Wednesday, 3 January 2018

ନଚିକେତା (The Revenant)


୧୮୨୩ ସାଲର କଥା ଇଏ । ଆମେରିକାର କୋଉ ଗୋଟେ ଜନଶୂନ୍ୟ ଜଙ୍ଗଲିଆ ତୁନ୍ଦ୍ରା ଅଞ୍ଚଳ । ଇଂରେଜ ଦଳେ (ପ୍ରାୟ ୩୦/୪୦ ଜଣ ହେବେ ବୋଧେ) ଏଇଠି ଜଙ୍ଗଲ ଭିତରେ ପଶୁ ଶିକାର କରିବାକୁ ବାହାରିଥାନ୍ତି । ବନ୍ୟଜନ୍ତୁ ଶିକାର କରି ତାଙ୍କ ଚମଡାକୁ ଏକାଠି କରି ବୋହି ନିଅନ୍ତି ଏମାନେ ଦୂରରେ ଥିବା ନିଜ କ୍ୟାମ୍ପକୁ । ପଶୁ ଶିକାର କରି ସେମାନଙ୍କ ଚମଡାକୁ ନେଇ ବ୍ୟବସାୟ କରିବା ହେଲା ଏମାନଙ୍କର କାମ । ଏହି ଦଳର ମୁଖିଆ ହେଉଛି ଆମ ଫିଲ୍ମର ହିରୋ ଲିଓ । ଲିଓ ବିଷୟରେ ଟିକେ କହିଦିଏ ଏଠି । ପୁରା ନାଁ ଲିଅନାଡ଼ ଡିକାପ୍ରିୟ । ଟାଇଟନିକ ଜାହାଜ ଫିଲ୍ମରେ ଯିଏ ଥିଲା ହିରୋ ।  ଏ ଫିଲ୍ମରେ ତା ନାଁ ହୋଇଛି ଗ୍ଲାସ (Glass) ।  ହେଲେ ଅଜା ତାକୁ ପିଳାବେକୁ ଲିଓ ବୋଲି ଡାକେ ତେଣୁ ଏ ପୁରା ରିଭ୍ୟୁ ଗପରେ ଏଠି ତା ନାଁ କୁହାଯିବ ଲିଓ । ଲିଓର ଗୋଟେ କିଶୋର ବୟସର ପୁଅ ବି ଥାଏ ଏ ଦଳରେ। ତାର ନାଁ ହକ୍ (Hawk) ।



ସକାଳ ସମୟ ।  ଜଙ୍ଗଲ ଭିତରେ ରୋଷେଇ ଫୋଷେଇ ଚାଲିଛି । ଚମଡା କିଛି କିଛି ଏକାଠି କରି ପ୍ୟାକେଟ ବନ୍ଧା ସରିଛି । ସମସ୍ତେ ଖୁସିଗପରେ ବ୍ୟସ୍ତ । ହଠାତ ଭୁଷଭାସ ଶର ସବୁ କୁଆଡୁ ମାଡି ଆସିଲା । ସାଏଁ କିନା ଆସି ଗଳିଗଲା କାହା ପେଟରେ ତ କାହା ବେକରେ । ଏମାନେ ବନ୍ଧୁକ ସଜାଡୁ ସଜାଡୁ ସିଆଡ଼ୁ ମାଡି ଆସିଲେ ମେଞ୍ଚାଏ ଆଦିବାସୀ ଅରିକିରା ବାହିନୀ । ହେଲା ଘମାଘୋଟ ଲଢେଇ । ଶର ବନାମ ଗୁଳି । ଟଳି ପଡୁଥାନ୍ତୁ ଏପଟରୁ କିଛି ତ ସେପଟରୁ କିଛି । ଶବ୍ଦ ଶୁଣି କିଛି ଦୂରରେ ଜଙ୍ଗଲ ଭିତରେ ଶିକାର କରୁଥିବା ବାପ ପୁଅ ଲିଓ ଓ ହକ ଧାଇଁ ଆସିଲେ ଟେଣ୍ଟ ପାଖକୁ । ଲଢ଼ୁଥିବା ନିଜ ଦଳକୁ ବାଟ କଢେଇ ପାଖରେ ଥିବା ନଦୀ ଆଡକୁ ନେଇ ଆସିଲେ । ସେଠାରେ ଥିବା ଡଙ୍ଗାରେ ବସି ପଳାୟନ କଲେ ସେ ଜାଗାରୁ ପ୍ରାଣ ବଞ୍ଚାଇ କଷ୍ଟେମଷ୍ଟେ । ଡଙ୍ଗା ଚଢ଼ୁ ଚଢ଼ୁ ବି ଦୁଇ ତିନିଟା ଟଳି ପଡିଲେ ତୀର ମାଡ଼ ଖାଇ । ଡଙ୍ଗା ଚାଲିଲା । ହେଲେ ପଛରେ ଛାଡିଦେଇ ଆସିଲେ ଅନେକ ମୃତ ସାଥି ଓ ପରିଶ୍ରମ କରି ଏକାଠି କରିଥିବା ଚମଡା ପ୍ୟାକେଟ ସବୁ । ବଡ଼ ଗୋଟେ ଲସ୍ ଖାଇଲେ ଦଳଟି । 
 
