Thursday 23 August 2018

12 Angry Men - ଡଜନେ ରାଗି ଲୋକ

12 Angry Men । କଳାଧଳା ଫିଲ୍ମଟିଏ । ରିଲିଜ ହୋଇଥିଲା 1957 ମସିହାରେ । ଯଦିଓ ଫିଲ୍ମଟି ସେମିତି ବ୍ୟବସାୟିକ ସଫଳତା ପାଇନଥିଲା, କିନ୍ତୁ ସବୁ ଦର୍ଶକଙ୍କ ମନରେ ଗୋଟେ ସ୍ୱତନ୍ତ୍ର ଛାପ ଛାଡି ଯାଇଥିଲା ପରେ ବିଶ୍ୱ ସାରା ଅନେକ ଭାଷାରେ ପୁନଃନିର୍ମିତ ହୋଇଛି ଏ ଫିଲ୍ମଟି । ଏମିତିକି ବଲିଉଡରେ ଜଣାଶୁଣା ନିର୍ଦ୍ଦେଶକ ବାସୁ ଚାଟାର୍ଜୀ ମଧ୍ୟ ଏଇ ଫିଲ୍ମର ଆଧାରରେ କରିଥିଲେ ହିନ୍ଦୀ ଫିଲ୍ମ, "ଏକ ରୁକା ହୁଆ ଫୈସଲା। ବିଶ୍ବର ସର୍ବଶ୍ରେଷ୍ଠ କୋଡିଏଟି ଫିଲ୍ମ ମଧ୍ୟରେ ଏ ଫିଲ୍ମଟି ନିଶ୍ଚୟ ସ୍ଥାନ ପାଇବ । 

ଅଳ୍ପ ଖର୍ଚ୍ଚରେ ତିଆରି ହୋଇଥିଲା ଏ ଫିଲ୍ମଟି । କାରଣ ସମ୍ପୂର୍ଣ୍ଣ ଫିଲ୍ମଟି ଗୋଟିଏ କୋଠରୀ ଭିତରେ ହିଁ ସୁଟିଂ ହୋଇଛି (ଯଦି ଆମେ ପ୍ରଥମରୁ ଶେଷ ଆଡୁ କିଛି ସେକେଣ୍ଡର ଦୃଶ୍ୟକୁ ଅଣଦେଖା କରିବା) ଏଥିରୁ ଗୋଟେ କଥା ସୁସ୍ପଷ୍ଟ ଯେ, ଭଲ ଫିଲ୍ମ ତିଆରି କରିବା ପାଇଁ ପୁଳେ ଅର୍ଥ କେବେ ବି ଗୋଟେ ଆବଶ୍ୟକତା ହୋଇନପାରେ

                   (ଜୁରୀ ମେମ୍ବର ମାନେ ଭୋଟ୍ କରୁଥିବାର ଦୃଶ୍ୟ)

ଫିଲ୍ମର କାହାଣୀ ବହୁତ ଛୋଟ ସରଳ ଆମେରିକାର ଏକ କୋର୍ଟ ଗୋଟେ ହତ୍ୟା ମାମଲାକୁ ବାର ଜଣିଆ ଜୁରି ମେମ୍ବର ମାନଙ୍କ ପାଖକୁ ପଠାଉଛି ଝୁମ୍ପୁଡି ବସ୍ତିରେ ରହୁଥିବା ଜଣେ ଅଠର ବର୍ଷର ପିଲା ତା ବାପାକୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରିଥିବାର ଅଭିଯୋଗ । ଯଦିଓ ବିଚାରପତି ମୃତ୍ୟୁଦଣ୍ଡ ଦେଇସାରିଛନ୍ତି, କିନ୍ତୁ ପିଲାଟିର ବୟସକୁ ଆଖି ଆଗରେ ରଖି ମାମଲାଟି ଜୁରିଙ୍କ ପାଖକୁ ପଠାଯାଇଛି ରିଭିୟୁ ପାଇଁ । ଏବେ ଜୁରୀଙ୍କ ନିଷ୍ପତ୍ତି ଉପରେ ପିଲାଟିର ଶାସ୍ତି ନିର୍ଭର କରେ ଜୁରୀ ଯଦି କୋର୍ଟଙ୍କ ବିଚାରରେ ଏକମତ ହେବେ, ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବ

ଜୁରିଟି ବାର ଜଣିଆ ସଦସ୍ୟଙ୍କୁ ନେଇ ଗଠିତ । ସଦସ୍ୟମାନେ ସମାଜର ବିଭିନ୍ନ ବର୍ଗରୁ ଆସିଥାନ୍ତି ଫିଲ୍ମଟି ଏହି ବାର ଜଣ ଲୋକଙ୍କର ଗୋଟିଏ ବିଷୟ ଉପରେ ଏକମତ ହୋଇ ନିଜ ନିର୍ଣ୍ଣୟ ରଖିବା ଉପରେ ପର୍ଯ୍ୟବେଷିତ  


ଆରମ୍ଭରୁ ସମସ୍ତେ ପିଲାଟି ଦୋଷୀ ବୋଲି ସ୍ଥିର କରି ସାରିଥାନ୍ତି, କେବଳ ଜଣକୁ ବାଦ ଦେଇ । ସେ ବ୍ୟକ୍ତି ଜଣକ ଯଦିଓ ପିଲାଟି
ନିର୍ଦ୍ଦୋଷ ବୋଲି ନିଶ୍ଚିତ ନଥାନ୍ତି, କିନ୍ତୁ ଦୋଷୀ ବୋଲି ବି ମାନିନେଇ ପାରୁନଥାନ୍ତି । ଭୋଟ୍ ସ୍ଥିତି ୧୧ -୧ ।

ଫିଲ୍ମଟି ଧୀରେ ଧୀରେ ଆଗକୁ ବଢିଛି ବିଭିନ୍ନ ବର୍ଗର ତଥା ବିଭିନ୍ନ ଚିନ୍ତାଧାରାର ବାର ଜଣ ବ୍ୟକ୍ତି । ଆଗରୁ କାହାର କାହା ସହିତ ଚିହ୍ନା ଜଣା ନାହିଁ । କୌଣସି ବିଷୟ ଉପରେ ମତାମତ ଦେଲାବେଳେ ଆମ ଚିନ୍ତାଧାରା କେମିତି ଅନେକ ଗୁଡ଼ାଏ ପାରିପାର୍ଶ୍ବିକ କାରଣ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ପୁରା ଫିଲ୍ମଟି ତାହା ହିଁ ଦେଖାଇଛି ଯଦିଓ ଏଠି ଗୋଟେ ମର୍ଡର କେସ ଉପରେ ଚର୍ଚ୍ଚା ଚାଲିଛି, କିନ୍ତୁ ଆମେ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ମଧ୍ୟ ତୁଳନା କରି ଦେଖିପାରିବା । 

ପ୍ରଥମେ ଆଖିବୁଜି ପିଲାଟିକୁ ଦୋଷୀ ବୋଲି ସ୍ଥିର କରିନେଇଥିବା ସଦସ୍ୟମାନେ ଧୀରେ ଧୀରେ ତର୍କ ଭିତ୍ତିକ ଆଲୋଚନାକୁ ଆସୁଛନ୍ତି ଭୁଲ ଠିକ ଉପରେ ନିଜ ମତ ରଖୁଛନ୍ତି  "ନାନା ମୁନି ନାନା ମତ" ଭଳି ମଝିରେ ମଝିରେ ଆଲୋଚନା ଶାନ୍ତିପୂର୍ଣ୍ଣ ନହୋଇ ଝଗଡା ଓ କୋଳାହଳରେ ପହଞ୍ଚୁଛି କିନ୍ତୁ ଶେଷ ଆଡକୁ ଧୀରେ ଧୀରେ ସମସ୍ତେ ନିଜ ନିଜ ବୁଦ୍ଧି, ବିବେକ ତଥା ଚିନ୍ତାଶକ୍ତି ଖଟାଉଛନ୍ତି ମନ ଭିତରେ ବୁଢିଆଣୀ ଜାଲ ପରି ବସା ବାନ୍ଧିଥିବା ନିଜର ବର୍ଷ ବର୍ଷର prejudice କୁ ହଟାଉଛନ୍ତି ଶେଷରେ ସମସ୍ତେ ଗୋଟେ ନିଷ୍ପତ୍ତିରେ ପହଞ୍ଚିବାରେ ସଫଳ ହେଉଛନ୍ତି । 

