Friday 24 March 2017

ଭଲ ମଣିଷ

ପୁରୀର ବଡ଼ଦାଣ୍ଡ । ରାସ୍ତା କଡ଼ରେ ସିମେଣ୍ଟ ଅଖାଟିଏ ପାରିଦେଇ କାକୁଡ଼ି ମେଞ୍ଚାଏ ଗଦା କରି ବିକ୍ରି କରୁଥାଏ ଜଣେ ୫/ ବର୍ଷର ବୁଢ଼ୀ ଲୋକ । ପାଖରେ ଥାଏ ପ୍ଲାଷ୍ଟିକ ଡବାରେ ଲୁଣ ଲଙ୍କା ଗୁଣ୍ଡ, କାଟିବା ଓ ଚୋପା ଛଡ଼େଇବା ପାଇଁ ଦୁଇଟି ଛୁରୀ ଏବଂ ଓଜନ କରିବା ପାଇଁ ନିକିତିଟିଏ । ଗୋଟେ ଛୋଟ ପିଢା ଉପରେ ବସି ସେ ବିକୁଥାଏ କାକୁଡ଼ି ।

ସ୍ତ୍ରୀ ଓ ପୁଅ ସହ ବଡ଼ଦାଣ୍ଡରେ ବୁଲୁ ବୁଲୁ ମୋ ନଜର ପଡିଲା କାକୁଡ଼ି ଉପରେ । 
"ମାଉସୀ, କାକୁଡ଼ି କେତେ ଟଙ୍କା ?"
"ଗୋଟାକୁ ପାଞ୍ଚ ଟଙ୍କା, କେଜି ତିରିଶ ଟଙ୍କା ।"
"ତିନିଟା ଦିଅ ମାଉସୀ ।"
ମାଉସୀ ତିନିଟା କାକୁଡ଼ି ସାମ୍ନାରୁ ଉଠାଇଲା ବେଳେ ସ୍ତ୍ରୀ କହିଲେ, "ନା ନା, ବଡ଼ ଗୁଡାକ ଦିଅନି । ମଞ୍ଜି ହୋଇଯାଇଥିବ । ସେ ଛୋଟ ଛୋଟ କଷି କାକୁଡ଼ିରୁ ଦିଅ ।"
ତିନିଟା କଷି କାକୁଡି ବାଛି ପାଖରେ ରଖିଥିବା ପାଣି ଡବାରେ ବୁଡେଇ ଭଲକି ଧୋଇଦେଲା ମାଉସୀ । ଚାରି ଫାଳ କରି କାଟି, ସେଥିରେ ଲୁଣ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଆମ ହାତକୁ ବଢ଼େଇ ଦେଲା ।

କଷି କାକୁଡ଼ିକୁ ଏମିତି ଲୁଣ ଲଙ୍କା ଗୁଣ୍ଡ ଦେଇ ଖାଇବାର ମଜା ଅଲଗା । ଗଜା ମୁଗ, କଞ୍ଚା ଲଙ୍କା, ଟମାଟୋ ମିକ୍ସ ପରେ ଏଇଟା ମୋର ସବୁଠାରୁ ପ୍ରିୟ ଷ୍ଟ୍ରିଟ ସାଇଡ୍ ଖାଦ୍ୟ ।
କାକୁଡ଼ି ଖାଉଥିଲା ବେଳେ ମାଉସୀ ପଚାରିଲା ଆମ ପୁଅକୁ,
"କେମିତି ଲାଗୁଛି କାକୁଡ଼ି?"
ପୁଅ ହସି ଦେଇ କହିଲା, ଭଲ ଲାଗୁଛି ।
ମୁଁ ପଚାରିଲି, "ଆଉ ଖାଇବୁ କି?"
ପୁଅ ହଁ କଲା ।
ସ୍ତ୍ରୀ କହିଲେ, "ମୋର ବି ଆଉ ଗୋଟେ" ।

