Showing posts with label The bicycle Thief. Show all posts
Showing posts with label The bicycle Thief. Show all posts

Tuesday, 30 October 2018

ଫିଲ୍ମ ରିଭ୍ୟୁ - ସାଇକେଲ ଚୋର (Ladri di Biciclette)

1948 ମସିହାର ରିଲିଜ ହୋଇଥିବା ଇଟାଲିଆନ ଫିଲ୍ମ ଇଏ । 


ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲିର ଅବସ୍ଥା କିଛି ଭଲ ନାହିଁ । ସାଧାରଣ ଲୋକଙ୍କର ବେକାରୀ ସମସ୍ୟା ସାଙ୍ଗକୁ ଆର୍ଥିକ ଅନାଟନ । ଚାକିରୀ ଖୋଜୁଥିବା ଅନେକ ଲୋକଙ୍କ ମଧ୍ୟରେ ଜଣେ ହେଲେ, ଫିଲ୍ମର ମୁଖ୍ୟ ଚରିତ୍ର- ଆଣ୍ଟନିଓ । ତାଙ୍କୁ ଗୋଟେ କାମ ମିଳିଛି । ସହର ଭିତରେ ବିଭିନ୍ନ ଜାଗାରେ ବୁଲି ସିନେମା ପୋଷ୍ଟର ଲଗେଇବା କାମ । ହେଲେ ଏ ଚାକିରୀଟି ପାଇବାକୁ ହେଲେ ପାଖରେ ସାଇକେଲଟିଏ ଥିବା ଜରୁରୀ । ଆଣ୍ଟନିଓ ଚାକିରୀଟି ହାତଛଡା ନ କରିବା ପାଇଁ ମିଛ କହି ଦେଇଛି, ତା ପାଖରେ ସାଇକେଲ ଅଛି ବୋଲି । 

ଘରେ ନିଜ ସ୍ତ୍ରୀକୁ ଦୁଃଖ କାହାଣୀ କହିଛି । ସ୍ତ୍ରୀ ମାରିଆ ନିଜ ଘରେ ଥିବା ବେଡ଼ସିଟ ସବୁକୁ ଏକାଠି କରି ସଫା କରିଛି । ସେସବୁକୁ ବିକି ସେମାନେ ସେଇ ଟଙ୍କାରେ ସାଇକେଲଟିଏ କିଣିଛନ୍ତି । ଆଣ୍ଟନିଓର ଏବେ ଖୁସି କହିଲେ ନସରେ । ସକାଳୁ ରେଡି ହୋଇ ସାଇକେଲ ଧରି ବାହାରି ଯାଇଛି ନିଜ କାମକୁ । 

ସିଡ଼ି ଉପରେ ଚଢି କାନ୍ଥରେ ସିନେମା ପୋଷ୍ଟର ଲଗାଉଥିଲା ବେଳେ ଚୋରଟିଏ ଆସି ଆଣ୍ଟନିଓର ସାଇକେଲ ଧରି ସେ ଜାଗାରୁ ଧାଇଁଛି । ଆଣ୍ଟନିଓ ଚୋର ଚୋର କହି ବହେ ବାଟ ଗୋଡ଼େଇଛି । ହେଲେ ଚୋର ରକେଟ ବେଗରେ ସାଇକେଲ ଚଲେଇ ସେ ଜାଗାରୁ ଉଭାନ ହୋଇଯାଇଛି । 

ଆଣ୍ଟନିଓ ଥାନାକୁ ଯାଇ ଫେରାଦ ହୋଇଛି । ଥାନାବାବୁ ଚିରାଚରିତ ଭାବରେ କହିଛନ୍ତି, ଯଦି ସାଇକେଲ ମିଳିଲା ତାହେଲେ ତମକୁ ଫେରେଇ ଦିଆଯିବ । ବ୍ୟସ୍ତ ହେବାର କିଛି ନାହିଁ । ଚାରିଆଡେ ଆଖି ପକାଉ ଥାଅ । କୋଉଠି ନଜରରେ ପଡିଲେ ଥାନାରେ ଆସି ଜଣାଅ । 

ମନ ଦୁଃଖରେ ଘରକୁ ଫେରିଛି ଆଣ୍ଟନିଓ । ତା ପରଦିନ ସକାଳୁ ଉଠି ନିଜ ସାତ/ଆଠ ବର୍ଷର ପୁଅ ବ୍ରୁନୋ (Bruno)କୁ ସାଙ୍ଗରେ ଧରି ସାଇକେଲ ଖୋଜିବାକୁ ବାହାରି ଯାଇଛି । ଅନେକ ଜାଗା ଖୋଜିଲା ପରେ ବି ସାଇକେଲ ମିଳିନି । ଫିଲ୍ମଟିର ଏଇ ଅଂଶରେ ଅନେକ ଏମିତି ଦୃଶ୍ୟ ଅଛି ଯାହା ଦର୍ଶକକୁ ଭାବପ୍ରବଣ କରିଦେବ । ସେ ଯାହାହେଉ ଶେଷରେ ଅନେକ ଖୋଜିଲା ପରେ ଗୋଟେ ଜାଗାରେ ସାଇକେଲ ଚୋରକୁ ପାଇଛି । ହେଲେ ସେ ଲୋକଟି ଗାଲେଇଛି । ପୁଲିସକୁ ଯାଇ ଡାକିଛି ଆଣ୍ଟନିଓ । ଚୋରର ଘର ଖୋଜାଖୋଜି କରି କିଛି ମିଳିନି । ସାଇକେଲ ନାହିଁ, ସାକ୍ଷୀ ବି କେହି ନାହାଁନ୍ତି । ପୁଲିସ କିଛି କରିପାରିବନି ବୋଲି କହିଛି । 



