Sunday 30 October 2016

ସୁଲତାଣ

ସୁଲତାଣ । ଅଜାର ଚଡ଼ିପିନ୍ଧା ଦିନର ମଇତ୍ର ଯାହାକୁ ଭୁବନେଶ୍ଵରିଆ ଓଡ଼ିଆରେ କହନ୍ତି ଲଙ୍ଗୋଟୟାର, ସଲମାନ ଖାନର ଫିଲ୍ମ ରିଲିଜ ହୋଇଥିଲା ଏଇ ସନ ପବିତ୍ର ଇଦ୍ ରେ ।  ଫିଲ୍ମ ପୋଷ୍ଟରରେ ଚଡ଼ିପିନ୍ଧା ଦିନର ମଇତ୍ରର ଚଡ଼ିପିନ୍ଧା ଫୋଟୁ ଦେଖିଦେଲା ପରେ ମନଟା ଉଚ୍ଛନ୍ନ ହୋଇଯାଇଥିଲା । ତେଣୁ ଲୁନାଟା ଧରି ଆଈକୁ ପଛ ସିଟରେ ବସେଇ ମୁଁ ଚାଲି ଯାଇଥିଲି ପ୍ରଥମ ଦିନର ପ୍ରଥମ ସୋ ଦେଖିବା ପାଇଁ ସିନେମା ଘର ଅଭିମୁଖେ ।


ହରିୟାଣାର ଗୋଟେ ଗାଁର କେବୁଲ ବାଲା ହେଉଛି ସୁଲତାଣ । କେବୁଲ କନେକ୍ସନ ଦେବା ଓ ଡ଼ିସ ଆଣ୍ଟିନା ବିକିବା ଛଡା ବୁଲି ବୁଲି କଟି ଯାଇଥିବା ଗୁଡ଼ି ଗୋଟାଇବା ହେଉଛି ସୁଲତାଣର ଦୈନନ୍ଦିନ କାମ । ଏମିତି ଗୋଟେ କଟି ଯାଇଥିବା ଗୁଡ଼ି ଗୋଟେଇବାକୁ ଯାଇ ସୁଲତାଣର ଦେଖାହୁଏ ନାତୁଣୀ ଅନୁଷ୍କା ସହ । ନାତୁଣୀ ଅନୁଷ୍କା ଯଦିଓ ତନୁପାତେଳି କିନ୍ତୁ ସେ ଏଇ ଫିଲ୍ମରେ ସାଜିଛି ରାଜ୍ୟସ୍ତରୀୟ କୁସ୍ତିଯୋଦ୍ଧା ଚମ୍ପିୟାନ, ପହିଲିମାନ ଆରିଫା । ଆରିଫାକୁ ଦେଖିଲା ପରେ ପ୍ରେମର ଗୁଡ଼ି ସୂତାରେ ଛନ୍ଦି ହୋଇଯାଇଛି ପରିଣତ ବୟସରେ ଉପନୀତ ସୁଲତାଣ । "ବେବିକୁ ବେସ ପସନ୍ଦ ହେ" ଗୀତ ଗାଇ ଡିଆଁକୁଦା କରିଛି । ହେଲେ ପହିଲିମାନ ଆରିଫାର ମନ ଜିତି ପାରିନି ସେଥିରେ । ମନ ଜିତିବା ଲକ୍ଷ୍ୟରେ ସୁଲତାଣ ଯୋଗ ଦେଇଛି ଗାଁର କୁସ୍ତି ଆଖଡ଼ାରେ । ତା ପରେ ଗାଁ ଆଖଡ଼ାରୁ ଯାଇଛି ରାଜ୍ୟ ସ୍ତରୀୟ ଓ ବିଶ୍ୱ ସ୍ତରୀୟ କୁସ୍ତି ପ୍ରତିଯୋଗିତାକୁ  । ସବୁଠି ସୁଲତାଣ ଧୋବା ତୁଠର ଲୁଗା ପରି ଉଠେଇ କାଚି ପକେଇଛି ଅପର ପଟର ପ୍ରତିଯୋଗୀକୁ । ଯାହାକୁ ଭୁବନେଶ୍ଵରିଆ ଓଡ଼ିଆରେ କହନ୍ତି "ଧୋବି ପଛାଡ" ।  ଏସବୁ ମଝିରେ ସଙ୍ଗୀତଜ୍ଞ ମିକା ନନାଙ୍କର ଗୀତ ଆସିଛି "440 ଭୋଲ୍ଟ ଲାଗିଗଲା ଛୁଣେ ସେ ତେରେ" । ଆଉ ତାହା ସହିତ ସୁଲତାଣ ପ୍ରେମରେ ପଡି ଯାଇଛି ଆରିଫା ।

ପ୍ରେମ, ବାହାଘର ଓ ତାପରେ ମତାନ୍ତର । ସରିଛି ପ୍ରଥମାର୍ଦ୍ଧ । ମକା ଭଜା ଓ ଥଣ୍ଡା ପାନୀୟ ଆଣି ଆସିଲା ପରେ ଶାଢ଼ୀ ଦୋକାନ ବିଜ୍ଞାପନ, ଗହଣା ଦୋକାନ ବିଜ୍ଞାପନ, ମୁକେଶ ବିଜ୍ଞାପନ ଆଦି ସରିଲା ପରେ ଆରମ୍ଭ ହୋଇଛି ଦ୍ଵିତୀୟାର୍ଦ୍ଧ  ।

ଜଣେ ପୋଖତ ଫିଲ୍ମ ରିଭିଉ-ଜ୍ଞ ଫିଲ୍ମ ରିଭିଉ କଲାବେଳେ ପୁରା ଷ୍ଟୋରି ଖୋଲି ଦିଏନାହିଁ । ଅଜା ଯେହେତୁ ଜଣେ ପୋଖତ ଫିଲ୍ମ ରିଭିଉଜ୍ଞ ତେଣୁ ଆଗ କାହାଣୀ ଆଉ ନକହି ଏଇ ସଜେସଣ ଦେବ ଯେ, ଫିଲ୍ମକୁ ନିଜେ ସବୁ ଦେଖିବା ପାଇଁ ।