ଆଉ ତିନିଟା କାକୁଡ଼ି ଦେବା ପାଇଁ କହିଲି । ଏଥର ମାଉସୀ ତା ପସନ୍ଦରେ କାକୁଡ଼ି ତିନୋଟି ବାଛିଲା । ପାଣିରେ ଧୋଇଦେଇ କାଟି, ଲୁଣ ଲଙ୍କା ଗୁଣ୍ଡ ଦେଇ ବଢ଼େଇ ଦେଲା ଆମ ହାତକୁ । ଆମେ ମହାଆନନ୍ଦରେ କାକୁଡ଼ି ଖାଉଥିଲା ବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବଙ୍ଗାଳି ପରିବାର । ସ୍ୱାମୀ, ସ୍ତ୍ରୀ ଓ ଛୁଆ ଦୁଇଟି ।
"ମାସି ମା', କତୋ କରି ଶଶା?" ପଚାରିଲେ ବଙ୍ଗାଳି ଭଦ୍ର ବ୍ୟକ୍ତି ।
"ପାଞ୍ଚ ଟାକା କରି । କେଜି ତିରିଶ ।"
"ଅତୋ ଦାମ !"
ମୁହଁକୁ ଆଶ୍ଚର୍ଯ୍ୟ ରକମ କରି ଅଧ କେଜିଏ କାକୁଡ଼ି ଓଜନ କରିବା ପାଇଁ ସେ କହିଲେ ମାଉସୀକୁ । ବାଛି ବାଛି ଛଅ ସାତଟା ପକେଇଲେ ମାଉସୀ ନିକିତିରେ। ଓଜନ କଲାରୁ ଅଧ କେଜିରେ ଛଅଟା ଉଠିଲା । ମାଉସୀ ଗୋଟେ ପଲିଥିନ ଜରିରେ କାକୁଡ଼ି ତକ ପୁରେଇ ବଢ଼େଇ ଦେଲା ବଙ୍ଗାଳି ଭଦ୍ର ବ୍ୟକ୍ତିଙ୍କ ହାତକୁ । ସେମାନେ କାକୁଡି ଧରି ମାଉସୀକୁ ପନ୍ଦର ଟଙ୍କା ଦେଇ ଚାଲିଲେ ନିଜ ବାଟରେ ।

ମୁଁ ଅନେଇଲି ସ୍ତ୍ରୀଙ୍କୁ ଓ ସ୍ତ୍ରୀ ମୋତେ । ମନେ ମନେ ଭାବିଲୁ, କେଡେ ବୋକା ସତରେ ଆମେ । ଛଅଟା କାକୁଡି ଆମେ ବି କିଣିଲୁ । କିନ୍ତୁ ଏବେ ତିରିଶ ଟଙ୍କା ଦେବୁ । ସେମାନେ ପନ୍ଦର ଟଙ୍କାରେ ସମାନ କାକୁଡି ନେଇ ଚାଲିଗଲେ । ଛାଡ଼ ଏମିତି ହୁଏ ବେଳେ ବେଳେ । ମୁଁ କିଛି ନକହି ବୁଢୀ ମାଉସୀ ହାତକୁ ବଢ଼େଇ ଦେଲି ତିରିଶ ଟଙ୍କା । ପଇସାକୁ ବ୍ୟାଗରେ ରଖୁ ରଖୁ ଟିକେ କଣ ଭାବି ସେ ଦଶ ଟଙ୍କାଟିଏ ଫେରାଇ ଦେଲା ମୋତେ ।

"ଅଧିକ ପଇସା ତମଠାରୁ ନେବିନି ପୁଅ । ଅବିଚାର ହୋଇଯିବ ।"

ମାଉସୀ ଠାରୁ ଦଶ ଟଙ୍କା ଆଣିଲା ବେଳେ ଭାବୁଥିଲି, କେତେ ଧନୀ ହୋଇଥିବେ ଏମାନେ !! ଦଶ ଟଙ୍କାର ମୂଲ୍ୟ ଆମ ତୁଳନାରେ ତାଙ୍କ ପାଖରେ ନିଶ୍ଚୟ ବେଶୀ ହେବ । ହେଲେ ମୁଁ କିଛି କହି ନଥିଲେ ବି ସେ ନିଜ ତରଫରୁ ଫେରେଇ ଦେଲା ମୋତେ ଦଶ ଟଙ୍କା ।

