୁ ଚାଲିଯାଇଛନ୍ତି ପତ୍ନୀ । ଡାକ୍ତର କହିଛନ୍ତି ଦୁର୍ଘଟଣାରେ ବ୍ରେନ ସେଲ୍ ସବୁ ନଷ୍ଟ ହୋଇଯାଇଛି । କୋମାରୁ ଫେରିବାର ଆଶା ପ୍ରାୟ ନାହିଁ । ନିରାଶ ହୁଅନ୍ତି ସ୍ୱାମୀ ମାର୍କୋ । 

                                 (2002 ରେ ରିଲିଜ ହୋଇଥିଲା Spanish ଭାଷାର ଏ ଫିଲ୍ମଟି )
 
ମାର୍କୋଙ୍କର ହସ୍ପିଟାଲରେ ଭେଟ ହୁଏ ଜଣେ ପୁରୁଷ ନର୍ସଙ୍କ ସହ । ନାଁ Benigno । କୋମାରେ ପଡିଥିବା ଝିଅଟିଏ Aliciaର ଦେଖାଶୁଣା କରୁଛନ୍ତି  ସେ । କଥାବାର୍ତ୍ତାରୁ Benigno ଜାଣନ୍ତି ମାର୍କୋଙ୍କର ମାନସିକ ସ୍ଥିତି । ତାଙ୍କୁ ସଜେସନ ଦିଅନ୍ତି, ସ୍ତ୍ରୀଙ୍କ ସହ କଥା ହେବାକୁ ।
 
ଡାକ୍ତର କହିଥିବା କଥାକୁ ଦୋହରାନ୍ତି ମାର୍କୋ । ତାଙ୍କ ସ୍ତ୍ରୀଙ୍କର ବ୍ରେନ ସେଲ୍ ସବୁ ନଷ୍ଟ ହୋଇଯାଇଛି (Brain Dead) । ସେ କୌଣସି କଥା ଶୁଣିପାରିବେ ନାହିଁ । ତାଙ୍କ ଶରୀରଟି କେବଳ ଯାହା involuntary କାମ ସବୁ କରିପାରିବ । ଯେମିତି ଖାଦ୍ୟ ହଜମ କରିବା, ଆଖି ପତା ପକେଇବା.. । ତା ଛଡା ଅନ୍ୟ କୌଣସି କାମ କରିବାକୁ ତାଙ୍କ ସ୍ତ୍ରୀଙ୍କ ଶରୀର ଅକ୍ଷମ ।

Benigno ବୁଝାନ୍ତି । ସ୍ତ୍ରୀ ଲୋକଙ୍କ ମନକୁ ବୁଝିବା ସମ୍ଭବ ନୁହେଁ । ଏବଂ ନିଜ ଅନୁଭୂତିରୁ କୁହନ୍ତି, ମାର୍କୋ ତାଙ୍କ ସହ କଥା ହେବାକୁ । ସ୍ତ୍ରୀଙ୍କୁ ଭଲ ଲାଗୁଥିବା ପସନ୍ଦର କାମ ସବୁ କରି ତାଙ୍କୁ ଶୁଣେଇବାକୁ । କିଏ ଜାଣେ ଦିନେ ନିଦରୁ ଉଠିଲା ଭଳିଆ ସିଏ ଭଲ ହୋଇ ଉଠି ବସିବେ । Talk To Her...

