Wednesday 29 March 2017

ଅଧୁରା ପ୍ରେମ କାହାଣୀ

ଘର ପଛପଟ ଖଳାକୁ ଲାଗି ଛୋଟ ପୋଖରୀ । ମାଙ୍କଡ଼ା ପଥରରେ ତିଆରି ପାହାଚ ଉପରେ ବସି ଅନେକ ସମୟ ଧରି ପୋଖରୀର ପାଣିକୁ ଚାହିଁ ରହିଥାଏ ଶିବୁ । ମୁଣ୍ଡ ଉପରେ କୁଆଁର ପୁନେଇଁ ଆକାଶର ତୋଫା ଜହ୍ନ । ଆଦ୍ର ଶୀତର ହାଲକା କୋହଲା ପବନ ଧୀରେ ଧୀରେ ଚାଲିଥାଏ ପୋଖରୀ ହୁଡାରେ ଲାଗିଥିବା ନଡ଼ିଆ ଗଛର ବାହୁଙ୍ଗା ଭିତର ଦେଇ ଥିରି ଥିରି ହୋଇ । ଜହ୍ନର ପ୍ରତିଛବି ଭାସୁଥାଏ ପୋଖରୀର ପାଣିରେ । ଚହଲି ଚହଲି ପ୍ରତିଛବିଟି ସ୍ଥିର ହୋଇ ଆସିଲା ବେଳକୁ କୁନି କୁନି ମାଛ ମୁଣ୍ଡ ଉପରକୁ ଟେକି ପୁଣି ତାକୁ ହଲେଇ ଦେଉଥାନ୍ତି । ଗୋଲ ଗୋଲ ପାଣିର ତରଙ୍ଗ ଧୀରେ ଧୀରେ କୂଳକୁ ଆସି ଯାଉଥାଏ ଓ ତା ଭିତରେ ନେସି ହୋଇଯାଉଥାଏ ଜହ୍ନର ପ୍ରତିଛବିଟି । ଠିକ ଯେମିତି ଆଜି ଶିବୁର ସ୍ୱପ୍ନର ଜହ୍ନଟା ନେସି ହେଇ ଯାଉଛି ଭାଗ୍ୟର ପାଣି ଚହଲାରେ । 

ଧୀରେ ଧୀରେ ଜହ୍ନଟା ସ୍ଥିର ହୋଇ ଆସୁଥାଏ ପୋଖରୀର ଜଳରାଶି ଉପରେ । ଟବ କରି ଶବ୍ଦ ସହ ଉପରୁ ପଡିଲା ଟେକାଟିଏ ପାଣିରେ । ପୁଣି ଘାଣ୍ଟି ହୋଇଗଲା ଜହ୍ନର ପ୍ରତିଛବିି । ଆଃ.. କି ନିଷ୍ଠୁର! ପଛକୁ ବୁଲି ଚାହିଁଲା ଶିବୁ । ଠିକ ଗୋଟେ ପାହାଚ ଛାଡି ଉପର ପାହାଚରେ ବସିଥାଏ ମିନୁ । ହଠାତ ମିନୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସେ । 
“ତୁ କେତେବେଳେ ଆସିଲୁ?”
“କଣ କରୁଛୁ ଏଠି? ଦଶ ମିନିଟ ହେଲା ଆସି ବସିଲିଣି ହେଲେ ତୋର ଜମା ବି ଧ୍ୟାନ ନାହିଁ । କଣ ଭାବୁଛୁ ଏଠି ବସି ଏକୁଟିଆ?”
“ନାଁ କିଛି ନୁହେଁ । ଘରେ ସବୁ ଟିଭି ଦେଖୁଥିଲେ ତ ବାରି ପଟକୁ ଚାଲି ଆସିଲି । ହେଲେ ତୁ ହଠାତ ରାତିରେ? ଆମ ଘରକୁ ଆସିଥିଲୁ ନା କଣ?”
“ହଁ । ତୋତେ ଦେଖା କରିବାକୁ ଆସିଥିଲି । “
ଛାତି ଭିତରେ ଯେମିତି କିଏ ଦୁମ କରି ପିଟିଦେଲା ଶିବୁର । ଯାହାକୁ କାଲିଠାରୁ ସେ ଦୂରେଇ ଦୂରେଇ ଆସୁଥିଲା, ସେଇ କଥା ପୁଣି ଥରେ ତା ଆଗରେ । ଚୁପ ହୋଇଗଲା ଶିବୁ ।
ଉପର ପାହଚରୁ ଉଠି ତଳ ପାହାଚରେ ବସିଲା ମିନୁ, ଶିବୁ ପାଖକୁ ଲାଗି । ତା ହାତକୁ ଟାଣି ନେଇ ନିଜ ଦୁଇ ହାତ ଭିତରେ ଚାପି ଧରିଲା ।
“ଶିବୁ, ମଣିଷ ଯାହା ଚାହେଁ ସବୁ କିଛି ଯଦି ପାଇ ଯାଉଥାନ୍ତା ତାହେଲେ ଏ ଦୁନିଆଟା ଏମିତି ହୋଇ ନଥାନ୍ତା । କିଛି ପାଇବା ଓ କିଛି ନ ପାଇବାଟା ହିଁ ବୋଧେ ଜୀବନ ।”
ଆଖି ଉଠେଇ ଚାହିଁଲା ଶିବୁ । ଜହ୍ନ ଆଲୁଅରେ ଗୋରା ମୁହଁଟା ମିନୁର ଦକଦକ ହୋଇ ସଫା ଦେଖାଯାଉଥାଏ । ଟଣା ଟଣା ଆଖି, ସିଧା ନାକ । ହେଲେ ସବୁଦିନ ଭଳି ଆଜି ସେ ମୁହଁରେ କିନ୍ତୁ ଚମକ ନାହିଁ । ଦର୍ଶନ ଶାସ୍ତ୍ର ପଢାଉଥିବା ଅଧ୍ୟାପକର ମୁହଁ ପରି ଆଜି ସେ ମୁହଁ ଦେଖାଯାଉଛି ବିରସ, ଶ୍ରୀହୀନ ।
ପଛରୁ କିଏ ଡାକିଲା, “ମିନୁଦେଈ, ମିନୁଦେଈ । ଆ ଘରକୁ ଯିବା । କୋଉଠି ଅଛୁ, ମିନୁଦେଈ?”
“ବାବୁ ଆସିଛି କି ତୋ ସାଙ୍ଗରେ?” ପଚାରିଲା ଶିବୁ ।
“ହଁ, ତାକୁ ଧରି ଆସିଥିଲି । ଆଜି ମାମୁଁଘରୁ ଆସିଲି । ଘରେ ପହଞ୍ଚି ଶୁଣିଲି ତୁ ଆସିଛୁ । ତୁ ତ ଆସିବୁନି ଆମ ଘରକୁ । ଲାଜ ଖାଇଯିବ ତୋତେ । ଭାବିଲି ମୁଁ ଯାଇ ଦେଖା କରି ଆସେ । ପୁଣି କିଏ ଜାଣେ କେବେ କେମିତି ଅବସ୍ଥାରେ ପୁଣି ଦେଖା ହେବ..”
ଛାତିର କୋହ ଶେଷ ଶବ୍ଦ ଗୁଡିକୁ ଆଉ ବାହାରକୁ ଆସିବାକୁ ଦେଲାନି । କାନ୍ଧରେ ପକେଇଥିବା ଚୁନ୍ନିରେ ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ପୋଛି ଦେଲା ମିନୁ । 

କିଛି ସମୟର ନୀରବତା । ନିରୋଳା ଘରେ କାନ୍ଥଘଡ଼ି କଣ୍ଟାର ଶବ୍ଦ ପରି ନିଜ ଛାତିର ସ୍ପନ୍ଦନକୁ ଶୁଣି ପାରୁଥାଏ ଶିବୁ । ପାଟିରେ ତାର ଭାଷା ନାହିଁ । ସତେ ଯେମିତି ପଥର ପାଲଟି ଯାଇଛି ଆଜି ସେ । ନିର୍ଲଜ ଲୁହ ବି ଝରୁ ନଥାଏ ଆଖରୁ ତାର ଆଜି ।
ଭାବୁଥାଏ ଶିବୁ । ମିନୁ ସହ ତାର କି ସମ୍ପର୍କ । ସେ କଣ ତା ପ୍ରେମିକା । ବୋଧେ ନା । ବୋଧେ ହଁ । ପିଲାଦିନରୁ ସମ୍ପର୍କ, ଚିହ୍ନା ପରିଚୟ । ଏକା ଗାଁ, ଏକା ସ୍କୁଲ । ଖାଲି ଯାହା ଅଲଗା ଅଲଗା ସାହିରେ ଦୁହିଁଙ୍କ ଘର । ଭଲ ପଢୁଥିଲା ବୋଲି ସ୍କୁଲରେ ସବୁ ସାରଙ୍କ ପ୍ରିୟ ଥିଲା ଶିବୁ । ବୋଧେ ସାର ମାନଙ୍କ ଏହି ପ୍ରଶଂସା ଯୋଗୁ ମିନୁ ବି ପସନ୍ଦ କରିଥିଲା ତାକୁ । ମିନୁର ବାପା ଥିଲେ ପ୍ରାଥମିକ ସ୍କୁଲ ଶିକ୍ଷକ । ସେ ବି ଭାରି ପସନ୍ଦ କରନ୍ତି ଶିବୁକୁ । ସ୍କୁଲ ପରେ କଲେଜ ଓ ଏବେ ଇଂଜିନିୟରିଂ । କଲେଜର ଏଇ ଶେଷ ବର୍ଷରେ ଥିଲା ବେଳେ ଦେଖା ଦେଇଛି ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା (recession) । କଲେଜକୁ କ୍ୟାମ୍ପସ ଆସିନି ଏ ବର୍ଷ । ଅନିଶ୍ଚିତ ଭବିଷ୍ୟତ ନେଇ ଶିବୁ ଅନେଇଛି ଶେଷ ସେମିଷ୍ଟର ପରୀକ୍ଷା ପରେ ହାଇଦ୍ରାବାଦ କି ବାଙ୍ଗାଲୋର ଯିବା ପାଇଁ । ଏ ସମୟରେ ଆଉ କିଛି ବିଷୟରେ ଚିନ୍ତା କରିବା ତା ସାଧ୍ୟ ବାହାରେ ।
ମିନୁ ସାଧାରଣ ଷ୍ଟାଣ୍ଡାର୍ଡର ଥିଲା । ଗାଁ ପାଖ କଲେଜରେ ଗ୍ରାଜୁଏସନ ସାରି ଘରେ ବସିଛି । ମଝିରେ ମଝିରେ competitive ପରୀକ୍ଷା ସବୁ ଦେଉଛି । ହେଲେ ସଫଳତା ପାଇନି ଏ ଯାଏ । ଏହି ସମୟରେ ବାହାଘର ପ୍ରସ୍ତାବ ଆସି ପହଞ୍ଚିଛି । ପିଲାଟି ବ୍ୟାଙ୍କରେ ଚାକିରୀ କରୁଛି । ଘର ଓ ପରିବାର ଉଭୟ ଭଲ । ପୁଅ ଘର ଲୋକଙ୍କର ମିନୁ ପସନ୍ଦ ହୋଇଛି । କୌଣସି ଯୌତୁକପତ୍ର ଦାବି ରଖି ନାହାନ୍ତି ସେମାନେ । ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକର ଝିଅ ପାଇଁ ଏହାଠାରୁ ଭଲ ପାତ୍ର ମିଳିବା କଷ୍ଟ । ସମସ୍ତେ ରାଜି ହୋଇଯାଇଛନ୍ତି । ମିନୁର ମତ ପଚାରିଲା ବେଳେ ସେ ମୌନ ସମ୍ମତ୍ତି ଦେଇଛି । ଘର ଲୋକଙ୍କ ପାଇଁ ବୋଝ ହେବାକୁ ଆଉ ଚାହୁଁନି ସିଏ । ତାର ବି ଶିବୁ ପରି ଏକା ଅବସ୍ଥା ।

