Thursday 6 October 2016

ମଣିଷପଣିଆ

ପୁଣି ଆରମ୍ଭ ହୋଇଗଲା ବର୍ଷା ।

ଏ ସନ୍ଧ୍ୟା ସମୟରେ ବର୍ଷାଟା ହେଲେ ଭାରି ବିରକ୍ତ ଲାଗେ ସତରେ । ରାସ୍ତାଘାଟର ଅବସ୍ଥା ଏବେ ଯାହା, ସେଥିରେ ପୁଣି ଅଫିସ ଫେରନ୍ତା ଗାଡ଼ି ମଟରର ଜାମ୍ । ଅସମ୍ଭବ ଭିଡ଼, ସ୍ଲୋ ଟ୍ରାଫିକ ଓ ଅଣନିଶ୍ଵାସୀ କରି ପକାଉଥିବା ଗାଡିର ଧୂଆଁ ! ଏତିକି ଯଥେଷ୍ଟ ହେଲାନି ଯେ ତା ଉପରେ ଏ ଝିପି ଝିପି ବର୍ଷା ।

କଳାହାଣ୍ଡିଆ ମେଘଟା ପୁରା ଘୋଟିକି ରଖିଛି ଆକାଶକୁ । ତା ଭିତରେ ଥଣ୍ଡା କାଲୁଆ ପବନବି କୋଉଠୁ ଚାଲି ଆସୁଛି ମଝିରେ ମଝିରେ । ଅନ୍ୟ ସମୟ ହୋଇଥିଲେ ରାସ୍ତା କଡ଼ର ଧାଡି ବନ୍ଧା LED ଲାଇଟର ତୋଫା କିରଣରେ ଝରି ପଡୁଥିବା ରିମଝିମ ବର୍ଷା ଟୋପାକୁ ଛିଡ଼ାହୋଇ ଦଣ୍ଡେ ମନ ପୁରାଇ ଦେଖିଥାନ୍ତି । ହେଲେ ଜୋରଦାର ବର୍ଷା ହେବା ପୂର୍ବରୁ ଘରେ ପହଞ୍ଚି ଯିବାକୁ ହେବ । ସପ୍ତାହର ମଧ୍ୟ ଭାଗରେ ଏମିତି ଭିଜିବାଟା ଭାରି ରିସ୍କ । ଦେହ ଅସୁସ୍ଥ ହେଲେ ବିଶ୍ରାମ ନେବାକୁ ବି ସମୟ ମିଳିବନି ।
ରାସ୍ତା ଫାଙ୍କା ଥିଲେ କୋଡ଼ିଏ ମିନିଟ ସମୟ ଲାଗେ ଅଫିସରୁ ଘର ପର୍ଯ୍ୟନ୍ତ ଦୂରତା । କିନ୍ତୁ ଏ ବର୍ଷା ଓ ସନ୍ଧ୍ୟା ଟ୍ରାଫିକରେ କମସେ କମ 45 ମିନିଟ ସମୟ ଲାଗିବ । ହେଲେ ଏ ଦୁଇ ଚକିଆ ଯାନର ଗୋଟିଏ ସୁବିଧା ହେଲା, ଏମିତି ପରିସ୍ଥିତିରେ ଏ ଯାନଟି ଭଲ କାମ ଦିଏ । ଭିଡ଼ ଭିତରେ ଏ ଗଳି ଛପି ଚାଲିଯିବ ଆଗକୁ, ଯେଉଁଠି ଚାରି ଚକିଆ ଯାନ ଚାହିଁ ରହିଥିବେ ଅସହାୟ ହୋଇ ।

ଆଗ ଟ୍ରାଫିକ ସିଗନାଲରୁ ଡାହାଣକୁ ଯିବାକୁ ହେବ ମୋତେ । କାରଣ ଏଇଟା ସର୍ଟ-କଟ ରୁଟ୍ ଓ ଏପଟେ ରାସ୍ତାଟା ବି ପୁରା ଫାଙ୍କା ଥାଏ । ଭିଡ଼ କାଟି ଠିକ ସିଗନାଲ ପାଖାପାଖି ହେଲା ବେଳକୁ ସିଗନାଲ ଆଲୁଅ ହୋଇଗଲା ରେଡ୍ । ଏବେ ଗାଡି ଉପରେ ବସି ଓଲଟା ଗଣତି କର ।
75, 74, 73...4, 3, 2, 1.. ଗ୍ରୀନ ।
ଡାହାଣ ଇଣ୍ଡିକେଟର ଟା ଦେଇ ମୁଁ ଚାଲିଲି ଡାହାଣ ପଟ ରାସ୍ତାକୁ । ଟିକେ ଆଗରେ 25/26 ବର୍ଷର ପିଲାଟିଏ ଛିଡା ହୋଇ ହାତ ଦେଖାଇ ଲିଫ୍ଟ ମାଗୁଛି । ମୋ ବାଇକ ର ପଛ ସିଟ ଖାଲି ଥିବାର ଦେଖି ଅଧିକ ଉତ୍ସାହିତ ହୋଇ ରାସ୍ତା ଉପରକୁ ଟିକେ ମାଡି ଆସି ପିଲାଟି ଦେଖେଇଲା ଲିଫ୍ଟ ମାଗିବାର ସଂକେତ ।

