Showing posts with label ନୋକସାନି. Show all posts
Showing posts with label ନୋକସାନି. Show all posts

Wednesday, 5 October 2016

ସର୍ଜିକାଲ ଆକ୍ରମଣ


କିଛି ଦିନ ହେବ ପରେଶାନ କରି ଆସୁଥିଲେ ସେ ଶତ୍ରୁ ଦଳ ମୋତେ । ନିଦ ହଜି ଯାଇଥିଲା ମୋର । ସବୁ ଶାନ୍ତି ଚାଲି ଯାଇଥିଲା ଜୀବନରୁ । ଦୁଃଶ୍ଚିନ୍ତା ଓ ଅନିଦ୍ରାରୁ ବଦହଜମି ହୋଇ ମନ ଶରୀର ପୁରା ଦୁର୍ବଳ ହୋଇଯାଇଥିଲା । ମୁଁ ଅନେକ କଷ୍ଟ ଭୋଗୁଥିଲି । ଜୀବନ ହୋଇ ଯାଇଥିଲା ଦୁର୍ବିସହ । ମୁଁ ଥିଲି ଦୁଃଖୀ ।

ସେମିତି କିଛି ପୁରୁଣା ଶତ୍ରୁତା କି ଜମିଜମା ଗଣ୍ଡଗୋଳ ନଥିଲା ସେମାନଙ୍କ ସହ । ତଥାପି ସେମାନେ ଆରମ୍ଭ କରି ଦେଇଥିଲେ ଏକପାଖିଆ ଅଘୋଷିତ ଯୁଦ୍ଧ । ରକ୍ତମୁଖା ହୋଇ ପଡିଥିଲେ ସେମାନେ । ରାତିର ଅନ୍ଧକାରର ସୁଯୋଗ ନେଇ ସେମାନେ କରୁଥିଲେ ବାରମ୍ବାର ହମଲା ।

ସାମନା ସାମନି ଯୁଦ୍ଧରେ ଦଳି ମକଚି ସେମାନଙ୍କ ସତ୍ତା ହଜେଇ ଦେବାକୁ ମିନିଟଟିଏ ସମୟ ଲାଗି ନଥାନ୍ତା ମୋତେ କିନ୍ତୁ ସେମାନେ କରୁଥିଲେ ଭୀରୁ କାପୁରୁଷ ପରି ଲୁଚାଛପା ଆକ୍ରମଣ । ଅତିଷ୍ଠ ହୋଇ ପଡୁଥିଲି ମୁଁ । ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ LOCରେ  ଜାଲ ବି ମଡ଼େଇ ଦେଇଥିଲି । ହେଲେ ସେମାନେ ଥିଲେ ଧୂର୍ତ୍ତ । ଗଳି ଛପି ଚାଲି ଆସୁଥିଲେ ଏ ପଟକୁ । ମୁଁ  ପରେଶାନ ହୋଇ ଯାଉଥିଲି ଦିନକୁ ଦିନ ।

ଦିନକର ଘଟଣା । ସମୟ ମଧ୍ୟରାତି । ଭାତଖିଆ ନିଦଟା ସାମାନ୍ୟ ଲାଗି ଆସିଛି ଆଖିକୁ । ସେମାନେ ପୁଣିଥରେ ଆରମ୍ଭ କରିଦେଲେ ଅତର୍କିତ ଆକ୍ରମଣ । ଯୁଦ୍ଧ ଚିତ୍କାର ଦେଇ ଝପଟି ଆସିଲେ | କିଟିକିଟି ଅନ୍ଧାରରେ ଜଣା ପଡୁ ନଥାଏ ସେମାନଙ୍କ ରକ୍ତମୁଖା ଚେହେରା।

ଚାଉଁକିନା ଭାଙ୍ଗିଗଲା ନିଦ ।

ନା ଆଉ ହେବନି । ଆଜି ହିଁ ଦେବାକୁ ହେବ ସେମାନଙ୍କୁ ଉଚିତ ଶିକ୍ଷା । ପୂର୍ବରୁ କରିଦେଇଥିଲି ମୁଁ ପ୍ରସ୍ତୁତି । ଚୀନର କୁଶଳୀ ବୈଜ୍ଞାନିକ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଟିକୁ ସଜିଲ କରି ଲୁଚାଇ ରଖିଥିଲି ଆଗରୁ । ଘାଲେଇ ହୋଇ ପଡି ରହି ଅପେକ୍ଷା କଲି ସେମାନଙ୍କ ଆସିବା ଶବ୍ଦକୁ । ଯୁଦ୍ଧ ଚିତ୍କାର କ୍ରମେ ପାଖେଇ ଆସିଲା ।

