Showing posts with label Short story. Show all posts
Showing posts with label Short story. Show all posts

Friday, 7 July 2017

ନାଲି ଚୁଡ଼ା

ଭାରି ଅଣନିଶ୍ୱାସୀ ଲାଗେ । ଏ ପିଢ଼ି ସହ ତାଳ ଦେଇ ବୋଧେ ଚାଲି ହେବନି ଆଉ । ଆମ ଜେଜେ ବାପା ଜେଜେ ମା'ଙ୍କର ପିଢ଼ି ବୋଧେ ଏମିତି ଅଶ୍ଵସ୍ତି ଅନୁଭବ କରୁଥିବେ, ଆମ ବାପା ମା'ଙ୍କର ସମୟରେ । ଆମ ବାପା, ମା'ଙ୍କ ପିଢ଼ି ବୋଧେ ଠିକ ଏମିତି ଅଣନିଶ୍ୱାସୀ ହୋଇଯାଉଥିବେ ଯେତେବେଳେ ଆମ ପିଢ଼ିର କଣ୍ଟ୍ରୋଲ ଆସିଥିବ ଏ ସମାଜରେ । ବଦଳିବାଟା ତ ସଂସାରର ନିୟମ । ହେଲେ ଆମ ପିଢ଼ିର ସମୟ କଣ ଏତେ ଶୀଘ୍ର ସରିଗଲା ! ଆଜିକାଲିର ଦ୍ରୁତଗତିରେ ବଦଳୁଥିବା ସମାଜ ଭିତରେ କିଛି ବି ଅସମ୍ଭବ ହୋଇ ନପାରେ । କିମ୍ବା ଆମେ ସବୁ ଥିଲୁ ପୁରୁଣା ସ୍କୁଲର ଛାତ୍ର । ସେଥିପାଇଁ ବୋଧେ ଆମ ମାନଙ୍କ ପାଇଁ ଏ ପରିବର୍ତ୍ତନଟା ଶୀଘ୍ର ଅନୁଭୂତ ହେଉଛି ।

ଟିଭି କିମ୍ବା ଇଣ୍ଟରନେଟରେ ଆଜିକାଲିର ସିରିଏଲ କି ଫିଲ୍ମ ଦେଖିଲେ, ପାଞ୍ଚ ମିନିଟରୁ ଅଧିକ ସମୟ ଦେଖି ପାରେନି ମୁଁ । ଆପେ ଆପେ ରିମୋଟର ବୋତାମ ଟିପି ହୋଇଯାଏ ନହେଲେ mouseର ପଏଣ୍ଟର ଯାଇ ବଦଳେଇ ଦିଏ କମ୍ପୁଟରର ପରଦାକୁ । ଏ ଚରିତ୍ର ମାନଙ୍କୁ ଦେଖିଲେ ଲାଗେ, କିଏ ସବୁ ଏମାନେ?  ଅଚିହ୍ନା ଲୋକମାନଙ୍କର ଭିଡ଼ ମଧ୍ୟକୁ ପଶିଗଲା ଭଳି ଲାଗେ ନିଜକୁ । ଏ ଚରିତ୍ର ମାନଙ୍କର କଥାବାର୍ତ୍ତା ଚାଲିଚଳନ, ସବୁ କିଛି ଅନ୍ୟ କେଉଁ ସମାଜର ଭଳି ଲାଗେ । ଆମ ଆଖପାଖରେ ବୁଲୁଥିବା ଚରିତ୍ର ମିଳନ୍ତନି ସେ ଫିଲ୍ମ କି ସିରିଏଲର କାହାଣୀରେ ।

ଥରେ ଟ୍ୱିଟର Timeline ରେ scroll କରୁ କରୁ ପାଇଲି କ୍ଷୁଦ୍ର ଗପଟିଏ । ପଢୁ ପଢୁ ଛାତିଟା ଭାରି ଭାରି ହୋଇଗଲା । 50/60 ଧାଡ଼ିର ଗପ ଭିତରେ ଥିବା ଚରିତ୍ର ସବୁଙ୍କୁ ଚିହ୍ନିଲା ଚିହ୍ନିଲା ପରି ଲାଗିଲା । ସବୁ ଯେମିତି ଏଇଠି କୋଉଠି ଆମ ଆଖପାଖରେ ବୁଲୁଥିଲେ । କେହିଜଣେ ସାଉଁଟି ଆଣି ଗପଟିଏ ଲେଖି ଦେଇଥିଲା ।

ଜାଣିନି ଏ ଲେଖିକାଙ୍କୁ ମୁଁ କେବେ ଟ୍ୱିଟରରେ ଫଲୋ କରିଥିଲି ଏବଂ କେବେ ସେ ମୋତେ ଫଲୋ-ବ୍ୟାକ କରିଥିଲେ । ଗପଟି ପୁରା ଆନ୍ଦୋଳିତ କରି ରଖି ଦେଇଥିଲା ମନକୁ । ମୋ ପ୍ରତିକ୍ରିୟା ବି ଠିକ୍ ଏମିତି କିଛି ଥିଲା ନୂଆ ଲେଖିକାଙ୍କ ପ୍ରତି ଟ୍ୱିଟରରେ । ତାପରେ ଆସିଲା ଏମିତି ଅନେକ ଗପ, ଅନେକ ଚରିତ୍ର ଓ ଅନେକ ଭାବାବେଗ । ନାଲି ଚୁଡା, କ୍ଷୀରି, ଉର୍ମିଳା.. ଏମିତି କେତେ ରୂପରେ ।


ମୁଁ ଅନେକ ସମୟରେ ଭାବେ, କାହିଁକି ଆମ ଫିଲ୍ମ/ସିରିଏଲ ଆମଠାରୁ ଏମିତି ଆଲିଏନ ହୋଇ ଯାଇଛନ୍ତି ! କାହିଁକି ପରଦା ଉପରେ ଆସୁଥିବା ଦୃଶ୍ୟ ଗୁଡିକ ଫିକାଫିକା କୃତ୍ରିମ ଲାଗନ୍ତି !! ପ୍ଲାଷ୍ଟିକ ଭଳି ଚକଚକ ହେଲେ ନିର୍ଜୀବ । ଏମାନେ ଛୁଇଁ ପାରନ୍ତିନି ମନର ସେ ନିବୃତ କୋଠରୀକୁ । କାହାଣୀ ସବୁ ଚହଲେଇ ପାରନ୍ତିନି ଛାତି ଭିତରେ ବରଫ ପାଲଟି ଯାଇଥିବା କ୍ଷତକୁ । ହେଲେ ଏ ଲେଖିକାଙ୍କର କିଛି ଧାଡ଼ିର କାହାଣୀ କେମିତି ବିଦାରି ଦେଉଛି ସେ କ୍ଷତକୁ ! ଆଖି କୋଣରୁ ଅଜାଣତରେ କେତେବେଳେ ଲୁହ ତ କେତେବେଳେ ଓଠରୁ ହସଟିଏ.. କେମିତି ଝରି ଆସୁଛି ଗପ ପଢିଲା ଭିତରେ ! କାହାଣୀର ଚରିତ୍ର ଗୁଡିକ କେମିତି ଜାଗା ମାଡି ବସି ପଡୁଛନ୍ତି ଜବରଦସ୍ତି ହୃଦୟରେ!!