ମାର୍କୋ କଥାକୁ ଏତେ ଗୁରୁତ୍ୱ ନଦେଇ ଚାଲି ଯାଆନ୍ତି ।  

ହସ୍ପିଟାଲରେ ମାର୍କୋ ଲକ୍ଷ୍ୟ କରନ୍ତି, Benigno ଓ ତାଙ୍କ ରୋଗୀ Alicia କୁ । Benigno ଆଲିସିଆଙ୍କୁ ବାହାରେ ହସ୍ପିଟାଲର ବାଲକୋନୀକୁ ବୁଲେଇବାକୁ ଆଣନ୍ତି । ଆଲିସିଆଙ୍କ ସହ ସବୁବେଳେ ଗପନ୍ତି । ଆଲିସିଆଙ୍କୁ Silent movie ଓ ଷ୍ଟେଜ ଅପେରା ପସନ୍ଦ । ସେଥିପାଇଁ ନିର୍ବାକ ଫିଲ୍ମ ତଥା ଅପେରା ଦେଖିକି ଆସି ଆଲିସିଆଙ୍କୁ ଶୁଣାନ୍ତି ତାର କାହାଣୀ । ଫିଲ୍ମ ମାଗାଜିନ ପଢି ଶୁଣାନ୍ତି । Alicia କୋମାରେ ପଡିବା ପୂର୍ବରୁ ଜଣେ ଡ୍ୟାନ୍ସ ଟିଚରଙ୍କ ଠାରୁ ଡ୍ୟାନ୍ସ ଶିଖୁଥିଲେ । Benigno ତାଙ୍କ ଡ୍ୟାନ୍ସ ଟିଚରଙ୍କୁ ମଝିରେ ମଝିରେ ଆଣି କଥା କରାନ୍ତି ଓ ନୂଆ ଡ୍ୟାନ୍ସ ପ୍ରୋଗ୍ରାମ ଉପରେ ଆଲିସିଆଙ୍କୁ ଶୁଣାନ୍ତି ।

ଧୀରେ ଧୀରେ ମାର୍କୋ ବି ଅନୁସରଣ କରିଛନ୍ତି Benigno ଙ୍କ କାର୍ଯ୍ୟକଳାପକୁ । କୋମାରେ ପଡିଥିବା ନିଜ ସ୍ତ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି । ତାଙ୍କୁ ବାଲକୋନିରେ ଆଣି ବୁଲାନ୍ତି । ତାଙ୍କ ସ୍ତ୍ରୀଙ୍କ ପସନ୍ଦ ଦେଶ ବିଦେଶର ଭ୍ରମଣ କାହାଣୀ ପଢିବା । ହେଲେ ସେଇ ଇଚ୍ଛାଟି ପୁରଣ କରିବା ଏବେ ସମ୍ଭବ ନୁହେଁ । 

କଥାବାର୍ତ୍ତାରୁ ମାର୍କୋ ଜାଣନ୍ତି, Benigno ଆଗରୁ Alicia ଙ୍କୁ ଜାଣିଥିଲେ ଓ ମନେ ମନେ ଭଲ ପାଉଥିଲେ । ସମ୍ପର୍କ ଅଳ୍ପ ଟିକେ ଆଗକୁ ବଢିବା ପୂର୍ବରୁ ଏକ ସଡକ ଦୁର୍ଘଟଣାରେ Alicia ଚାଲିଯାଆନ୍ତି କୋମା ଅବସ୍ଥାକୁ । 

ମାର୍କୋ ନିଜ ସ୍ତ୍ରୀଙ୍କ ଭ୍ରମଣ କାହାଣୀ ପଢିବା ଇଚ୍ଛାକୁ ପୁରଣ କରିବା ପାଇଁ ଦେଶ ବିଦେଶ ସବୁ ବୁଲନ୍ତି ଓ ଭ୍ରମଣ ବହି ସବୁ ଲେଖନ୍ତି ।  

ହଠାତ ଦିନେ ସେ ଖବର ପାଆନ୍ତି ତାଙ୍କ ସ୍ତ୍ରୀଙ୍କ ବିଷୟରେ । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମାର୍କୋ Benigno ଙ୍କୁ ଫୋନ କରନ୍ତି । କିନ୍ତୁ ହସ୍ପିଟାଲରୁ ଜାଣିବାକୁ ପାଆନ୍ତି, Benigno ଆଉ ସେଠି କାମ କରୁନାହାନ୍ତି । ମାର୍କୋ ଆଉ ଜଣେ ଚିହ୍ନା ନର୍ସଙ୍କୁ ଫୋନ କରି ତାଙ୍କଠାରୁ ଜାଣିବାକୁ ପାଆନ୍ତି, Benigno ଏବେ ଜେଲରେ । Alicia ଙ୍କୁ rape କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସେ । 

ମାର୍କୋ ନିଜ ଦେଶକୁ ଫେରନ୍ତି । ଜେଲରେ ଭେଟ କରନ୍ତି Benigno ଙ୍କୁ । Benigno ତାଙ୍କୁ Alicia ଙ୍କ ବିଷୟରେ ଖବର ସଂଗ୍ରହ କରି ଜଣେଇବାକୁ ଅନୁରୋଧ କରନ୍ତି । ମାର୍କୋ ଜାଣିବାକୁ ପାଆନ୍ତି ଯେ Alicia କୋମାରୁ ସୁସ୍ଥ ହୋଇଛନ୍ତି । 

