Showing posts with label ପଖାଳ ଦିବସ. Show all posts
Showing posts with label ପଖାଳ ଦିବସ. Show all posts

Saturday, 31 December 2016

ନିଧି ଅଜାର ଆତ୍ମକାହାଣୀ

ପୂର୍ବ କମ୍ପାନୀରୁ resignation ଦେଇ ନୋଟିସ ପିରିୟଡ଼ରେ ଥାଏ । ନୋଟିସ ପିରିୟଡ଼ର ଅନ୍ତିମ ଦୁଇ ସପ୍ତାହ  । ବିଶେଷ କିଛି କାମ ନଥାଏ । ଏଇ ଫାଙ୍କା ସମୟରେ ଏମିତି ଏକ ଖିଆଲ ଆସିଲା, ଯାହା ପରବର୍ତ୍ତୀ ସମୟରେ ନିଧି ଅଜା ଚରିତ୍ରକୁ ଜନ୍ମ ଦେଲା । ଟ୍ୱିଟରରେ ଓଡ଼ିଆରେ କିଛି ମଜାଳିଆ ଟ୍ୱିଟ ଲେଖିବା ପାଇଁ ତିଆରି କଲି ଏହି ପ୍ରୋଫାଇଲଟି ।

ଯେ କୌଣସି କାଳ୍ପନିକ କିମ୍ବା parody ପ୍ରୋଫାଇଲ କଲାବେଳେ ଏହାର ନାମକରଣ ବେଶ୍ ଗୁରୁତ୍ୱ ବହନ କରିଥାଏ  । ସ୍ଥିର କଲି profile ଟିର ନାଁ ଏମିତି ଏକ ଓଡ଼ିଆ ଚରିତ୍ର ଉପରେ ରଖିବି ଯାହାକୁ ନେଇ ଭବିଷ୍ୟତରେ କୌଣସି ବିବାଦ ସୃଷ୍ଟି ହେଉନଥିବ ଏବଂ ସବୁ ବର୍ଗର ଲୋକେ ବିନା ଦ୍ଵିଧାରେ follow କରିପାରୁଥିବେ । ତେଣୁ ଚିରାଚରିତ ପ୍ୟାରୋଡି ଏକାଉଣ୍ଟ ବଦଳରେ ଆମ ପିଲାବେଳର କାଳ୍ପନିକ ଚରିତ୍ର ନିଧି ବୁଢାକୁ ବାଛିଲି । ଯେହେତୁ ନିଧି ବୁଢ଼ା ନାଁ'ଟା ଟିକେ ଶ୍ରୁତିକଟୁ ଥିଲା ତେଣୁ ନାଁ'ରେ ଟିକେ ପରିବର୍ତ୍ତନ କରି ନିଧିଅଜା ରଖିଦେଲି । ପ୍ରଥମେ ଲକ୍ଷ୍ୟ ଥିଲା, ସାମ୍ପ୍ରତିକ ପରିସ୍ଥିତିକୁ ନେଇ କିଛି ମଜା ମଜା କଥା ପୁରା ଖାଣ୍ଟି କଥିତ ଓଡ଼ିଆରେ ଟ୍ୱିଟ କରିବି । କ୍ରମେ ଏହା ସହିତ ଛୋଟ କବିତା ସବୁ ଯୋଡିଲି ।

ଅନେକ ଯୁବ ବର୍ଗ ତତକ୍ଷଣାତ ଏ ଏକାଉଣ୍ଟକୁ ପସନ୍ଦ କରିବା ଆରମ୍ଭ କରିଦେଲେ । କିଛି ଓଡ଼ିଆ ଟ୍ରେଣ୍ଡ (ଯଥା ପଖାଳ ଦିବସ, ଉତ୍କଳ ଦିବସ ଇତ୍ୟାଦି) ସହାୟତାରେ ଏ ଏକାଉଣ୍ଟ ପହଞ୍ଚିଲା ଅନେକ ଓଡ଼ିଆଙ୍କ ସାମନାରେ । ଏବଂ ଏଇଠୁ ଆରମ୍ଭ ହେଲା ନିଧିଅଜାର ବିଧିବଦ୍ଧ ଯାତ୍ରା ।