3..2..1.. ହର ହର ମହାଦେବ କହି ଆରମ୍ଭ କରିଦେଲି ମୁଁ ଅନ୍ଧାଧୂନିଆ ଘମାଘୋଟ... ସର୍ଜିକାଲ ଷ୍ଟ୍ରାଇକ ।

ଢ଼ୋ ଢା ଶବ୍ଦ ଚିରି ପକାଉଥାଏ ରାତ୍ରିର ନୀରବତାକୁ । ମୋ ଚିନା ପ୍ରସ୍ତୁତ ଅସ୍ତ୍ରର ଆଘାତରେ ଟଳି ପଡୁଥାନ୍ତି ଶତୃଗଣ । ଶତ୍ରୁ ବଂଶ ନିପାତ କରିଦେବାର ଭୁତ ସବାର ହୋଇଥାଏ ମୋ ମୁଣ୍ଡରେ ।

ଦୁର୍ଦ୍ଧଷ କଳିଙ୍ଗର ରକ୍ତ ପ୍ରବାହିତ ହେଉଛି ମୋ ଧମନୀରେ । ଆଜି ଦୟା ମାୟାର କୌଣସି ସ୍ଥାନ ନାହିଁ । ଗୋଟି ଗୋଟି କରି ଟଳି ପଡୁଥାନ୍ତି ଶତାଧିକ ଶତ୍ରୁ । ବିଜୟର ଉଲ୍ଲାସରେ ମୁଁ ହୋଇ ପଡୁଥାଏ ଆତ୍ମହରା ।

ସର୍ଜିକାଲ ଷ୍ଟ୍ରାଇକ ସଫଳ ।
ଜିରୋ କାଜୁଆଲିଟି ମୋ ପଟରୁ । ଶତ୍ରୁକୁ ମୂଳ ସହ ଉପାଡି ଫିଙ୍ଗି ଦେଇଛି ଆଜି..





"ଅଜା, ଅଣ୍ଡାବାଲା ନଟିଆ କେବିନ ତଳୁ ଗୋଟେ ଅଣ୍ଡା ପେଟିର ଖୋଳ ନେଇ ଜଳେଇ ଦେଲନି ? ଏତେ କାମ କରୁଥିଲ ରାତି ଅନିଦ୍ରା ହୋଇ !"

"ତୋ ମୁଣ୍ଡ ଗଣ୍ଡି । ଶ.. ଅକାଳ କୁଷ୍ମାଣ୍ଡ କୋଉଠିକାର । ଦେଖେଇ ଦେଲୁ ତୋ ପାନବାଲା ବୁଦ୍ଧି । ତୁ ଟା କିଛି କରି ପାରିବୁନି ଜୀବନରେ । ଏଇମିତି ଖାଲି ପାନ ପତରରେ ଚୁନ ଘଷୁଥିବୁ ସାରା ଜୀବନ"

ମୋ ସିଂହ ଗର୍ଜନ ଦେଖି ଶ୍ଵାନ ଲାଞ୍ଜ ଜାକିଲା ଭଳିଆ ଚୁପ ହୋଇ ବସିପଡିଲା ଦୁନା । ପାଖରେ ଛିଡା ହୋଇ ଶୁଣୁଥିବା ନୋକା, ଦାମ, ଶାମ, ଗୋପାଳ ସବୁ ଚିଡି ଉଠିଲେ ଦୁନା ଉପରେ ଏକାବେଳକେ ।