ପାଞ୍ଚରୁ ଅଜା ଦେବ ଏଇ ଫିଲ୍ମକୁ ସାଢେ ତିନି ତାରା । ଭଲ ଭଲ ଗୀତ ଅଛି ଏ ଫିଲ୍ମରେ ଓ ବିନା ଧକଡ଼ ଚକଡ଼ରେ ଫିଲ୍ମଟି ଚାଲିଛି ଭଲ ସ୍ପିଡ଼ରେ ଆରମ୍ଭରୁ ଶେଷଯାଏ ।  ପଇସା ଅସୁଲ ହେଲା ଭଳି ଫିଲ୍ମ ହେଉଛି ସୁଲତାଣ ।





Thursday 6 October 2016

ମଣିଷପଣିଆ

ପୁଣି ଆରମ୍ଭ ହୋଇଗଲା ବର୍ଷା ।

ଏ ସନ୍ଧ୍ୟା ସମୟରେ ବର୍ଷାଟା ହେଲେ ଭାରି ବିରକ୍ତ ଲାଗେ ସତରେ । ରାସ୍ତାଘାଟର ଅବସ୍ଥା ଏବେ ଯାହା, ସେଥିରେ ପୁଣି ଅଫିସ ଫେରନ୍ତା ଗାଡ଼ି ମଟରର ଜାମ୍ । ଅସମ୍ଭବ ଭିଡ଼, ସ୍ଲୋ ଟ୍ରାଫିକ ଓ ଅଣନିଶ୍ଵାସୀ କରି ପକାଉଥିବା ଗାଡିର ଧୂଆଁ ! ଏତିକି ଯଥେଷ୍ଟ ହେଲାନି ଯେ ତା ଉପରେ ଏ ଝିପି ଝିପି ବର୍ଷା ।

କଳାହାଣ୍ଡିଆ ମେଘଟା ପୁରା ଘୋଟିକି ରଖିଛି ଆକାଶକୁ । ତା ଭିତରେ ଥଣ୍ଡା କାଲୁଆ ପବନବି କୋଉଠୁ ଚାଲି ଆସୁଛି ମଝିରେ ମଝିରେ । ଅନ୍ୟ ସମୟ ହୋଇଥିଲେ ରାସ୍ତା କଡ଼ର ଧାଡି ବନ୍ଧା LED ଲାଇଟର ତୋଫା କିରଣରେ ଝରି ପଡୁଥିବା ରିମଝିମ ବର୍ଷା ଟୋପାକୁ ଛିଡ଼ାହୋଇ ଦଣ୍ଡେ ମନ ପୁରାଇ ଦେଖିଥାନ୍ତି । ହେଲେ ଜୋରଦାର ବର୍ଷା ହେବା ପୂର୍ବରୁ ଘରେ ପହଞ୍ଚି ଯିବାକୁ ହେବ । ସପ୍ତାହର ମଧ୍ୟ ଭାଗରେ ଏମିତି ଭିଜିବାଟା ଭାରି ରିସ୍କ । ଦେହ ଅସୁସ୍ଥ ହେଲେ ବିଶ୍ରାମ ନେବାକୁ ବି ସମୟ ମିଳିବନି ।
ରାସ୍ତା ଫାଙ୍କା ଥିଲେ କୋଡ଼ିଏ ମିନିଟ ସମୟ ଲାଗେ ଅଫିସରୁ ଘର ପର୍ଯ୍ୟନ୍ତ ଦୂରତା । କିନ୍ତୁ ଏ ବର୍ଷା ଓ ସନ୍ଧ୍ୟା ଟ୍ରାଫିକରେ କମସେ କମ 45 ମିନିଟ ସମୟ ଲାଗିବ । ହେଲେ ଏ ଦୁଇ ଚକିଆ ଯାନର ଗୋଟିଏ ସୁବିଧା ହେଲା, ଏମିତି ପରିସ୍ଥିତିରେ ଏ ଯାନଟି ଭଲ କାମ ଦିଏ । ଭିଡ଼ ଭିତରେ ଏ ଗଳି ଛପି ଚାଲିଯିବ ଆଗକୁ, ଯେଉଁଠି ଚାରି ଚକିଆ ଯାନ ଚାହିଁ ରହିଥିବେ ଅସହାୟ ହୋଇ ।

ଆଗ ଟ୍ରାଫିକ ସିଗନାଲରୁ ଡାହାଣକୁ ଯିବାକୁ ହେବ ମୋତେ । କାରଣ ଏଇଟା ସର୍ଟ-କଟ ରୁଟ୍ ଓ ଏପଟେ ରାସ୍ତାଟା ବି ପୁରା ଫାଙ୍କା ଥାଏ । ଭିଡ଼ କାଟି ଠିକ ସିଗନାଲ ପାଖାପାଖି ହେଲା ବେଳକୁ ସିଗନାଲ ଆଲୁଅ ହୋଇଗଲା ରେଡ୍ । ଏବେ ଗାଡି ଉପରେ ବସି ଓଲଟା ଗଣତି କର ।
75, 74, 73...4, 3, 2, 1.. ଗ୍ରୀନ ।
ଡାହାଣ ଇଣ୍ଡିକେଟର ଟା ଦେଇ ମୁଁ ଚାଲିଲି ଡାହାଣ ପଟ ରାସ୍ତାକୁ । ଟିକେ ଆଗରେ 25/26 ବର୍ଷର ପିଲାଟିଏ ଛିଡା ହୋଇ ହାତ ଦେଖାଇ ଲିଫ୍ଟ ମାଗୁଛି । ମୋ ବାଇକ ର ପଛ ସିଟ ଖାଲି ଥିବାର ଦେଖି ଅଧିକ ଉତ୍ସାହିତ ହୋଇ ରାସ୍ତା ଉପରକୁ ଟିକେ ମାଡି ଆସି ପିଲାଟି ଦେଖେଇଲା ଲିଫ୍ଟ ମାଗିବାର ସଂକେତ ।

