Sunday, 2 September 2018

One Flew Over the Cuckoo's Nest - କୋଇଲି ବସା ଉପରେ ଖଣ୍ଡି ଉଡା


1975 ମସିହାରେ ରିଲିଜ ହୋଇଥିଲା ଫିଲ୍ମଟି । ଗୋଟେ ଦଶନ୍ଧି ପୂର୍ବରୁ ପ୍ରକାଶିତ Ken Kesey ଙ୍କ ଚର୍ଚ୍ଚିତ ଉପନ୍ୟାସ One Flew Over the Cuckoo's Nest ର ଆଧାରରେ ଏ ଫିଲ୍ମଟି । ଫିଲ୍ମଟିକୁ Top 20 ରେ ରଖିବାର ଅନେକ କାରଣ ଅଛି  । ନିର୍ଦ୍ଦେଶନା ତଥା ଅଭିନେତା, ଅଭିନେତ୍ରୀଙ୍କ ବଳିଷ୍ଠ ଅଭିନୟ ସହ ଏ ଫିଲ୍ମକୁ ରଖିବାର ଆଉ ଏକ ବଡ଼ କାରଣ ହେଉଛି , ଫିଲ୍ମଟି ଦେଉଥିବା ବାର୍ତ୍ତା । 

କାହାଣୀ: 
ମେଣ୍ଟାଲ ହସ୍ପିଟାଲରେ ଥିବା ରୋଗୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଇ ଏ କାହାଣୀଟି । ମୁଖ୍ୟ ନର୍ସ Ratched ଙ୍କ ତତ୍ତ୍ୱାବଧାନରେ ଶୃଙ୍ଖଳିତ ଭାବରେ ଚାଲିଛି ହସ୍ପିଟାଲଟି । ସବୁ କିଛି ରୁଟିନ ଅନୁସାରେ । ଟାଇମ ଅନୁସାରେ ଖାଇବା, ଶୋଇବା, ବାହାରେ ଖେଳିବା, group discussion କରିବା, ଟିଭି ଦେଖିବା, ଗୀତ ଶୁଣିବା ଇତ୍ୟାଦି ।ଏହିପରି ଭାବେ ଦୈନିନ୍ଦିନ କାର୍ଯ୍ୟକଳାପ ସ୍ଥିର କରାଯାଇଥାଏ ରୋଗୀ ମାନଙ୍କ ପାଇଁ । ରୋଗୀ ମାନେ ବିରୋଧ କଲେ କିମ୍ବା ବିଶୃଙ୍ଖଳିତ ହେଲେ ସେମାନଙ୍କ ପାଇଁ କଡା ହେବାକୁ ପଡିଥାଏ ।

ହସ୍ପିଟାଲକୁ ଆସିଛି ଜଣେ ନୂଆ ସଦସ୍ୟ,  McMurphy (ମ୍ୟାକ ମର୍ଫି ) । ବଳାତ୍କାର ଅଭିଯୋଗରେ ତାକୁ ଏ ମାନସିକ ହସ୍ପିଟାଲକୁ ପଠାଯାଇଛି । ଲୋକଟି ଟିକେ ଖୁଜୁବୁଜିଆ ଓ ଖୋଲା ମିଜାଜର । ସେ ଏ କଡା, ଶୃଙ୍ଖଳିତ ରୁଟିନ ବ୍ୟବସ୍ଥା ମଧ୍ୟରେ ଅସ୍ବସ୍ତି ବୋଧ କରିଛି । ହସ୍ପିଟାଲର ରୁଟିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇ ବଦଳାଇବାକୁ ଚେଷ୍ଟା କରିଛି । ଗୋଟେ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ମୁଖ୍ୟ ନର୍ସ Ratched  ଓ McMurphy ଙ୍କ ମଧ୍ୟରେ । ଦୁଇ ତିନୋଟି ଘଟଣାରେ McMurphy ବିଦ୍ରୋହ କରି ସିଷ୍ଟମର ନିୟମ ବିରୋଧରେ ଯାଇଛି । କେତେବେଳେ ସାମୟିକ ଭାବେ ସଫଳ ହୋଇଛି ତ ଆଉ କେତେବେଳେ ବିଫଳ ହେବାକୁ ବାଧ୍ୟ ହୋଇଛି ।  

ଟିଭିରେ World cup ଖେଳ ଦେଖିବା ପାଇଁ ଅନ୍ତେବାସୀଙ୍କ ବହୁମତର ଆବଶ୍ୟକତା ଥିଲା ବେଳେ, McMurphy ଆବଶ୍ୟକୀୟ ସଂଖ୍ୟା ନିଜ ସପକ୍ଷରେ ଆଣିପାରିଛି । କିନ୍ତୁ ନର୍ସ Ratched  ନିୟମରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଅନ୍ୟ ଏକ ସମୟରେ ଅନ୍ତେବାସୀଙ୍କୁ ଧରି ହସ୍ପିଟାଲରୁ ଲୁଚି ବାହାରି ପୁରା ଦିନ ନଦୀରେ ଯାଇ ମାଛ ଧରିଛି । ହସ୍ପିଟାଲର ନିୟମ ଭାଙ୍ଗି ଥିବାରୁ ଦଣ୍ଡ ସ୍ୱରୂପ କରେଣ୍ଟ ଦିଆଯାଇ ଚିକିତ୍ସା କରାଯାଇଛି ତାକୁ । ଅନ୍ତେବାସୀଙ୍କ ପାଇଁ ବାହାରୁ ମଦ, ଝିଅ ଆଣି ରାତିରେ ହସ୍ପିଟାଲରେ ଉତ୍ପାତ କରିଛି ।