ଦୁଇଦିନ ତଳେ କଲେଜରୁ ଘରକୁ ଆସିଥିଲା ବେଳେ ଶିବୁ ଶୁଣିଲା ଯେ ମିନୁର ବାହାଘର ସ୍ଥିର ହୋଇ ଯାଇଛି । ମୁଣ୍ଡ ଉପରୁ ତାର ଆକାଶଟା ଖସି ପଡିଲା ଯେମିତି । ଦେହର ଗୋଟେ ଅଂଶ କାଟିହୋଇ ଚାଲିଗଲା ଭଳି ଲାଗିଲା ତାକୁ । ଶୁଭାକାଂକ୍ଷୀ ବାନ୍ଧବୀ ଠାରୁ ଅଧିକ ଥିଲା ମିନୁ । ଶିବୁ ଗାଁକୁ ଆସିଲେ ଯେମିତି ହେଲେ ବି ଆସି ପହଞ୍ଚି ଯାଉଥିଲା ମିନୁ । ହଷ୍ଟେଲକୁ ଗଲାବେଳେ ଚୁଡା ମୁଢି ଧରି ଯିବାକୁ ରାଜି ହୁଏନି ଶିବୁ । ହେଲେ ମିନୁର ଥରେ କହିବାରେ ରାଜି ହୋଇଯାଏ ସେ ।

ମିନୁର ଘର ସହ ଭଲ ସମ୍ପର୍କ ଥାଏ ଶିବୁ ଘର ଲୋକଙ୍କର । ଦୁଇ ଜଣକ ବାପା ଉଭୟ ଉଭୟଙ୍କୁ ବେଶ ସମ୍ମାନ ଦିଅନ୍ତି । ଅନେକ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲେ ଉଭୟ ଉଭୟଙ୍କ ମତାମତ ଲୋଡ଼ନ୍ତି ।

“ତୁ ପୁଣି କେବେ ଆସିବୁ? ମୋ ବାହାଘରରେ ଆସିବୁ?” କିଛି ସମୟର ନୀରବତାକୁ ଭାଙ୍ଗି ପଚାରିଲା ମିନୁ ।
“ନା । ପୁଣି ସେମିଷ୍ଟର exam ସରିଲେ ଯାଇ ଆସିବି ।” 

ପୁଣି ନୀରବତା । 

“ଶୁଣିଲି ବ୍ୟାଙ୍କରେ ଚାକିରୀ କରୁଛି ତୋ ବର”, ପଚାରିଲା ଶିବୁ ନିଜକୁ ଟିକେ ସହଜ କରି ।
କିଛି କହିଲା ନାହିଁ ମିନୁ । 
ପଛରୁ ପୁଣି ଶୁଭିଲା ବାବୁର ଡାକ ।
“ ମିନୁ ଦେଈ, ମିନୁ ଦେଈ.. ଆସେ ଜଲଦି । ଘରକୁ ଯିବା”
“ତୁ ଘରେ ବସିଥା.. ମୁଁ ଯାଉଛି ।” ବଡ଼ ପାଟିରେ କହିଲା ମିନୁ ।

ଦୁହେଁ ଉଠି ଛିଡା ହେଲେ । ଟିକେ ଚୁପ ରହି ପଚାରିଲା ମିନୁ, “ଶିବୁ, ଗୋଟେ କଥା ପଚାରିବି । ସତ କହିବୁ?”
“ପଚାରେ । ତୋତେ କଣ କିଛି କଥା ଲୁଚେଇଛି ଆଜିଯାଏ ।”
“ଯଦି ତୋର ଚାକିରୀ ହୋଇଯାଇଥାନ୍ତା, ତୁ କଣ ଆଜି ମୋତେ ଏମିତି ଛାଡିଦେଇ ଚାଲିଯାଇ ଥାଆନ୍ତୁ?”
କିଛି କହି ପାରିଲା ନାହିଁ ଶିବୁ । ଜୀବନରେ ପ୍ରଥମ ଥର ପାଇଁ ଛାତିରେ ଭିଡିକି ଧରିଲା ମିନୁକୁ । ଛୋଟ ଛୁଆଟେ ପରି କାନ୍ଦି ଉଠିଲା ସେ ।
“ମୁଁ ଜାଣିନି ମିନୁ, ମୁଁ ଜାଣିନି । କେବେ ଭାବି ନଥିଲି ଏତେ ସବୁ । ଘରକୁ ଆସି ହଠାତ କରି ଶୁଣିଲି ତୋ ବାହାଘର କଥା । ଲାଗିଲା ଯେମିତି ତୁ ମୋ ଠାରୁ ବହୁ ଦୁରକୁ ଚାଲି ଯାଉଛୁ । ମୁଁ ଚାହିଁଲେ ବି ରୋକି ପାରୁନି । ହାତ ବଢ଼େଇ ମୁଁ ଧରିବାକୁ ଚେଷ୍ଟା କରୁଛି ହେଲେ  ମୋ ହାତ ପାଉନି ଆଜି ।”
“ମୋ ଉତ୍ତର ମୁଁ ପାଇଗଲି ଶିବୁ । ଏତିକି ଶୁଣିବା ପାଇଁ ଆସିଥିଲି । ଏଇ ସାନ୍ତ୍ୱନା ନେଇ ସାରା ଜୀବନ ଜିଇଁଯିବି ଯେ ତୁ ଥିଲୁ ମୋ ପ୍ରଥମ ପ୍ରେମ ଆଉ ମୁଁ ତୋର..”

ପ୍ରେମ କାହାଣୀ କେବେ ଅଧା ହୁଏନି । ଛୋଟ କି ବଡ଼ ହୋଇପାରେ ପ୍ରେମ କାହାଣୀ । କିନ୍ତୁ ଏହା ସବୁବେଳେ ସମ୍ପୂର୍ଣ୍ଣ । ହରାଇବାରେ ବି ଥାଏ ପ୍ରେମ, ପାଇବାରେ ବି ଥାଏ ପ୍ରେମ ।



Sunday 26 March 2017

ପାତର ଅନ୍ତର

ମୋତେ ଏକୁଟିଆ ଆସିବାର ଦେଖି ଖୁଡି ପଚାରିଲେ, "ଝିଅକୁ ଆଣିଲୁନି ଟିକେ?"
"ଶୋଇ ପଡିଥିଲା ।" ଚକୋଲେଟ ପ୍ୟାକେଟଟା ଖୁଡିଙ୍କ ହାତକୁ ବଢ଼େଇ ଦେଇ କହିଲି ।
"ଏତେ ଶୀଘ୍ର ! ଏ ସଞ୍ଜ ବେଳଟାରେ ଶୋଇ ପଡୁଛି !!"
"ହଁ ପରା । ଗାଁ କୁ ଆସିଲେ ପିଲାମାନଙ୍କ ସହ ଦିନସାରା ଖେଳ । ସନ୍ଧ୍ୟା ହେଉ ହେଉ ଶୋଇ ପଡୁଛି ।"
ଦାଣ୍ଡ ଘରେ ମୋତେ ବସିବାକୁ କହି ଭିତରକୁ ଅନେଇ ଭାଉଜଙ୍କ ଉଦ୍ଦେଶ୍ୟରେ କହିଲେ ଖୁଡି,
"ଅରୁ ଆସିଲାଣି । ଫ୍ରୀଜରୁ ଥଣ୍ଡାଟା ଆଣିକି ଦେଲୁ ।"

ଚେୟାରଟା ଟିକେ ଆଗକୁ ଟାଣି ଆଣି ବସିପଡି ଚାରିଆଡକୁ ଆଖି ବୁଲେଇ ଆଣିଲି । ବିଭିନ୍ନ ରଙ୍ଗର ବେଲୁନରେ ସଜା ହୋଇଛି ଦାଣ୍ଡଘରଟି । ରଙ୍ଗୀନ ଜରିର ଝାଲିରି ଲଗା ଯାଇଛି କାନ୍ଥ ଓ କବାଟରେ । ଧାଡ଼ି ଧାଡ଼ି କରି ଦୁଇପଟେ କିଛି ଚେୟାର ଓ ଠିକ ମଝିରେ ରଖା ଯାଇଛି ମାଟିଆ ରଙ୍ଗର ଗୋଟେ ଟେବୁଲ । ସାମନା କାନ୍ଥର ଠିକ ମଝିଆମଝି ଧଳା ବୋର୍ଡରେ ଲେଖା ଯାଇଛି "Happy Birthday RAJA".

ଆଧୁନିକତାର ସ୍ପର୍ଶ ଏବେ ଗାଁକୁ ଚାଲି ଆସିଲାଣି । ଜନ୍ମଦିନ ସେଲିବ୍ରେସନଟା ଆମ ପିଲାଦିନେ ଏମିତି ନଥିଲା । ସକାଳୁ ଗାଧୋଇ ସାରି ନୂଆ ଡ୍ରେସ ପିନ୍ଧା ହେବ । ବୋଉ କି ଜେଜେମା ମୁଣ୍ଡରେ ଲଗେଇ ଦେବେ ଚନ୍ଦନ ଟିପା । ତୁଳସୀ ଚଉଁରା ପାଖରେ ପିଢା ପକେଇ ବସିଲା ପରେ କରାଯିବ ଛୋଟ କାଟର ପୂଜା । କଦଳୀ, ନଡ଼ିଆ ଓ ଚକୁଳି ପିଠା ଭୋଗ । ପାଖ ପଡ଼ିଶା ଦି ଚାରି ଘରେ ବଣ୍ଟା ହେବ ଚକୁଳି ପିଠା । ଆଉ ଯଦି କିଏ ଅଧିକ ବଢ଼େଇକି ପାଳିବାକୁ ଚାହିଁଲେ ତେବେ ଏସବୁ ସହିତ ହେବ କ୍ଷୀରି ଓ ସନ୍ଧ୍ୟାରେ ସତ୍ୟ ନାରାୟଣ ପୂଜା ଏବଂ ଶିରିଣି ଭୋଗ ।

ସମୟ ବଦଳୁଛି । ତା ସହିତ ବଦଳୁଛି ଆମ ପରମ୍ପରା, ଜୀବନ ଶୈଳୀ ଓ ପସନ୍ଦ ନାପସନ୍ଦ ।

"କେକ୍ କଟାଯିବାର ଆୟୋଜନ ହୋଇଛି ବୋଧେ ।" ଅଳ୍ପ ହସି ଖୁଡ଼ିଙ୍କୁ ପଚାରିଲି, "ଆଉ ସନ୍ତୋଷ କୁଆଡେ ଗଲା? ଦେଖା ନାହିଁ ତା'ର ।"

"କେକ୍ ଆଣିବାକୁ ବଜାରକୁ ଯାଇଥିଲା । ଏଇ ସାଙ୍ଗେ ସାଙ୍ଗେ ଆସିଯିବ ।"