ଗଳ୍ପ କିମ୍ବା କାହାଣୀ ଲେଖିବା ସମସ୍ତଙ୍କର ଆୟତ୍ତରେ ନଥାଏ । ଏ ହେଉଛି ଏକ ସୃଜନଶୀଳତା । ବୋଧେ ଆଜିର ଲୋକଙ୍କ ପ୍ରଫେସନ ଏପଟ ସେପଟ ହୋଇଯାଇଛି । ଫିଲ୍ମ ସିରିଏଲ ପାଇଁ ଲେଖୁଥିବା କାହାଣୀକାର ବୋଧେ ଭୁଲରେ ପଶି ଆସିଛନ୍ତି ଏହା ଭିତରକୁ । ଏବଂ ପ୍ରକୃତ ଲେଖକ ଅନ୍ୟ କୋଉ ପ୍ରଫେସନ ଭିତରେ ପଶି କାହାଣୀ ଲେଖିବା ଦିଗଟିକୁ ହଜେଇ ଦେଉଛି । ଯାହାର ଦୁଃଖଦ ପରିଣତି ଭୋଗୁଛି ଆମ ସମାଜ ।

ସେ ଯାହାହେଉ, ସୁଲଗ୍ନାଙ୍କର ଗପବହିଟି ଆଣିଛି ଗୋଟେ ଆଶାର କିରଣ । ମୁଁ ଥରେ କଥା ଛଳରେ ଲେଖିଥିଲି ତାଙ୍କୁ, ସବୁ ଗପକୁ ମିଶେଇ ଗୋଟେ ଗଳ୍ପ ସଂକଳନ ପ୍ରକାଶ କରିବାକୁ । ଯେତେବେଳେ ଗପବହିଟି ଆସିଲା, ପଢି ଜାଣିଲି ମୋ ପରି ଅନେକ ଲୋକଙ୍କର ସେଇ ଏକା ଅନୁରୋଧ ଥିଲା । ମନକୁ ଖୁସି ଲାଗିଲା ଯାହାହେଉ ପିଢ଼ି ବଦଳିଛି ହେଲେ ବଦଳିନି ମଣିଷର ଭାବାବେଗ । କାଠ ଚୁଲି ବଦଳି ଇଣ୍ଡକ୍ସନ ଚୁଲା ଆସିପାରେ, ଶିଳ ବଦଳି ଗ୍ରାଇଣ୍ଡର କିମ୍ବା ଚିଠି ବଦଳି WhatsApp ଆସିପାରେ, ହେଲେ ମାନବିକ ଭାବାବେଗ କେବେବି ବଦଳି ପାରେନା । ସେଥିପାଇଁ ତ ଷାଠିଏ ଦଶକର ଫିଲ୍ମ, ଅଷ୍ଟାଦଶ ଶତାବ୍ଦୀର କ୍ଲାସିକ ଉପନ୍ୟାସ ଆଜିବି ଏକବିଂଶ ଶତାବ୍ଦୀର ମଣିଷକୁ ଭାବବିହ୍ୱଳିତ କରି ପକାଏ ।

ପିଜା, ବର୍ଗର ଯୁଗରେ ବି ନାଲିଚୁଡ଼ାର ଆଦର ରହିଛି ଓ ଆଗକୁ ରହିବ ।

PS: ସୁଲଗ୍ନାଙ୍କର ବହିଟିର ରିଭ୍ୟୁ ଲେଖିବାକୁ କଲମ ବାହାର କରିଥିଲି, ହେଲେ ଲେଖୁ ଲେଖୁ କଲମଟି ମାଡ଼ିଗଲା ଅନ୍ୟ ଆଡକୁ ।

Wednesday, 29 March 2017

ଅଧୁରା ପ୍ରେମ କାହାଣୀ

ଘର ପଛପଟ ଖଳାକୁ ଲାଗି ଛୋଟ ପୋଖରୀ । ମାଙ୍କଡ଼ା ପଥରରେ ତିଆରି ପାହାଚ ଉପରେ ବସି ଅନେକ ସମୟ ଧରି ପୋଖରୀର ପାଣିକୁ ଚାହିଁ ରହିଥାଏ ଶିବୁ । ମୁଣ୍ଡ ଉପରେ କୁଆଁର ପୁନେଇଁ ଆକାଶର ତୋଫା ଜହ୍ନ । ଆଦ୍ର ଶୀତର ହାଲକା କୋହଲା ପବନ ଧୀରେ ଧୀରେ ଚାଲିଥାଏ ପୋଖରୀ ହୁଡାରେ ଲାଗିଥିବା ନଡ଼ିଆ ଗଛର ବାହୁଙ୍ଗା ଭିତର ଦେଇ ଥିରି ଥିରି ହୋଇ । ଜହ୍ନର ପ୍ରତିଛବି ଭାସୁଥାଏ ପୋଖରୀର ପାଣିରେ । ଚହଲି ଚହଲି ପ୍ରତିଛବିଟି ସ୍ଥିର ହୋଇ ଆସିଲା ବେଳକୁ କୁନି କୁନି ମାଛ ମୁଣ୍ଡ ଉପରକୁ ଟେକି ପୁଣି ତାକୁ ହଲେଇ ଦେଉଥାନ୍ତି । ଗୋଲ ଗୋଲ ପାଣିର ତରଙ୍ଗ ଧୀରେ ଧୀରେ କୂଳକୁ ଆସି ଯାଉଥାଏ ଓ ତା ଭିତରେ ନେସି ହୋଇଯାଉଥାଏ ଜହ୍ନର ପ୍ରତିଛବିଟି । ଠିକ ଯେମିତି ଆଜି ଶିବୁର ସ୍ୱପ୍ନର ଜହ୍ନଟା ନେସି ହେଇ ଯାଉଛି ଭାଗ୍ୟର ପାଣି ଚହଲାରେ । 