ଏପଟେ Benigno ଜେଲରେ ଆତ୍ମହତ୍ୟା କରିଛନ୍ତି । 

ଫିଲ୍ମ ଶେଷ ହୁଏ ଏକ ଅପେରା ହାଉସରେ । ଯେଉଁଠି ଡ୍ୟାନ୍ସ ଦେଖିବା ସମୟରେ ମାର୍କୋ ଭେଟନ୍ତି Alicia ଙ୍କୁ ।

ଫିଲ୍ମର କାହାଣୀ ଟିକେ ସ୍ଲୋ । ଜୀବନ, ମୃତ୍ୟୁର ଏ transition ସମୟକୁ ଅତି ସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଫିଲ୍ମର background music, ଅପେରା ଡ୍ୟାନ୍ସ ଓ ଗୀତ ସବୁ ବହୁତ ସୁନ୍ଦର ହୋଇଛି । ଏଗୁଡିକ ଏମିତି ହୋଇଛି ଯେ, ଅନେକ ଦିନ ପର୍ଯ୍ୟନ୍ତ ଅବଚେତନ ମନରେ ବସା ବାନ୍ଧି ରହିଯିବ । ଫିଲ୍ମଟି ଶେଷ ହୋଇଛି ଏକ ଅପେରା ଡ୍ୟାନ୍ସର ଦୃଶ୍ୟରେ । ଏଇ ଦୃଶ୍ୟଟି ହିଁ ଫିଲ୍ମକୁ ଚମତ୍କାର ଭାବେ ଅନ୍ତିମ ସ୍ପର୍ଶ ଦେଇଛି । 

ଯେଉଁ ମାନଙ୍କ ସ୍ଲୋ ମୁଭି ପସନ୍ଦ, ସେମାନଙ୍କୁ ଏ ଫିଲ୍ମଟି ଭଲ ଲାଗିବ । ଅନ୍ୟମାନଙ୍କୁ ଫିଲ୍ମଟି ଏତେ ଭଲ ନ ଲାଗିପାରେ ।

Saturday, 3 November 2018

The Lives of Others - ଫିଲ୍ମ ରିଭ୍ୟୁ

ସିକ୍ରେଟ ପୋଲିସ ସଂସ୍ଥାରେ କାମ କରୁଥିବା ଜଣେ ଅଫିସରଙ୍କୁ ଦେଶର ଜଣେ ପ୍ରସିଦ୍ଧ ଲେଖକ ଓ ତାଙ୍କ ଅଭିନେତ୍ରୀ ପ୍ରେମିକାଙ୍କ ଗତିବିଧି, କାର୍ଯ୍ୟକଳାପ, କଥାବାର୍ତ୍ତା ଉପରେ 24 ଘଣ୍ଟା ନଜର ରଖିବାର ଦାୟିତ୍ୱ ମିଳେ । ସେମାନଙ୍କ ଉପରେ ନଜର ରଖୁ ରଖୁ ଓ ସେମାନଙ୍କ କଥାବାର୍ତ୍ତା ସବୁ ଗୁପ୍ତରେ ଶୁଣୁ ଶୁଣୁ ଅଫିସର ଜଣକ ପ୍ରଭାବିତ ହୋଇପଡନ୍ତି ସେମାନଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଉପରେ । ପରେ ସେମାନଙ୍କ ଦେଶଦ୍ରୋହ କାର୍ଯ୍ୟକୁ ଲୁଚାଇବାକୁ ଚେଷ୍ଟାକରି ନିଜ ଚାକିରୀ ହରାନ୍ତି ।

 


2006 ମସିହାରେ ରିଲିଜ ହୋଇଥିଲା ଜର୍ମାନ ଭାଷାର ଏଇ ଫିଲ୍ମଟି, The Lives of Others । କାହାଣୀଟି ବର୍ଲିନ ପ୍ରାଚୀର ଭାଙ୍ଗିବାର ପୂର୍ବ ସମୟର ଯେତେବେଳେ ପୂର୍ବ ଜର୍ମାନୀରେ ରୁଷର ଆଧିପତ୍ୟ ଥିଲା । ସେଠିକାର ବୁଦ୍ଧିଜୀବୀ  ଶାସକ ଦଳର ମାତ୍ରାଧିକ ଅତ୍ୟାଚାର ଓ ବଳପ୍ରୟୋଗ ବିରୋଧରେ ଲୁଚି ଲୁଚି ଲେଖୁଥିଲେ । ସରକାର ଏ ବୁଦ୍ଧିଜୀବୀ ଗୋଷ୍ଠୀଙ୍କୁ ଦମନ କରିବା ପାଇଁ ସ୍ପେଶାଲ ସିକ୍ରେଟ ପୋଲିସ ସଂସ୍ଥାକୁ ନିଯୁକ୍ତ କରିଥିଲେ । କେହି ବ୍ୟକ୍ତି କୌଣସି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ମିଳିଲେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ।

