Sunday 18 November 2018

The Color Purple - ରଙ୍ଗ ବାଇଗଣି

1985 ମସିହାର ଫିଲ୍ମଟି । ସ୍ପିଲବର୍ଗଙ୍କ ଦ୍ୱାରା ନିର୍ଦ୍ଦେଶିତ । ଓସ୍କାର ଫିଲ୍ମ ପାଇଁ ମନୋନିତ ହୋଇଥିଲେ ବି ଜିତିପାରି ନଥିଲା ।


ଫିଲ୍ମଟି ଦୁଇ କୃଷ୍ଣକାୟ ଭଉଣୀଙ୍କ ଉପରେ ପର୍ଯ୍ୟବେଷିତ ଯଦିଓ ଫିଲ୍ମର ମୁଖ୍ୟ ଚରିତ୍ର ବଡ ଭଉଣୀ । ଫିଲ୍ମଟି ସମାନ ନାଁରେ ପ୍ରକାଶିତ ଉପନ୍ୟାସ ଉପରେ ଆଧାରିତ ।

ନାରୀ ଅବଳା, ଦୂର୍ବଳା । ପରିବାର, ଘର, ସମାଜ, ପ୍ରକୃତି ତଥା ଭାଗ୍ୟ ସହ ତାର ସଂଘର୍ଷ ପ୍ରତି କ୍ଷଣରେ । ସଂଘର୍ଷର ବି ଗୋଟେ ସୀମା ଥାଏ । କାହା କାହା ସହ ଲଢିବ ସେ ! ପରେ ନିଜକୁ ସମର୍ପିତ କରିଦେବାକୁ ପଡେ ଏ ବିଶାଳ ଶକ୍ତି ମାନଙ୍କ ଆଗରେ । ନିଜ ସାମର୍ଥ୍ୟ ଉପରେ ସୃଷ୍ଟି ହୁଏ ସନ୍ଦେହ । ଶେଷକୁ ମୁଣ୍ଡ ନୁଆଁଇ ମାନିନେବାକୁ ପଡେ ସବୁକିଛି ।

ଏଇ ହେଉଛି ନାରୀର କାହାଣୀ । ଖାଲି ଯାହା ମଞ୍ଚଟି ବଦଳୁଥାଏ । ଫିଲ୍ମର ମୁଖ୍ୟ ଚରିତ୍ର ସେଲି ବି ନିଜକୁ ସମର୍ପି ଦେଇଥିଲା ବିନା ଲଢେଇରେ । ହେଲେ ସେଲିର ଜୀବନରେ ଆସନ୍ତି ଏମିତି କିଛି ନାରୀ ଚରିତ୍ର ଯେଉଁମାନଙ୍କୁ ଦେଖି ସେ ଲଢେଇ କରିବାକୁ ସାହାସ ଜୁଟାଏ । ଯଦିଓ ପୁରାପୁରି ନିଜକୁ ଠିଆ କରି ପାରେନି । ଶେଷକୁ ନିଜ ସାନ ଭଉଣୀର ପୁରୁଣା ଚିଠି ସବୁ ମିଳେ ତାକୁ । ଚିଠି ଗୁଡିକୁ ପଢି ସେଲି ଅନୁପ୍ରାଣିତ ହୁଏ, ସାହାସ ଜୁଟାଏ ଓ ଶେଷରେ ସଫଳ ହୁଏ ।

ଫିଲ୍ମ ତ ନୁହେଁ ଇଏ । ଚିତ୍ରକରର କାନଭାସ ଟିଏ ଅବା ଲେଖକର ଉପନ୍ୟାସ ଟିଏ ସିଏ । ମୁଖ୍ୟ ଚରିତ୍ରରେ ଜଣେ କୃଷ୍ଣକାୟ ଅଭିନେତ୍ରୀ । ଆମ ଆଡିକା ଫିଲ୍ମ ଇଣ୍ଡଷ୍ଟ୍ରୀ ହୋଇଥିଲେ ତାଙ୍କୁ ମୁଖ୍ୟ ଚରିତ୍ର ଛାଡ, କୌଣସି ସହ-ଅଭିନେତ୍ରୀର ଭୂମିକା ଯେ ମିଳିଥାନ୍ତା ମୋର ସନ୍ଦେହ । ନିର୍ଦ୍ଦେଶକଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ବର୍ଷର ବିଭିନ୍ନ ଋତୁକୁ ଏତେ ସୁନ୍ଦର ଭାବେ ପରଦାରେ ତୋଳିଛନ୍ତି ନଦେଖିଲେ ବିଶ୍ୱାସ କରିହେବନି । ଚରିତ୍ର ଗୁଡିକୁ ଏମିତି ଜୀବନ୍ତ କରି ପରଦାରେ ଛାଡିଛନ୍ତି ଯେ ସେମାନେ ଆମ ଆଖପାଖର ଚରିତ୍ର ଭଳି ଲାଗିବେ ।
  

No comments:

Post a Comment