ଧୀରେ ଧୀରେ ଜହ୍ନଟା ସ୍ଥିର ହୋଇ ଆସୁଥାଏ ପୋଖରୀର ଜଳରାଶି ଉପରେ । ଟବ କରି ଶବ୍ଦ ସହ ଉପରୁ ପଡିଲା ଟେକାଟିଏ ପାଣିରେ । ପୁଣି ଘାଣ୍ଟି ହୋଇଗଲା ଜହ୍ନର ପ୍ରତିଛବିି । ଆଃ.. କି ନିଷ୍ଠୁର! ପଛକୁ ବୁଲି ଚାହିଁଲା ଶିବୁ । ଠିକ ଗୋଟେ ପାହାଚ ଛାଡି ଉପର ପାହାଚରେ ବସିଥାଏ ମିନୁ । ହଠାତ ମିନୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସେ । 
“ତୁ କେତେବେଳେ ଆସିଲୁ?”
“କଣ କରୁଛୁ ଏଠି? ଦଶ ମିନିଟ ହେଲା ଆସି ବସିଲିଣି ହେଲେ ତୋର ଜମା ବି ଧ୍ୟାନ ନାହିଁ । କଣ ଭାବୁଛୁ ଏଠି ବସି ଏକୁଟିଆ?”
“ନାଁ କିଛି ନୁହେଁ । ଘରେ ସବୁ ଟିଭି ଦେଖୁଥିଲେ ତ ବାରି ପଟକୁ ଚାଲି ଆସିଲି । ହେଲେ ତୁ ହଠାତ ରାତିରେ? ଆମ ଘରକୁ ଆସିଥିଲୁ ନା କଣ?”
“ହଁ । ତୋତେ ଦେଖା କରିବାକୁ ଆସିଥିଲି । “
ଛାତି ଭିତରେ ଯେମିତି କିଏ ଦୁମ କରି ପିଟିଦେଲା ଶିବୁର । ଯାହାକୁ କାଲିଠାରୁ ସେ ଦୂରେଇ ଦୂରେଇ ଆସୁଥିଲା, ସେଇ କଥା ପୁଣି ଥରେ ତା ଆଗରେ । ଚୁପ ହୋଇଗଲା ଶିବୁ ।
ଉପର ପାହଚରୁ ଉଠି ତଳ ପାହାଚରେ ବସିଲା ମିନୁ, ଶିବୁ ପାଖକୁ ଲାଗି । ତା ହାତକୁ ଟାଣି ନେଇ ନିଜ ଦୁଇ ହାତ ଭିତରେ ଚାପି ଧରିଲା ।
“ଶିବୁ, ମଣିଷ ଯାହା ଚାହେଁ ସବୁ କିଛି ଯଦି ପାଇ ଯାଉଥାନ୍ତା ତାହେଲେ ଏ ଦୁନିଆଟା ଏମିତି ହୋଇ ନଥାନ୍ତା । କିଛି ପାଇବା ଓ କିଛି ନ ପାଇବାଟା ହିଁ ବୋଧେ ଜୀବନ ।”
ଆଖି ଉଠେଇ ଚାହିଁଲା ଶିବୁ । ଜହ୍ନ ଆଲୁଅରେ ଗୋରା ମୁହଁଟା ମିନୁର ଦକଦକ ହୋଇ ସଫା ଦେଖାଯାଉଥାଏ । ଟଣା ଟଣା ଆଖି, ସିଧା ନାକ । ହେଲେ ସବୁଦିନ ଭଳି ଆଜି ସେ ମୁହଁରେ କିନ୍ତୁ ଚମକ ନାହିଁ । ଦର୍ଶନ ଶାସ୍ତ୍ର ପଢାଉଥିବା ଅଧ୍ୟାପକର ମୁହଁ ପରି ଆଜି ସେ ମୁହଁ ଦେଖାଯାଉଛି ବିରସ, ଶ୍ରୀହୀନ ।
ପଛରୁ କିଏ ଡାକିଲା, “ମିନୁଦେଈ, ମିନୁଦେଈ । ଆ ଘରକୁ ଯିବା । କୋଉଠି ଅଛୁ, ମିନୁଦେଈ?”
“ବାବୁ ଆସିଛି କି ତୋ ସାଙ୍ଗରେ?” ପଚାରିଲା ଶିବୁ ।
“ହଁ, ତାକୁ ଧରି ଆସିଥିଲି । ଆଜି ମାମୁଁଘରୁ ଆସିଲି । ଘରେ ପହଞ୍ଚି ଶୁଣିଲି ତୁ ଆସିଛୁ । ତୁ ତ ଆସିବୁନି ଆମ ଘରକୁ । ଲାଜ ଖାଇଯିବ ତୋତେ । ଭାବିଲି ମୁଁ ଯାଇ ଦେଖା କରି ଆସେ । ପୁଣି କିଏ ଜାଣେ କେବେ କେମିତି ଅବସ୍ଥାରେ ପୁଣି ଦେଖା ହେବ..”
ଛାତିର କୋହ ଶେଷ ଶବ୍ଦ ଗୁଡିକୁ ଆଉ ବାହାରକୁ ଆସିବାକୁ ଦେଲାନି । କାନ୍ଧରେ ପକେଇଥିବା ଚୁନ୍ନିରେ ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ପୋଛି ଦେଲା ମିନୁ । 

କିଛି ସମୟର ନୀରବତା । ନିରୋଳା ଘରେ କାନ୍ଥଘଡ଼ି କଣ୍ଟାର ଶବ୍ଦ ପରି ନିଜ ଛାତିର ସ୍ପନ୍ଦନକୁ ଶୁଣି ପାରୁଥାଏ ଶିବୁ । ପାଟିରେ ତାର ଭାଷା ନାହିଁ । ସତେ ଯେମିତି ପଥର ପାଲଟି ଯାଇଛି ଆଜି ସେ । ନିର୍ଲଜ ଲୁହ ବି ଝରୁ ନଥାଏ ଆଖରୁ ତାର ଆଜି ।
ଭାବୁଥାଏ ଶିବୁ । ମିନୁ ସହ ତାର କି ସମ୍ପର୍କ । ସେ କଣ ତା ପ୍ରେମିକା । ବୋଧେ ନା । ବୋଧେ ହଁ । ପିଲାଦିନରୁ ସମ୍ପର୍କ, ଚିହ୍ନା ପରିଚୟ । ଏକା ଗାଁ, ଏକା ସ୍କୁଲ । ଖାଲି ଯାହା ଅଲଗା ଅଲଗା ସାହିରେ ଦୁହିଁଙ୍କ ଘର । ଭଲ ପଢୁଥିଲା ବୋଲି ସ୍କୁଲରେ ସବୁ ସାରଙ୍କ ପ୍ରିୟ ଥିଲା ଶିବୁ । ବୋଧେ ସାର ମାନଙ୍କ ଏହି ପ୍ରଶଂସା ଯୋଗୁ ମିନୁ ବି ପସନ୍ଦ କରିଥିଲା ତାକୁ । ମିନୁର ବାପା ଥିଲେ ପ୍ରାଥମିକ ସ୍କୁଲ ଶିକ୍ଷକ । ସେ ବି ଭାରି ପସନ୍ଦ କରନ୍ତି ଶିବୁକୁ । ସ୍କୁଲ ପରେ କଲେଜ ଓ ଏବେ ଇଂଜିନିୟରିଂ । କଲେଜର ଏଇ ଶେଷ ବର୍ଷରେ ଥିଲା ବେଳେ ଦେଖା ଦେଇଛି ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା (recession) । କଲେଜକୁ କ୍ୟାମ୍ପସ ଆସିନି ଏ ବର୍ଷ । ଅନିଶ୍ଚିତ ଭବିଷ୍ୟତ ନେଇ ଶିବୁ ଅନେଇଛି ଶେଷ ସେମିଷ୍ଟର ପରୀକ୍ଷା ପରେ ହାଇଦ୍ରାବାଦ କି ବାଙ୍ଗାଲୋର ଯିବା ପାଇଁ । ଏ ସମୟରେ ଆଉ କିଛି ବିଷୟରେ ଚିନ୍ତା କରିବା ତା ସାଧ୍ୟ ବାହାରେ ।
ମିନୁ ସାଧାରଣ ଷ୍ଟାଣ୍ଡାର୍ଡର ଥିଲା । ଗାଁ ପାଖ କଲେଜରେ ଗ୍ରାଜୁଏସନ ସାରି ଘରେ ବସିଛି । ମଝିରେ ମଝିରେ competitive ପରୀକ୍ଷା ସବୁ ଦେଉଛି । ହେଲେ ସଫଳତା ପାଇନି ଏ ଯାଏ । ଏହି ସମୟରେ ବାହାଘର ପ୍ରସ୍ତାବ ଆସି ପହଞ୍ଚିଛି । ପିଲାଟି ବ୍ୟାଙ୍କରେ ଚାକିରୀ କରୁଛି । ଘର ଓ ପରିବାର ଉଭୟ ଭଲ । ପୁଅ ଘର ଲୋକଙ୍କର ମିନୁ ପସନ୍ଦ ହୋଇଛି । କୌଣସି ଯୌତୁକପତ୍ର ଦାବି ରଖି ନାହାନ୍ତି ସେମାନେ । ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକର ଝିଅ ପାଇଁ ଏହାଠାରୁ ଭଲ ପାତ୍ର ମିଳିବା କଷ୍ଟ । ସମସ୍ତେ ରାଜି ହୋଇଯାଇଛନ୍ତି । ମିନୁର ମତ ପଚାରିଲା ବେଳେ ସେ ମୌନ ସମ୍ମତ୍ତି ଦେଇଛି । ଘର ଲୋକଙ୍କ ପାଇଁ ବୋଝ ହେବାକୁ ଆଉ ଚାହୁଁନି ସିଏ । ତାର ବି ଶିବୁ ପରି ଏକା ଅବସ୍ଥା ।