ସନ୍ତୋଷ  ମୋ ପିଲାଦିନର ସାଙ୍ଗ । ଗାଁରେ ଦୋକାନଟିଏ ଦେଇଛି । ଡାଲି ଚାଉଳ ଠାରୁ ପାନ ସିଗାରେଟ ପର୍ଯ୍ୟନ୍ତ ସବୁକିଛି ମିଳେ ତା ଦୋକାନରେ । ଆଜି ତା ପୁଅର ଜନ୍ମଦିନ । ଦୁଇ ଝିଅ ପରେ ହୋଇଥିଲା ଏ ପୁଅଟି । ଆଜି ସକାଳେ ଗାଁ ମୁଣ୍ଡରେ ଦେଖା ହେଲା ବେଳେ ବଡ଼ ଜୋରରେ କହିଲା, "ତୋ ଝିଅକୁ ନେଇ ସନ୍ଧ୍ୟାରେ ଆମ ଘରକୁ ଯେମିତି ହେଲେ ଆସିବୁ।"

ଗାଁ କୁ ଆସିଲେ ଆଉ ସାଙ୍ଗସାଥୀଙ୍କ ସହ ଭେଟ ମିଳିବା ସପନ ହେଲାଣି । ଅଧେ ନିଜ କାମଧନ୍ଦାରେ ବ୍ୟସ୍ତ ତ ଆଉ ଅଧେ ଗାଁ ଛାଡି ଦେଲେଣି ଜୀବନ ଜୀବିକା ପଛରେ ଗୋଡେଇ । "ଭଲ ହେଲା । ଏଇ ସୁଯୋଗରେ ଦୁଇ ସାଙ୍ଗ ବସି ଗପସପ ହେବା।" ମୁଁ କହିଦେଇ ଆସିଥିଲି ।

ଦାଣ୍ଡ ଘରେ ବସି ଖୁଡ଼ିଙ୍କ ସହ ଏଣୁ ତେଣୁ ଗପସପ ଚାଲିଲା । ସନ୍ତୋଷର ବୋଉକୁ ମୁଁ ଖୁଡ଼ି ବୋଲି ଡାକେ । ମନେ ମନେ ସନ୍ତୋଷର ଆସିବାକୁ ଅପେକ୍ଷା କରୁଥାଏ । ଭିତର ଘରୁ ପିଲାମାନଙ୍କର ପାଟି ଶବ୍ଦ ଶୁଣି ପଚାରିଲି ଖୁଡ଼ିଙ୍କୁ, "ପିଲାମାନେ ସବୁ ଭିତରେ ଖେଳୁଛନ୍ତି ବୋଧେ?"
"ହଁ । ଛୁଆ ସବୁ ଏଠି ବସି ଛିଣ୍ଡା ଛିଣ୍ଡି କରୁଥିଲେ । ସମସ୍ତଙ୍କୁ ଭିତରେ ଘରେ ବସେଇ ଦେଇଛୁ ।" ଖୁଡ଼ି ପାନ ଚୋବାଉ ଚୋବାଉ କହିଲେ ।

ଠନ୍ କରି କାଚ ପଡି ଭାଙ୍ଗିବାର ଶବ୍ଦଟିଏ ହେଲା ଭିତର ଘରୁ । ତା ପରେ ଶୁଭିଲା ଭେଁ କରି କାନ୍ଦ । କଣ ହେଲା ବୋଲି ଉଠି ଦେଖିବାକୁ ଗଲେ ଖୁଡ଼ି । ତାଙ୍କ ପଛେ ପଛେ ମୁଁ  ।

କାଚ ଗ୍ଲାସଟିଏ ତଳେ ପଡି ଭାଙ୍ଗି ଯାଇଛି । ପାଖରେ ବସି କାନ୍ଦୁଛି ସନ୍ତୋଷ ସାନ ଝିଅ । ଘଟଣାଟା ହେଲା, ଭାଉଜ (ସନ୍ତୋଷର ସ୍ତ୍ରୀ) କାଚ ଗ୍ଲାସରେ ମୋ ପାଇଁ କୋଲଡ ଡ୍ରିଙ୍କସ ଆଣିଲା ବେଳେ ସାନ ଝିଅଟି ଖେଳୁ ଖେଳୁ ଆସି ବାଡେଇ ହୋଇଯାଇଛି । ଗ୍ଲାସଟା ଖସି ପଡିଛି ହାତରୁ । ସେଇ ରାଗରେ ଭାଉଜ ବସେଇ ଦେଇଛନ୍ତି ଦୁଇ ଚାପୁଡ଼ା ସାନ ଝିଅକୁ ।

ଖୁଡି ଯାଇ ସାନ ଝିଅକୁ ଉଠେଇ ଆଣିଲେ । "ତୋର ବୁଦ୍ଧି ସୁଦ୍ଧି କିଛି ନାହିଁ ନା କଣ । ଜନ୍ମଦିନରେ ପିଲାଙ୍କୁ ମାରନ୍ତି? ଛୁଅଟାକୁ କେମିତି ଜନ୍ମଦିନଟାରେ ମାରୁଥିଲୁ?"

ଭାଉଜ ଭଙ୍ଗା କାଚ ଗୋଟାଉ ଥିଲା ବେଳେ ମୋତେ ଦେଖି ଆଉ କିଛି ଉତ୍ତର ଦେଲେନି ଖୁଡିଙ୍କୁ । ଟିକେ ଶାନ୍ତ ହୋଇ କହିଲେ "ଦେଖୁନ କେମିତି ବଦମାସ ହେଉଛନ୍ତି ।"

ଖୁଡ଼ି ନାତୁଣୀକୁ ଧରି ଦାଣ୍ଡ ଘରକୁ ନେଇ ଆସିଲେ । ମୁଁ ତାଙ୍କ ପଛେ ପଛେ ଏପଟ ଘରକୁ ଆସି ପଚାରିଲି ଖୁଡିଙ୍କୁ, "ଜନ୍ମଦିନ କାହାର? ପୁଅର ଜନ୍ମଦିନ ପରା?"
ଝିଅକୁ କାଖରେ ଧରି ବୋଧ କରୁ କରୁ ଖୁଡି କହିଲେ, "ପୁଅ ଆଉ ସାନ ଝିଅ.. ଦୁଇ ଜଣ ଯାକ ଗୋଟିଏ ତିଥିରେ ଜନ୍ମ ହୋଇଛନ୍ତି । ପୁଅ ସାନଟା ବୋଲି ତାର ଖାଲି କେକ୍ କଟା ହେଉଛି ।"
"କାହିଁ ଝିଅ ତ ନୂଆ ଡ୍ରେସ ପିନ୍ଧିନି କି ଚନ୍ଦନ ଟିପା ଲଗେଇନି ?" ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।
"କେତେ ଟଙ୍କା ସେ ଦୋକାନଟାରୁ ରୋଜଗାର ହଉଛି ଯେ ସବୁ ପିଲାଙ୍କ ପାଇଁ କରିବ ! ତମ ଭଳିଆ ଚାକିରୀ ବାକିରି କଣ ଅଛି ତା'ର!" ମୁହଁ ଶୁଖେଇ କହିଲେ ଖୁଡ଼ି ।

ଆହୁରି କିଛି କହୁଥିଲେ ଖୁଡ଼ି  । କିନ୍ତୁ ସେସବୁ ଆଉ ମୋ ମୁଣ୍ଡ ଭିତରେ ପଶୁ ନଥିଲା । ରୁନ୍ଧି ହୋଇ ପଡୁଥିଲି ମୁଁ ଏମାନଙ୍କର ପାତର ଅନ୍ତର ଓ ମାନସିକ ଦାରିଦ୍ର୍ୟତାକୁ ଦେଖି ।


Friday 24 March 2017

ଭଲ ମଣିଷ

ପୁରୀର ବଡ଼ଦାଣ୍ଡ । ରାସ୍ତା କଡ଼ରେ ସିମେଣ୍ଟ ଅଖାଟିଏ ପାରିଦେଇ କାକୁଡ଼ି ମେଞ୍ଚାଏ ଗଦା କରି ବିକ୍ରି କରୁଥାଏ ଜଣେ ୫/ ବର୍ଷର ବୁଢ଼ୀ ଲୋକ । ପାଖରେ ଥାଏ ପ୍ଲାଷ୍ଟିକ ଡବାରେ ଲୁଣ ଲଙ୍କା ଗୁଣ୍ଡ, କାଟିବା ଓ ଚୋପା ଛଡ଼େଇବା ପାଇଁ ଦୁଇଟି ଛୁରୀ ଏବଂ ଓଜନ କରିବା ପାଇଁ ନିକିତିଟିଏ । ଗୋଟେ ଛୋଟ ପିଢା ଉପରେ ବସି ସେ ବିକୁଥାଏ କାକୁଡ଼ି ।

ସ୍ତ୍ରୀ ଓ ପୁଅ ସହ ବଡ଼ଦାଣ୍ଡରେ ବୁଲୁ ବୁଲୁ ମୋ ନଜର ପଡିଲା କାକୁଡ଼ି ଉପରେ । 
"ମାଉସୀ, କାକୁଡ଼ି କେତେ ଟଙ୍କା ?"
"ଗୋଟାକୁ ପାଞ୍ଚ ଟଙ୍କା, କେଜି ତିରିଶ ଟଙ୍କା ।"
"ତିନିଟା ଦିଅ ମାଉସୀ ।"
ମାଉସୀ ତିନିଟା କାକୁଡ଼ି ସାମ୍ନାରୁ ଉଠାଇଲା ବେଳେ ସ୍ତ୍ରୀ କହିଲେ, "ନା ନା, ବଡ଼ ଗୁଡାକ ଦିଅନି । ମଞ୍ଜି ହୋଇଯାଇଥିବ । ସେ ଛୋଟ ଛୋଟ କଷି କାକୁଡ଼ିରୁ ଦିଅ ।"
ତିନିଟା କଷି କାକୁଡି ବାଛି ପାଖରେ ରଖିଥିବା ପାଣି ଡବାରେ ବୁଡେଇ ଭଲକି ଧୋଇଦେଲା ମାଉସୀ । ଚାରି ଫାଳ କରି କାଟି, ସେଥିରେ ଲୁଣ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଆମ ହାତକୁ ବଢ଼େଇ ଦେଲା ।

କଷି କାକୁଡ଼ିକୁ ଏମିତି ଲୁଣ ଲଙ୍କା ଗୁଣ୍ଡ ଦେଇ ଖାଇବାର ମଜା ଅଲଗା । ଗଜା ମୁଗ, କଞ୍ଚା ଲଙ୍କା, ଟମାଟୋ ମିକ୍ସ ପରେ ଏଇଟା ମୋର ସବୁଠାରୁ ପ୍ରିୟ ଷ୍ଟ୍ରିଟ ସାଇଡ୍ ଖାଦ୍ୟ ।
କାକୁଡ଼ି ଖାଉଥିଲା ବେଳେ ମାଉସୀ ପଚାରିଲା ଆମ ପୁଅକୁ,
"କେମିତି ଲାଗୁଛି କାକୁଡ଼ି?"
ପୁଅ ହସି ଦେଇ କହିଲା, ଭଲ ଲାଗୁଛି ।
ମୁଁ ପଚାରିଲି, "ଆଉ ଖାଇବୁ କି?"
ପୁଅ ହଁ କଲା ।
ସ୍ତ୍ରୀ କହିଲେ, "ମୋର ବି ଆଉ ଗୋଟେ" ।