ସେ ଯାହା ହେଉ ଡଙ୍ଗା ଚାଲିଲା ଜଙ୍ଗଲିଆ ନଈରେ । କିଛି ବାଟ ଗଲା ପରେ ନଦୀ ରାସ୍ତା ବିପଦ ସଂକୁଳ ଜାଣି ଡଙ୍ଗା ଛାଡି ପୁଣି ସ୍ଥଳଭାଗକୁ ଉଠିଲେ ଏମାନେ । ଜଙ୍ଗଲ ଭିତରେ ମାଡି ଚାଲିଲେ ଆଗକୁ ଆଗକୁ । 
 
ଜଙ୍ଗଲ ଭିତରେ ଟିକେ ରହଣି କରିବାର ସମୟ । ଲିଓ ଜଙ୍ଗଲ ଭିତରକୁ ପଶିଯାଇଛି ଲମ୍ବା ନଳୀ ବାଲା ବନ୍ଧୁକଟିଏ ଧରି । ଖସଖାସ ଶବ୍ଦ ଶୁଣି ଟିକେ ସତର୍କ ହୋଇ ଉଠିଛି ସେ । ହେଲେ ଦେଖିଲା ବେଳକୁ କଳା ଭାଲୁଛୁଆ ଦୁଇଟା । ଟିକେ ରିଲାକ୍ସ ହେବ କଣ ପଛଆଡୁ ଶୁଭିଲା ଶବ୍ଦ । ବୁଲି ଚାହିଁଲା ବେଳକୁ ବିରାଟକାୟ ମୋଟୁ ମାଈ ଭାଲୁଟିଏ । ଏ ବଣୁଆ ଭାଲୁ ନିଜ ଛୁଆ ପାଖରେ ଅନ୍ୟ କାହାକୁ ଦେଖିଲେ ଉତକ୍ଷିପ୍ତ ହୋଇଯାଏ । ଲିଓ ବନ୍ଧୁକ ଦେଖେଇ ତାକୁ ଘଉଡାଇବା ପାଇଁ ଚେଷ୍ଟା କରିବାକୁ ଉଦ୍ୟତ ହେଲାରୁ ସାଏଁ କିନା ମାଡି ଆସିଲା ମା' ଭାଲୁଟି । ଗୋଟାଏ ଶକ୍ତ ଭୁଷା ପକେଇଲା ।  ଲିଓ ପୁରା ଚିତପଟାଙ୍ଗ । ବନ୍ଧୁକ ଛିଟିକି ଯାଇ ପଡିଲା ଦି ହାତ ଦୂରରେ । ଲିଓ ଉପରକୁ କୁଦି ଆସି ଦୁମଦାମ ଛେଚି ପକେଇଲା ଭାଲୁ । ଘୁସୁରି ମୁସୁରି କଷ୍ଟେମଷ୍ଟେ ନିଜ ବନ୍ଧୁକକୁ ହାତେଇ ନେଇ ଗୁଳି ଫୁଟେଇ ଦେଲା ଲିଓ । ହେଲେ ପ୍ରାଣବାୟୁ ଉଡିବା ପୂର୍ବରୁ ରାମ୍ପୁଡ଼ି ବିଦାରି ଲିଓକୁ ପୁରା କୁଚେଇ ଦେଇ ଯାଇଥିଲା ମାଈଭାଲୁଟି । ଲିଓର ସହକର୍ମୀମାନେ ଖୋଜି ଖୋଜି ଆସି ଉଦ୍ଧାର କଲେ ତାକୁ । ଦରମରା ଲିଓକୁ ଷ୍ଟ୍ରେଚରରେ ବାନ୍ଧି ନେଇ ଚାଲିଲେ ସାଙ୍ଗରେ । 
 




ଲିଓକୁ ଷ୍ଟ୍ରେଚରରେ ଟେକିବା ଓ ତା ସହ ବଳକା ଚମଡା ପ୍ୟାକେଟ ବୋହିବା ଏତେ ସହଜ ହେଉ ନଥାଏ । ମନରେ ମଧ୍ୟ ଥିଲା ପୁରୁଣା ଭୟ । ପିଛା କରି ଆସି ପୁଣି କେତେବେଳେ ଅତର୍କିତ ଆକ୍ରମଣ କରିଦେବେ ଆଦିବାସୀ ଅରିକିରା ବାହିନୀ । ତେଣୁ ସ୍ଥିର ହେଲା ଦୁଇଜଣ ପଛରେ ଆସିବେ ଲିଓକୁ ଧରି ଓ ବାକି ସବୁ ଶୀଘ୍ର ଶୀଘ୍ର କ୍ୟାମ୍ପକୁ ଫେରିଯିବେ । ଲିଓର ପୁଅ ହକ, ଆଉ ଗୋଟେ ଟୋକା ବ୍ରିଜର (Bridger) ଏବଂ ଅଭିଜ୍ଞ ହାର୍ଡ଼ି (Hardy) ରହିଲେ ଲିଓ ପାଖରେ ।  

ଦରମଲା ଲିଓକୁ କେତେ ଆଉ ବୋହିବେ ! ଢୁକୁଢୁକୁ ହେଉଥାଏ ସେ । ହାର୍ଡ଼ି ଏକାଥରେ କାମ ବଢ଼େଇଦେବ ଭାବି ଏକୁଟିଆ ବେଳ ଦେଖି ଲିଓ ବେକକୁ ଚିପି ଧରିଲା । ଗଁ ଗଁ ହେଉଥିଲା ବେଳେ ଦେଖି ଦେଲା ଲିଓର ପୁଅ ହକ । ହେଲା କଥା କଟାକଟି, ମାଡଗୋଳ । ଅଭିଜ୍ଞ ହାର୍ଡ଼ି ଛୁରୀ ଭୁଷି ହକର ପ୍ରାଣବାୟୁ ଉଡେଇଦେଲା । ଷ୍ଟ୍ରେଚରରେ ବନ୍ଧା ହୋଇଥିବା ଲିଓ ଗଁ ଗଁ ହୋଇ ନିଜ ପୁଅର ମୃତ୍ୟୁ ଦେଖିବା ଛଡା ଅନ୍ୟ କିଛି ଉପାୟ ନଥିଲା । ଭାରି ଦୁଃଖ ।
 
ଦୁଃଖ ଏଇଠି ସରିନି । ବ୍ରିଜର ନଥିଲା ସେଠି । ପରେ ଆସିଲା ବେଳକୁ ହାର୍ଡ଼ି ବୁଝେଇଦେଲା ହକ କୁଆଡେ ଲୁଚି ପଳାଇଛି । ଲିଓ ଢୁକୁଢୁକୁ ହେଉଛି । କେତେବେଳେ ଚାଲିଯିବ । ତେଣୁ ତାକୁ ସିଧା ପୋତିଦେଇ ଆମେ କ୍ୟାମ୍ପକୁ ଫେରିଯିବା । ଲିଓକୁ ସେଠି ଗାତ ଖୋଳି ଅଧା ପୋତି ସେଠାରୁ ଚାଲିଗଲେ ହାର୍ଡ଼ି ଓ ବ୍ରିଜର । 
 
ଏଇଠୁ ଆରମ୍ଭ ହୋଇଛି ସଂଘର୍ଷର କାହାଣୀ । ମାଟିର ଗୋଟେ ଆସ୍ତରଣ ତଳେ ପଡିଛି କ୍ଷତାକ୍ତ ଦରମଲା ଲିଓ । ମୃତ୍ୟୁକୁ ଅପେକ୍ଷା । 
 