ଏମିତିରେ ମୋତେ କାହାକୁ ଲିଫ୍ଟ ଦେବାକୁ ଭଲ ଲାଗେନି । ଗାଡ଼ି ରୋକି ଚିହ୍ନା ନଥିବା ଅଜଣା ଲୋକକୁ ସାଙ୍ଗରେ ବସେଇ କିଏ ନେଉଛି । ମୁଁ ପ୍ରାୟ ଅଟକେ ନାହିଁ ଏମିତି ପରିସ୍ଥିତିରେ, ଯଦି ଲିଫ୍ଟ ମାଗୁଥିବା ଲୋକଟି ନିହାତି ଅସୁବିଧାରେ ପଡିନି । ଅଟୋରେ ଗଲେ ଦଶ ଟଙ୍କା ଦେବାକୁ ପଡିବ ବୋଲି ଅନେକ ଲୋକ ଏଇମିତି ଲିଫ୍ଟ ମାଗି ଯିବାପାଇଁ ଅଧିକ ପସନ୍ଦ କରନ୍ତି । ପିଲାଟିକୁ ଦେଖି ନଦେଖିଲା ଭଳି ମୁଁ କ୍ରସ କରି ଚାଲିଗଲି ବାଇକରେ ।


ରାସ୍ତା ଆଗକୁ ପୁରା ଫାଙ୍କା ଥାଏ । ତେଣୁ ଗାଡିର ସ୍ପିଡ଼ ଟିକେ ବଢ଼େଇ ଦେଇଥାଏ ମୁଁ । ହଠାତ ମଝି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା କାର ଟି ଅସମ୍ଭବ ଭାବରେ ସ୍ପିଡ଼ କମେଇ ଦେଲା ଠିକ ମୋ ଆଗରେ । ମୁଁ ଗାଡିର ସ୍ପିଡ଼ କମେଇ ବାଁ ପଟକୁ ଯଥାସମ୍ଭବ କାଟି ନେଉ ନେଉ ଓଦା ରାସ୍ତାରେ ବାଇକ ସ୍କିଡ଼ କରିଗଲା । ଯଦିଓ ବିଶେଷ ବଡ଼ ଦୁର୍ଘଟଣାଟିଏ ନଥିଲା କିନ୍ତୁ ପଡ଼ିଗଲି ମୁଁ  ଓ ମୋ ଗୋଡ଼ଟି ରହିଗଲା ବାଇକ ତଳେ । କାର ର ଡ୍ରାଇଭର ମୋବାଇଲରେ କଲ ରିସିଭ କରୁଥିଲା ବୋଧେ । ମୁଁ ପଡିଯିବା ଦେଖି ସେ ପୁଣି କାର ସ୍ପିଡ଼ ବଢ଼େଇ ସେ ଜାଗାରୁ ଉଭାନ ହୋଇଗଲା ।

ବାଇକ ଭିତରୁ ଗୋଡ଼କୁ କାଢି ଉଠିବାକୁ ମୁଁ ଚେଷ୍ଟା କରୁଥାଏ ବାରମ୍ବାର କିନ୍ତୁ ସେ ପରିସ୍ଥିତିରେ ମୋ ଦ୍ୱାରା ସମ୍ଭବ ହେଉ ନଥାଏ ଗୋଡ଼କୁ କାଢିବା । ଏହି ସମୟରେ ପିଲାଟିଏ ପଛରୁ ଦୌଡ଼ିଆସି ବାଇକକୁ ଟେକି ଧରିଲା । ସାଇଡରେ ଗାଡିକୁ ରଖିଦେଇ ମୋ ହାତ ଧରି ଉଠେଇ ବସେଇଲା । ବିଶେଷ କିଛି ଆଘାତ ହୋଇ ନଥାଏ ମୋର । ଖାଲି ଟିକେ ଆଞ୍ଚୁଡି ହୋଇଯାଇଥାଏ ଯାହା ।

ଟିକେ ଝାଡ଼ି ଝୁଡି ହୋଇ ମୁଁ ଜୁଟାଉଥାଏ ସାହସ ପିଲାଟିର ମୁହଁକୁ ସିଧା ଚାହିଁ ଥ୍ୟାଙ୍କସ୍ କହିବା ପାଇଁ..

6 comments:

  1. We cant help everyone, but everyone can help someone. Juhaar Ajaa for such an outstanding story.

    ReplyDelete
    Replies
    1. ସମୟ ବାହାର କରି ପଢି ଥିବାରୁ ଓ ମତାମତ ସେୟାରି ଥିବାରୁ ଥାଙ୍କୁ :)

      Delete
  2. ଏଇଟା ବି ଭଲ ଲାଗିଲା

    ReplyDelete
  3. ଆପଣଙ୍କ ଗଳ୍ପ ଗୁଡିକ ଭଲ ଲାଗି ଲାଣି ।ଏମିତି
    ଅନେକ ଛୋଟ ଗଳ୍ପ ରାତିରେ ଖାଇ ସାରି ବିଛଣାରେ ପଢ଼ି ଅନ୍ଧାର ରୁମରେ ମୋବାଇଲ ରେ ପଡ଼ି ଏକ ବିଶେଷ ଅନୁଭବ । ବୃଦ୍ଧ ଅବସ୍ଥାରେ ଅନେକ ଡେରିରେ ନିଦ ହୁଏ ।ଧନ୍ୟବାଦ

    ReplyDelete
    Replies
    1. ପଢି ମତାମତ ଦେଇଥିବାରୁ ଆପଣଙ୍କୁ ବି ଅନେକ ଧନ୍ୟବାଦ । ଚେଷ୍ଟା କରିବି ଲେଖା ଜାରି ରଖିବା ପାଇଁ :)

      Delete