ଏମିତିରେ ମୋତେ କାହାକୁ ଲିଫ୍ଟ ଦେବାକୁ ଭଲ ଲାଗେନି । ଗାଡ଼ି ରୋକି ଚିହ୍ନା ନଥିବା ଅଜଣା ଲୋକକୁ ସାଙ୍ଗରେ ବସେଇ କିଏ ନେଉଛି । ମୁଁ ପ୍ରାୟ ଅଟକେ ନାହିଁ ଏମିତି ପରିସ୍ଥିତିରେ, ଯଦି ଲିଫ୍ଟ ମାଗୁଥିବା ଲୋକଟି ନିହାତି ଅସୁବିଧାରେ ପଡିନି । ଅଟୋରେ ଗଲେ ଦଶ ଟଙ୍କା ଦେବାକୁ ପଡିବ ବୋଲି ଅନେକ ଲୋକ ଏଇମିତି ଲିଫ୍ଟ ମାଗି ଯିବାପାଇଁ ଅଧିକ ପସନ୍ଦ କରନ୍ତି । ପିଲାଟିକୁ ଦେଖି ନଦେଖିଲା ଭଳି ମୁଁ କ୍ରସ କରି ଚାଲିଗଲି ବାଇକରେ ।


ରାସ୍ତା ଆଗକୁ ପୁରା ଫାଙ୍କା ଥାଏ । ତେଣୁ ଗାଡିର ସ୍ପିଡ଼ ଟିକେ ବଢ଼େଇ ଦେଇଥାଏ ମୁଁ । ହଠାତ ମଝି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା କାର ଟି ଅସମ୍ଭବ ଭାବରେ ସ୍ପିଡ଼ କମେଇ ଦେଲା ଠିକ ମୋ ଆଗରେ । ମୁଁ ଗାଡିର ସ୍ପିଡ଼ କମେଇ ବାଁ ପଟକୁ ଯଥାସମ୍ଭବ କାଟି ନେଉ ନେଉ ଓଦା ରାସ୍ତାରେ ବାଇକ ସ୍କିଡ଼ କରିଗଲା । ଯଦିଓ ବିଶେଷ ବଡ଼ ଦୁର୍ଘଟଣାଟିଏ ନଥିଲା କିନ୍ତୁ ପଡ଼ିଗଲି ମୁଁ  ଓ ମୋ ଗୋଡ଼ଟି ରହିଗଲା ବାଇକ ତଳେ । କାର ର ଡ୍ରାଇଭର ମୋବାଇଲରେ କଲ ରିସିଭ କରୁଥିଲା ବୋଧେ । ମୁଁ ପଡିଯିବା ଦେଖି ସେ ପୁଣି କାର ସ୍ପିଡ଼ ବଢ଼େଇ ସେ ଜାଗାରୁ ଉଭାନ ହୋଇଗଲା ।

ବାଇକ ଭିତରୁ ଗୋଡ଼କୁ କାଢି ଉଠିବାକୁ ମୁଁ ଚେଷ୍ଟା କରୁଥାଏ ବାରମ୍ବାର କିନ୍ତୁ ସେ ପରିସ୍ଥିତିରେ ମୋ ଦ୍ୱାରା ସମ୍ଭବ ହେଉ ନଥାଏ ଗୋଡ଼କୁ କାଢିବା । ଏହି ସମୟରେ ପିଲାଟିଏ ପଛରୁ ଦୌଡ଼ିଆସି ବାଇକକୁ ଟେକି ଧରିଲା । ସାଇଡରେ ଗାଡିକୁ ରଖିଦେଇ ମୋ ହାତ ଧରି ଉଠେଇ ବସେଇଲା । ବିଶେଷ କିଛି ଆଘାତ ହୋଇ ନଥାଏ ମୋର । ଖାଲି ଟିକେ ଆଞ୍ଚୁଡି ହୋଇଯାଇଥାଏ ଯାହା ।

ଟିକେ ଝାଡ଼ି ଝୁଡି ହୋଇ ମୁଁ ଜୁଟାଉଥାଏ ସାହସ ପିଲାଟିର ମୁହଁକୁ ସିଧା ଚାହିଁ ଥ୍ୟାଙ୍କସ୍ କହିବା ପାଇଁ..

Wednesday 5 October 2016

ଗଜିଆର ବାହାଘର

ଅନେକ ଦିନ ତଳର କଥା ।

ଆରେ ରୁହ ରୁହ.. ଅନେକ ଦିନ ତଳର ମାନେ ରାଜା ରାଜୁଡା ସମୟର କଥା କହୁନି ମ । ସେକଥା କହିଲେ କେହି ଶୁଣିବେନି ଆଉ ମୋ ଲେଖିବାର ମୂଲ୍ୟ ବି କିଛି ରହିବନି ।  ଆମ ସମୟର କଥାଟିଏ କହୁଛି । ଇଏ ସେଇ ସମୟର କଥା ଯେତେବେଳେ ମୋବାଇଲ ବିପ୍ଳବ ହୋଇ ନଥିଲା ପୃଥିବୀରେ । ଇଣ୍ଟରନେଟର ଜାଲ ଆସି ପହଞ୍ଚି ନଥିଲା ମଣିଷ ଜୀବନକୁ ଛନ୍ଦି ମନ୍ଦି ଅଣନିଶ୍ୱାସି କରିପକେଇବାକୁ । ମୋଟାମୋଟି ଉପରେ କହିବାକୁ ଗଲେ ଏ ସେହି ସମୟର କଥା ଯେତେବେଳେ ମଣିଷର ଜୀବନ ଥିଲା ସରଳ । ହଁ, ତା' ମାନେ ମୋ କଥା ହେଉଛି ଏଇ କୋଡ଼ିଏ ତିରିଶ ବର୍ଷ ତଳର ।