ଫିଲ୍ମଟିରେ ଅଫିସର ଜଣଙ୍କୁ ଜଣେ ପ୍ରସିଦ୍ଧ ମଞ୍ଚ ଲେଖକଙ୍କ ଉପରେ ନଜର ରଖିବାର ଦାୟିତ୍ୱ ମିଳିଛି । ଲେଖକଙ୍କ ଘର ଆଗରେ ସିକ୍ରେଟ କ୍ୟାମେରା ଓ ଘର ଭିତରେ ଅଡିଓ device ସବୁ ଲୁଚେଇକି ଲଗାଯାଇଛି ।  ଲେଖକଙ୍କ ସବୁ କଥାବାର୍ତ୍ତା ଶୁଣି, କିଛି ଦେଶଦ୍ରୋହ କାର୍ଯ୍ୟର ପ୍ରମାଣ ପାଇଲେ ଉପରିସ୍ଥ ଅଧିକାରୀଙ୍କୁ ଦେବାପାଇଁ ଅଫିସରଙ୍କୁ କୁହାଯାଇଛି । ଏ ସିକ୍ରେଟ ଅପରେସନର ନାଁ ରଖାଯାଇଛି ଅପରେସନ ଲାଜଲୋ ।

ଲେଖକଙ୍କ ପ୍ରେମିକା ଜଣେ ପ୍ରତିଷ୍ଠିତ ମଞ୍ଚ ଅଭିନେତ୍ରୀ । ଏମାନଙ୍କ କଥାବାର୍ତ୍ତା ଶୁଣୁ ଶୁଣୁ ଅଫିସର ଜଣକ ଜାଣିବାକୁ ପାଇଛନ୍ତି ଯେ, ଦେଶର ସଂସ୍କୃତି ମନ୍ତ୍ରୀ ଅଭିନେତ୍ରୀଙ୍କୁ ନିଜ କ୍ଷମତା ବଳରେ ଅଯଥା ଅତ୍ୟାଚାର କରୁଛନ୍ତି । ଏବଂ ଧୀରେ ଧୀରେ ଲେଖକ ଓ ତାଙ୍କ ସହ ମିଳାମିଶା କରୁଥିବା ବ୍ୟକ୍ତି ମାନଙ୍କ କଥାବାର୍ତ୍ତା ଶୁଣି ଅଫିସର ଜଣକ ପ୍ରଭାବିତ ହୋଇପଡିଛନ୍ତି ।

ଏଇଠୁ କାହାଣୀର ମୋଡ ବଦଳିଛି । ଅଫିସର ଜଣକ ନିଜ ଉପରିସ୍ଥ ଅଧିକାରୀଙ୍କୁ ସଠିକ ତଥ୍ୟ ଦେଇନାହାନ୍ତି ଓ ପରୋକ୍ଷରେ ଲେଖକଙ୍କୁ ସାହାଯ୍ୟ କରିଛନ୍ତି । ଶେଷକୁ ଲେଖକଓ ତାଙ୍କ ପ୍ରେମିକାଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ଚାକିରୀ ହରାଇଛନ୍ତି । ଫିଲ୍ମଟିର ସମାପ୍ତି ବହୁତ ସୁନ୍ଦର ଭାବପ୍ରବଣତାର ସହ କରାଯାଇଛି ।
ଫିଲ୍ମଟି ଅତି ରୋମାଞ୍ଚକର ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଛି । ମଝିରେ ମଝିରେ ଟ୍ଵିଷ୍ଟ ଓ ସସପେନ୍ସ ଫିଲ୍ମଟିକୁ ଉତ୍କଣ୍ଠାର ଶୀର୍ଷରେ ପହଞ୍ଚାଇଛି ।