ମଝିରେ କୌଣସି ଏକ ବ୍ୟକ୍ତିଗତ କାମରେ ଏତେ ବୀତସ୍ପୃହ ହୋଇଯାଇଥିଲି ଯେ, ଏ profileକୁ ବନ୍ଦ କରି ନିଜ ଦୈନନ୍ଦିନ କାମରେ ମନ ଦେବାକୁ ଭାବିଥିଲି । କିନ୍ତୁ ସେତେବେଳକୁ ଏ ନିଧିଅଜା ପ୍ରୋଫାଇଲ ମୋର ଆଉ ବ୍ୟକ୍ତିଗତ ସମ୍ପତ୍ତି ହୋଇନଥିଲା । ଅନେକ ବନ୍ଧୁ ମାନଙ୍କ ଅନୁରୋଧ କ୍ରମେ ପୁଣି ଫେରିଲି । ପୁଣି ଚାଲୁ ରହିଲା ନିଧି ଅଜାର ଟ୍ୱିଟ ଧାରା ।

ଯେହେତୁ ଓଡ଼ିଆ ଟ୍ୱିଟର userଙ୍କ ସଂଖ୍ୟା ବହୁତ କମ୍, ଅନେକ ବ୍ୟକ୍ତି ଏହା ମଧ୍ୟରେ ଜାଣିସାରିଛନ୍ତି କିଏ ଏ ଏକାଉଣ୍ଟ ପଛର ଲୋକ । ଅଧିକାଂଶ ଏପର୍ଯ୍ୟନ୍ତ ଜାଣି ନାହାନ୍ତି । ଅନେକ ବନ୍ଧୁ ଜାଣିବା ପାଇଁ ଅନୁରୋଧ କରିଛନ୍ତି । ହେଲେ ମୁଁ ନିଜେ ଦ୍ୱନ୍ଦ୍ୱରେ । କାରଣ ନିଧି ଅଜା ସହ ମୋର ବ୍ୟକ୍ତିଗତ ସାମଞ୍ଜସ୍ୟ କିଛି ବି ନାହିଁ । ଅସଲ ପରିଚୟ ଜାଣିଲେ ବି ମୋ ଠାରୁ ନିଧିଅଜା ପରି କିଛି quality ପାଇବା କଷ୍ଟ ହୋଇଯିବ । ପିଲାବେଳେ କେତେବେଳେ କେମିତି ଗପ ଲେଖୁଥିଲି । କୌଣସି ଗପ ଲେଖିଲା ବେଳେ ମୁଁ ନିଜେ ନିଜକୁ ସେ ଚରିତ୍ରଟି ବୋଲି ଭାବି ଗପ ଲେଖେ । ଏମିତିକି ଲେଖିଥିବା କିଛି ଗପର ମୁଖ୍ୟ ଚରିତ୍ର ନାରୀ ମଧ୍ୟ ଥିଲେ । ତେଣୁ ଅଜା ଚରିତ୍ର ପାଇଁ ବେଶୀ କଷ୍ଟ କରିବାକୁ ପଡିଲାନି । ଜେଜେ, ଅଜା କିମ୍ୱା ଗାଁ'ର ବୟସ୍କ ମାନଙ୍କ କଥାବାର୍ତ୍ତା, ଚାଲିଚଳନକୁ ଟିକେ ନିରେଖି ମନେ ପକାଇଲେ, ଏ ଚରିତ୍ର ଗତିଶୀଳ ହୋଇଯାଏ ଆପେ ଆପେ  ।

ଆଜି ଏତେ ସବୁ କହିବାର କାରଣ କଣ !

2016 ର ଶେଷ ରାତି । ଭାବିଲି ନୂଆ ବର୍ଷ ପାଇଁ କଣ ଦି ଧାଡି ଲେଖିବି ବୋଲି । କିଛି ମୁଣ୍ଡକୁ ଜୁଟିଲାନି ତେଣୁ ଏସବୁ ଲେଖୁଛି ।

ଶେଷରେ

ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ । ପ୍ରଭୂ ଜଗନ୍ନାଥଙ୍କ କୃପାରୁ ସଭିଙ୍କ ପାଇଁ ନୂଆ ବର୍ଷ ମଙ୍ଗଳମୟ ହେଉ ।