ଗଜିଆର ବାହାଘର ପାଇଁ ଯେତେବେଳେ ମୂଷାଖଣ୍ଡି ଗାଁ ରୁ ମଧ୍ୟସ୍ଥି ନଣ୍ଡା ସାମୁଲ ପ୍ରସ୍ତାବ ନେଇ ଆସିଥିଲା, ସେତେବେଳେ କେହି ଭାବି ନଥିଲେ ଏତେ କମ ଦିନ ଭିତରେ ଓ ବିନା ଝିନଝଟରେ ବାହାଘରଟା ଠିକ ହୋଇଯିବ ବୋଲି । କଥାରେ ଅଛି ଯାହା ହାଣ୍ଡିରେ ଯାହା ପାଇଁ ଚାଉଳ ପକେଇଛି ସେ ଉପରବାଲା । ସବୁ ସେଇ ଯୋଗ ବରାଦର କଥା ।

ପ୍ରଥମେ ଗଜିଆର ଦାଦା ଓ ତାଙ୍କ ପଡ଼ିଶା ଘର ବିଶିଆ'ଇ ଯାଇ ଝିଅ ଦେଖା କାମଟି ସାରି ଦେଇଥିଲେ । ଝିଅଟି ପସନ୍ଦ ହୋଇଥିଲା ଓ ତା ସହ ପସନ୍ଦ ହୋଇଥିଲା ଝିଅଘର ଲୋକଙ୍କ ବ୍ୟବହାର ଚାଲିଚଳଣ । କଥା ସେଇଠି ହିଁ ପକ୍କା ହୋଇଯାଇଥିଲା । ଖାଲି ଲୋକ ଦେଖାଣିଆ ଫର୍ମାଲିଟିଟା ବାକି ରହିଥିଲା ଯାହା । ଫାଇନାଲ ଖିଆ ବେଳକୁ ମୋତେ ମିଶେଇ ଆଠ ଜଣ ଯାଇଥିଲୁ ।

ଗରିବ ମଣିଷର ଟିକି ଦୁନିଆଟିଏ । ଅଳ୍ପରେ ସନ୍ତୁଷ୍ଟ ହୋଇଯାଆନ୍ତି ଏଇ ଦୁନିଆର ଲୋକମାନେ । ଯଦିଓ ଦେବାନେବା ଆଦି କଥା ଥାଏ ହେଲେ ସେସବୁ ବି ସେଇ ତେଲ ଲୁଣର ସଂସାର ଭିତରର ଛୋଟ ମୋଟ ଜିନିଷ ଭଳି ଅଳୀକ । ଯାହାହେଉ ସବୁ କିଛି ଭଲ ଭଲରେ ଛିଡିଗଲା । ଗଜିଆର ସନା ପଢିଆରିର ସାନ ଝିଅ ବାହାଘର ଫାଇନାଲ ହେଲାନି ତ, ଯୋଡି ହୋଇଗଲା ସମ୍ପର୍କର ସେତୁ ମୂଷାଖଣ୍ଡି ଗାଁ ସହିତ ଆମ ଗାଁ'ର ।


ସୁରଜ ବଡ଼ଜାତ୍ୟାର ଫିଲ୍ମ ପରି ବାହାଘରର ଦୀର୍ଘ ବର୍ଣ୍ଣନା ନକରି ସିଧା ଆସୁଛି ମୋ କାହାଣୀ ଉପରକୁ ।

ସେ ସମୟରେ ଗାଁ ଜୀବନ ଆଜିକାଲିର ପରି ନଥିଲା । ବାହାଘର ପୂର୍ବରୁ ପୁଅର ମତାମତ ନେବା କି ପୁଅ ଯାଇ ଝିଅକୁ ଦେଖିବା ପ୍ରଥା ପ୍ରାୟ ନଥିଲା । ଅନେକ ପୁଅଙ୍କର ମନରେ ଶହେ ଇଚ୍ଛା ଥିଲେ ବି ଲୋକଲଜ୍ଜା ଭୟରେ ସୁନାପୁଅ ଭଳି "ଗୁରୁଜନମାନେ ଯାହା ଠିକ କରିବେ" ଭଳି ଉପର ଠାଉରିଆ ଡାଇଲଗଟିଏ ଛାଡି ଦିଅନ୍ତି । ପେଟେ ଭୋକ ମୁହେଁ ଲାଜ ପରି ପରେ ନିରୋଳା ଦେଖି ଅନ୍ୟମାନଙ୍କୁ ପଚାରନ୍ତି "କେମିତି ଝିଅଟା ଦେଖିବାକୁ?", "ସବୁ ଭଲ ନା" । ଏମିତି କେତେ ପ୍ରଶ୍ନ ।

ଗଜିଆର କେସରେ କଥାଟା ଟିକେ ଗୋଳମାଳିଆ ହୋଇଗଲା । ସହଜେ ଟିକେ ଲାଜକୁଳା ସ୍ଵଭାବର ସେ ଆଉ ତାପରେ ଯେଉଁମାନେ ଝିଅ ଦେଖିବାକୁ ଯାଇଥିଲେ ସମସ୍ତେ ସମ୍ପର୍କରେ ଏମିତି ଯେ ଗଜିଆ କାହାକୁ ମୁହଁ ଖୋଲି କିଛି ପଚାରି ପାରିଲାନି । ବାକି ରହିଲି ମୁଁ । ହେଲେ ମୁଁ ଜାଣିଶୁଣି ଧରାଛୁଆଁ ଦେଉ ନଥାଏ ଗଜିଆକୁ । ବିଚରାର ମାନସିକ ଅବସ୍ଥା ଦେଖିବାର ଥିଲା ।

