Showing posts with label 12 Angry Men. Show all posts
Showing posts with label 12 Angry Men. Show all posts

Thursday, 23 August 2018

12 Angry Men - ଡଜନେ ରାଗି ଲୋକ

12 Angry Men । କଳାଧଳା ଫିଲ୍ମଟିଏ । ରିଲିଜ ହୋଇଥିଲା 1957 ମସିହାରେ । ଯଦିଓ ଫିଲ୍ମଟି ସେମିତି ବ୍ୟବସାୟିକ ସଫଳତା ପାଇନଥିଲା, କିନ୍ତୁ ସବୁ ଦର୍ଶକଙ୍କ ମନରେ ଗୋଟେ ସ୍ୱତନ୍ତ୍ର ଛାପ ଛାଡି ଯାଇଥିଲା । ପରେ ବିଶ୍ୱ ସାରା ଅନେକ ଭାଷାରେ ପୁନଃନିର୍ମିତ ହୋଇଛି ଏ ଫିଲ୍ମଟି । ଏମିତିକି ବଲିଉଡରେ ଜଣାଶୁଣା ନିର୍ଦ୍ଦେଶକ ବାସୁ ଚାଟାର୍ଜୀ ମଧ୍ୟ ଏଇ ଫିଲ୍ମର ଆଧାରରେ କରିଥିଲେ ହିନ୍ଦୀ ଫିଲ୍ମ, "ଏକ ରୁକା ହୁଆ ଫୈସଲା" । ବିଶ୍ବର ସର୍ବଶ୍ରେଷ୍ଠ କୋଡିଏଟି ଫିଲ୍ମ ମଧ୍ୟରେ ଏ ଫିଲ୍ମଟି ନିଶ୍ଚୟ ସ୍ଥାନ ପାଇବ । 

ଅଳ୍ପ ଖର୍ଚ୍ଚରେ ତିଆରି ହୋଇଥିଲା ଏ ଫିଲ୍ମଟି । କାରଣ ସମ୍ପୂର୍ଣ୍ଣ ଫିଲ୍ମଟି ଗୋଟିଏ କୋଠରୀ ଭିତରେ ହିଁ ସୁଟିଂ ହୋଇଛି (ଯଦି ଆମେ ପ୍ରଥମରୁ ଓ ଶେଷ ଆଡୁ କିଛି ସେକେଣ୍ଡର ଦୃଶ୍ୟକୁ ଅଣଦେଖା କରିବା) । ଏଥିରୁ ଗୋଟେ କଥା ସୁସ୍ପଷ୍ଟ ଯେ, ଭଲ ଫିଲ୍ମ ତିଆରି କରିବା ପାଇଁ ପୁଳେ ଅର୍ଥ କେବେ ବି ଗୋଟେ ଆବଶ୍ୟକତା ହୋଇନପାରେ ।

                   (ଜୁରୀ ମେମ୍ବର ମାନେ ଭୋଟ୍ କରୁଥିବାର ଦୃଶ୍ୟ)

ଫିଲ୍ମର କାହାଣୀ ବହୁତ ଛୋଟ ଓ ସରଳ । ଆମେରିକାର ଏକ କୋର୍ଟ ଗୋଟେ ହତ୍ୟା ମାମଲାକୁ ବାର ଜଣିଆ ଜୁରି ମେମ୍ବର ମାନଙ୍କ ପାଖକୁ ପଠାଉଛି । ଝୁମ୍ପୁଡି ବସ୍ତିରେ ରହୁଥିବା ଜଣେ ଅଠର ବର୍ଷର ପିଲା ତା ବାପାକୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରିଥିବାର ଅଭିଯୋଗ । ଯଦିଓ ବିଚାରପତି ମୃତ୍ୟୁଦଣ୍ଡ ଦେଇସାରିଛନ୍ତି, କିନ୍ତୁ ପିଲାଟିର ବୟସକୁ ଆଖି ଆଗରେ ରଖି ମାମଲାଟି ଜୁରିଙ୍କ ପାଖକୁ ପଠାଯାଇଛି ରିଭିୟୁ ପାଇଁ । ଏବେ ଜୁରୀଙ୍କ ନିଷ୍ପତ୍ତି ଉପରେ ପିଲାଟିର ଶାସ୍ତି ନିର୍ଭର କରେ । ଜୁରୀ ଯଦି କୋର୍ଟଙ୍କ ବିଚାରରେ ଏକମତ ହେବେ, ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବ।

ଜୁରିଟି ବାର ଜଣିଆ ସଦସ୍ୟଙ୍କୁ ନେଇ ଗଠିତ । ସଦସ୍ୟମାନେ ସମାଜର ବିଭିନ୍ନ ବର୍ଗରୁ ଆସିଥାନ୍ତି । ଏ ଫିଲ୍ମଟି ଏହି ବାର ଜଣ ଲୋକଙ୍କର ଗୋଟିଏ ବିଷୟ ଉପରେ ଏକମତ ହୋଇ ନିଜ ନିର୍ଣ୍ଣୟ ରଖିବା ଉପରେ ପର୍ଯ୍ୟବେଷିତ । 


ଆରମ୍ଭରୁ ସମସ୍ତେ ପିଲାଟି ଦୋଷୀ ବୋଲି ସ୍ଥିର କରି ସାରିଥାନ୍ତି, କେବଳ ଜଣକୁ ବାଦ ଦେଇ । ସେ ବ୍ୟକ୍ତି ଜଣକ ଯଦିଓ ପିଲାଟି
ନିର୍ଦ୍ଦୋଷ ବୋଲି ନିଶ୍ଚିତ ନଥାନ୍ତି, କିନ୍ତୁ ଦୋଷୀ ବୋଲି ବି ମାନିନେଇ ପାରୁନଥାନ୍ତି । ଭୋଟ୍ ସ୍ଥିତି ୧୧ -୧ ।

ଫିଲ୍ମଟି ଧୀରେ ଧୀରେ ଆଗକୁ ବଢିଛି । ବିଭିନ୍ନ ବର୍ଗର ତଥା ବିଭିନ୍ନ ଚିନ୍ତାଧାରାର ବାର ଜଣ ବ୍ୟକ୍ତି । ଆଗରୁ କାହାର କାହା ସହିତ ଚିହ୍ନା ଜଣା ନାହିଁ । କୌଣସି ବିଷୟ ଉପରେ ମତାମତ ଦେଲାବେଳେ ଆମ ଚିନ୍ତାଧାରା କେମିତି ଅନେକ ଗୁଡ଼ାଏ ପାରିପାର୍ଶ୍ବିକ କାରଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ପୁରା ଫିଲ୍ମଟି ତାହା ହିଁ ଦେଖାଇଛି । ଯଦିଓ ଏଠି ଗୋଟେ ମର୍ଡର କେସ ଉପରେ ଚର୍ଚ୍ଚା ଚାଲିଛି, କିନ୍ତୁ ଆମେ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ମଧ୍ୟ ତୁଳନା କରି ଦେଖିପାରିବା । 

ପ୍ରଥମେ ଆଖିବୁଜି ପିଲାଟିକୁ ଦୋଷୀ ବୋଲି ସ୍ଥିର କରିନେଇଥିବା ସଦସ୍ୟମାନେ ଧୀରେ ଧୀରେ ତର୍କ ଭିତ୍ତିକ ଆଲୋଚନାକୁ ଆସୁଛନ୍ତି । ଭୁଲ ଠିକ ଉପରେ ନିଜ ମତ ରଖୁଛନ୍ତି । "ନାନା ମୁନି ନାନା ମତ" ଭଳି ମଝିରେ ମଝିରେ ଆଲୋଚନା ଶାନ୍ତିପୂର୍ଣ୍ଣ ନହୋଇ ଝଗଡା ଓ କୋଳାହଳରେ ପହଞ୍ଚୁଛି । କିନ୍ତୁ ଶେଷ ଆଡକୁ ଧୀରେ ଧୀରେ ସମସ୍ତେ ନିଜ ନିଜ ବୁଦ୍ଧି, ବିବେକ ତଥା ଚିନ୍ତାଶକ୍ତି ଖଟାଉଛନ୍ତି । ମନ ଭିତରେ ବୁଢିଆଣୀ ଜାଲ ପରି ବସା ବାନ୍ଧିଥିବା ନିଜର ବର୍ଷ ବର୍ଷର prejudice କୁ ହଟାଉଛନ୍ତି । ଶେଷରେ ସମସ୍ତେ ଗୋଟେ ନିଷ୍ପତ୍ତିରେ ପହଞ୍ଚିବାରେ ସଫଳ ହେଉଛନ୍ତି । 

ଫିଲ୍ମଟିରେ ଯେଉଁ ବିଭାଗଟି ମୋତେ ବେଶି ଭଲ ଲାଗିଲା, ତାହା ହେଉଛି ଫିଲ୍ମର ପଟ୍ଟକଥା ବା Screen-play । ଏତେ ସୁନ୍ଦର ଭାବେ କାହାଣୀଟି ଲେଖାଯାଇଛି ଯେ, ଫିଲ୍ମଟି ଗୋଟେ ରୁମ୍ ଭିତରେ ସୁଟିଂ ହୋଇ ବି ନିଜ ଗତିଶୀଳତା ହରାଉନାହିଁ । କୌଣସି କଳାକାରଙ୍କର ନାଁ ପ୍ରାୟ ନିଆଯାଇନି ପୁରା ଫିଲ୍ମରେ । ଶେଷ ଆଡକୁ
କେବଳ ଦୁଇଜଣ ଜୁରି ମେମ୍ବର ନିଜ ନାଁ କହୁଛନ୍ତି । ଦୋଷୀ ପିଲା, ପିଲାର ବାପା, ସାକ୍ଷୀ ଦେଇଥିବା ଲୋକ ଦୁଇଜଣ ଫିଲ୍ମରେ ନା ପରଦା ଉପରକୁ କେତେବେଳେ ଆସିଛନ୍ତି ନା ସେମାନଙ୍କର ନାଁ କୋଉଠି କୁହାଯାଇଛି । ଏତେ ସବୁ ମଧ୍ୟରେ ବି ଦର୍ଶକକୁ କୌଣସି ଚରିତ୍ରକୁ ବୁଝିବାରେ ଟିକେ ବି ଅସୁବିଧା ହେବନି । 

ଆଉ ଗୋଟେ କଥା । ପୁରୁଣା ହଲିଉଡ଼ ଫିଲ୍ମ ଗୁଡିକରେ ଅଭିନେତା ମାନଙ୍କର ସଂଳାପ ଉଚ୍ଚାରଣ ବହୁତ ଆକର୍ଷକ ଥାଏ । ସୁଯୋଗ ମିଳିଲେ ଏଇ ଦେଢ ଘଣ୍ଟାର ଛୋଟ ଫିଲ୍ମଟି ନିଶ୍ଚୟ ଦେଖନ୍ତୁ ଓ କେମିତି ଲାଗିଲା ଦେଖିସାରି କମେଣ୍ଟ କରି ଜଣାନ୍ତୁ । ଯଦି ଆଗରୁ ଦେଖି ସାରିଛନ୍ତି, ତେବେ ମୋ ବ୍ଲଗଟି କେମିତି ଲାଗିଲା ଜଣାନ୍ତୁ । ଧନ୍ୟବାଦ ।