Showing posts with label Happy New Year. Show all posts
Showing posts with label Happy New Year. Show all posts

Friday, 30 December 2016

ବିଦାୟ ୨୦୧୬

୨୦୧୬ ମନେ ରହିବ ଛିଡା ହେବା ପାଇଁ । ସ୍ଵେଚ୍ଛାକୃତ ଭାବେ ହେଉ କି ଅନିଚ୍ଛା ସତ୍ତ୍ୱେ ହେଉ ସମସ୍ତଙ୍କୁ ଛିଡା ହେବାକୁ ପଡିଥିଲା ଏ ବର୍ଷ କେତେବେଳେ ନା ନାହିଁ କେତେବେଳେ । କେବେ ଗର୍ବରେ ଛାତି ଫୁଲେଇ ଆମେ ଛିଡା ହୋଇଥିଲୁ ତ କେବେ ଛିଡା ହୋଇଥିଲୁ ଲଜ୍ଜାରେ ମଥାନତ କରି ।


ସୁପ୍ରୀମକୋର୍ଟ ଲୋକଙ୍କୁ ସିନେମା ହଲରେ ଛିଡା ହେବାକୁ ନିୟମ ତିଆରି କରିଥିଲେ ତ ମୋଦି ଆଜ୍ଞା ଛିଡା ହେବାକୁ ବାଧ୍ୟ କରାଇଥିଲେ ବ୍ୟାଙ୍କ ଆଉ ATM ଆଗରେ, ନୋଟବନ୍ଦୀ ଚଳାଇ । ସିନ୍ଧୁ, ସାକ୍ଷୀ ଆଦି ମହିଳାମାନେ ନିଜ କ୍ରୀଡ଼ା ନୈପୁଣ୍ୟତାରେ ବଶୀଭୂତ କରିଥିଲେ କ୍ରିକେଟ ପାଗଳ ଦେଶବାସୀଙ୍କୁ । ସାରା ଦେଶ ଗୌରବର ସହ ଛିଡା ହୋଇଥିଲା ରିଓ ଅଲମ୍ପିକ୍ସରେ ସେମାନଙ୍କର ଅତୁଳନୀୟ କ୍ରୀଡ଼ା କୌଶଳ ଦେଖି  । ଭାରତୀୟ ସେନାର ରାତି ଅଧିଆ ସର୍ଜିକାଲ ଆକ୍ରମଣ ସାରା ଦେଶରେ କମ୍ପନ ସୃଷ୍ଟି କରିଥିଲା । ସାରା ଦେଶବାସୀ ଏକାଠି ଛିଡା ହୋଇ ସମ୍ମାନ ଜଣାଇଥିଲେ ବୀର ସୈନିକଙ୍କ ସାହାସିକତାକୁ ।

ସେମିତି କିଛି ଘଟଣା କାଠଗଡ଼ାରେ ଛିଡା କରେଇଥିଲା ଆମ ସଭ୍ୟ ସମାଜର ପାରିବାପଣିଆକୁ ।  ନଗଡା ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ପ୍ରଶାସନକୁ କାଠଗଡ଼ାରେ ଛିଡା କରେଇଥିଲା ତ ଦାନ ମାଝି ଘଟଣା ଛିଡା କରେଇଥିଲା ପ୍ରଶାସନ ସମେତ ଶହ ଶହ NGO ସଂସ୍ଥାଙ୍କୁ ।

ଖାଲି ମଣିଷ କାହିଁକି ଭଗବାନ ବି ଏ ଛିଡା ହେବାରୁ ବାଦ ପଡି ନଥିଲେ ଏ ବର୍ଷ । ସେବାୟତଙ୍କ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଥିଲା ଆଉ ନୀଳାଦ୍ରି ବିଜେ ବେଳେ ଚାରମାଳ ଉପରେ ଘଣ୍ଟାଧିକ ସମୟ ଛିଡା ହେବାକୁ ପଡିଥିଲା ସ୍ୱୟଂ ସୁଦର୍ଶନ ମହାପ୍ରଭୁଙ୍କୁ ।

ହେଲେ ବର୍ଷ ୨୦୧୬ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା ଓଡ଼ିଆ ମାନଙ୍କର ସୋସିଆଲ ମିଡ଼ିଆରେ ଅନୁପ୍ରବେଶ । ରଜ ହେଉ କି ଅଷ୍ଟମୀ, ନୂଆଖାଇ ହେଉ କି ରଥଯାତ୍ରା, ରସଗୋଲା ହେଉ କି ପଖାଳ । ଅନଲାଇନ ଓଡ଼ିଆ ସବୁ ସମୟରେ ଛିଡା ହୋଇଥିଲେ କାନ୍ଧରେ କାନ୍ଧ ମିଶେଇ ଆଉ  କରିଥିଲେ ଓଡ଼ିଆମି । ଉଡ଼େଇଥିଲେ ଉତ୍କଳର ଧ୍ୱଜା ସାରା ଦେଶରେ ।

ଡାଏରୀ କିମ୍ବା କ୍ୟାଲେଣ୍ଡର ପୃଷ୍ଠାରୁ ଚାଲିଯାଇ ସ୍ମୃତିଟିଏ ବନିଯିବା ଯିବା ପୂର୍ବରୁ ଶେଷଥର ପାଇଁ "ବିଦାୟ ୨୦୧୬" ଛିଡା ହୋଇ (ଏହାକୁ standing ovation ମଧ୍ୟ କହିପାରନ୍ତି)।