ଦୈନିକ ଅଭ୍ୟାସ ପରି ବଡ଼ି ଭୋରରୁ ଉଠି ନଈ ଆଡେ ଧାଇଁଛି ମୁଁ । ବାବନା ଭୁତ ପରି ବନ୍ଧ କଡ଼ ବୁଦାରୁ ଭୁଷକରି ବାହାରି ପଡିଲା ଗଜିଆ ।  ଚମକି ପଡି ଛାତିରେ ମେଞ୍ଚେ ଛେପ ପକେଇ କହିଲି, "କିରେ, ତୋର ବେଳ ଅବେଳ କିଛି ନାହିଁ ! ଶଃ ଏମିତି ବାହାରୁଛି ବାଟ ମଝିରୁ ଯେ ମଣିଷର ହାର୍ଟ ଫେଲ କରେଇଦେବୁ !" ।
ବାଁ ହାତଟାକୁ ମୋର ଧରି ପକେଇ ଅତି ବ୍ୟସ୍ତ ହୋଇ କହିଲା ଗଜିଆ, "ନିଧିଆ'ଇ, ତତେ ସେଦିନରୁ ଖୋଜୁଛି ହେଲେ ତୋ ଭେଟ ମିଳୁନି । ଯାହାହେଉ ଆଜି ଭେଟ ହୋଇଗଲା" । ଆଉ ବୁଲେଇ ବଙ୍କେଇ ଶେଷକୁ ପଚାରିଲା,
"ନିଧିଆ'ଇ, ତୋ ମନକୁ ଝିଅଟି ଯାଇଛି ନା? ଦେଖିବାକୁ କେମିତି?"
"କିରେ ତୋ ବାପା ଦାଦାଙ୍କ ମନକୁ ଗଲା.. ହେଲାନି, ତୁ ପୁଣି ମୋ ମନକୁ ଯିବା କଥା ପଚାରୁଛୁ?"
"ନିଧିଆ'ଇ, କହମ ତୋ ମନକୁ ଯାଇଛି ନା ନାହିଁ?"
"ନା, ସବୁ ଭଲ ।  ତମ ଘରକୁ ବନ୍ଧୁ ହିସାବରେ ଠିକ ବନ୍ଧୁଟିଏ ପାଇବ । ଝିଅଟା ବି ସବୁ ଆଡକୁ ପୁରା ଫିଟ । ହେଲେ.."
"ହେଲେ ପୁଣି କଣ?"
"ସବୁ ଭଲ ଯେ, ହେଲେ ଝିଅଟା ପୁରା ଜହ୍ନି ମଞ୍ଜି ପରି ଗୋରା । କେମିତି ତୋ ଦାଦା ଦେଖିଥିଲା କେଜାଣି ! ତୋ ପରି ଗୋରା ପିଲାକୁ କେମିତି କଳା ପିଲାଟିଏ ପସନ୍ଦ କଲେ !"
ଜଳନ୍ତା କାଠରେ ପାଣି ଢାଳିଦେଲା ପରି ଗଜିଆର ଉତ୍ସାହିତ ମୁହଁଟା ଥଣ୍ଡା ପଡିଗଲା ପୁରା । କିଛି ସମୟ ପାଇଁ ନୀରବରେ ଛିଡା ହୋଇ ରହିଲା ଖୁଣ୍ଟଟା ପରି । ତା ପରେ କଟା ଗଛ ପରି ମୋ କାନ୍ଧରେ ଲୋଟିପଡି ଭେଁ ଭେଁ ହୋଇ କାନ୍ଦି ପକେଇଲା ।
"ମୋ ନିଜ ଦାଦାଟା ମୋ ସହ କି ଖେଳ ଖେଳିଲା ନିଧିଆ'ଇ ! ମୋ ଜୀବନକୁ ନଷ୍ଟ କରିଦେଲା..ଭେଁ..ଏଁ ..ଏଁ"
"ଯାହା ତ ହେବାର ହେଲାଣି, ତୁ ଆଉ ଏମିତି ଅଧର୍ଯ୍ୟ ହୋ ନା । ବାହାଘର ତ ଯୋଗ ବରାଦ କଥା ।" ଏମିତି ଅନେକ ବୁଝା ସୁଝା କରି ତାକୁ ଘରକୁ ପଠେଇଲି ।

ହେଲେ ଗଜିଆର ମନରେ ଯୋଉ କଥାଟା ମୁଁ ଛାଡି ଦେଇଥିଲି, ତାହା ଗୋଲେଇ ଘାଣ୍ଟି ଅସ୍ତବ୍ୟସ୍ତ କରି ପକାଉଥିଲା ଗଜିଆକୁ ।

ବାହାଘରରେ ବନ୍ଧୁ କୁଣିଆରେ ଘର ହାଉଯାଉ । ଗଜିଆ ମନ କିନ୍ତୁ ଅଶାନ୍ତ । କାରଣଟା ନା ସିଏ କାହାକୁ କହି ପାରୁଛି ନା ତା ମନ ଜାଣି ତାକୁ କିଏ ବୁଝେଇ ପାରୁଛି । ଏମିତି ଏମିତିରେ ବାହାଘର ହାତଗଣ୍ଠି କର୍ମଟା ବି ସରିଗଲା । ଗଜିଆର ଶଶୁର ଘର ଲୋକେ ବି ଟିକେ ସନ୍ଦେହରେ ପଚାରିଲେ, "ଜଇଁପୁଅର ମୁହଁ କାହିଁ ଶୁଖିଲା ଶୁଖିଲା ଦେଖା ଯାଉଛି?" । ବୟସ୍କ ଲୋକ କିଏ ଜଣେ ବୁଝେଇ ଦେଲା, ନା ସେମିତି କିଛି ନୁହେଁ । ବାହାଘରରେ ଉପାସିଆ ହୋଇ ସେମିତି ଦେଖାଯାଉଛି ।