ବରଫପାତ ହେଉଥିବା ତୁନ୍ଦ୍ରା ଅଞ୍ଚଳ ସେଇଟା । କେତେବେଳେ ବର୍ଷା ତ କେତେବେଳେ ବରଫପାତ । ବଳ ଖଟେଇ ଉଠିଛି ମାଟିରୁ ଲିଓ । ଡ଼ିସକଭରି ଚ୍ୟାନେଲର ମଣିଷ ବନାମ ଜଙ୍ଗଲି (Man vs Wild) ପ୍ରୋଗ୍ରାମର ସେ ପାଗଳାଟା ପରି ମାଡି ଚାଲିଛି ଏକୁଟିଆ । ନଦୀ କୂଳକୁ ଘୁସୁରି ଘୁସୁରି ଯାଇ ପାଣି ପିଇଲା ବେଳକୁ ପାଣି ବାହାରି ଆସିଛି ବେକ ବାଟେ । ଭାଲୁ ଆକ୍ରମଣରେ ବେକରେ ହୋଇ ଯାଇଥିଲା କଣା । ବାରୁଦ ନିଆଁ ଲଗେଇ ସେକି ହୋଇଛି ଓ ସେ ବେକ କଣାକୁ ରଫୁ ମାରିଛି । କମ୍ବଳ ଭଳିଆ ପଶୁ ଛାଲ ଗୋଟେ ଗୁଡେଇ ହୋଇ ଚାଲିଛି ସିଏ ଆଗକୁ । କେତେବେଳେ ଚକମକି ପଥର ଘଷି ନିଆଁ ଜାଳିଛି ତ କେତେବେଳେ ଜିଅନ୍ତା ମାଛ ଧରିକି ଖାଇଛି । 
 
ବାଟରେ ପୁଣି ଆକ୍ରମଣ କରିଛନ୍ତି ଦଳେ ଲୋକ । ଲିଓ କିନ୍ତୁ ସେମାନଙ୍କ ଘୋଡା ଚୋରେଇ ନେଇ ଛୁଟିଛି । ପଛରେ ଗୋଡ଼େଇଛନ୍ତି ଧନୁତୀର ସହ ସେ ଦଳର ଲୋକେ । ସାଇଁ ସାଇଁ ତୀର ଆସିଛି ପଛ ଆଡୁ । ଧାଉଁ ଧାଉଁ ଆଗରେ ପଡିଛି ଗୋଟେ ବିରାଟ ଖାଇ । ଘୋଡା ଉପରୁ ଡେଇଁ ଗୋଟେ ଗହଳିଆ ପାଇନ ଗଛ ଭିତରକୁ ଲମ୍ଫ ପ୍ରଦାନ କରିଛି ଲିଓ । (*ପାଇନ ଗଛ ବୋଇଲେ ଆମ ଆଡିକା ଓଲଟ ଦେବଦାରୁ ଭଳି ଗଛଟିଏ ) । ଘୋଡା ବିଚରା ତଳେ ପଡି ମରିଯାଇଛି । ଆକ୍ରମଣକାରୀ ଲେଉଟି ଯାଇଛନ୍ତି ଆଉ ପିଛା ନକରି । 
 
ପରେ ଗଛରୁ ଓହ୍ଲେଇଛି ତଳକୁ ଲିଓ । ରାତିରେ ଭୀଷଣ ବରଫପାତ ହେବାର ସମ୍ଭାବନା । ଟାଇଟନିକ ଫିଲ୍ମରେ ଶେଷ ଦୃଶ୍ୟରେ (ଜାହାଜ ବୁଡ଼ିଲା ବେଳର) କରିଥିବା ଭୁଲକୁ ଆଉ ଦୋହରାଇ ନାହିଁ ଏଠି ଲିଓ । ବରଫପାତ ହେବା ପୂର୍ବରୁ ମୃତ ଘୋଡାର ପେଟ ଚିରି, ତା ଅନ୍ତବୁଜୁଳାକୁ କାଟି ବାହାର କରି, ନିଜେ ପଶିଯାଇଛି ଘୋଡାର ପେଟ ଭିତରେ । ରାତି ସାରା ବରଫପାତ ହୋଇଛି । ସକାଳକୁ ଯାଇ ଛାଡ଼ିଛି । ସୁରୁଜ ମୁହଁ କାଢିଛି । ଓଶାଷ ହୋଇଛି ଲିଓ । ପୁଣି ସେ ବାହାରି ପଡିଛି ତା ଗନ୍ତବ୍ୟସ୍ଥଳ ଆଡେ ।






ଶେଷରେ ଲିଓ ପହଞ୍ଚିଛି ତା କ୍ୟାମ୍ପରେ ।  ହାର୍ଡ଼ିକୁ ଖୋଜି ଖୋଜି ତା କାମ ବଢେଇଛି ।  କାହାଣୀ ସରିଛି । 
 
୨୦୧୬ ମସିହାରେ ଓସ୍କାର ପୁରସ୍କାର ମେଞ୍ଚେ ଗୋଟେଇଛି ଏ ଫିଲ୍ମଟି । ହେଲେ ଫିଲ୍ମଟି ଟିକେ ଅଲଗା ପ୍ରକାରର । ସବୁ ବର୍ଗର ଲୋକଙ୍କୁ ଭଲ ଲାଗି ନପାରେ ।