ଆଉ ତିନିଟା କାକୁଡ଼ି ଦେବା ପାଇଁ କହିଲି । ଏଥର ମାଉସୀ ତା ପସନ୍ଦରେ କାକୁଡ଼ି ତିନୋଟି ବାଛିଲା । ପାଣିରେ ଧୋଇଦେଇ କାଟି, ଲୁଣ ଲଙ୍କା ଗୁଣ୍ଡ ଦେଇ ବଢ଼େଇ ଦେଲା ଆମ ହାତକୁ । ଆମେ ମହାଆନନ୍ଦରେ କାକୁଡ଼ି ଖାଉଥିଲା ବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବଙ୍ଗାଳି ପରିବାର । ସ୍ୱାମୀ, ସ୍ତ୍ରୀ ଓ ଛୁଆ ଦୁଇଟି ।
"ମାସି ମା', କତୋ କରି ଶଶା?" ପଚାରିଲେ ବଙ୍ଗାଳି ଭଦ୍ର ବ୍ୟକ୍ତି ।
"ପାଞ୍ଚ ଟାକା କରି । କେଜି ତିରିଶ ।"
"ଅତୋ ଦାମ !"
ମୁହଁକୁ ଆଶ୍ଚର୍ଯ୍ୟ ରକମ କରି ଅଧ କେଜିଏ କାକୁଡ଼ି ଓଜନ କରିବା ପାଇଁ ସେ କହିଲେ ମାଉସୀକୁ । ବାଛି ବାଛି ଛଅ ସାତଟା ପକେଇଲେ ମାଉସୀ ନିକିତିରେ। ଓଜନ କଲାରୁ ଅଧ କେଜିରେ ଛଅଟା ଉଠିଲା । ମାଉସୀ ଗୋଟେ ପଲିଥିନ ଜରିରେ କାକୁଡ଼ି ତକ ପୁରେଇ ବଢ଼େଇ ଦେଲା ବଙ୍ଗାଳି ଭଦ୍ର ବ୍ୟକ୍ତିଙ୍କ ହାତକୁ । ସେମାନେ କାକୁଡି ଧରି ମାଉସୀକୁ ପନ୍ଦର ଟଙ୍କା ଦେଇ ଚାଲିଲେ ନିଜ ବାଟରେ ।

ମୁଁ ଅନେଇଲି ସ୍ତ୍ରୀଙ୍କୁ ଓ ସ୍ତ୍ରୀ ମୋତେ । ମନେ ମନେ ଭାବିଲୁ, କେଡେ ବୋକା ସତରେ ଆମେ । ଛଅଟା କାକୁଡି ଆମେ ବି କିଣିଲୁ । କିନ୍ତୁ ଏବେ ତିରିଶ ଟଙ୍କା ଦେବୁ । ସେମାନେ ପନ୍ଦର ଟଙ୍କାରେ ସମାନ କାକୁଡି ନେଇ ଚାଲିଗଲେ । ଛାଡ଼ ଏମିତି ହୁଏ ବେଳେ ବେଳେ । ମୁଁ କିଛି ନକହି ବୁଢୀ ମାଉସୀ ହାତକୁ ବଢ଼େଇ ଦେଲି ତିରିଶ ଟଙ୍କା । ପଇସାକୁ ବ୍ୟାଗରେ ରଖୁ ରଖୁ ଟିକେ କଣ ଭାବି ସେ ଦଶ ଟଙ୍କାଟିଏ ଫେରାଇ ଦେଲା ମୋତେ ।

"ଅଧିକ ପଇସା ତମଠାରୁ ନେବିନି ପୁଅ । ଅବିଚାର ହୋଇଯିବ ।"

ମାଉସୀ ଠାରୁ ଦଶ ଟଙ୍କା ଆଣିଲା ବେଳେ ଭାବୁଥିଲି, କେତେ ଧନୀ ହୋଇଥିବେ ଏମାନେ !! ଦଶ ଟଙ୍କାର ମୂଲ୍ୟ ଆମ ତୁଳନାରେ ତାଙ୍କ ପାଖରେ ନିଶ୍ଚୟ ବେଶୀ ହେବ । ହେଲେ ମୁଁ କିଛି କହି ନଥିଲେ ବି ସେ ନିଜ ତରଫରୁ ଫେରେଇ ଦେଲା ମୋତେ ଦଶ ଟଙ୍କା ।

କିଏ କହୁଛି ଏ ଦୁନିଆରେ ଭଲ ଲୋକ ନାହାନ୍ତି ବୋଲି । ଏମିତି ଅନେକ ଲୋକ ଆମ ସମସ୍ତଙ୍କ ଆଖପାଖରେ ଅଛନ୍ତି । ଆମ ଚାରିପଟେ ଏମିତି ଛୋଟମୋଟ ଘଟଣା କାହିଁ କେତେ ଘଟୁଛି ନିତିଦିନ । କାର୍ଯ୍ୟବ୍ୟସ୍ତ ଜୀବନ ଭିତରେ ଏସବୁ ଘଟଣା ଉପରେ ଆମର ଧ୍ୟାନ ଯାଏନି । ହେଲେ ଏସବୁ ଯୋଗୁ ହିଁ ଏ ପୃଥିବୀଟା ଏତେ ସୁନ୍ଦର ହୋଇ ରହିଛି ଆଜି ପର୍ଯ୍ୟନ୍ତ ।

ଯାଉ ଯାଉ ଟିକେ ଅଟକି ଗଲି । କ୍ୟାମେରା ବାହାର କରି ଟିକେ ଦୂରରୁ ମାଉସୀର ଫୋଟୋ ଗୋଟେ ଉଠେଇଲି । ମୁଁ ତା'ର ଫୋଟୋ ଉଠାଉଥିବାର ଦେଖି ଅଳ୍ପ ହସିଦେଲା ସେ ।


Tuesday 21 March 2017

ଦୃଷ୍ଟିକୋଣ

Egg roll ଦୁଇଟା କାଗଜରେ ଗୁଡ଼ାଇ ବଢ଼ାଇ ଦେଲା ମୋ ହାତକୁ ଦୋକାନି ବାଲା । ଗୋଟେ ବାଁ ହାତରେ ଧରି ଆରଟି ପାଖରେ ଛିଡା ହୋଇଥିବା ସ୍ତ୍ରୀଙ୍କ ହାତକୁ ବଢ଼େଇ ଦେଲି । ରୋଲରୁ କଳେ ଖାଉ ଖାଉ ସ୍ତ୍ରୀ କହିଲେ,

"ଆମ ଓଡ଼ିଶାର egg roll ଭଳି ଟେଷ୍ଟ ଏଠିକା ରୋଲରେ ନାହିଁ । ଚିକେନରେ ବହୁତ ମସଲା ଦେଉଛନ୍ତି ଏପଟେ । ନୁହେଁ?"

ମୁଣ୍ଡ ହଲେଇ ସମ୍ମତ୍ତି ଜଣେଇଲି ମୁଁ ଆଉ କଳେ ଖାଉ ଖାଉ ।

ସନ୍ଧ୍ୟା ସମୟ ।  Shopping mall ଆଗରେ ଥିବା ଏ ଦୋକାନଟିରେ ଭଲ ଭିଡ଼ ଥାଏ । ଆଜିକାଲି ସହର ମାନଙ୍କରେ ଅବସର ବିନୋଦନର ଗୋଟେ ବଡ଼ ମାଧ୍ୟମ ହୋଇଛି weekendରେ Shopping mall ରେ ବୁଲିବା ।

କେହି ଜଣେ ପଛରୁ ଆସି ଗୋଡ଼କୁ ଧରିଲା ଭଳି ଲାଗିଲା । ଖାଉ ଖାଉ ଚମକି ପଡିଲି ମୁଁ । ନିହାତି ଅପରିଷ୍କାର ଅପରିଚ୍ଛନ୍ନ ଦେଖାଯାଉଥିବା ସାତ ଆଠ ବର୍ଷର ପିଲାଟିଏ । ଖାଇଲା ବେଳେ ଏମାନେ ଆସି ଏମିତି ହୁଅନ୍ତି ଯେ ଜଣେ ଭଲ ଲୋକଟିଏ ବି ବିରକ୍ତ ହୋଇଯିବ । ଚିଡ଼ିଯାଇ ଭୁଡ଼ଟେ ପକାଇଲି । ପିଲାଟି ପଳେଇଗଲା ସେଠାରୁ ।

ଆଗରେ ଜଣେ ଭଦ୍ର ମହିଳା ନିଜ ତିନି ଚାରି ବର୍ଷର ପିଲାକୁ କାନ୍ଧରେ ପକାଇ ଛିଡା ହୋଇଥାନ୍ତି । ବୋଧେ ଦୋକାନିକୁ order ଦେଇଥିବା roll ପାଇଁ ଅପେକ୍ଷା କରିଥାନ୍ତି ସେ । ଏ ପିଲାଟି ଆମ ପାଖରୁ ଯାଇ ପହଞ୍ଚିଗଲା ସେ ମହିଳାଙ୍କ ପାଖରେ । ତାଙ୍କ ଗୋଡ଼ ପାଦକୁ ଧରି ଗୁପଚୁପ ଖାଇବାକୁ ମାଗିଲା । ମହିଳା ଜଣକ ଟିକେ ଅପ୍ରସ୍ତୁତ ହୋଇଗଲେ । ଆଖି ବୁଲେଇ ତାଙ୍କ ସ୍ଵାମୀଙ୍କୁ ଖୋଜିଲେ । ଟିକେ ଦୂରରେ ଫୋନରେ କଥା ହେଉଥାନ୍ତି ତାଙ୍କ ସ୍ୱାମୀ । ମହିଳା ଜଣକ ତାଙ୍କୁ ଡାକିବାରୁ ପିଲାଟି ସେ ଜାଗାରୁ ଛାଡି ପଳାଇବାକୁ ଉଦ୍ୟତ ହେଲା । ମହିଳା ଜଣକ ହାତ ଠାରି ତାକୁ ରହିବାକୁ କହିଲେ । ସ୍ୱାମୀଙ୍କ ପାଖରୁ ଦଶ ଟଙ୍କାଟିଏ ଆଣି ପିଲାଟି ହାତକୁ ବଢ଼େଇ ଦେଲେ । ପିଲାଟି ମୁହଁରେ ହସ ଉକୁଟି ଆସିଲା ।

କାହିଁକି କେଜାଣି ଏସବୁ ଦେଖି ଭାରି ଖରାପ ଲାଗିଲା ମୋତେ । ଭଦ୍ର ମହିଳାଙ୍କ ବ୍ୟବହାରରେ ମୁଁ ବହୁତ ଛୋଟ ହୋଇ ଯାଉଥିଲି । ସ୍ତ୍ରୀଙ୍କୁ ଚାହିଁଲି । ତାଙ୍କ ମୁହଁରେ ବି ସମାନ ଭାବ । ଛୋଟ ପିଲାଟି ଗୁପଚୁପ ଖାଇବାକୁ ବିକଳ ହୋଇ ମାଗୁଥିଲା ପଇସା କିଛି । ତା କଥା ନ ଶୁଣି ମୁଁ ବିରକ୍ତ ହେଲି ତା ଉପରେ । ମୋର ମୋ ଛୋଟ ବେଳର ଅଳି ଅଝଟ କଥା ମନେ ପଡିଯାଉଥିଲା । ଗାଁ' କୁ ଆଇସକ୍ରିମ ବାଲା ଆସିଲେ କେମିତି ବୋଉକୁ ପଇସା ମାଗୁଥିଲୁ ଆମେ । ଯଦି ବୋଉ ହାତରୁ ପଇସା ମିଳି ଯାଉଥିଲା, ସେ ଖୁସି କହିଲେ ନସରେ । ଗୋଟେ ଗରିବ ପିଲାକୁ ଆଜି ସେ ଖୁସି ଟିକକ ଦେବାରୁ ବଞ୍ଚିତ କଲି ମୁଁ । ପାଞ୍ଚ, ଦଶ ଟଙ୍କାର ଗୁପଚୁପ ପିଲାଟିକୁ ଖାଇବାକୁ ଦେଇ ଦେଇଥିଲେ କଣ ଏମିତି ସରି ଯାଇଥାନ୍ତା !!  କେତେ ଟଙ୍କା ତ ଏମିତି ଆଲତୁ ଫାଲତୁରେ ଖର୍ଚ୍ଚ ହୋଇଯାଉଛି ।

ପିଲାଟି ଟଙ୍କେ, ଦୁଇ ଟଙ୍କା ଆଶାରେ ବୁଲି ମାଗୁଥିଲା ବେଳେ ଦଶ ଟଙ୍କା ପାଇ ଖୁସିରେ ଚାଲି ଯାଉ ଯାଉ କଳା ରଙ୍ଗର କାରଟିଏ ଆସି ଅଟକିଲା ତା ଆଗରେ । କାର ଭିତରୁ ବାହାରିଲେ ଜଣେ ଅତ୍ୟାଧୁନିକା ମହିଳା । କାନ୍ଧରେ କଳା ରଙ୍ଗର ଭ୍ୟାନିଟି, ମୁଣ୍ଡ ଉପରେ ଚଷମା ।

ପିଲାଟି ସଙ୍ଗେ ସଙ୍ଗେ ନୋଟଟିକୁ ପକେଟରେ ପୁରେଇ, ଯାଇ ଧରି ପକେଇଲା ସେ ମହିଳାଙ୍କ ଗୋଡ଼ । ଆଉ ବିକଳ ହୋଇ ମାଗୁଥିଲା, "ଗୁପଚୁପ ଖାଇବି, ଗୁପଚୁପ.."

Tuesday 7 March 2017

ଅଣୁଗଳ୍ପ

                            ସଉକ ଜୀବିକା

ଅଫିସରେ ଚାଲିଥାଏ ବାର୍ଷିକ କାର୍ଯ୍ୟକ୍ରମ । Employee ମାନଙ୍କ ଭିତରୁ ଅନେକ ନାଚ, ଗୀତ, ମିମିକ୍ରି ଆଦି ଉପସ୍ଥାପିତ କରୁଥାନ୍ତି ଷ୍ଟେଜରେ । ପରବର୍ତ୍ତୀ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ହାତରେ ବଂଶୀଟିଏ ଧରି ଉପରକୁ ଉଠିଲେ ଜଣେ ସହକର୍ମୀ । ବଂଶୀ ଧ୍ୱନିରେ ସେ ପରିବେଷଣ କଲେ ଦୁଇ ତିନୋଟି ଲୋକପ୍ରିୟ ହିନ୍ଦୀ ଓ ତାମିଲ ଗୀତ । ଉପସ୍ଥିତ ଦର୍ଶକ କରତାଳି ଓ ସିଟି ବଜେଇ ଉତ୍ସାହିତ କଲେ । ସମସ୍ତେ ଆଦୃତ କଲେ ତାଙ୍କର ଏ ବିଶେଷ କଳାକୁ ।

                               **** *** ****

ଅଫିସ ବାହାରର ଗଳି ରାସ୍ତା । ଦୁଇପଟେ ଅନେକ ଉଠା ଜଳଖିଆ ଓ ଚା ସିଗାରେଟ ଦୋକାନ । ଚାରିଟା ବାଜିଲେ ଏଠି ଲାଗେ ଭିଡ଼ । କର୍ମଚାରୀମାନେ ଆଖପାଖ ଅଫିସରୁ ଛୁଟି ଆସନ୍ତି ଏଠାକୁ ଚା ଜଳଖିଆ କିମ୍ବା ସିଗାରେଟ ପାଇଁ । ଦୁଇ ତିନି ଘଣ୍ଟା ଧରି ବେଶ ଭିଡ଼ ଜମେ ଏଠି । କିଛି ମହିଳା ଛୋଟପିଲା କାଖେଇ ଏବଂ କିଛି ବୁଢା ବୁଢ଼ୀ ବାଡ଼ି ଖଣ୍ଡେ ଖଣ୍ଡେ ଧରି ଆସି ପହଞ୍ଚି ଯାଆନ୍ତି ଏଠି ଓ ବୁଲି ବୁଲି ମାଗନ୍ତି ଭିକ ।


ଏ ଭିଡ଼ ଭିତରୁ ଜଣେ ଲୋକ ରାସ୍ତା କଡରେ ବସି ବଜାଉଥିଲା ବଂଶୀ । ବିଭିନ୍ନ ନୂଆ ପୁରୁଣା ଗୀତର ସ୍ୱରରେ । ଗାମୁଛାଟିଏ ପାରି ଦେଇଥାଏ ଆଗରେ । କାଳେ କେହି ବ୍ୟକ୍ତି ଖୁସି ହୋଇ ପଇସାଟିଏ ପକେଇଦେବେ ସେ ଗାମୁଛାରେ । ଅଧିକାଂଶ ଲୋକ କିନ୍ତୁ ଶୁଣି ନଶୁଣିଲା ପରି ଚାଲି ଯାଉଥାନ୍ତି ।

ବୋଧେ ଏଇ ହେଉଛି Hobby ଓ Profession ମଧ୍ୟରେ ପ୍ରଭେଦ ।


                                ----****-----

                                ଟେଲିଫୋନର ମଜା 

ନବେ ଦଶକର କଥା । ଘରକୁ ନୂଆ ନୂଆ କରି landline ଫୋନଟିଏ ଆଣିଥାନ୍ତି ଆମ ଗାଁ'ର ନରିଆନା । ଅଫିସରୁ ଦିନେ ଖରାବେଳେ ଖାଇସାରି ପାନ ଖଣ୍ଡେ ପାଟିରେ ପକେଇ ଘରକୁ ଫୋନ କଲେ । ଏପଟୁ ଉଠାଇଲେ ତାଙ୍କ ଘରଣୀ । ଘରଣୀଙ୍କ କଣ୍ଠରୁ "ହାଲୋ" ଶୁଣି ଟିକେ ରସିକିଆ ହୋଇ ପଡିଲେ ନରିଆନା ।
"ହାଲୋ ଡାଲିଂ !"
"ଯୋଗଣୀଖିଆ.. ଡାଲି ନା ତରକାରି.."
ବର୍ଷିଗଲେ ଏପଟୁ ନରିଆନାଙ୍କ ଘରଣୀ, କଣ୍ଠସ୍ୱରକୁ ଜାଣି ନପାରି । ରୋମାଣ୍ଟିକ ନିଶା ସବୁ ଉତୁରି ଗଲା ନରିଆନାଙ୍କର । ଫୋନ ରଖି ମୁହଁଟିକୁ ପିତା କରି ଫାଇଲ ଚାଷରେ ମନ ଦେଲେ ।
ବର୍ଷିଗଲେ ସେପଟରୁ ନରିଆନାଙ୍କ ଘରଣୀ ନନ-ଷ୍ଟପ ।
ରୋମାଣ୍ଟିକ ନିଶା ସବୁ ଉତୁରିଗଲା ନରିଆନାଙ୍କର । ଫୋନ ରଖି ଫାଇଲ ଚାଷରେ ମନ ଦେଲେ ।

                             -----*****-------

Saturday 4 March 2017

ଭୂତ ଗପ - (ଭାଗ ୨)

ସକାଳୁ ପଦ୍ମପୁର ଗାଁ'ଟା ସାରା ଗୋଟାଏ ଚର୍ଚ୍ଚା । ଗାଧୁଆ ତୁଠରୁ ନେଇ ଝାଡା ପଡିଆ ଯାଏ, ବିଲହୁଡ଼ାରୁ ନେଇ ଦାଣ୍ଡ ପିଣ୍ଢା ଯାଏ, ସବୁଠି କାଲି ରାତିର ଭୂତ ଉପରେ ଆଲୋଚନା, ପର୍ଯ୍ୟାଲୋଚନା । କିଏ କହିଲା ମଶାଣି ପଡ଼ିଆରୁ ଜିଅନ୍ତା ଭୂତଟାଏ ଉଠି ଆସିଛି ତ ଆଉ କିଏ କହିଲା ନା, ସେଇଟା ଇଆଡିକା ଭୂତ ନୁହେଁ, ବାହାର ଜାଗାରୁ ଚାଲି ଆସିଛି ଭୂତଟି । କେତେ ଜଣ ଏ ଭୂତକୁ ଆଗରୁ ଥରେ ସେଇ ଅଧେ ପାଟ ମଝିରେ ସାମନା କରିଥିବାର କଥା ମଧ୍ୟ କହିଲେ ।

ଏଣେ ଧନୁର ଅବସ୍ଥା କଥା କହିଲେ ନସରେ ।  ରାତିର ଘଟଣା ପରେ ଖୁବ ଭୟ ପାଇଯାଇଥାଏ ସେ । ଘରେ ଏକୁଟିଆ କ୍ଷଣେ ବସିଲେ, ରାତିର ଦୃଶ୍ୟ ଲେଉଟି ଆସୁଥାଏ ତା ଆଖି ସାମ୍ନାକୁ ।  ତା'କୁ ଲାଗୁଥାଏ ଯେମିତି ଘରର ଆଟୁ ଉପରେ ବସି ଭୂତଟି ତା' ଆଡକୁ ହାତ ଲମ୍ବାଉଛି ତ ଆଉ କେତେବେଳେ  ଲାଗୁଥାଏ ଝରକା ସେପଟରୁ ଲମ୍ବାଉଛି ହାତ ତା ଆଡକୁ । ଏଣେ ଗାଁ'ର ମୁରବି ମାନଙ୍କ ଠାରୁ ନେଇ ଛୋଟପିଲା ମାଇପେ ପର୍ଯ୍ୟନ୍ତ ସମସ୍ତେ ଆସି ଟିକେ ଟିକେ ଦେଖି ଯାଉଥାନ୍ତି ଧନୁକୁ ।  ସର୍କସକୁ ନୂଆ କରି ଆସିଥିବା ଜନ୍ତୁଟିଏ ପରି ଖାଲି ବଲବଲ କରି ଅନାଉଥାଏ ଧନୁ ଆଗନ୍ତୁକ ଲୋକଙ୍କୁ ।

ଖରାବେଳ ସମୟ ।
ଗାଧୋଇ ପଡି ଅଳ୍ପ ମୁଠେ କଣ ଖାଇ ଦେଇ ଦାଣ୍ଡଘର ଖଟ ଉପରେ ଗଡ଼ପଡ଼ ହେଉଥାଏ ଧନୁ । ଫାଳିକିଆ ଦୁଇ କବାଟ ମଧ୍ୟରୁ ଗୋଟେ ଖୋଲା ଓ ଆରଟି ଅଳ୍ପ ଆଉଜା ହୋଇଥାଏ । ଝରକା ସେପଟରୁ ଆସୁଥାଏ ବାରିଆଡେ ଖେଳକୁଦରେ ମାତିଥିବା ପିଲାମାନଙ୍କର କୋଳାହଳ । ପାଖଘର ଢ଼ିଙ୍କିଶାଳରୁ ମଝିରେ ମଝିରେ ଶୁଭୁଥାଏ ଢିଙ୍କି ପାହାରର ଦୁମ ଦୁମ ଶବ୍ଦ । ଚାଳକୁ ଲାଗିଥିବା ପଣସ ଗଛରୁ ଚଢେଇ ମାନଙ୍କ କିଚିରିମିଚିରି ଭିତରେ ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ବାଛୁରୀ ଦୁଇଟି ମଝିରେ ମଝିରେ ଛାଡୁଥାନ୍ତି ହମ୍ବା ରଡି ।

