Friday 30 December 2016

ବିଦାୟ ୨୦୧୬

୨୦୧୬ ମନେ ରହିବ ଛିଡା ହେବା ପାଇଁ । ସ୍ଵେଚ୍ଛାକୃତ ଭାବେ ହେଉ କି ଅନିଚ୍ଛା ସତ୍ତ୍ୱେ ହେଉ ସମସ୍ତଙ୍କୁ ଛିଡା ହେବାକୁ ପଡିଥିଲା ଏ ବର୍ଷ କେତେବେଳେ ନା ନାହିଁ କେତେବେଳେ । କେବେ ଗର୍ବରେ ଛାତି ଫୁଲେଇ ଆମେ ଛିଡା ହୋଇଥିଲୁ ତ କେବେ ଛିଡା ହୋଇଥିଲୁ ଲଜ୍ଜାରେ ମଥାନତ କରି ।


ସୁପ୍ରୀମକୋର୍ଟ ଲୋକଙ୍କୁ ସିନେମା ହଲରେ ଛିଡା ହେବାକୁ ନିୟମ ତିଆରି କରିଥିଲେ ତ ମୋଦି ଆଜ୍ଞା ଛିଡା ହେବାକୁ ବାଧ୍ୟ କରାଇଥିଲେ ବ୍ୟାଙ୍କ ଆଉ ATM ଆଗରେ, ନୋଟବନ୍ଦୀ ଚଳାଇ । ସିନ୍ଧୁ, ସାକ୍ଷୀ ଆଦି ମହିଳାମାନେ ନିଜ କ୍ରୀଡ଼ା ନୈପୁଣ୍ୟତାରେ ବଶୀଭୂତ କରିଥିଲେ କ୍ରିକେଟ ପାଗଳ ଦେଶବାସୀଙ୍କୁ । ସାରା ଦେଶ ଗୌରବର ସହ ଛିଡା ହୋଇଥିଲା ରିଓ ଅଲମ୍ପିକ୍ସରେ ସେମାନଙ୍କର ଅତୁଳନୀୟ କ୍ରୀଡ଼ା କୌଶଳ ଦେଖି  । ଭାରତୀୟ ସେନାର ରାତି ଅଧିଆ ସର୍ଜିକାଲ ଆକ୍ରମଣ ସାରା ଦେଶରେ କମ୍ପନ ସୃଷ୍ଟି କରିଥିଲା । ସାରା ଦେଶବାସୀ ଏକାଠି ଛିଡା ହୋଇ ସମ୍ମାନ ଜଣାଇଥିଲେ ବୀର ସୈନିକଙ୍କ ସାହାସିକତାକୁ ।

ସେମିତି କିଛି ଘଟଣା କାଠଗଡ଼ାରେ ଛିଡା କରେଇଥିଲା ଆମ ସଭ୍ୟ ସମାଜର ପାରିବାପଣିଆକୁ ।  ନଗଡା ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ପ୍ରଶାସନକୁ କାଠଗଡ଼ାରେ ଛିଡା କରେଇଥିଲା ତ ଦାନ ମାଝି ଘଟଣା ଛିଡା କରେଇଥିଲା ପ୍ରଶାସନ ସମେତ ଶହ ଶହ NGO ସଂସ୍ଥାଙ୍କୁ ।

ଖାଲି ମଣିଷ କାହିଁକି ଭଗବାନ ବି ଏ ଛିଡା ହେବାରୁ ବାଦ ପଡି ନଥିଲେ ଏ ବର୍ଷ । ସେବାୟତଙ୍କ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଥିଲା ଆଉ ନୀଳାଦ୍ରି ବିଜେ ବେଳେ ଚାରମାଳ ଉପରେ ଘଣ୍ଟାଧିକ ସମୟ ଛିଡା ହେବାକୁ ପଡିଥିଲା ସ୍ୱୟଂ ସୁଦର୍ଶନ ମହାପ୍ରଭୁଙ୍କୁ ।

ହେଲେ ବର୍ଷ ୨୦୧୬ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା ଓଡ଼ିଆ ମାନଙ୍କର ସୋସିଆଲ ମିଡ଼ିଆରେ ଅନୁପ୍ରବେଶ । ରଜ ହେଉ କି ଅଷ୍ଟମୀ, ନୂଆଖାଇ ହେଉ କି ରଥଯାତ୍ରା, ରସଗୋଲା ହେଉ କି ପଖାଳ । ଅନଲାଇନ ଓଡ଼ିଆ ସବୁ ସମୟରେ ଛିଡା ହୋଇଥିଲେ କାନ୍ଧରେ କାନ୍ଧ ମିଶେଇ ଆଉ  କରିଥିଲେ ଓଡ଼ିଆମି । ଉଡ଼େଇଥିଲେ ଉତ୍କଳର ଧ୍ୱଜା ସାରା ଦେଶରେ ।

ଡାଏରୀ କିମ୍ବା କ୍ୟାଲେଣ୍ଡର ପୃଷ୍ଠାରୁ ଚାଲିଯାଇ ସ୍ମୃତିଟିଏ ବନିଯିବା ଯିବା ପୂର୍ବରୁ ଶେଷଥର ପାଇଁ "ବିଦାୟ ୨୦୧୬" ଛିଡା ହୋଇ (ଏହାକୁ standing ovation ମଧ୍ୟ କହିପାରନ୍ତି)।

4 comments:

  1. ଚମତ୍କାର ବର୍ଣନା ଶୈଳୀ... ଛିଡା ହେଇ ତାଳି, ଅଜାଙ୍କ ପାଇଁ

    ReplyDelete
    Replies
    1. ଥାଙ୍କୁ । ପ୍ରଥମ କମେଣ୍ଟ । ଲେଖାଟି ଭଲ ଲାଗିଲା ଜାଣି ଖୁସି ହେଲି ।

      Delete
  2. ଅଜାଙ୍କ ଲେଖା ପାଇଁ ଛିଡା ହେବା ନିହାତି ଦରକାର ।

    ReplyDelete
    Replies
    1. ଥାଙ୍କୁ ଗପୁ ନାତି | ଏବେ ବସିପଡ଼ :)

      Delete