ଦୁଇଦିନ ତଳେ କଲେଜରୁ ଘରକୁ ଆସିଥିଲା ବେଳେ ଶିବୁ ଶୁଣିଲା ଯେ ମିନୁର ବାହାଘର ସ୍ଥିର ହୋଇ ଯାଇଛି । ମୁଣ୍ଡ ଉପରୁ ତାର ଆକାଶଟା ଖସି ପଡିଲା ଯେମିତି । ଦେହର ଗୋଟେ ଅଂଶ କାଟିହୋଇ ଚାଲିଗଲା ଭଳି ଲାଗିଲା ତାକୁ । ଶୁଭାକାଂକ୍ଷୀ ବାନ୍ଧବୀ ଠାରୁ ଅଧିକ ଥିଲା ମିନୁ । ଶିବୁ ଗାଁକୁ ଆସିଲେ ଯେମିତି ହେଲେ ବି ଆସି ପହଞ୍ଚି ଯାଉଥିଲା ମିନୁ । ହଷ୍ଟେଲକୁ ଗଲାବେଳେ ଚୁଡା ମୁଢି ଧରି ଯିବାକୁ ରାଜି ହୁଏନି ଶିବୁ । ହେଲେ ମିନୁର ଥରେ କହିବାରେ ରାଜି ହୋଇଯାଏ ସେ ।

ମିନୁର ଘର ସହ ଭଲ ସମ୍ପର୍କ ଥାଏ ଶିବୁ ଘର ଲୋକଙ୍କର । ଦୁଇ ଜଣକ ବାପା ଉଭୟ ଉଭୟଙ୍କୁ ବେଶ ସମ୍ମାନ ଦିଅନ୍ତି । ଅନେକ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲେ ଉଭୟ ଉଭୟଙ୍କ ମତାମତ ଲୋଡ଼ନ୍ତି ।

“ତୁ ପୁଣି କେବେ ଆସିବୁ? ମୋ ବାହାଘରରେ ଆସିବୁ?” କିଛି ସମୟର ନୀରବତାକୁ ଭାଙ୍ଗି ପଚାରିଲା ମିନୁ ।
“ନା । ପୁଣି ସେମିଷ୍ଟର exam ସରିଲେ ଯାଇ ଆସିବି ।” 

ପୁଣି ନୀରବତା । 

“ଶୁଣିଲି ବ୍ୟାଙ୍କରେ ଚାକିରୀ କରୁଛି ତୋ ବର”, ପଚାରିଲା ଶିବୁ ନିଜକୁ ଟିକେ ସହଜ କରି ।
କିଛି କହିଲା ନାହିଁ ମିନୁ । 
ପଛରୁ ପୁଣି ଶୁଭିଲା ବାବୁର ଡାକ ।
“ ମିନୁ ଦେଈ, ମିନୁ ଦେଈ.. ଆସେ ଜଲଦି । ଘରକୁ ଯିବା”
“ତୁ ଘରେ ବସିଥା.. ମୁଁ ଯାଉଛି ।” ବଡ଼ ପାଟିରେ କହିଲା ମିନୁ ।

ଦୁହେଁ ଉଠି ଛିଡା ହେଲେ । ଟିକେ ଚୁପ ରହି ପଚାରିଲା ମିନୁ, “ଶିବୁ, ଗୋଟେ କଥା ପଚାରିବି । ସତ କହିବୁ?”
“ପଚାରେ । ତୋତେ କଣ କିଛି କଥା ଲୁଚେଇଛି ଆଜିଯାଏ ।”
“ଯଦି ତୋର ଚାକିରୀ ହୋଇଯାଇଥାନ୍ତା, ତୁ କଣ ଆଜି ମୋତେ ଏମିତି ଛାଡିଦେଇ ଚାଲିଯାଇ ଥାଆନ୍ତୁ?”
କିଛି କହି ପାରିଲା ନାହିଁ ଶିବୁ । ଜୀବନରେ ପ୍ରଥମ ଥର ପାଇଁ ଛାତିରେ ଭିଡିକି ଧରିଲା ମିନୁକୁ । ଛୋଟ ଛୁଆଟେ ପରି କାନ୍ଦି ଉଠିଲା ସେ ।
“ମୁଁ ଜାଣିନି ମିନୁ, ମୁଁ ଜାଣିନି । କେବେ ଭାବି ନଥିଲି ଏତେ ସବୁ । ଘରକୁ ଆସି ହଠାତ କରି ଶୁଣିଲି ତୋ ବାହାଘର କଥା । ଲାଗିଲା ଯେମିତି ତୁ ମୋ ଠାରୁ ବହୁ ଦୁରକୁ ଚାଲି ଯାଉଛୁ । ମୁଁ ଚାହିଁଲେ ବି ରୋକି ପାରୁନି । ହାତ ବଢ଼େଇ ମୁଁ ଧରିବାକୁ ଚେଷ୍ଟା କରୁଛି ହେଲେ  ମୋ ହାତ ପାଉନି ଆଜି ।”
“ମୋ ଉତ୍ତର ମୁଁ ପାଇଗଲି ଶିବୁ । ଏତିକି ଶୁଣିବା ପାଇଁ ଆସିଥିଲି । ଏଇ ସାନ୍ତ୍ୱନା ନେଇ ସାରା ଜୀବନ ଜିଇଁଯିବି ଯେ ତୁ ଥିଲୁ ମୋ ପ୍ରଥମ ପ୍ରେମ ଆଉ ମୁଁ ତୋର..”

ପ୍ରେମ କାହାଣୀ କେବେ ଅଧା ହୁଏନି । ଛୋଟ କି ବଡ଼ ହୋଇପାରେ ପ୍ରେମ କାହାଣୀ । କିନ୍ତୁ ଏହା ସବୁବେଳେ ସମ୍ପୂର୍ଣ୍ଣ । ହରାଇବାରେ ବି ଥାଏ ପ୍ରେମ, ପାଇବାରେ ବି ଥାଏ ପ୍ରେମ ।