ଫିଲ୍ମଟିରେ ଯେଉଁ ବିଭାଗଟି ମୋତେ ବେଶି ଭଲ ଲାଗିଲା, ତାହା ହେଉଛି ଫିଲ୍ମର ପଟ୍ଟକଥା ବା Screen-play । ଏତେ ସୁନ୍ଦର ଭାବେ କାହାଣୀଟି ଲେଖାଯାଇଛି ଯେ, ଫିଲ୍ମଟି ଗୋଟେ ରୁମ୍ ଭିତରେ ସୁଟିଂ ହୋଇ ବି ନିଜ ଗତିଶୀଳତା ହରାଉନାହିଁ । କୌଣସି କଳାକାରଙ୍କର ନାଁ ପ୍ରାୟ ନିଆଯାଇନି ପୁରା ଫିଲ୍ମରେ । ଶେଷ ଆଡକୁ
କେବଳ ଦୁଇଜଣ ଜୁରି ମେମ୍ବର ନିଜ ନାଁ କହୁଛନ୍ତି । ଦୋଷୀ ପିଲା, ପିଲାର ବାପା, ସାକ୍ଷୀ ଦେଇଥିବା ଲୋକ ଦୁଇଜଣ ଫିଲ୍ମରେ ନା ପରଦା ଉପରକୁ କେତେବେଳେ ଆସିଛନ୍ତି ନା ସେମାନଙ୍କର ନାଁ କୋଉଠି କୁହାଯାଇଛି । ଏତେ ସବୁ ମଧ୍ୟରେ ବି ଦର୍ଶକକୁ କୌଣସି ଚରିତ୍ରକୁ ବୁଝିବାରେ ଟିକେ ବି ଅସୁବିଧା ହେବନି । 

ଆଉ ଗୋଟେ କଥା । ପୁରୁଣା ହଲିଉଡ଼ ଫିଲ୍ମ ଗୁଡିକରେ ଅଭିନେତା ମାନଙ୍କର ସଂଳାପ ଉଚ୍ଚାରଣ ବହୁତ ଆକର୍ଷକ ଥାଏ । ସୁଯୋଗ ମିଳିଲେ ଏଇ ଦେଢ ଘଣ୍ଟାର ଛୋଟ ଫିଲ୍ମଟି ନିଶ୍ଚୟ ଦେଖନ୍ତୁ ଓ କେମିତି ଲାଗିଲା ଦେଖିସାରି କମେଣ୍ଟ କରି ଜଣାନ୍ତୁ । ଯଦି ଆଗରୁ ଦେଖି ସାରିଛନ୍ତି, ତେବେ ମୋ ବ୍ଲଗଟି କେମିତି ଲାଗିଲା ଜଣାନ୍ତୁ । ଧନ୍ୟବାଦ । 

8 comments:

  1. କାହାଣୀଟି ଭଲ ହେଇଥିବ ବୋଲି ଆଶା. ବହୁତ୍ ଖୁସି ଲାଗିଲା ଓଡ଼ିଆ ସାରାଂଶଟି କୁ ପଢି.

    ReplyDelete
    Replies
    1. ଧନ୍ୟବାଦ | ଫିଲ୍ମଟି ଦେଖି ସାରିଲେ ଜଣେଇବ କେମିତି ଲାଗିଲା | ଆଉ ଗୋଟେ ଫିଲ୍ମ ଉପରେ ଲେଖିଥିଲି ଆଗରୁ
      (The Artist):

      https://nidhiaja.blogspot.com/2018/01/artist.html

      Delete
    2. ମୁଁ ହିନ୍ଦୀ ଭର୍ସନ ଦେଖିଛି, ପଙ୍କଜ କାପୁରଂକ ଅଭିନୟ ଭାରୀ ବଢିଆବ ଥିଲା ସେଥିରେ।

      Delete
  2. Soumyaranjan Kar26 August 2018 at 23:21

    Bahut bhala kahani, nirdesana, au abhinaya. Hindi film ti bi kichhi kharap nuhe, Pankaj Kapoor au KK Raina nka abhinaya bhala. Hello asala film Ra maja tk besi.

    Blog post ti bi bahut bhala lagila

    ReplyDelete
    Replies
    1. ଧନ୍ୟବାଦ ସୋମ୍ୟରଞ୍ଜନ

      Delete
  3. ