Wednesday 5 October 2016

ଗଜିଆର ବାହାଘର

ଅନେକ ଦିନ ତଳର କଥା ।

ଆରେ ରୁହ ରୁହ.. ଅନେକ ଦିନ ତଳର ମାନେ ରାଜା ରାଜୁଡା ସମୟର କଥା କହୁନି ମ । ସେକଥା କହିଲେ କେହି ଶୁଣିବେନି ଆଉ ମୋ ଲେଖିବାର ମୂଲ୍ୟ ବି କିଛି ରହିବନି ।  ଆମ ସମୟର କଥାଟିଏ କହୁଛି । ଇଏ ସେଇ ସମୟର କଥା ଯେତେବେଳେ ମୋବାଇଲ ବିପ୍ଳବ ହୋଇ ନଥିଲା ପୃଥିବୀରେ । ଇଣ୍ଟରନେଟର ଜାଲ ଆସି ପହଞ୍ଚି ନଥିଲା ମଣିଷ ଜୀବନକୁ ଛନ୍ଦି ମନ୍ଦି ଅଣନିଶ୍ୱାସି କରିପକେଇବାକୁ । ମୋଟାମୋଟି ଉପରେ କହିବାକୁ ଗଲେ ଏ ସେହି ସମୟର କଥା ଯେତେବେଳେ ମଣିଷର ଜୀବନ ଥିଲା ସରଳ । ହଁ, ତା' ମାନେ ମୋ କଥା ହେଉଛି ଏଇ କୋଡ଼ିଏ ତିରିଶ ବର୍ଷ ତଳର ।

ଗଜିଆର ବାହାଘର ପାଇଁ ଯେତେବେଳେ ମୂଷାଖଣ୍ଡି ଗାଁ ରୁ ମଧ୍ୟସ୍ଥି ନଣ୍ଡା ସାମୁଲ ପ୍ରସ୍ତାବ ନେଇ ଆସିଥିଲା, ସେତେବେଳେ କେହି ଭାବି ନଥିଲେ ଏତେ କମ ଦିନ ଭିତରେ ଓ ବିନା ଝିନଝଟରେ ବାହାଘରଟା ଠିକ ହୋଇଯିବ ବୋଲି । କଥାରେ ଅଛି ଯାହା ହାଣ୍ଡିରେ ଯାହା ପାଇଁ ଚାଉଳ ପକେଇଛି ସେ ଉପରବାଲା । ସବୁ ସେଇ ଯୋଗ ବରାଦର କଥା ।

ପ୍ରଥମେ ଗଜିଆର ଦାଦା ଓ ତାଙ୍କ ପଡ଼ିଶା ଘର ବିଶିଆ'ଇ ଯାଇ ଝିଅ ଦେଖା କାମଟି ସାରି ଦେଇଥିଲେ । ଝିଅଟି ପସନ୍ଦ ହୋଇଥିଲା ଓ ତା ସହ ପସନ୍ଦ ହୋଇଥିଲା ଝିଅଘର ଲୋକଙ୍କ ବ୍ୟବହାର ଚାଲିଚଳଣ । କଥା ସେଇଠି ହିଁ ପକ୍କା ହୋଇଯାଇଥିଲା । ଖାଲି ଲୋକ ଦେଖାଣିଆ ଫର୍ମାଲିଟିଟା ବାକି ରହିଥିଲା ଯାହା । ଫାଇନାଲ ଖିଆ ବେଳକୁ ମୋତେ ମିଶେଇ ଆଠ ଜଣ ଯାଇଥିଲୁ ।

ଗରିବ ମଣିଷର ଟିକି ଦୁନିଆଟିଏ । ଅଳ୍ପରେ ସନ୍ତୁଷ୍ଟ ହୋଇଯାଆନ୍ତି ଏଇ ଦୁନିଆର ଲୋକମାନେ । ଯଦିଓ ଦେବାନେବା ଆଦି କଥା ଥାଏ ହେଲେ ସେସବୁ ବି ସେଇ ତେଲ ଲୁଣର ସଂସାର ଭିତରର ଛୋଟ ମୋଟ ଜିନିଷ ଭଳି ଅଳୀକ । ଯାହାହେଉ ସବୁ କିଛି ଭଲ ଭଲରେ ଛିଡିଗଲା । ଗଜିଆର ସନା ପଢିଆରିର ସାନ ଝିଅ ବାହାଘର ଫାଇନାଲ ହେଲାନି ତ, ଯୋଡି ହୋଇଗଲା ସମ୍ପର୍କର ସେତୁ ମୂଷାଖଣ୍ଡି ଗାଁ ସହିତ ଆମ ଗାଁ'ର ।


ସୁରଜ ବଡ଼ଜାତ୍ୟାର ଫିଲ୍ମ ପରି ବାହାଘରର ଦୀର୍ଘ ବର୍ଣ୍ଣନା ନକରି ସିଧା ଆସୁଛି ମୋ କାହାଣୀ ଉପରକୁ ।

ସେ ସମୟରେ ଗାଁ ଜୀବନ ଆଜିକାଲିର ପରି ନଥିଲା । ବାହାଘର ପୂର୍ବରୁ ପୁଅର ମତାମତ ନେବା କି ପୁଅ ଯାଇ ଝିଅକୁ ଦେଖିବା ପ୍ରଥା ପ୍ରାୟ ନଥିଲା । ଅନେକ ପୁଅଙ୍କର ମନରେ ଶହେ ଇଚ୍ଛା ଥିଲେ ବି ଲୋକଲଜ୍ଜା ଭୟରେ ସୁନାପୁଅ ଭଳି "ଗୁରୁଜନମାନେ ଯାହା ଠିକ କରିବେ" ଭଳି ଉପର ଠାଉରିଆ ଡାଇଲଗଟିଏ ଛାଡି ଦିଅନ୍ତି । ପେଟେ ଭୋକ ମୁହେଁ ଲାଜ ପରି ପରେ ନିରୋଳା ଦେଖି ଅନ୍ୟମାନଙ୍କୁ ପଚାରନ୍ତି "କେମିତି ଝିଅଟା ଦେଖିବାକୁ?", "ସବୁ ଭଲ ନା" । ଏମିତି କେତେ ପ୍ରଶ୍ନ ।

ଗଜିଆର କେସରେ କଥାଟା ଟିକେ ଗୋଳମାଳିଆ ହୋଇଗଲା । ସହଜେ ଟିକେ ଲାଜକୁଳା ସ୍ଵଭାବର ସେ ଆଉ ତାପରେ ଯେଉଁମାନେ ଝିଅ ଦେଖିବାକୁ ଯାଇଥିଲେ ସମସ୍ତେ ସମ୍ପର୍କରେ ଏମିତି ଯେ ଗଜିଆ କାହାକୁ ମୁହଁ ଖୋଲି କିଛି ପଚାରି ପାରିଲାନି । ବାକି ରହିଲି ମୁଁ । ହେଲେ ମୁଁ ଜାଣିଶୁଣି ଧରାଛୁଆଁ ଦେଉ ନଥାଏ ଗଜିଆକୁ । ବିଚରାର ମାନସିକ ଅବସ୍ଥା ଦେଖିବାର ଥିଲା ।

ଦୈନିକ ଅଭ୍ୟାସ ପରି ବଡ଼ି ଭୋରରୁ ଉଠି ନଈ ଆଡେ ଧାଇଁଛି ମୁଁ । ବାବନା ଭୁତ ପରି ବନ୍ଧ କଡ଼ ବୁଦାରୁ ଭୁଷକରି ବାହାରି ପଡିଲା ଗଜିଆ ।  ଚମକି ପଡି ଛାତିରେ ମେଞ୍ଚେ ଛେପ ପକେଇ କହିଲି, "କିରେ, ତୋର ବେଳ ଅବେଳ କିଛି ନାହିଁ ! ଶଃ ଏମିତି ବାହାରୁଛି ବାଟ ମଝିରୁ ଯେ ମଣିଷର ହାର୍ଟ ଫେଲ କରେଇଦେବୁ !" ।
ବାଁ ହାତଟାକୁ ମୋର ଧରି ପକେଇ ଅତି ବ୍ୟସ୍ତ ହୋଇ କହିଲା ଗଜିଆ, "ନିଧିଆ'ଇ, ତତେ ସେଦିନରୁ ଖୋଜୁଛି ହେଲେ ତୋ ଭେଟ ମିଳୁନି । ଯାହାହେଉ ଆଜି ଭେଟ ହୋଇଗଲା" । ଆଉ ବୁଲେଇ ବଙ୍କେଇ ଶେଷକୁ ପଚାରିଲା,
"ନିଧିଆ'ଇ, ତୋ ମନକୁ ଝିଅଟି ଯାଇଛି ନା? ଦେଖିବାକୁ କେମିତି?"
"କିରେ ତୋ ବାପା ଦାଦାଙ୍କ ମନକୁ ଗଲା.. ହେଲାନି, ତୁ ପୁଣି ମୋ ମନକୁ ଯିବା କଥା ପଚାରୁଛୁ?"
"ନିଧିଆ'ଇ, କହମ ତୋ ମନକୁ ଯାଇଛି ନା ନାହିଁ?"
"ନା, ସବୁ ଭଲ ।  ତମ ଘରକୁ ବନ୍ଧୁ ହିସାବରେ ଠିକ ବନ୍ଧୁଟିଏ ପାଇବ । ଝିଅଟା ବି ସବୁ ଆଡକୁ ପୁରା ଫିଟ । ହେଲେ.."
"ହେଲେ ପୁଣି କଣ?"
"ସବୁ ଭଲ ଯେ, ହେଲେ ଝିଅଟା ପୁରା ଜହ୍ନି ମଞ୍ଜି ପରି ଗୋରା । କେମିତି ତୋ ଦାଦା ଦେଖିଥିଲା କେଜାଣି ! ତୋ ପରି ଗୋରା ପିଲାକୁ କେମିତି କଳା ପିଲାଟିଏ ପସନ୍ଦ କଲେ !"
ଜଳନ୍ତା କାଠରେ ପାଣି ଢାଳିଦେଲା ପରି ଗଜିଆର ଉତ୍ସାହିତ ମୁହଁଟା ଥଣ୍ଡା ପଡିଗଲା ପୁରା । କିଛି ସମୟ ପାଇଁ ନୀରବରେ ଛିଡା ହୋଇ ରହିଲା ଖୁଣ୍ଟଟା ପରି । ତା ପରେ କଟା ଗଛ ପରି ମୋ କାନ୍ଧରେ ଲୋଟିପଡି ଭେଁ ଭେଁ ହୋଇ କାନ୍ଦି ପକେଇଲା ।
"ମୋ ନିଜ ଦାଦାଟା ମୋ ସହ କି ଖେଳ ଖେଳିଲା ନିଧିଆ'ଇ ! ମୋ ଜୀବନକୁ ନଷ୍ଟ କରିଦେଲା..ଭେଁ..ଏଁ ..ଏଁ"
"ଯାହା ତ ହେବାର ହେଲାଣି, ତୁ ଆଉ ଏମିତି ଅଧର୍ଯ୍ୟ ହୋ ନା । ବାହାଘର ତ ଯୋଗ ବରାଦ କଥା ।" ଏମିତି ଅନେକ ବୁଝା ସୁଝା କରି ତାକୁ ଘରକୁ ପଠେଇଲି ।

ହେଲେ ଗଜିଆର ମନରେ ଯୋଉ କଥାଟା ମୁଁ ଛାଡି ଦେଇଥିଲି, ତାହା ଗୋଲେଇ ଘାଣ୍ଟି ଅସ୍ତବ୍ୟସ୍ତ କରି ପକାଉଥିଲା ଗଜିଆକୁ ।

ବାହାଘରରେ ବନ୍ଧୁ କୁଣିଆରେ ଘର ହାଉଯାଉ । ଗଜିଆ ମନ କିନ୍ତୁ ଅଶାନ୍ତ । କାରଣଟା ନା ସିଏ କାହାକୁ କହି ପାରୁଛି ନା ତା ମନ ଜାଣି ତାକୁ କିଏ ବୁଝେଇ ପାରୁଛି । ଏମିତି ଏମିତିରେ ବାହାଘର ହାତଗଣ୍ଠି କର୍ମଟା ବି ସରିଗଲା । ଗଜିଆର ଶଶୁର ଘର ଲୋକେ ବି ଟିକେ ସନ୍ଦେହରେ ପଚାରିଲେ, "ଜଇଁପୁଅର ମୁହଁ କାହିଁ ଶୁଖିଲା ଶୁଖିଲା ଦେଖା ଯାଉଛି?" । ବୟସ୍କ ଲୋକ କିଏ ଜଣେ ବୁଝେଇ ଦେଲା, ନା ସେମିତି କିଛି ନୁହେଁ । ବାହାଘରରେ ଉପାସିଆ ହୋଇ ସେମିତି ଦେଖାଯାଉଛି ।

ବାହାଘର ଭଲରେ ଭଲରେ ସରିଲା । ଏବେ ଝିଅ ଜ୍ବାଇଁ ବିଦା ହେବାର ବେଳ । ସବାରି ପାଲିଙ୍କି ଘର ଦାଣ୍ଡରେ ରେଡି । କାନ୍ଦ ବୋବାଳି ଭିତରେ ଝିଅକୁ ଆଣି ବସାଗଲା ସବାରିରେ । ସୁଟକେଶ, ପାଣି ଲୋଟା ସହ ଅନ୍ୟାନ୍ୟ ଜିନିଷ ସବୁ ରଖି ସବାରି ବାଲା "ହାକୁମ ଢାବଲ" କହି ସବାରି ଉଠେଇ ଚାଲିଲେ । ଶଙ୍ଖୁଆ ପେଁ କରି ଦୁଇଥର ଶଙ୍ଖ ଫୁଙ୍କିଦେଲା । ବାରିକ ତା ପେଡି ପୁଟୁଳା ଧରି ସାଇକେଲ ଗଡ଼ାଇଲା । ଆଉ ପଛେ ପଛେ ଚାଲିଲେ ପାଲିଙ୍କିରେ ଗଜିଆ । ଦୁଇ ତିନିଟା ଗାଁ ଯିବା ପରେ ପଡିଲା ବିଲ ପାଟ ରାସ୍ତା । ଆଉ ଅଳ୍ପ ବାଟ ପରେ ଆସିଯିବ ଆମ ଗାଁ । ଗଜିଆର ଧୈର୍ଯ୍ୟର ବନ୍ଧ ଆଉ କଂଟ୍ରୋଲରେ ରହୁ ନଥାଏ । ବଡ଼ ପାଟିରେ ଚିଲ୍ଲେଇକି କହିଲା, 'ରୁହ' ।


କଣ ହେଲା ବୋଲି ଅଟକି ଗଲେ ସବାରି ଓ ପାଲିଙ୍କି ବାଲାଏ । ଗଜିଆ ପାଲିଙ୍କିରୁ ଓହ୍ଲାଇ ଦଉଡ଼ି ଗଲା ସବାରି ପାଖକୁ । ଓଢଣା ଭିତରେ ଲୁଚି ବସିଥାଏ ନୂଆ ବୋହୂଟି । ଗଜିଆ ଯାଇ ଓଢ଼ଣାକୁ ଟାଣି ଦେଲା । ଚନ୍ଦ୍ରଉଦିଆ ଗୋରା ତକ ତକ ମୁହଁଟା ଝାଉଁଳି ପଡିଥାଏ । ଟିପି ଟିପି ଚନ୍ଦନ କୁଙ୍କୁମ ଅଳ୍ପ ନେସି ହୋଇଯାଇଥାଏ ମଥାରେ । ଗଜିଆ କିଛି କ୍ଷଣ ପାଇଁ ତଟସ୍ଥ ହୋଇ ରହିଗଲା । ଝିଅଟିର ଆଖି ତଳେ ଶୁଖି ଆସିଥିବା କଜ୍ଜଳର ଦୁଇ ଧାରକୁ ହାତରେ ପୋଛି ଦେଲା ସେ । ପାଣି ଲୋଟାଟିକୁ ବଢ଼େଇ ଦେଇ ପଚାରିଲା, "ପିଇବ?" ।  ନୂଆ ବୋହୁଟି ଟିକେ ଭରସା ପାଇଲା ବୋଧେ, ମୁଣ୍ଡ ହଲାଇ ମନା କଲା । ଆଉ ସ୍ମିତ ହସିଦେଲା । ଗଜିଆକୁ ଯେମିତି କୋଟିନିଧି ମିଳିଗଲା ଆଉ ଅଳ୍ପ ହସିଦେଲା ସେ ବି ।

***   ***   *** ***

କେତେ ବର୍ଷ ହୋଇ ଗଲାଣି ଏ ଘଟଣାକୁ । କେତେବେଳେ ଗଜିଆ ଘରଆଡେ ବୁଲି ଯାଇଥିଲା ବେଳେ ଯଦି କଥା ପ୍ରସଙ୍ଗରେ ମୁଁ ଉଠେଇଦିଏ ସେ ଘଟଣାଟି, ସ୍ୱାମୀ ସ୍ତ୍ରୀ ଦୁହେଁ ହସି ଦିଅନ୍ତି ଏକାବେଳେ..

7 comments:

  1. ବହୁତ ଭଲ ଲାଗିଲା

    ReplyDelete
    Replies
    1. ସମୟ ବାହାର କରି ପଢି ମତାମତ ଦେଇଥିବାରୁ ଥାଙ୍କୁ :)

      Delete
  2. ସବୁଥର ଭଳିଆ ଅଜା ତମ ନେଖାଟା ପୁରା ଗାଉଁଲିଆ ମନକୁ ଚହଲେଇ ଦେଲା ।

    ReplyDelete
    Replies
    1. ଗପଟି ମନକୁ ଛୁଇଁଲା ଜାଣି ଖୁସି ଲାଗିଲା | ଧନ୍ୟବାଦ

      Delete
  3. ହୋଇ ନିଧି ଅଜା। ଗଜିଆନା ପରି ଗାଉଁଲି ନୁକ ସହ ଏମିତି ମଜା କଣ ଭଲ?
    ଗପ ଟା ମନ କୁ ଗଲା।

    ReplyDelete
    Replies
    1. ଗପ ସବୁବେଳେ ଗପ | ଗପଟି ତମ ମନକୁ ଛୁଇଁଲା ଜାଣି ଖୁସି ଲାଗିଲା :)

      Delete