ନିରାଶ ହୋଇ ବାପ ପୁଅ ଦୁହେଁ ଫେରିଲା ବେଳେ ଆଣ୍ଟନିଓ ଗୋଟେ ଘର ଆଗରେ ସାଇକେଲଟିଏ ଥିବାର ଦେଖିଛି । ଆଖପାଖରେ କେହି ନାହାଁନ୍ତି । ପୁଅକୁ ପଇସା କିଛି ଦେଇ ଘରକୁ ବସ୍ ଧରି ଚାଲିଯିବାକୁ କହି ଆଣ୍ଟନିଓ ସେ ଜାଗାରୁ ସାଇକେଲ ଧରି ଧାଇଁଛି । ସାଇକେଲ ଯୋଉ ଲୋକର, ସିଏ ଚୋର ଚୋର କହି ଗୋଡ଼େଇଛି । ଆଣ୍ଟନିଓକୁ ଲୋକେ ଧରି ଦେଇଛନ୍ତି ଓ ଦମେ କୁଟିଛନ୍ତି । ଏଇ ସମୟରେ ଆଣ୍ଟନିଓର ପୁଅ ଆସିକି ବାପାକୁ ଛାଡି ଦେବାକୁ କାନ୍ଦି କାନ୍ଦି କହିଛି । ବାପ ପୁଅଙ୍କ ଅବସ୍ଥା ଦେଖି ସାଇକେଲ ବାଲାଟି ମନରେ ଦୟା ଆସିଛି ।  ଆଣ୍ଟନିଓକୁ ପୁଲିସରେ ନ ଦେଇ ଛାଡି ଦେବାକୁ ଲୋକମାନଙ୍କୁ କହିଛି । 

ବାପ ପୁଅ ଚୁପଚାପ ଘରକୁ ଫେରୁଛନ୍ତି । ନିଜ ପୁଅ ଆଗରେ ସାଇକେଲ ଚୋରି କରି ଧରାପଡି ଆଣ୍ଟନିଓ ଏକଦମ ଭାଙ୍ଗି ପଡିଛି । ଭୋ ଭୋ କରି କାନ୍ଦି ଉଠିଛି ।

ଇଟାଲି ଭାଷାରେ Ladri di Biciclette ର ଅର୍ଥ – “ସାଇକେଲ ଚୋରମାନେ” । ସାଇକେଲ ଚୋରକୁ ଖୋଜୁ ଖୋଜୁ ଶେଷକୁ ନିଜେ ସାଇକେଲ ଚୋର ହୋଇଯାଇଛି କାହାଣୀର ମୁଖ୍ୟ ଚରିତ୍ରଟି । ଏହାର ଇଂରାଜୀ ନାଁ କୁ ନେଇ ଟିକେ ଗୋଳମାଳିଆ ପରିସ୍ଥିତି ହୋଇଥିଲା ସେତେବେଳେ । ଆମେରିକାରେ ଫିଲ୍ମଟି The Bicycle Thief ଭାବରେ ରିଲିଜ ହୋଇଥିଲା ବେଳେ ଇଂଲଣ୍ଡରେ ଏହା Bicycle Thieves ନାଁ ରେ ରିଲିଜ ହୋଇଥିଲା । 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଫିଲ୍ମଟିରେ ଅଭିନୟ କରିଥିବା ଅଭିନେତା ମାନେ କେହି ବି ପ୍ରଫେସନାଲ ଅଭିନେତା ନଥିଲେ । ହେଲେ କାହାଣୀ ଓ ନିର୍ଦ୍ଦେଶନା ବହୁତ ଉଚ୍ଚକୋଟୀର ଏ ଫିଲ୍ମଟିରେ । 

ଫିଲ୍ମଟିରେ ସେତେବେଳର ରୋମ ସହରକୁ ଦେଖିଲେ କୋଲକାତା ସହର ମନେ ପଡ଼ିଯାଏ । ପୁରୁଣା ସହର । ଟ୍ରାମ କିଛି ବି ଚାଲୁଛି ସହର ମଝିରେ । ସବୁଆଡେ ଆର୍ଥିକ ଅନାଟନର ଦୃଶ୍ୟ । 

ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ମ ର ତାଲିକା ମଧ୍ୟରେ ଏ ଫିଲ୍ମଟିକୁ ସ୍ଥାନ ଦିଆଯାଏ ।