ବାହାଘର ଭଲରେ ଭଲରେ ସରିଲା । ଏବେ ଝିଅ ଜ୍ବାଇଁ ବିଦା ହେବାର ବେଳ । ସବାରି ପାଲିଙ୍କି ଘର ଦାଣ୍ଡରେ ରେଡି । କାନ୍ଦ ବୋବାଳି ଭିତରେ ଝିଅକୁ ଆଣି ବସାଗଲା ସବାରିରେ । ସୁଟକେଶ, ପାଣି ଲୋଟା ସହ ଅନ୍ୟାନ୍ୟ ଜିନିଷ ସବୁ ରଖି ସବାରି ବାଲା "ହାକୁମ ଢାବଲ" କହି ସବାରି ଉଠେଇ ଚାଲିଲେ । ଶଙ୍ଖୁଆ ପେଁ କରି ଦୁଇଥର ଶଙ୍ଖ ଫୁଙ୍କିଦେଲା । ବାରିକ ତା ପେଡି ପୁଟୁଳା ଧରି ସାଇକେଲ ଗଡ଼ାଇଲା । ଆଉ ପଛେ ପଛେ ଚାଲିଲେ ପାଲିଙ୍କିରେ ଗଜିଆ । ଦୁଇ ତିନିଟା ଗାଁ ଯିବା ପରେ ପଡିଲା ବିଲ ପାଟ ରାସ୍ତା । ଆଉ ଅଳ୍ପ ବାଟ ପରେ ଆସିଯିବ ଆମ ଗାଁ । ଗଜିଆର ଧୈର୍ଯ୍ୟର ବନ୍ଧ ଆଉ କଂଟ୍ରୋଲରେ ରହୁ ନଥାଏ । ବଡ଼ ପାଟିରେ ଚିଲ୍ଲେଇକି କହିଲା, 'ରୁହ' ।


କଣ ହେଲା ବୋଲି ଅଟକି ଗଲେ ସବାରି ଓ ପାଲିଙ୍କି ବାଲାଏ । ଗଜିଆ ପାଲିଙ୍କିରୁ ଓହ୍ଲାଇ ଦଉଡ଼ି ଗଲା ସବାରି ପାଖକୁ । ଓଢଣା ଭିତରେ ଲୁଚି ବସିଥାଏ ନୂଆ ବୋହୂଟି । ଗଜିଆ ଯାଇ ଓଢ଼ଣାକୁ ଟାଣି ଦେଲା । ଚନ୍ଦ୍ରଉଦିଆ ଗୋରା ତକ ତକ ମୁହଁଟା ଝାଉଁଳି ପଡିଥାଏ । ଟିପି ଟିପି ଚନ୍ଦନ କୁଙ୍କୁମ ଅଳ୍ପ ନେସି ହୋଇଯାଇଥାଏ ମଥାରେ । ଗଜିଆ କିଛି କ୍ଷଣ ପାଇଁ ତଟସ୍ଥ ହୋଇ ରହିଗଲା । ଝିଅଟିର ଆଖି ତଳେ ଶୁଖି ଆସିଥିବା କଜ୍ଜଳର ଦୁଇ ଧାରକୁ ହାତରେ ପୋଛି ଦେଲା ସେ । ପାଣି ଲୋଟାଟିକୁ ବଢ଼େଇ ଦେଇ ପଚାରିଲା, "ପିଇବ?" ।  ନୂଆ ବୋହୁଟି ଟିକେ ଭରସା ପାଇଲା ବୋଧେ, ମୁଣ୍ଡ ହଲାଇ ମନା କଲା । ଆଉ ସ୍ମିତ ହସିଦେଲା । ଗଜିଆକୁ ଯେମିତି କୋଟିନିଧି ମିଳିଗଲା ଆଉ ଅଳ୍ପ ହସିଦେଲା ସେ ବି ।

***   ***   *** ***

କେତେ ବର୍ଷ ହୋଇ ଗଲାଣି ଏ ଘଟଣାକୁ । କେତେବେଳେ ଗଜିଆ ଘରଆଡେ ବୁଲି ଯାଇଥିଲା ବେଳେ ଯଦି କଥା ପ୍ରସଙ୍ଗରେ ମୁଁ ଉଠେଇଦିଏ ସେ ଘଟଣାଟି, ସ୍ୱାମୀ ସ୍ତ୍ରୀ ଦୁହେଁ ହସି ଦିଅନ୍ତି ଏକାବେଳେ..

ସର୍ଜିକାଲ ଆକ୍ରମଣ


କିଛି ଦିନ ହେବ ପରେଶାନ କରି ଆସୁଥିଲେ ସେ ଶତ୍ରୁ ଦଳ ମୋତେ ନିଦ ହଜି ଯାଇଥିଲା ମୋର ସବୁ ଶାନ୍ତି ଚାଲି ଯାଇଥିଲା ଜୀବନରୁ ଦୁଃଶ୍ଚିନ୍ତା ଅନିଦ୍ରାରୁ ବଦହଜମି ହୋଇ ମନ ଶରୀର ପୁରା ଦୁର୍ବଳ ହୋଇଯାଇଥିଲା ମୁଁ ଅନେକ କଷ୍ଟ ଭୋଗୁଥିଲି ଜୀବନ ହୋଇ ଯାଇଥିଲା ଦୁର୍ବିସହ ମୁଁ ଥିଲି ଦୁଃଖୀ