କିଏ କହୁଛି ଏ ଦୁନିଆରେ ଭଲ ଲୋକ ନାହାନ୍ତି ବୋଲି । ଏମିତି ଅନେକ ଲୋକ ଆମ ସମସ୍ତଙ୍କ ଆଖପାଖରେ ଅଛନ୍ତି । ଆମ ଚାରିପଟେ ଏମିତି ଛୋଟମୋଟ ଘଟଣା କାହିଁ କେତେ ଘଟୁଛି ନିତିଦିନ । କାର୍ଯ୍ୟବ୍ୟସ୍ତ ଜୀବନ ଭିତରେ ଏସବୁ ଘଟଣା ଉପରେ ଆମର ଧ୍ୟାନ ଯାଏନି । ହେଲେ ଏସବୁ ଯୋଗୁ ହିଁ ଏ ପୃଥିବୀଟା ଏତେ ସୁନ୍ଦର ହୋଇ ରହିଛି ଆଜି ପର୍ଯ୍ୟନ୍ତ ।

ଯାଉ ଯାଉ ଟିକେ ଅଟକି ଗଲି । କ୍ୟାମେରା ବାହାର କରି ଟିକେ ଦୂରରୁ ମାଉସୀର ଫୋଟୋ ଗୋଟେ ଉଠେଇଲି । ମୁଁ ତା'ର ଫୋଟୋ ଉଠାଉଥିବାର ଦେଖି ଅଳ୍ପ ହସିଦେଲା ସେ ।


11 comments:

  1. Satare aja pruthibi ta bahut sundar rahichi emanka pain

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ । ଆମେ ଅନେକ ସମୟରେ ଏ ଛୋଟ ଅନୁଭୂତି ସବୁକୁ ପାଶୋରି ଦେଇଥାଉ

      Delete
  2. ଅଜା ସତ କଥା ହେଲା କି: ଗୋଟିଏ ଅମୃତଭରା କଳସୀରେ ବୁନ୍ଦାଏ ବିଷ ସମସ୍ତ ଅମୃତର ଗୁଣକୁ ନଷ୍ଟ କରିଦିଏ । ଦୁନିଆରେ ଭଲ ଲୋକ ଅନେକ ଅଛନ୍ତି । ଭଲ ଲୋକଙ୍କ ତୁଳନାରେ ଖରାପ ଲୋକଙ୍କ ସଂଖ୍ୟା ଖୁବ୍ ନ୍ୟୁନ । ମାତ୍ର ଫଳନ୍ତି ଗଛ ପରି ଭାରୀ ଜିନିଷ ତଳକୁ ହିଁ ରହିଥାଏ । ଆଉ ଏଇ ଭଲ ଲୋକମାନେ ମଧ୍ୟ ସେମିତି ତଳକୁ ଚାପି ହେଇଯାଉଛନ୍ତି । ଆଉ କେବେ କେବେ ଆମ ଆଖିରେ କିଛି ଭଲ ଲୋକ ବି ଖରାପ ଭଳି ଦୃଶ୍ୟମାନ ହୁଅନ୍ତି । ତା'ର ଏକମାତ୍ର କାରଣ ହେଉଛି କି ଆମେ ଖରାପ ଲୋକଙ୍କଠାରୁ ଧକ୍କା ଖାଇ ଖାଇ ସମସ୍ତଙ୍କୁ ଏକାଭଳି ଭାବୁଛୁ ।

    ReplyDelete
    Replies
    1. ଏକମତ ଗପୁ । କିନ୍ତୁ ଖରାପ ଲୋକଙ୍କ ସହ ଅନେକ ଭଲ ଲୋକ ବି ଅଛନ୍ତି । ଆମେ ବୋଧେ ଖରାପକୁ ଯେତେ ଗୁରୁତ୍ୱ ଦେଉ, ଭଲକୁ ସେଇ ଅନୁପାତରେ ଗୁରୁତ୍ୱ ଦେଇ ନଥାଉ

      Delete
  3. ସୁନ୍ଦର କାହାଣୀ ।

    ReplyDelete
    Replies
    1. ପସନ୍ଦ କରି ଦୁଇ ପଦ ଲେଖିଲେ । ମୋତେ ମୋ ପରିଶ୍ରମର ମୁଲ ମିଳିଗଲା । ଥାଙ୍କୁ

      Delete
    2. ଆଉଥରେ ମୂଳରୁ ଶେଷ ଯାଏଁ ପଢ଼ିଦେଲି, ହଁ ପୃଥିବୀ ବାସ୍ତବରେ ସୁନ୍ଦର ।

      Delete
  4. ସତ କଥା। ଏମାନେ ସବୁବେଳେ ମନରୁ ଧନି।

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ ବିଶ୍ୱ ।

      Delete
  5. ଅତି ସୁନ୍ଦର 😘

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ

      Delete