Sunday, 26 March 2017

ପାତର ଅନ୍ତର

ମୋତେ ଏକୁଟିଆ ଆସିବାର ଦେଖି ଖୁଡି ପଚାରିଲେ, "ଝିଅକୁ ଆଣିଲୁନି ଟିକେ?"
"ଶୋଇ ପଡିଥିଲା ।" ଚକୋଲେଟ ପ୍ୟାକେଟଟା ଖୁଡିଙ୍କ ହାତକୁ ବଢ଼େଇ ଦେଇ କହିଲି ।
"ଏତେ ଶୀଘ୍ର ! ଏ ସଞ୍ଜ ବେଳଟାରେ ଶୋଇ ପଡୁଛି !!"
"ହଁ ପରା । ଗାଁ କୁ ଆସିଲେ ପିଲାମାନଙ୍କ ସହ ଦିନସାରା ଖେଳ । ସନ୍ଧ୍ୟା ହେଉ ହେଉ ଶୋଇ ପଡୁଛି ।"
ଦାଣ୍ଡ ଘରେ ମୋତେ ବସିବାକୁ କହି ଭିତରକୁ ଅନେଇ ଭାଉଜଙ୍କ ଉଦ୍ଦେଶ୍ୟରେ କହିଲେ ଖୁଡି,
"ଅରୁ ଆସିଲାଣି । ଫ୍ରୀଜରୁ ଥଣ୍ଡାଟା ଆଣିକି ଦେଲୁ ।"

ଚେୟାରଟା ଟିକେ ଆଗକୁ ଟାଣି ଆଣି ବସିପଡି ଚାରିଆଡକୁ ଆଖି ବୁଲେଇ ଆଣିଲି । ବିଭିନ୍ନ ରଙ୍ଗର ବେଲୁନରେ ସଜା ହୋଇଛି ଦାଣ୍ଡଘରଟି । ରଙ୍ଗୀନ ଜରିର ଝାଲିରି ଲଗା ଯାଇଛି କାନ୍ଥ ଓ କବାଟରେ । ଧାଡ଼ି ଧାଡ଼ି କରି ଦୁଇପଟେ କିଛି ଚେୟାର ଓ ଠିକ ମଝିରେ ରଖା ଯାଇଛି ମାଟିଆ ରଙ୍ଗର ଗୋଟେ ଟେବୁଲ । ସାମନା କାନ୍ଥର ଠିକ ମଝିଆମଝି ଧଳା ବୋର୍ଡରେ ଲେଖା ଯାଇଛି "Happy Birthday RAJA".

ଆଧୁନିକତାର ସ୍ପର୍ଶ ଏବେ ଗାଁକୁ ଚାଲି ଆସିଲାଣି । ଜନ୍ମଦିନ ସେଲିବ୍ରେସନଟା ଆମ ପିଲାଦିନେ ଏମିତି ନଥିଲା । ସକାଳୁ ଗାଧୋଇ ସାରି ନୂଆ ଡ୍ରେସ ପିନ୍ଧା ହେବ । ବୋଉ କି ଜେଜେମା ମୁଣ୍ଡରେ ଲଗେଇ ଦେବେ ଚନ୍ଦନ ଟିପା । ତୁଳସୀ ଚଉଁରା ପାଖରେ ପିଢା ପକେଇ ବସିଲା ପରେ କରାଯିବ ଛୋଟ କାଟର ପୂଜା । କଦଳୀ, ନଡ଼ିଆ ଓ ଚକୁଳି ପିଠା ଭୋଗ । ପାଖ ପଡ଼ିଶା ଦି ଚାରି ଘରେ ବଣ୍ଟା ହେବ ଚକୁଳି ପିଠା । ଆଉ ଯଦି କିଏ ଅଧିକ ବଢ଼େଇକି ପାଳିବାକୁ ଚାହିଁଲେ ତେବେ ଏସବୁ ସହିତ ହେବ କ୍ଷୀରି ଓ ସନ୍ଧ୍ୟାରେ ସତ୍ୟ ନାରାୟଣ ପୂଜା ଏବଂ ଶିରିଣି ଭୋଗ ।

ସମୟ ବଦଳୁଛି । ତା ସହିତ ବଦଳୁଛି ଆମ ପରମ୍ପରା, ଜୀବନ ଶୈଳୀ ଓ ପସନ୍ଦ ନାପସନ୍ଦ ।

"କେକ୍ କଟାଯିବାର ଆୟୋଜନ ହୋଇଛି ବୋଧେ ।" ଅଳ୍ପ ହସି ଖୁଡ଼ିଙ୍କୁ ପଚାରିଲି, "ଆଉ ସନ୍ତୋଷ କୁଆଡେ ଗଲା? ଦେଖା ନାହିଁ ତା'ର ।"

"କେକ୍ ଆଣିବାକୁ ବଜାରକୁ ଯାଇଥିଲା । ଏଇ ସାଙ୍ଗେ ସାଙ୍ଗେ ଆସିଯିବ ।"

ସନ୍ତୋଷ  ମୋ ପିଲାଦିନର ସାଙ୍ଗ । ଗାଁରେ ଦୋକାନଟିଏ ଦେଇଛି । ଡାଲି ଚାଉଳ ଠାରୁ ପାନ ସିଗାରେଟ ପର୍ଯ୍ୟନ୍ତ ସବୁକିଛି ମିଳେ ତା ଦୋକାନରେ । ଆଜି ତା ପୁଅର ଜନ୍ମଦିନ । ଦୁଇ ଝିଅ ପରେ ହୋଇଥିଲା ଏ ପୁଅଟି । ଆଜି ସକାଳେ ଗାଁ ମୁଣ୍ଡରେ ଦେଖା ହେଲା ବେଳେ ବଡ଼ ଜୋରରେ କହିଲା, "ତୋ ଝିଅକୁ ନେଇ ସନ୍ଧ୍ୟାରେ ଆମ ଘରକୁ ଯେମିତି ହେଲେ ଆସିବୁ।"

ଗାଁ କୁ ଆସିଲେ ଆଉ ସାଙ୍ଗସାଥୀଙ୍କ ସହ ଭେଟ ମିଳିବା ସପନ ହେଲାଣି । ଅଧେ ନିଜ କାମଧନ୍ଦାରେ ବ୍ୟସ୍ତ ତ ଆଉ ଅଧେ ଗାଁ ଛାଡି ଦେଲେଣି ଜୀବନ ଜୀବିକା ପଛରେ ଗୋଡେଇ । "ଭଲ ହେଲା । ଏଇ ସୁଯୋଗରେ ଦୁଇ ସାଙ୍ଗ ବସି ଗପସପ ହେବା।" ମୁଁ କହିଦେଇ ଆସିଥିଲି ।

ଦାଣ୍ଡ ଘରେ ବସି ଖୁଡ଼ିଙ୍କ ସହ ଏଣୁ ତେଣୁ ଗପସପ ଚାଲିଲା । ସନ୍ତୋଷର ବୋଉକୁ ମୁଁ ଖୁଡ଼ି ବୋଲି ଡାକେ । ମନେ ମନେ ସନ୍ତୋଷର ଆସିବାକୁ ଅପେକ୍ଷା କରୁଥାଏ । ଭିତର ଘରୁ ପିଲାମାନଙ୍କର ପାଟି ଶବ୍ଦ ଶୁଣି ପଚାରିଲି ଖୁଡ଼ିଙ୍କୁ, "ପିଲାମାନେ ସବୁ ଭିତରେ ଖେଳୁଛନ୍ତି ବୋଧେ?"
"ହଁ । ଛୁଆ ସବୁ ଏଠି ବସି ଛିଣ୍ଡା ଛିଣ୍ଡି କରୁଥିଲେ । ସମସ୍ତଙ୍କୁ ଭିତରେ ଘରେ ବସେଇ ଦେଇଛୁ ।" ଖୁଡ଼ି ପାନ ଚୋବାଉ ଚୋବାଉ କହିଲେ ।