ଆଖି ପତା ଟିକେ ଲାଗି ଆସିଛି ଧନୁର । ଏଇ ସମୟରେ କେଁ..ଏଁ..ଏଁ  ଶବ୍ଦ କରି ଖୋଲିଗଲା ଅଧା ଆଉଜା ହୋଇଥିବା ଫାଳିକିଆ କବାଟଟି । ଭିତରକୁ ପଶି ଆସିଲେ ବାଇଧର ବଡ଼ବାପା । ଧନୁ ତକିଆଟା ଟିକେ ଟାଣି ଆଣି ଖଟ ବାଡ଼କୁ ଅଧା ଆଉଜି ଉଠି ବସିଲା । ଗାଁ ହିସାବରେ ବାଇଧର ଧନୁର ବଡ଼ବାପା ହେବେ । ଗାଁରେ ସମ୍ପର୍କ ଗୁଡାକ ଏମିତି । ବାଇଧର ସ୍କୁଲରେ ଶିକ୍ଷକତା କରନ୍ତି । ଗାଁରେ ତାଙ୍କର ଭାରି ଖାତିରି । ନ୍ୟାୟ ନିଶାପରେ ସମସ୍ତେ ମାନନ୍ତି ତାଙ୍କୁ ।

"ସକାଳୁ ଶୁଣିଲି ତୋ କଥା । ଶନିବାରିଆ ସ୍କୁଲଟା ଥିଲା । ଆଉ ଆସିପାରିଲି ନାହିଁ । ସ୍କୁଲ ସାରି ଏଇନା ସିଧା ଆସୁଛି । "

ପାଖ କାଠ ଚେୟାର ଉପରେ ପଡିଥିବା ଲୁଗାଟା ଉଠେଇ ଦେଇ ବାଇଧର ବଡ଼ବାପାଙ୍କୁ ବସିବା ପାଇଁ କହିଲା ଧନୁ । ଚେୟାରକୁ ଟିକେ ଖଟ ଆଡକୁ ଟାଣିଦେଇ ବସିପଡି ପଚାରିଲେ ବାଇଧର,

"ରାତି ଅଧଟାରେ ଏମିତି ଏକୁଟିଆଟା କାହିଁକି ଆସୁଥିଲୁ? ଆଚ୍ଛା, କଣ ହେଲା କାଲି ମୋତେ ଟିକେ ଖୋଲିକି କହିଲୁ?"

ମୂଳରୁ ଶେଷ ଯାଏ ଯାହା ସବୁ ଘଟିଥିଲା ଗୋଟି ଗୋଟି କରି କହିଗଲା ଧନୁ । ଗମ୍ଭୀର ହୋଇ ଶୁଣୁଥାନ୍ତି ବାଇଧର ବଡ଼ବାପା । ମଥାର ଭୃକୁଟିକୁ ଟେକି ଆଶ୍ଚର୍ଯ୍ୟ ହୋଇ କହିଲେ, "ବଡ଼ ଆଚମ୍ବିତ କଥା ।"

ଚେୟାର ଉପରୁ ଉଠି ଖଟ ପାଖକୁ ଲାଗିଆସି ପିନ୍ଧିଥିବା ଧଳା କୁର୍ତ୍ତାର ଡାହାଣ ହାତକୁ କାନ୍ଧ ପର୍ଯ୍ୟନ୍ତ ଟାଣିଦେଇ ଧନୁ ଆଡକୁ ଦେଖେଇ ପଚାରିଲେ ବାଇଧର,  "ଦେଖିଲୁ ଦେଖିଲୁ ଧନୁ, ଏଇମିତି ଦିଶୁ ନଥିଲା ତ ସେ ହାତଟି?"

ଆଖି ଗୁଡାକ ବଡ଼ ବଡ଼ ହୋଇଗଲା ଧନୁର ।

ବୋ..ଉ..ଲୋ...

ବଡ଼ ପାଟିରେ ଚିତ୍କାର କରି ଗଛ କାଟିଲା ପରି ଭୁସକରି ଖଟ ଉପରେ ଗଡି ପଡିଲା ସେ ।

ଦଉଡ଼ା ଦଉଡ଼ି ହୋଇ ସମସ୍ତେ ଆସି ରୁଣ୍ଡ ହୋଇ ପଡିଲେ । ପାଣି ଛାଟି ଫୁଙ୍କା ଫୁଙ୍କି କରି ସାଷ୍ଟାମ କଲେ ଧନୁକୁ ।  ଅସ୍ପଷ୍ଟ ଭାଷାରେ ସବୁକଥା ବର୍ଣ୍ଣନା କଲା ଧନୁ ।  କିଏ କହିଲା ଗୁଣିଆ ଡାକି ତାକୁ ଟିକେ ଝଡ଼େଇ ଦିଅ । ଆଉ କିଏ କହିଲା, ଖରାପ ଦଶା ପଡିଛି । ହନୁମାନ ସାଧକଙ୍କ ପାଖକୁ ନେଇ ଜାତକଟା ଟିକେ ଦେଖେଇ ଆଣ । ଆଉ କିଏ କହିଲା, ତାକୁ ଜମା ଏକୁଟିଆ ରହିବାକୁ ଦିଅନା । ସବୁବେଳେ କେହି ନା କେହି ତା ପାଖରେ ରୁହ ।

ସନ୍ଧ୍ୟା ବେଳକୁ ପାଖ ଗାଁରୁ ଗୁଣିଆ ଆସି ଝାଡ଼ି ଦେଇଗଲା ଧନୁକୁ । ହାତରେ ଡେଉଁରିଆ ଗୋଟେ ମନ୍ତରାଇ ନାଲି ସୂତାରେ ବାନ୍ଧି ଦେଲା ।

ହେଲେ ବିଶେଷ ପରିବର୍ତ୍ତନ କିଛି ହେଲାନି ଧନୁର । ସବୁବେଳେ ଡ଼ରିଲା ଡ଼ରିଲା ପରି ରହିଲା ସିଏ । ଖାଇବା ପିଇବାରେ ଜମା ଆଗ୍ରହ ଦେଖେଇଲା ନାହିଁ । କାହା ସହ ମିଳାମିଶା ନକରି ସବୁବେଳେ ଚୁପଚାପ ହୋଇ ରହିଲା । ଦିନକୁ ଦିନ ଦୁର୍ବଳ ଦେଖାଗଲା ଧନୁ । 

ଗାଁ'ର ମୁରବି ଲୋକ ପରାମର୍ଶ ଦେଲେ ଧନୁକୁ ଥରେ ନେଇ ଡାକ୍ତରଙ୍କୁ ଦେଖେଇ ଆଣିବା ପାଇଁ । ଯାହାକୁ ଆମେ ଭୁତ ପ୍ରେତ ବୋଲି ଭାବୁଛୁ ଆଜିକାଲି ବିଜ୍ଞାନ ଯୁଗରେ ଡାକ୍ତରମାନେ ତାକୁ ମାନସିକ ରୋଗ ବୋଲି କହୁଛନ୍ତି । ଭଲ ହେବ ଡାକ୍ତରଙ୍କ ପାଖରେ ଟିକେ ଦେଖେଇ ଆଣିବାଟା ।

ଡାକ୍ତରଖାନାର କୋଠରୀ ।
ଉଚ୍ଚା ଉଚ୍ଚା ମଥାନ ଛୁଆଁ ଧଳା ଚୁନ ବୋଳା ଛାତ । ବିରାଟ ବିରାଟ ଡେଣା ବାଲା ପଙ୍ଖାଟିଏ ବୁଲୁଥାଏ ଛାତରେ, ବାଦୁଡ଼ି ଭଳି ତଳକୁ ଓହଳି । ଲୁହା ଖଟିଆ ଉପରେ ବିଛଣା । ତା ଉପରେ ଶୋଇଥାଏ ଧନୁ ।

ଡାକ୍ତର ବାବୁ ଆସି ପରୀକ୍ଷା ରିପୋର୍ଟ ଉପରେ ଆଖି ବୁଲେଇ ନେଲେ । ତାପରେ କାନରେ ଷ୍ଟେଥୋସ୍କୋପ ଲଗେଇ ଧନୁର ଛାତି ଉପରେ ଗୋଲ ମୁଣ୍ଡଟା ଦାବି ଦେଇ ଜୋର ଜୋରରେ ନିଶ୍ଵାସ ପ୍ରଶ୍ଵାସ ନେବାକୁ କହିଲେ । କାଗଜରେ କିଛି ମେଡ଼ିସିନ ଲେଖି ପାଖରେ ଛିଡା ହୋଇଥିବା ଧନୁର ବାପାଙ୍କ ହାତକୁ ବଢ଼େଇ ଦେଇ କହିଲେ, "ବ୍ୟସ୍ତ ହେବାର କିଛି ନାହିଁ । ସବୁ କିଛି ନର୍ମାଲ ଅଛି । ମେଡ଼ିସିନ ଲେଖି ଦେଇଛି । ଏ କାଗଜଟା ନେଇ ମେଡ଼ିସିନ ଦୋକାନରୁ ଯାଇ ମେଡ଼ିସିନ ନେଇଆସ । ବଡ଼ ଡାକ୍ତର ବାବୁ ଆସି ଥରେ ଦେଖିଲା ପରେ ଆଜି ତମେମାନେ ଘରକୁ ଚାଲିଯିବ ।"

ଡାକ୍ତର ବାବୁ ପ୍ରେସ୍କ୍ରିପସନଟା ଧରେଇ ଦେଇ ପାଖ କୋଠରୀକୁ ଚାଲିଗଲେ ରୋଗୀ ଦେଖିବା ପାଇଁ । କାଗଜଟା ଧରି ଔଷଧ ଆଣିବା ପାଇଁ ପଛେ ପଛେ ଚାଲିଲେ ଧନୁର ବାପା । କାଲି ଅପେକ୍ଷା ଆଜି ଟିକେ ସୁସ୍ଥ ଦେଖା ଯାଉଥାଏ ଧନୁ ।

ଏହି ସମୟରେ ରୁମ ଭିତରକୁ ପଶି ଆସିଲେ ବଡ଼ ଡାକ୍ତର ବାବୁ । ଧଳା ସାର୍ଟ ଉପରେ ପିନ୍ଧିଥାନ୍ତି ଧଳା ରଙ୍ଗର କୋର୍ଟଟିଏ । ଥନ୍ତଲ ପେଟକୁ ଲାଗି ଓହଳି ଥାଏ ଷ୍ଟେଥୋସ୍କୋପ । ଧୋବଲା କେଶ ତଳକୁ କାନ ଉପରେ ଲଗେଇଥାନ୍ତି ମୋଟା କଳା ଫ୍ରେମ ବାଲା ଚଷମା । ବେଡ୍ ପାଖକୁ ଆସି ଧନୁର ବାଁ ହାତକୁ ଅଳ୍ପ ଉପରକୁ ଟେକି ନାଡି ପରୀକ୍ଷା କରୁ କରୁ କହିଲେ ବଡ଼ ଡାକ୍ତର ବାବୁ,

"ଲାଗୁଛି ବହୁତ ଡରି ଯାଇଥିଲ ତମେ ସେଦିନ ରାତିରେ । ହେଲେ ଏବେ ବ୍ୟସ୍ତ ହେବାର ଆଉ କିଛି ନାହିଁ । "

ଟିକେ ସ୍ମିତ ହସି ପଚାରିଲେ, "ଆଚ୍ଛା ତମେ ସେଦିନ ରାତିରେ ପ୍ରକୃତରେ କଣ ଦେଖିଲ?"

ଧନୁ କହିଲା ସେଦିନର କଥା । କେମିତି ଅନ୍ଧାର ରାତିରେ ରିକ୍ସାବାଲାଟି ତାକୁ ଦେଖେଇଥିଲା ହାତ । ଡାକ୍ତର ବାବୁ ସବୁ ଶୁଣି ସାରି ଦୀର୍ଘ ନିଶ୍ଵାସଟିଏ ଛାଡିଲେ । ଧଳା କୋର୍ଟ ତଳୁ ନିଜ ଡାହାଣ ହାତଟି ଧନୁ ଆଡକୁ ବଢ଼େଇ କହିଲେ,

"ଦେଖିଲ, ଠିକ୍ ଏମିତି ଥିଲା କି ସେ ହାତଟି?"