ସେମିତି କିଛି ପୁରୁଣା ଶତ୍ରୁତା କି ଜମିଜମା ଗଣ୍ଡଗୋଳ ନଥିଲା ସେମାନଙ୍କ ସହ ତଥାପି ସେମାନେ ଆରମ୍ଭ କରି ଦେଇଥିଲେ ଏକପାଖିଆ ଅଘୋଷିତ ଯୁଦ୍ଧ ରକ୍ତମୁଖା ହୋଇ ପଡିଥିଲେ ସେମାନେ ରାତିର ଅନ୍ଧକାରର ସୁଯୋଗ ନେଇ ସେମାନେ କରୁଥିଲେ ବାରମ୍ବାର ହମଲା

ସାମନା ସାମନି ଯୁଦ୍ଧରେ ଦଳି ମକଚି ସେମାନଙ୍କ ସତ୍ତା ହଜେଇ ଦେବାକୁ ମିନିଟଟିଏ ସମୟ ଲାଗି ନଥାନ୍ତା ମୋତେ କିନ୍ତୁ ସେମାନେ କରୁଥିଲେ ଭୀରୁ କାପୁରୁଷ ପରି ଲୁଚାଛପା ଆକ୍ରମଣ ଅତିଷ୍ଠ ହୋଇ ପଡୁଥିଲି ମୁଁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ LOCରେ  ଜାଲ ବି ମଡ଼େଇ ଦେଇଥିଲି ହେଲେ ସେମାନେ ଥିଲେ ଧୂର୍ତ୍ତ ଗଳି ଛପି ଚାଲି ଆସୁଥିଲେ ପଟକୁ ମୁଁ  ପରେଶାନ ହୋଇ ଯାଉଥିଲି ଦିନକୁ ଦିନ

ଦିନକର ଘଟଣା ସମୟ ମଧ୍ୟରାତି ଭାତଖିଆ ନିଦଟା ସାମାନ୍ୟ ଲାଗି ଆସିଛି ଆଖିକୁ ସେମାନେ ପୁଣିଥରେ ଆରମ୍ଭ କରିଦେଲେ ଅତର୍କିତ ଆକ୍ରମଣ ଯୁଦ୍ଧ ଚିତ୍କାର ଦେଇ ଝପଟି ଆସିଲେ | କିଟିକିଟି ଅନ୍ଧାରରେ ଜଣା ପଡୁ ନଥାଏ ସେମାନଙ୍କ ରକ୍ତମୁଖା ଚେହେରା।

ଚାଉଁକିନା ଭାଙ୍ଗିଗଲା ନିଦ

ନା ଆଉ ହେବନି ଆଜି ହିଁ ଦେବାକୁ ହେବ ସେମାନଙ୍କୁ ଉଚିତ ଶିକ୍ଷା ପୂର୍ବରୁ କରିଦେଇଥିଲି ମୁଁ ପ୍ରସ୍ତୁତି ଚୀନର କୁଶଳୀ ବୈଜ୍ଞାନିକ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଟିକୁ ସଜିଲ କରି ଲୁଚାଇ ରଖିଥିଲି ଆଗରୁ ଘାଲେଇ ହୋଇ ପଡି ରହି ଅପେକ୍ଷା କଲି ସେମାନଙ୍କ ଆସିବା ଶବ୍ଦକୁ ଯୁଦ୍ଧ ଚିତ୍କାର କ୍ରମେ ପାଖେଇ ଆସିଲା

3..2..1.. ହର ହର ମହାଦେବ କହି ଆରମ୍ଭ କରିଦେଲି ମୁଁ ଅନ୍ଧାଧୂନିଆ ଘମାଘୋଟ... ସର୍ଜିକାଲ ଷ୍ଟ୍ରାଇକ

ଢ଼ୋ ଢା ଶବ୍ଦ ଚିରି ପକାଉଥାଏ ରାତ୍ରିର ନୀରବତାକୁ ମୋ ଚିନା ପ୍ରସ୍ତୁତ ଅସ୍ତ୍ରର ଆଘାତରେ ଟଳି ପଡୁଥାନ୍ତି ଶତୃଗଣ ଶତ୍ରୁ ବଂଶ ନିପାତ କରିଦେବାର ଭୁତ ସବାର ହୋଇଥାଏ ମୋ ମୁଣ୍ଡରେ

ଦୁର୍ଦ୍ଧଷ କଳିଙ୍ଗର ରକ୍ତ ପ୍ରବାହିତ ହେଉଛି ମୋ ଧମନୀରେ ଆଜି ଦୟା ମାୟାର କୌଣସି ସ୍ଥାନ ନାହିଁ ଗୋଟି ଗୋଟି କରି ଟଳି ପଡୁଥାନ୍ତି ଶତାଧିକ ଶତ୍ରୁ ବିଜୟର ଉଲ୍ଲାସରେ ମୁଁ ହୋଇ ପଡୁଥାଏ ଆତ୍ମହରା

ସର୍ଜିକାଲ ଷ୍ଟ୍ରାଇକ ସଫଳ
ଜିରୋ କାଜୁଆଲିଟି ମୋ ପଟରୁ ଶତ୍ରୁକୁ ମୂଳ ସହ ଉପାଡି ଫିଙ୍ଗି ଦେଇଛି ଆଜି..





"ଅଜା, ଅଣ୍ଡାବାଲା ନଟିଆ କେବିନ ତଳୁ ଗୋଟେ ଅଣ୍ଡା ପେଟିର ଖୋଳ ନେଇ ଜଳେଇ ଦେଲନି ? ଏତେ କାମ କରୁଥିଲ ରାତି ଅନିଦ୍ରା ହୋଇ !"