ଠନ୍ କରି କାଚ ପଡି ଭାଙ୍ଗିବାର ଶବ୍ଦଟିଏ ହେଲା ଭିତର ଘରୁ । ତା ପରେ ଶୁଭିଲା ଭେଁ କରି କାନ୍ଦ । କଣ ହେଲା ବୋଲି ଉଠି ଦେଖିବାକୁ ଗଲେ ଖୁଡ଼ି । ତାଙ୍କ ପଛେ ପଛେ ମୁଁ  ।

କାଚ ଗ୍ଲାସଟିଏ ତଳେ ପଡି ଭାଙ୍ଗି ଯାଇଛି । ପାଖରେ ବସି କାନ୍ଦୁଛି ସନ୍ତୋଷ ସାନ ଝିଅ । ଘଟଣାଟା ହେଲା, ଭାଉଜ (ସନ୍ତୋଷର ସ୍ତ୍ରୀ) କାଚ ଗ୍ଲାସରେ ମୋ ପାଇଁ କୋଲଡ ଡ୍ରିଙ୍କସ ଆଣିଲା ବେଳେ ସାନ ଝିଅଟି ଖେଳୁ ଖେଳୁ ଆସି ବାଡେଇ ହୋଇଯାଇଛି । ଗ୍ଲାସଟା ଖସି ପଡିଛି ହାତରୁ । ସେଇ ରାଗରେ ଭାଉଜ ବସେଇ ଦେଇଛନ୍ତି ଦୁଇ ଚାପୁଡ଼ା ସାନ ଝିଅକୁ ।

ଖୁଡି ଯାଇ ସାନ ଝିଅକୁ ଉଠେଇ ଆଣିଲେ । "ତୋର ବୁଦ୍ଧି ସୁଦ୍ଧି କିଛି ନାହିଁ ନା କଣ । ଜନ୍ମଦିନରେ ପିଲାଙ୍କୁ ମାରନ୍ତି? ଛୁଅଟାକୁ କେମିତି ଜନ୍ମଦିନଟାରେ ମାରୁଥିଲୁ?"

ଭାଉଜ ଭଙ୍ଗା କାଚ ଗୋଟାଉ ଥିଲା ବେଳେ ମୋତେ ଦେଖି ଆଉ କିଛି ଉତ୍ତର ଦେଲେନି ଖୁଡିଙ୍କୁ । ଟିକେ ଶାନ୍ତ ହୋଇ କହିଲେ "ଦେଖୁନ କେମିତି ବଦମାସ ହେଉଛନ୍ତି ।"

ଖୁଡ଼ି ନାତୁଣୀକୁ ଧରି ଦାଣ୍ଡ ଘରକୁ ନେଇ ଆସିଲେ । ମୁଁ ତାଙ୍କ ପଛେ ପଛେ ଏପଟ ଘରକୁ ଆସି ପଚାରିଲି ଖୁଡିଙ୍କୁ, "ଜନ୍ମଦିନ କାହାର? ପୁଅର ଜନ୍ମଦିନ ପରା?"
ଝିଅକୁ କାଖରେ ଧରି ବୋଧ କରୁ କରୁ ଖୁଡି କହିଲେ, "ପୁଅ ଆଉ ସାନ ଝିଅ.. ଦୁଇ ଜଣ ଯାକ ଗୋଟିଏ ତିଥିରେ ଜନ୍ମ ହୋଇଛନ୍ତି । ପୁଅ ସାନଟା ବୋଲି ତାର ଖାଲି କେକ୍ କଟା ହେଉଛି ।"
"କାହିଁ ଝିଅ ତ ନୂଆ ଡ୍ରେସ ପିନ୍ଧିନି କି ଚନ୍ଦନ ଟିପା ଲଗେଇନି ?" ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।
"କେତେ ଟଙ୍କା ସେ ଦୋକାନଟାରୁ ରୋଜଗାର ହଉଛି ଯେ ସବୁ ପିଲାଙ୍କ ପାଇଁ କରିବ ! ତମ ଭଳିଆ ଚାକିରୀ ବାକିରି କଣ ଅଛି ତା'ର!" ମୁହଁ ଶୁଖେଇ କହିଲେ ଖୁଡ଼ି ।

ଆହୁରି କିଛି କହୁଥିଲେ ଖୁଡ଼ି  । କିନ୍ତୁ ସେସବୁ ଆଉ ମୋ ମୁଣ୍ଡ ଭିତରେ ପଶୁ ନଥିଲା । ରୁନ୍ଧି ହୋଇ ପଡୁଥିଲି ମୁଁ ଏମାନଙ୍କର ପାତର ଅନ୍ତର ଓ ମାନସିକ ଦାରିଦ୍ର୍ୟତାକୁ ଦେଖି ।


Friday, 24 March 2017

ଭଲ ମଣିଷ

ପୁରୀର ବଡ଼ଦାଣ୍ଡ । ରାସ୍ତା କଡ଼ରେ ସିମେଣ୍ଟ ଅଖାଟିଏ ପାରିଦେଇ କାକୁଡ଼ି ମେଞ୍ଚାଏ ଗଦା କରି ବିକ୍ରି କରୁଥାଏ ଜଣେ ୫୦/୫୫ ବର୍ଷର ବୁଢ଼ୀ ଲୋକ । ପାଖରେ ଥାଏ ପ୍ଲାଷ୍ଟିକ ଡବାରେ ଲୁଣ ଲଙ୍କା ଗୁଣ୍ଡ, କାଟିବା ଓ ଚୋପା ଛଡ଼େଇବା ପାଇଁ ଦୁଇଟି ଛୁରୀ ଏବଂ ଓଜନ କରିବା ପାଇଁ ନିକିତିଟିଏ । ଗୋଟେ ଛୋଟ ପିଢା ଉପରେ ବସି ସେ ବିକୁଥାଏ କାକୁଡ଼ି ।

ସ୍ତ୍ରୀ ଓ ପୁଅ ସହ ବଡ଼ଦାଣ୍ଡରେ ବୁଲୁ ବୁଲୁ ମୋ ନଜର ପଡିଲା କାକୁଡ଼ି ଉପରେ । 
"ମାଉସୀ, କାକୁଡ଼ି କେତେ ଟଙ୍କା ?"
"ଗୋଟାକୁ ପାଞ୍ଚ ଟଙ୍କା, କେଜି ତିରିଶ ଟଙ୍କା ।"
"ତିନିଟା ଦିଅ ମାଉସୀ ।"
ମାଉସୀ ତିନିଟା କାକୁଡ଼ି ସାମ୍ନାରୁ ଉଠାଇଲା ବେଳେ ସ୍ତ୍ରୀ କହିଲେ, "ନା ନା, ବଡ଼ ଗୁଡାକ ଦିଅନି । ମଞ୍ଜି ହୋଇଯାଇଥିବ । ସେ ଛୋଟ ଛୋଟ କଷି କାକୁଡ଼ିରୁ ଦିଅ ।"
ତିନିଟା କଷି କାକୁଡି ବାଛି ପାଖରେ ରଖିଥିବା ପାଣି ଡବାରେ ବୁଡେଇ ଭଲକି ଧୋଇଦେଲା ମାଉସୀ । ଚାରି ଫାଳ କରି କାଟି, ସେଥିରେ ଲୁଣ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଆମ ହାତକୁ ବଢ଼େଇ ଦେଲା ।