ଶେଷରେ ତାକୁ କରେଣ୍ଟ ଦିଆଯାଇ ଅକାଲୁଆ କରାଯାଇଛି । ସବୁ ଉତ୍ପାତ ଛାଡି ଯାଇଛି । ପ୍ରତିଦିନ କରେଣ୍ଟ ଖାଇ ଦରମଲା ହୋଇ ପଡ଼ିରହିଛି । ହେଲେ ଏଇ ସ୍ୱଳ୍ପ ସମୟର ବିପ୍ଳବ ମଧ୍ୟରେ ସେ ଅନ୍ୟ ଏକ ରୋଗୀକୁ ଅନୁପ୍ରାଣିତ କରିପାରିଛି । ମୁକ, ବଧିର ହୋଇ ପଡି ରହିଥିବା ସେ ରୋଗୀଟି ଲଢେଇ କରିବାର ଆତ୍ମବିଶ୍ଵାସ ଫେରିପାଇଛି । ଏବଂ ଶେଷରେ ହସ୍ପିଟାଲର ଝରକା ଭାଙ୍ଗି ସେଠାରୁ ଖସି ଯିବାରେ ସଫଳ ହୋଇଛି ।  

ବାର୍ତ୍ତା: 
ଫିଲ୍ମଟି କ୍ରିଟିକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଏହାର କାରଣ ହେଲା, ଫିଲ୍ମ ଭିତରେ ଥିବା ବାର୍ତ୍ତା । ଫିଲ୍ମଟି ଯଦିଓ ଏକ ମେଣ୍ଟାଲ ହସ୍ପିଟାଲ ଓ ଏହା ଭିତରର authority ଓ ରୋଗୀ ମାନଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱକୁ ଦେଖାଇଛି, ହେଲେ ଏହାର ଆଉ ଏକ ବୃହତ ବାର୍ତ୍ତା ରହିଛି । ହସ୍ପିଟାଲକୁ ଏଠି ଯେକୌଣସି ଏକ System ବା Institution ଭାବେ ଦେଖାଯାଇପାରିବ । ଏମାନେ ସଦସ୍ୟ ମାନଙ୍କ ପାଇଁ ନୀତିନିୟମ ତିଆରି କରିଛନ୍ତି । ସଦସ୍ୟ ମାନଙ୍କୁ ନିଜ ତିଆରି  ନୀତିନିୟମ ମାନିବାକୁ ବାଧ୍ୟ କରୁଛନ୍ତି । ଯେକୌଣସି ବ୍ୟକ୍ତି ଯଦି ସିଷ୍ଟମ ପାଇଁ ଚ୍ୟାଲେଞ୍ଜ ହେଉଛି, ତାକୁ ଦଳି ଦିଆଯାଉଛି । ସିଷ୍ଟମ ବିରୋଧରେ ଯିବା ଅସମ୍ଭବ । ତଥାପି କିଛି ଲୋକ ନିଜ ସ୍ୱାଭିମାନ, ସ୍ୱାଧୀନତାକୁ ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ନିଜେ ସଫଳ ହୁଅନ୍ତୁ କି ନାହିଁ କିନ୍ତୁ ଅଗ୍ନି ସ୍ଫୁଲିଙ୍ଗ ଟିଏ ତିଆରି କରିଦେଇ ଯାଉଛନ୍ତି ଅନ୍ୟମାନଙ୍କ ପାଇଁ । ଯାହା ପରବର୍ତ୍ତୀ ସମୟରେ ଆଲୋକ ଶିଖାଟିଏ ହେଉଛି ଅନ୍ୟ କାହା ପାଇଁ । 

ଫିଲ୍ମର ନାମକରଣ: 
ଫିଲ୍ମର ଶୀର୍ଷକଟି ଗୋଟେ ପିଲାଙ୍କ କବିତାରୁ ନିଆଯାଇଛି । କିଛି ଚଢେଇଙ୍କ ଉପରେ କବିତାଟି ଲେଖାଯାଇଛି ।

One flew east, One flew west, 
One flew over cuckoo's nest.

କୋଇଲି ବସା ଏଠି ହେଉଛି ସେ ମେଣ୍ଟାଲ ହସ୍ପିଟାଲ । ବୃହତ ଭାବେ ଦେଖିଲେ ଯେକୌଣସି System ବା Institution ବିରୋଧରେ ଯିବା ଏକ ପ୍ରକାରର ପାଗଳାମି । ଶେଷକୁ କଣ ହେବ ଜାଣି ସୁଦ୍ଧା, କିଛି ଲୋକ ଏ ପାଗଳାମି କରନ୍ତି । ନିଜେ ସଫଳ ହୁଅନ୍ତୁ କି ବିଫଳ, ଅନ୍ୟମାନଙ୍କ ପାଇଁ ଦିଗଦର୍ଶକ ହୁଅନ୍ତି ।