"ତୋ ମୁଣ୍ଡ ଗଣ୍ଡି .. ଅକାଳ କୁଷ୍ମାଣ୍ଡ କୋଉଠିକାର ଦେଖେଇ ଦେଲୁ ତୋ ପାନବାଲା ବୁଦ୍ଧି ତୁ ଟା କିଛି କରି ପାରିବୁନି ଜୀବନରେ ଏଇମିତି ଖାଲି ପାନ ପତରରେ ଚୁନ ଘଷୁଥିବୁ ସାରା ଜୀବନ"

ମୋ ସିଂହ ଗର୍ଜନ ଦେଖି ଶ୍ଵାନ ଲାଞ୍ଜ ଜାକିଲା ଭଳିଆ ଚୁପ ହୋଇ ବସିପଡିଲା ଦୁନା ପାଖରେ ଛିଡା ହୋଇ ଶୁଣୁଥିବା ନୋକା, ଦାମ, ଶାମ, ଗୋପାଳ ସବୁ ଚିଡି ଉଠିଲେ ଦୁନା ଉପରେ ଏକାବେଳକେ

ପାନ ଖଣ୍ଡେ ବଟୁଆରୁ ବାହାର କରି କଳରେ ଜାକୁ ଜାକୁ କହିଲି, "ଆରେ ବୋକା, ଏଇଟା ହେଲା ସର୍ଜିକାଲ ଷ୍ଟ୍ରାଇକ ବିନା ନୋକସାନିରେ ବିନା ଧନ ଜୀବନ ହାନୀରେ କରାଯାଏ ଆକ୍ରମଣ ଖବରକାଗଜରେ ଦେଖୁନୁ ମୋଦି କେମିତି ସେଇମିତିଆ ଗୋଟେ ସର୍ଜିକାଲ ଆକ୍ରମଣ କରି ପାକିସ୍ତାନିଆଙ୍କ ହଂସା ଉଡେଇ ଦେଇଛି  
କିରେ ଅଣ୍ଡାଖୋଳ ହେଉ କି କଛୁଆ ଛାପ ଧୂପ କିମ୍ବା ଗୁଡ଼ନାଇଟ କାଗଜ, ଏସବୁ ଜାଳିଲେ ଜୀବନ ପ୍ରତି ବିପଦ ଫୁସଫୁସରେ ହେବ ଯାବତୀୟ ରୋଗ ଆମେରିକା ବୈଜ୍ଞାନିକ ପରା ସେଥିପାଇଁ ଏସବୁକୁ ବ୍ୟାନ କରି ଦେଇଛନ୍ତି ତାଙ୍କ ଦେଶରେ ହେଲେ ଅତ୍ୟାଧୁନିକ ଚାଇନିଜ ଜ୍ଞାନ କୌଶଳରେ ନିର୍ମିତ ମଶାମରା ବାଡ଼ିକୁ ଯଦି ଥରେ ବୁଲେଇ ଦିଆଯାଏ, ମଶା ସବୁ ତତକ୍ଷଣାତ ମରି ଶୋଇବେ 440 ଭୋଲଟର ଝଟକା ଏମିତି ଲାଗିବ ସେମାନଙ୍କୁ, ମନର ସବୁ ଓରିମନା ମେଣ୍ଟିଯିବ ସେ ଦୃଶ୍ୟ ଥରେ ଦେଖିଦେଲେ ନୟନରେ ଦେହକୁ ହିତ, ଶତ୍ରୁ ନିପାତ
ଏଥର ବୁଝିଲୁଟି ବାପା ଦୁନା ସର୍ଜିକାଲ ଷ୍ଟ୍ରାଇକର କରାମତି "

ସବୁ ବୁଝିଲା ପରି ମୁଣ୍ଡ ଟୁଙ୍ଗାରି ଦେଇ ନିଜ ଆଗ ଧାଡ଼ିଆ ଖଇରିଆ ଦାନ୍ତ ଆଠୋଟି ଦେଖେଇ ହସିଦେଲା ଦୁନା

ମୁଁ କହିଲି ହଉ ଆଉ ଚାରିଟା ପାନ ଦେ ମୁଁ ଘରକୁ ଯାଏ ପାନ ଉପରେ ଚୁନ କାଠିଟା ଘଷୁ ଘଷୁ କହିଲା ଦୁନା, "ଅଜା, ଏଟାକୁ ଲଗେଇ ତମର ହେଲା ଶହେ ଏକୋଇଶି ଟଙ୍କା "

"ରହ, ପୁରୁଣା ରେଡ଼ିଓ ବାଲା ପାଉଣା ଗଣ୍ଡାକ ଦେଲେ ତୋ ବାକି ପଇସା ସବୁ ଏକାଦିନେ ଶୁଝି ଦେବିନି "

ପାନ ଚାରିଟା ଭାଙ୍ଗି ଜରିରେ ପୁରେଇ ମୋ ହାତକୁ ବଢେଇ ଦେଉ ଦେଉ କହିଲା ଦୁନା, "ଅଜା, ରେଡ଼ିଓ ବାଲା ଯଦି ପାଉଣା ନଦେବେ ମୋ ପଇସା ବୁଡିବ ନା କଣ?"

"କାହିଁ ବ୍ୟସ୍ତ ହେଉଛୁ?" ଲୁନାଟାକୁ ଗୋଡ଼ରେ ଷ୍ଟାର୍ଟ ମାରି ବସି ପଡି ଧୋତିଟାକୁ ସାଇଜ କରୁ କରୁ କହିଲି,  "କିରେ ଦେବେନି ଯିବେ କୁଆଡେ ! ନହେଲେ ଅଜା ସେଠି ବି କରିଦେବ ଗୋଟେ ସର୍ଜିକାଲ ଅପରେସନ..ହେ ହେ "

ଦୁନାର ପ୍ରତିକ୍ରିୟାକୁ ଅପେକ୍ଷା ନକରି ଲୁନାକୁ ଭୁଁ କିନା ମୋଡି ମୁଁ ଚାଲିଲି ମୋ ବାଟରେ ପଛରେ ଉଡୁଥିଲା ସାଇଲେନ୍ସର ପାଇପରୁ ଭୁଷ ଭୁଷ ଧୁଆଁ..

                               ମଶାଙ୍କୁ ନମଣିବ ଛାର,
                               ମଶାଯେ ସାକ୍ଷାତ ଅସୁର