କଷି କାକୁଡ଼ିକୁ ଏମିତି ଲୁଣ ଲଙ୍କା ଗୁଣ୍ଡ ଦେଇ ଖାଇବାର ମଜା ଅଲଗା । ଗଜା ମୁଗ, କଞ୍ଚା ଲଙ୍କା, ଟମାଟୋ ମିକ୍ସ ପରେ ଏଇଟା ମୋର ସବୁଠାରୁ ପ୍ରିୟ ଷ୍ଟ୍ରିଟ ସାଇଡ୍ ଖାଦ୍ୟ ।
କାକୁଡ଼ି ଖାଉଥିଲା ବେଳେ ମାଉସୀ ପଚାରିଲା ଆମ ପୁଅକୁ,
"କେମିତି ଲାଗୁଛି କାକୁଡ଼ି?"
ପୁଅ ହସି ଦେଇ କହିଲା, ଭଲ ଲାଗୁଛି ।
ମୁଁ ପଚାରିଲି, "ଆଉ ଖାଇବୁ କି?"
ପୁଅ ହଁ କଲା ।
ସ୍ତ୍ରୀ କହିଲେ, "ମୋର ବି ଆଉ ଗୋଟେ" ।

ଆଉ ତିନିଟା କାକୁଡ଼ି ଦେବା ପାଇଁ କହିଲି । ଏଥର ମାଉସୀ ତା ପସନ୍ଦରେ କାକୁଡ଼ି ତିନୋଟି ବାଛିଲା । ପାଣିରେ ଧୋଇଦେଇ କାଟି, ଲୁଣ ଲଙ୍କା ଗୁଣ୍ଡ ଦେଇ ବଢ଼େଇ ଦେଲା ଆମ ହାତକୁ । ଆମେ ମହାଆନନ୍ଦରେ କାକୁଡ଼ି ଖାଉଥିଲା ବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବଙ୍ଗାଳି ପରିବାର । ସ୍ୱାମୀ, ସ୍ତ୍ରୀ ଓ ଛୁଆ ଦୁଇଟି ।
"ମାସି ମା', କତୋ କରି ଶଶା?" ପଚାରିଲେ ବଙ୍ଗାଳି ଭଦ୍ର ବ୍ୟକ୍ତି ।
"ପାଞ୍ଚ ଟାକା କରି । କେଜି ତିରିଶ ।"
"ଅତୋ ଦାମ !"
ମୁହଁକୁ ଆଶ୍ଚର୍ଯ୍ୟ ରକମ କରି ଅଧ କେଜିଏ କାକୁଡ଼ି ଓଜନ କରିବା ପାଇଁ ସେ କହିଲେ ମାଉସୀକୁ । ବାଛି ବାଛି ଛଅ ସାତଟା ପକେଇଲେ ମାଉସୀ ନିକିତିରେ। ଓଜନ କଲାରୁ ଅଧ କେଜିରେ ଛଅଟା ଉଠିଲା । ମାଉସୀ ଗୋଟେ ପଲିଥିନ ଜରିରେ କାକୁଡ଼ି ତକ ପୁରେଇ ବଢ଼େଇ ଦେଲା ବଙ୍ଗାଳି ଭଦ୍ର ବ୍ୟକ୍ତିଙ୍କ ହାତକୁ । ସେମାନେ କାକୁଡି ଧରି ମାଉସୀକୁ ପନ୍ଦର ଟଙ୍କା ଦେଇ ଚାଲିଲେ ନିଜ ବାଟରେ ।

ମୁଁ ଅନେଇଲି ସ୍ତ୍ରୀଙ୍କୁ ଓ ସ୍ତ୍ରୀ ମୋତେ । ମନେ ମନେ ଭାବିଲୁ, କେଡେ ବୋକା ସତରେ ଆମେ । ଛଅଟା କାକୁଡି ଆମେ ବି କିଣିଲୁ । କିନ୍ତୁ ଏବେ ତିରିଶ ଟଙ୍କା ଦେବୁ । ସେମାନେ ପନ୍ଦର ଟଙ୍କାରେ ସମାନ କାକୁଡି ନେଇ ଚାଲିଗଲେ । ଛାଡ଼ ଏମିତି ହୁଏ ବେଳେ ବେଳେ । ମୁଁ କିଛି ନକହି ବୁଢୀ ମାଉସୀ ହାତକୁ ବଢ଼େଇ ଦେଲି ତିରିଶ ଟଙ୍କା । ପଇସାକୁ ବ୍ୟାଗରେ ରଖୁ ରଖୁ ଟିକେ କଣ ଭାବି ସେ ଦଶ ଟଙ୍କାଟିଏ ଫେରାଇ ଦେଲା ମୋତେ ।

"ଅଧିକ ପଇସା ତମଠାରୁ ନେବିନି ପୁଅ । ଅବିଚାର ହୋଇଯିବ ।"

ମାଉସୀ ଠାରୁ ଦଶ ଟଙ୍କା ଆଣିଲା ବେଳେ ଭାବୁଥିଲି, କେତେ ଧନୀ ହୋଇଥିବେ ଏମାନେ !! ଦଶ ଟଙ୍କାର ମୂଲ୍ୟ ଆମ ତୁଳନାରେ ତାଙ୍କ ପାଖରେ ନିଶ୍ଚୟ ବେଶୀ ହେବ । ହେଲେ ମୁଁ କିଛି କହି ନଥିଲେ ବି ସେ ନିଜ ତରଫରୁ ଫେରେଇ ଦେଲା ମୋତେ ଦଶ ଟଙ୍କା ।

କିଏ କହୁଛି ଏ ଦୁନିଆରେ ଭଲ ଲୋକ ନାହାନ୍ତି ବୋଲି । ଏମିତି ଅନେକ ଲୋକ ଆମ ସମସ୍ତଙ୍କ ଆଖପାଖରେ ଅଛନ୍ତି । ଆମ ଚାରିପଟେ ଏମିତି ଛୋଟମୋଟ ଘଟଣା କାହିଁ କେତେ ଘଟୁଛି ନିତିଦିନ । କାର୍ଯ୍ୟବ୍ୟସ୍ତ ଜୀବନ ଭିତରେ ଏସବୁ ଘଟଣା ଉପରେ ଆମର ଧ୍ୟାନ ଯାଏନି । ହେଲେ ଏସବୁ ଯୋଗୁ ହିଁ ଏ ପୃଥିବୀଟା ଏତେ ସୁନ୍ଦର ହୋଇ ରହିଛି ଆଜି ପର୍ଯ୍ୟନ୍ତ ।

ଯାଉ ଯାଉ ଟିକେ ଅଟକି ଗଲି । କ୍ୟାମେରା ବାହାର କରି ଟିକେ ଦୂରରୁ ମାଉସୀର ଫୋଟୋ ଗୋଟେ ଉଠେଇଲି । ମୁଁ ତା'ର ଫୋଟୋ ଉଠାଉଥିବାର ଦେଖି ଅଳ୍ପ ହସିଦେଲା ସେ ।


Tuesday, 21 March 2017

ଦୃଷ୍ଟିକୋଣ

Egg roll ଦୁଇଟା କାଗଜରେ ଗୁଡ଼ାଇ ବଢ଼ାଇ ଦେଲା ମୋ ହାତକୁ ଦୋକାନି ବାଲା । ଗୋଟେ ବାଁ ହାତରେ ଧରି ଆରଟି ପାଖରେ ଛିଡା ହୋଇଥିବା ସ୍ତ୍ରୀଙ୍କ ହାତକୁ ବଢ଼େଇ ଦେଲି । ରୋଲରୁ କଳେ ଖାଉ ଖାଉ ସ୍ତ୍ରୀ କହିଲେ,

"ଆମ ଓଡ଼ିଶାର egg roll ଭଳି ଟେଷ୍ଟ ଏଠିକା ରୋଲରେ ନାହିଁ । ଚିକେନରେ ବହୁତ ମସଲା ଦେଉଛନ୍ତି ଏପଟେ । ନୁହେଁ?"