କିଛି ସମୟ ପରେ ନର୍ସ ଜଣେ କୋଠରୀ ଭିତରକୁ ଆସି ଚିତ୍କାର କରି ଉଠିଲେ । ତାଙ୍କ ଚିତ୍କାର ଶୁଣି ଡାକ୍ତର ଓ ଅନ୍ୟ କର୍ମଚାରୀ କିଛି ଦଉଡ଼ି ଆସିଲେ ।

ବେଡ୍ ଉପରେ କାଠ ପରି ପଡିଥାଏ ଧନୁ । ହାତ ଦୁଇଟି ଅଧା ଟେକା ହୋଇ ଉପରକୁ ରହିଥାଏ । ଢିମା ଢିମା ଆଖି ଦୁଇଟି ଚାହିଁ ରହିଥାଏ ଛାତକୁ ।  ଉପରେ ବୁଲୁଥାଏ ଚଉଡା ଡେଣା ବାଲା ମାଟିଆ ଫ୍ୟାନଟି । ହେଲେ ଧନୁ ଆଖିର ପଲକ ଆଉ ବନ୍ଦ ହେଉ ନଥାଏ ଜମା ।

Friday 3 March 2017

ଭୂତ ଗପ - (ଭାଗ ୧)

ଅଶୀ ଦଶକର ଶେଷ ଭାଗର କଥା ଇଏ । କଟକଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଗାଁ ଟିଏ । ନାଁ ତା'ର ପଦ୍ମପୁର । ଆଜିକାଲି ଭଳି ଯାତାୟାତର ବିଶେଷ ସୁବିଧା ନଥାଏ ସେତେବେଳେ । କଟକ ଆସିବାକୁ ହେଲେ ସାଇକେଲ କିମ୍ବା ରିକ୍ସାରେ ପାଖାପାଖି ଦଶ କିଲୋମିଟର ଆସିଲା ପରେ ଯାଇ ପଡେ ଜାତୀୟ ରାଜପଥ । ଏଇଠୁ ଧରିବାକୁ ହୁଏ କଟକ ପାଇଁ ବସ୍ । ପଦ୍ମପୁରକୁ ଲାଗି ଦୁଇ ଚାରୋଟି ଛୋଟ ଗାଁ ଆଉ ତା'ପରେ ଏକ ଲମ୍ବା ଶୁନଶାନ ପାଟ ରାସ୍ତା । ରାସ୍ତାର ଦୁଇ ପାଖେ ଖାଲି ବିଲବାଡ଼ି ନହେଲେ ଗୋଚର ପଡିଆ । ଦୁଇ ତିନି କିଲୋମିଟରର ଲମ୍ବା ଏହି ପାଟ ରାସ୍ତାଟି ପାର ହେଲେ ଆସେ ନାଲି ସଡକ । ପ୍ରାୟ ଆଠ କିଲୋମିଟର ଲମ୍ବା ଏହି ନାଲି ସଡକ ଯାଇ ଛୁଇଁଛି ଜାତୀୟ ରାଜପଥକୁ । ଏ ନାଲି ସଡ଼କକୁ ଲାଗି ରାସ୍ତାର ଦୁଇ ପଟେ ଅଛି କିଛି କିଛି ବ୍ୟବଧାନରେ ଗାଁ ଗଣ୍ଡା ସବୁ । ମୋଟ ଉପରେ ଏଇ ହେଲା ପଦ୍ମପୁରରୁ କଟକକୁ ବିନା ଗୁଗୁଲ ମ୍ୟାପରେ ଯିବାପାଇଁ ବାଟ ।

ପଦ୍ମପୁରରେ ସେତେବେଳେ ଏମିତି ଗୋଟେ ଘଟଣା ଘଟିଲା ଯାହା କିଛି ବର୍ଷ ପାଇଁ ଆଖପାଖ କୋଡିଏ ଖଣ୍ଡ ମୌଜାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେବି ସେକଥା ମନେ ପଡିଲେ ଲୋମମୂଳ ଟାଙ୍କୁରି ଉଠେ । ପଦ୍ମପୁର ଗାଁ'ର ଧନେଶ୍ୱର ପଢିଆରି । ଡାକ ନାଁ ଧନୁ ବା ଧନୁଆ ।  ବୟସ ୨୫/୨୬ ହେବ ।  ସାବନା ରଙ୍ଗ, ସାଧାରଣ ସ୍ୱାସ୍ଥ୍ୟ, ହାଡୁଆ ମୁହଁ । ଘଟଣାଟି ଘଟିବା ଦିନ କୌଣସି କାମରେ ଧନୁ ଯାଇଥିଲା କଟକ । କଟକରେ କାମ ସରୁ ସରୁ ଅନେକ ଡେରି ହୋଇଗଲା । ସେ ସମୟରେ ସନ୍ଧ୍ୟା ସାତଟା ପରେ କଟକ ବସଷ୍ଟାଣ୍ଡରୁ ଏପଟ ଲାଇନର ବସ ସବୁ ମିଳିବା କଷ୍ଟ । ରାତିରେ ଯାଉଥିବା ନାଇଟ କୋଚ୍ ବସ ସବୁ କେବଳ ମାତ୍ର ଭରସା । କଣ୍ଡକ୍ଟରକୁ କେତେ କୁହାବୋଲା କରି ସେସବୁ ବସରେ ଆସିବାକୁ ହୁଏ । ରାତି ଆଠଟା ସାଡେ ଆଠଟା ବେଳକୁ ଏମିତି ଏକ ରାତ୍ରି ବସରେ ଚଢି କଟକରୁ ଘରକୁ ଫେରିଲା ଧନୁ ।

ଜାତୀୟ ରାଜପଥ କଡ଼ ଛକରେ ଗାଡି ପହଞ୍ଚିଲା ବେଳକୁ ରାତି  ଆସି ହୋଇଥାଏ ଦଶଟା । ଛକ ସେତେବେଳକୁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଗଲାଣି । ବୁଲା କୁକୁର କେତୋଟି ଯାହା ଏପଟ ସେପଟ ହେଉଥାନ୍ତି । ସକାଳେ ଗଲାବେଳେ ଛକ ମୁଣ୍ଡରେ ଥିବା ମିଠା ଦୋକାନି ଯଦୁ ପାଖରେ ନିଜ ସାଇକେଲଟି ରଖିଦେଇ ଯାଇଥିଲା ଧନୁ । ମିଠା ଦୋକାନ ଆଗରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ବଲବଟିଏ । ଭିତରେ ତାଟି ଆଉଜାଇ ଶୋଇ ପଡିଥାଏ ଦୋକାନି ଯଦୁ । ଯଦୁକୁ ଉଠାଇ ତା ପାଖରୁ ସାଇକେଲ ନେଇ ଘରକୁ ଫେରିଲା ବେଳେ ତା'କୁ ବାରଣ କଲା ଯଦୁ ।

"ଏତେ ରାତିରେ ଆଉ ନଯାଇ ଆମ ଦୋକାନରେ ଆଜି ଶୋଇପଡ । ସକାଳୁ ବଡ଼ି ଭୋରରୁ ଉଠି ଗାଁ'କୁ ଚାଲିଯିବୁ ।"

"ସାଇକେଲରେ ଗଲେ ଅତି ବେଶୀରେ ଆଉ ଘଣ୍ଟାଏ ଲାଗିବ । ଏଗାରଟା ଭିତରେ ଯାଇ ପହଞ୍ଚିଯିବି ଘରେ । ତା'ପରେ ଘରେ କହିକି ଆସିନି । ରୋଷେଇ କରି ଅନେଇ ବସିଥିବେ ସମସ୍ତେ । ଖରାଦିନିଆ ରାତି । ଡର ଆଉ କଣ ! ଲୋକ କିଏ କେତେ ଦାଣ୍ଡ ପିଣ୍ଢାରେ ଶୋଇଥିବେ ନହେଲେ ଶୋଇଥିବେ ଗାଁ ମୁଣ୍ଡ ଚାନ୍ଦିନୀରେ । କିଛି ଅସୁବିଧା ହେବନି, ମୁଁ ଚାଲିଯିବି ।"

ଯଦୁ କଥା ଆଉ କିଛି ନଶୁଣି ସାଇକେଲ ଧରି ଚାଲିଲା ଧନୁ ।

କଳା କିଟିମିଟି ଅନ୍ଧାର ରାତି । ରାସ୍ତା କଡ଼ ଆମ୍ବ, ବଉଳ ଗଛର ପତ୍ର ଗହଳରୁ ବହୁଥାଏ ସୁଲୁସୁଲିଆ ପବନ । ଆକାଶରେ ଚିକିମିକି କରୁଥାଏ ଆକାଶେ ତାରା । ଅନ୍ଧାରରେ କା ଭାଁ କେଉଁଠି ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ଘର ଆଗରେ ଟଙ୍ଗା ହୋଇଥିବା ଇଲେକ୍ଟ୍ରି ବଲବ ଗୋଟେ ଅଧେ ।

ଅନାବନା କଣ ସବୁ ଖିଆଲି ଭାବନା ଭିତରେ ଗୁଣୁଗୁଣୁ ହୋଇ ଗୀତ ଗାଇ ଗାଇ ଅନ୍ଧାର ରାତିରେ ସାଇକେଲରେ ଚାଲିଥାଏ ଧନୁ । ପାଟପୁର ଗାଁ ପାଖାପାଖି ଆସି ହୋଇଗଲାଣି ସେ । ଏହାପରେ ବାକି ରହିଲା ଖାଲି ପାଟ ରାସ୍ତାଟି । ଆଉ ତା'ପରେ ଆସିଯିବ ତା' ଗାଁ ପଦ୍ମପୁର । ହଠାତ କଡ଼ କଡ଼ ହୋଇ ଗୋଟେ ଶବ୍ଦ ଶୁଭିଲା ସାଇକେଲର ପଛ ଚକରୁ । ଓହ୍ଲେଇ ଦେଖିଲା ଧନୁ । ସାଇକେଲର ପୁରୁଣା ଚେନଟା ଛିଣ୍ଡି ଯାଇଛି । ପାଟପୁର ଗାଁ ମନ୍ଦିର ପାଖ ଚାନ୍ଦିନୀରେ ଶୋଇଥାନ୍ତି କିଛି ଲୋକ । ସାଇକେଲଟି ଗଡେଇ ଗଡେଇ ଚାନ୍ଦିନୀ ପାଖରେ ପହଞ୍ଚିଲା ଧନୁ । ଚାନ୍ଦିନୀର ଗୋଟେ କଡ଼କୁ ତଉଲିଆ ପାରିଦେଇ ଶୋଇଥିଲା ବିଶିଆ । ବିଶିଆର ପତଳା ନିଦ । ଧଡ଼ କିନା ଉଠି ପଡିଲା ସେ । ଆଖି ମଳିମଳି ବାଉଁଶ ଖୁଣ୍ଟରେ ଓହଳି ଥିବା ଇଲେକ୍ଟ୍ରି ବଲବର ଆଲୁଅରେ ଚିହ୍ନିଲା ବିଶିଆ ।

"କିରେ ଧନୁ ନା କିଏ? ଏତେ ରାତିରେ କୁଆଡେ ଯାଇଥିଲୁ?"