ପାନ ଖଣ୍ଡେ ବଟୁଆରୁ ବାହାର କରି କଳରେ ଜାକୁ ଜାକୁ କହିଲି, "ଆରେ ବୋକା, ଏଇଟା ହେଲା ସର୍ଜିକାଲ ଷ୍ଟ୍ରାଇକ । ବିନା ନୋକସାନିରେ ବିନା ଧନ ଜୀବନ ହାନୀରେ କରାଯାଏ ଏ ଆକ୍ରମଣ । ଖବରକାଗଜରେ ଦେଖୁନୁ ମୋଦି କେମିତି ସେଇମିତିଆ ଗୋଟେ ସର୍ଜିକାଲ ଆକ୍ରମଣ କରି ପାକିସ୍ତାନିଆଙ୍କ ହଂସା ଉଡେଇ ଦେଇଛି । 
କିରେ ଅଣ୍ଡାଖୋଳ ହେଉ କି କଛୁଆ ଛାପ ଧୂପ କିମ୍ବା ଗୁଡ଼ନାଇଟ କାଗଜ, ଏସବୁ ଜାଳିଲେ ଜୀବନ ପ୍ରତି ବିପଦ । ଫୁସଫୁସରେ ହେବ ଯାବତୀୟ ରୋଗ । ଆମେରିକା ବୈଜ୍ଞାନିକ ପରା ସେଥିପାଇଁ ଏସବୁକୁ ବ୍ୟାନ କରି ଦେଇଛନ୍ତି ତାଙ୍କ ଦେଶରେ । ହେଲେ ଅତ୍ୟାଧୁନିକ ଚାଇନିଜ ଜ୍ଞାନ କୌଶଳରେ ନିର୍ମିତ ମଶାମରା ବାଡ଼ିକୁ ଯଦି ଥରେ ବୁଲେଇ ଦିଆଯାଏ, ମଶା ସବୁ ତତକ୍ଷଣାତ ମରି ଶୋଇବେ । 440 ଭୋଲଟର ଝଟକା ଏମିତି ଲାଗିବ ସେମାନଙ୍କୁ, ମନର ସବୁ ଓରିମନା ମେଣ୍ଟିଯିବ ସେ ଦୃଶ୍ୟ ଥରେ ଦେଖିଦେଲେ ନୟନରେ । ଦେହକୁ ହିତ, ଶତ୍ରୁ ନିପାତ ।
ଏଥର ବୁଝିଲୁଟି ବାପା ଦୁନା । ସର୍ଜିକାଲ ଷ୍ଟ୍ରାଇକର କରାମତି ।"

ସବୁ ବୁଝିଲା ପରି ମୁଣ୍ଡ ଟୁଙ୍ଗାରି ଦେଇ ନିଜ ଆଗ ଧାଡ଼ିଆ ଖଇରିଆ ଦାନ୍ତ ଆଠୋଟି ଦେଖେଇ ହସିଦେଲା ଦୁନା ।

ମୁଁ କହିଲି ହଉ ଆଉ ଚାରିଟା ପାନ ଦେ ମୁଁ ଘରକୁ ଯାଏ । ପାନ ଉପରେ ଚୁନ କାଠିଟା ଘଷୁ ଘଷୁ କହିଲା ଦୁନା, "ଅଜା, ଏଟାକୁ ଲଗେଇ ତମର ହେଲା ଶହେ ଏକୋଇଶି ଟଙ୍କା ।"

"ରହ, ପୁରୁଣା ରେଡ଼ିଓ ବାଲା ପାଉଣା ଗଣ୍ଡାକ ଦେଲେ ତୋ ବାକି ପଇସା ସବୁ ଏକାଦିନେ ଶୁଝି ଦେବିନି ।"

ପାନ ଚାରିଟା ଭାଙ୍ଗି ଜରିରେ ପୁରେଇ ମୋ ହାତକୁ ବଢେଇ ଦେଉ ଦେଉ କହିଲା ଦୁନା, "ଅଜା, ରେଡ଼ିଓ ବାଲା ଯଦି ପାଉଣା ନଦେବେ ମୋ ପଇସା ବୁଡିବ ନା କଣ?"

"କାହିଁ ବ୍ୟସ୍ତ ହେଉଛୁ?" ଲୁନାଟାକୁ ଗୋଡ଼ରେ ଷ୍ଟାର୍ଟ ମାରି ବସି ପଡି ଧୋତିଟାକୁ ସାଇଜ କରୁ କରୁ କହିଲି,  "କିରେ ଦେବେନି ଯିବେ କୁଆଡେ ! ନହେଲେ ଅଜା ସେଠି ବି କରିଦେବ ଗୋଟେ ସର୍ଜିକାଲ ଅପରେସନ..ହେ ହେ ।"

ଦୁନାର ପ୍ରତିକ୍ରିୟାକୁ ଅପେକ୍ଷା ନକରି ଲୁନାକୁ ଭୁଁ କିନା ମୋଡି ମୁଁ ଚାଲିଲି ମୋ ବାଟରେ । ପଛରେ ଉଡୁଥିଲା ସାଇଲେନ୍ସର ପାଇପରୁ ଭୁଷ ଭୁଷ ଧୁଆଁ..

                               ମଶାଙ୍କୁ ନମଣିବ ଛାର,
                               ମଶାଯେ ସାକ୍ଷାତ ଅସୁର