ମୁଣ୍ଡ ହଲେଇ ସମ୍ମତ୍ତି ଜଣେଇଲି ମୁଁ ଆଉ କଳେ ଖାଉ ଖାଉ ।

ସନ୍ଧ୍ୟା ସମୟ ।  Shopping mall ଆଗରେ ଥିବା ଏ ଦୋକାନଟିରେ ଭଲ ଭିଡ଼ ଥାଏ । ଆଜିକାଲି ସହର ମାନଙ୍କରେ ଅବସର ବିନୋଦନର ଗୋଟେ ବଡ଼ ମାଧ୍ୟମ ହୋଇଛି weekendରେ Shopping mall ରେ ବୁଲିବା ।

କେହି ଜଣେ ପଛରୁ ଆସି ଗୋଡ଼କୁ ଧରିଲା ଭଳି ଲାଗିଲା । ଖାଉ ଖାଉ ଚମକି ପଡିଲି ମୁଁ । ନିହାତି ଅପରିଷ୍କାର ଅପରିଚ୍ଛନ୍ନ ଦେଖାଯାଉଥିବା ସାତ ଆଠ ବର୍ଷର ପିଲାଟିଏ । ଖାଇଲା ବେଳେ ଏମାନେ ଆସି ଏମିତି ହୁଅନ୍ତି ଯେ ଜଣେ ଭଲ ଲୋକଟିଏ ବି ବିରକ୍ତ ହୋଇଯିବ । ଚିଡ଼ିଯାଇ ଭୁଡ଼ଟେ ପକାଇଲି । ପିଲାଟି ପଳେଇଗଲା ସେଠାରୁ ।

ଆଗରେ ଜଣେ ଭଦ୍ର ମହିଳା ନିଜ ତିନି ଚାରି ବର୍ଷର ପିଲାକୁ କାନ୍ଧରେ ପକାଇ ଛିଡା ହୋଇଥାନ୍ତି । ବୋଧେ ଦୋକାନିକୁ order ଦେଇଥିବା roll ପାଇଁ ଅପେକ୍ଷା କରିଥାନ୍ତି ସେ । ଏ ପିଲାଟି ଆମ ପାଖରୁ ଯାଇ ପହଞ୍ଚିଗଲା ସେ ମହିଳାଙ୍କ ପାଖରେ । ତାଙ୍କ ଗୋଡ଼ ପାଦକୁ ଧରି ଗୁପଚୁପ ଖାଇବାକୁ ମାଗିଲା । ମହିଳା ଜଣକ ଟିକେ ଅପ୍ରସ୍ତୁତ ହୋଇଗଲେ । ଆଖି ବୁଲେଇ ତାଙ୍କ ସ୍ଵାମୀଙ୍କୁ ଖୋଜିଲେ । ଟିକେ ଦୂରରେ ଫୋନରେ କଥା ହେଉଥାନ୍ତି ତାଙ୍କ ସ୍ୱାମୀ । ମହିଳା ଜଣକ ତାଙ୍କୁ ଡାକିବାରୁ ପିଲାଟି ସେ ଜାଗାରୁ ଛାଡି ପଳାଇବାକୁ ଉଦ୍ୟତ ହେଲା । ମହିଳା ଜଣକ ହାତ ଠାରି ତାକୁ ରହିବାକୁ କହିଲେ । ସ୍ୱାମୀଙ୍କ ପାଖରୁ ଦଶ ଟଙ୍କାଟିଏ ଆଣି ପିଲାଟି ହାତକୁ ବଢ଼େଇ ଦେଲେ । ପିଲାଟି ମୁହଁରେ ହସ ଉକୁଟି ଆସିଲା ।

କାହିଁକି କେଜାଣି ଏସବୁ ଦେଖି ଭାରି ଖରାପ ଲାଗିଲା ମୋତେ । ଭଦ୍ର ମହିଳାଙ୍କ ବ୍ୟବହାରରେ ମୁଁ ବହୁତ ଛୋଟ ହୋଇ ଯାଉଥିଲି । ସ୍ତ୍ରୀଙ୍କୁ ଚାହିଁଲି । ତାଙ୍କ ମୁହଁରେ ବି ସମାନ ଭାବ । ଛୋଟ ପିଲାଟି ଗୁପଚୁପ ଖାଇବାକୁ ବିକଳ ହୋଇ ମାଗୁଥିଲା ପଇସା କିଛି । ତା କଥା ନ ଶୁଣି ମୁଁ ବିରକ୍ତ ହେଲି ତା ଉପରେ । ମୋର ମୋ ଛୋଟ ବେଳର ଅଳି ଅଝଟ କଥା ମନେ ପଡିଯାଉଥିଲା । ଗାଁ' କୁ ଆଇସକ୍ରିମ ବାଲା ଆସିଲେ କେମିତି ବୋଉକୁ ପଇସା ମାଗୁଥିଲୁ ଆମେ । ଯଦି ବୋଉ ହାତରୁ ପଇସା ମିଳି ଯାଉଥିଲା, ସେ ଖୁସି କହିଲେ ନସରେ । ଗୋଟେ ଗରିବ ପିଲାକୁ ଆଜି ସେ ଖୁସି ଟିକକ ଦେବାରୁ ବଞ୍ଚିତ କଲି ମୁଁ । ପାଞ୍ଚ, ଦଶ ଟଙ୍କାର ଗୁପଚୁପ ପିଲାଟିକୁ ଖାଇବାକୁ ଦେଇ ଦେଇଥିଲେ କଣ ଏମିତି ସରି ଯାଇଥାନ୍ତା !!  କେତେ ଟଙ୍କା ତ ଏମିତି ଆଲତୁ ଫାଲତୁରେ ଖର୍ଚ୍ଚ ହୋଇଯାଉଛି ।

ପିଲାଟି ଟଙ୍କେ, ଦୁଇ ଟଙ୍କା ଆଶାରେ ବୁଲି ମାଗୁଥିଲା ବେଳେ ଦଶ ଟଙ୍କା ପାଇ ଖୁସିରେ ଚାଲି ଯାଉ ଯାଉ କଳା ରଙ୍ଗର କାରଟିଏ ଆସି ଅଟକିଲା ତା ଆଗରେ । କାର ଭିତରୁ ବାହାରିଲେ ଜଣେ ଅତ୍ୟାଧୁନିକା ମହିଳା । କାନ୍ଧରେ କଳା ରଙ୍ଗର ଭ୍ୟାନିଟି, ମୁଣ୍ଡ ଉପରେ ଚଷମା ।

ପିଲାଟି ସଙ୍ଗେ ସଙ୍ଗେ ନୋଟଟିକୁ ପକେଟରେ ପୁରେଇ, ଯାଇ ଧରି ପକେଇଲା ସେ ମହିଳାଙ୍କ ଗୋଡ଼ । ଆଉ ବିକଳ ହୋଇ ମାଗୁଥିଲା, "ଗୁପଚୁପ ଖାଇବି, ଗୁପଚୁପ.."