"ଦାଦା, କଟକ ଯାଇଥିଲି କାମରେ । ଫେରୁଫେରୁ ଡେରି ହୋଇଗଲା ଟିକେ । ସାଇକେଲ ଚେନ୍ ଟା ତମରି ଗାଁ ପାଖରେ ଛିଡିଗଲା ।"

"ଅନ୍ଧାର ରାତିଟାରେ ଏକୁଟିଆ ଆଉ କେମିତି ଯିବୁ? ଏଇଠି ଚାନ୍ଦିନୀରେ ଶୋଇପଡ । ଭୋରରୁ ଉଠି ଘରକୁ ଚାଲିଯିବୁ ।"

"ନା, ଦାଦା । ଏଗାରଟା ହୋଇଛି ଏବେ । ଚାଲିକି ଗଲେ ଆଉ ଆଉ ପନ୍ଦର ମିନିଟ ଭଳିଆ ସମୟ ଲାଗିବ । ଚାଲି ଚାଲି ପଳେଇବି । ଦାଦା, ସାଇକେଲଟା ଏଇଠି ଚାବି ପକେଇ ରଖି ଦେଉଛି । କାଲି ସକାଳୁ କାହା ସାଙ୍ଗରେ ଆସି ସଜାଡିକି ନେଇଯିବି ।"

"ହଉ ଯାହା ତୋ ଇଚ୍ଛା । ଦେଖି ଚାହିଁ ଯିବୁ ।"

ମୁଣ୍ଡ ଟୁଙ୍ଗାରି ସାଇକେଲଟାକୁ ସେଇଠି ଡ଼େରିଦେଇ ଚାଲି ଚାଲି ବାହାରି ପଡିଲା ଧନୁ ।

ନିଛାଟିଆ ପାଟ ରାସ୍ତା । ପାଟ ମଝିରେ ଚାଲି ଚାଲି ଯାଉଯାଉ କାହିଁକି କେଜାଣି ଭାରି ଛନକା ଛନକା ଲାଗିଲା ଧନୁକୁ । ଏତେ ବାଟ ସାଇକେଲ ଚଲେଇ ଆସିଲା ବେଳେ ତ ଡର ଭୟ କିଛି ଜଣା ପଡୁନଥିଲା । ଏବେ ଏମିତି ଛାନିଆ କାହିଁକି ଲାଗୁଛି କେଜାଣି । ପାଖରେ ଥିବା ବାଉଁଶ ବୁଦାରୁ କଟକଟ ଶବ୍ଦ ଶୁଭିଲା । ବାଉଁଶ ବୁଦାରୁ ଏମିତି ଶବ୍ଦ ଆସିବାଟା କିଛି ନୂଆ ନୁହେଁ ।  କିନ୍ତୁ ଧନୁକୁ କାହିଁକି କେଜାଣି ଆଜି ଏ ଶବ୍ଦ ଭାରି ଛାନିଆ କରି ପକାଉଥାଏ ।

ପାଟକୁ ଲାଗି ଗୋଚର ପଡିଆଟି ହେଉଛି ପାଖ ଆଖ ଗାଁ'ର ଶଶ୍ମାନ ପଡିଆ । ଏଇଠି ପାଖଆଖ ଦୁଇ ଚାରି ଗାଁ'ର କେତେ ଯେ ଲୋକଙ୍କ ଶବ ପୋଡା ହୋଇଛି ତାହା କଳନା ବାହାରେ । ଏମିତିକି ଗାଈ କି କୁକୁରଟିଏ ମଲେ ତା ଶବକୁ ବି ଟାଣିଟାଣି ଆଣି ଏଇ ପଡିଆରେ ପକେଇ ଦେଇ ଯାଆନ୍ତି ଗାଁ ଲୋକେ ।

ଏ କଣ ସବୁ ଭାବୁଛି ସେ । ମନରୁ ବାଜେ ଭାବନା ସବୁ ଦୂରେଇ ଦେବା ପାଇଁ ଅଷ୍ଟପ୍ରହରୀ କିର୍ତ୍ତନରେ ଗାଉଥିବା ଗୀତକୁ ବଡ଼ ପାଟିରେ ଗାଇ ଗାଇ ଚାଲିଲା ଧନୁ । ହେଲେ ମନରୁ ଡର ଜମା ଯାଉ ନଥାଏ । ଲମ୍ବା ରାସ୍ତା ଜଲଦି ଜଲଦି ସରୁ ନଥାଏ ଜମା । ମନେ ମନେ ଭାବିଲା, ରିକ୍ସା ଗୋଟେ ମିଳନ୍ତା କି । ଯେତେ ପଇସା ନେଉ ପଛେ ରିକ୍ସାରେ ବସି ପଳାନ୍ତି ।

ଠିକ୍ ଏତିକି ବେଳେ ପଛରୁ ଶୁଭିଲା ଟ୍ରିଙ୍ଗ ଟ୍ରିଙ୍ଗ ଶବ୍ଦ ।

ଅନ୍ଧାର ରାତି । ମୁହଁକୁ ମୁହଁ ଦିଶୁନି । ରିକ୍ସାଟିଏ ଚଲେଇ ପୁଣି କିଏ ଆସୁଛି !!

ରିକ୍ସାଟି ଧନୁର ପାଖାପାଖି ଆସି ପହଞ୍ଚିଲା ।

"ଭାଇ, ଆଗକୁ ଯାଉଛ କି? ମୋତେ ଟିକେ ନିଅନ୍ତନି ରିକ୍ସାରେ । ପଦ୍ମପୁର ଯାଏ ଯିମି ମୁଁ ।"

ବ୍ରେକ ଲଗେଇ ଛିଡା କଲା ରିକ୍ସାକୁ ଲୋକଟି । ମୁଣ୍ଡ ହଲେଇ ସଂକେତ ଦେଲା ରିକ୍ସାରେ ବସିବା ପାଇଁ । ଧନୁ ରିକ୍ସାରେ ବସି ଗୋଟେ ଦୀର୍ଘଶ୍ଵାସ ଛାଡିଲା । ପିଣ୍ଡରେ ଯେମିତି ପ୍ରାଣଟା ପଶିଲା । ରିକ୍ସାବାଲାଟି ପେଡାଲ ମାରି ଗଡେଇଲା ରିକ୍ସାକୁ ଆଗକୁ ।

ରିକ୍ସାବାଲାଟି ମୁଣ୍ଡରୁ ଗୋଡ଼ଯାଏ ଘୋଡେଇ ହୋଇଥାଏ କଳା ଲୁଗାଟିଏ । ଚଢିଲା ବେଳେ ତା ମୁହଁଟା ବି ଭଲକି ଦେଖି ପାରିଲାନି  ଅନ୍ଧାରରେ । ଚୁପଚାପ କିଛି ନକହି ପେଡାଲ ମାରି ଚାଲିଥାଏ ରିକ୍ସାବାଲାଟି । ଅନ୍ଧାର ରାତି ହେଲେବି ରାସ୍ତା ଚିହ୍ନିବାରେ ଅସୁବିଧା ହେଉନଥାଏ । ଦୁଇ ପଟେ ଖୋଲା ବିଲ । ମୁଣ୍ଡ ଉପରେ ଚିକିମିକି ତାରାଭର୍ତ୍ତି ଆକାଶ । ବିଲ ମଝିରେ କେଉଁଠି ଆମ୍ବ କି ଜାମୁଗଛଟିଏ । ଅନ୍ଧାରରେ କଳା କମ୍ବଳ ଘୋଡେଇ ହୋଇ ବସିଲା ପରି ଦେଖାଯାଉଥାନ୍ତି ।

ଶୁନଶାନ ପରିବେଶକୁ ହାଲକା କରିବାକୁ ଯାଇ ପଚାରିଲା ଧନୁ, " ଭାଇ, କୁଆଡେ ଯାଇଥିଲ କି ଭଡା ନେଇ? ଏତେ ରାତିରେ ଫେରୁଛ? କୋଉ ଗାଁ'ରେ ତମ ଘର କି?"

ରିକ୍ସାବାଲାଟି ସେମିତି ନିର୍ବାକ ହୋଇ ଚଲାଉଥାଏ ରିକ୍ସା । ଉଁ କି ଚୁଁ କିଛି ହେବାର ନାହିଁ । ନିଶାପାଣି ପକେଇ ଦେଇଛି ନା ଗଞ୍ଜେଇ ଭିଡି ଦେଇଛି !! ପୁଣିଥରେ ପଚାରିଲା ଧନୁ, "କଣ ଭାଇ, ଏମିତି ଚୁପଚାପ ଚାଲିଛ? କଣ ହୋଇଛି? ମନ ଭଲ ନାହିଁ ନା କଣ? କିଛି କହୁନ ଯେ?"

ରିକ୍ସାବାଲାଟି ଏଥର ରିକ୍ସା ଅଟକାଇ ପଛକୁ ବୁଲି ଚାହିଁଲା । ଅନ୍ଧାରରେ ଘୋଡ଼େଇ ହୋଇଥିବା ଲୁଗା ଭିତରୁ ମୁହଁଟି ସ୍ପଷ୍ଟ ବାରି ହେଉନଥାଏ । ରିକ୍ସାବାଲା ବଢ଼େଇ ଦେଲା ତା' ଡାହାଣ ହାତଟି ଧନୁ ଆଡକୁ । ଲୁଗା ଭିତରେ ହାତଟା ଦେଖାଯାଉ ନଥାଏ । ଧୀରେ ଧୀରେ ସେ ହାତ ଉପରୁ ପଛକୁ ଟାଣିନେଲା ଲୁଗା ।

ହେ, ଭ..ଗ..ବା..ନ !! ଏ କଣ !!

ଦେହ ଶୀତେଇ ଉଠିଲା ଧନୁର ।  ଝାଇଁ ଝାଇଁ ହୋଇଗଲା କାନ ଆଉ ମୁଣ୍ଡ । ଶୁନ୍ୟରେ ଭାସିବା ଭଳି ଲାଗିଲା ତାକୁ ।

ହାତ ଜାଗାରେ ଥିଲା କେବଳ ହାଡ଼ ।  ମାଂସ, ଚମଡା କିଛି ନାହିଁ ତା' ଉପରେ । କେବଳ ଧଳା ଲମ୍ବା ହାଡ଼ ଆଉ ହାଡ଼ ଆଗରେ ଆଙ୍ଗୁଳି ପାଞ୍ଚୋଟି । 

ରିକ୍ସାରୁ ଡେଇଁପଡ଼ି ଚିତ୍କାର କରି ଗାଁ ଆଡକୁ ଧାଇଁଲା ଧନୁ । ଏକମୁହାଁ ହୋଇ ଧାଇଁଥାଏ ସେ । ଗାଁ'ମୁଣ୍ଡ ଠାକୁରାଣୀ ମନ୍ଦିର ପାଖରେ ଧଇଁସଇଁ ହୋଇ ଯାଇ ଲମ୍ବ କିନା ପଡିଗଲା ଧନୁ । ଦେହରୁ ବୋହୁଥାଏ ଗମଗମ ଝାଳ । ଧଇଁ ପେଲିଲା ଭଳି ନେଉଥାଏ ଗୋଟିକିଆ ଲମ୍ବା ନିଶ୍ଵାସ । ଚିତ୍କାର ଶୁଣି ଆଖପାଖରେ ଶୋଇଥିବା ଲୋକମାନେ ଧଡପଡ ହୋଇ ଉଠି ଧାଇଁ ଆସିଲେ । ଟର୍ଚ୍ଚ ଆଲୁଅ ମୁହଁକୁ ପକେଇ ଚିହ୍ନିଲେ ଧନୁକୁ । ହେଲେ ଧନୁର ଆଉ ଚେତା ନଥାଏ । ଚେତାଶୂନ୍ୟ ହୋଇ ପଡିଥାଏ ସେ ଗାଁ ଦାଣ୍ଡରେ..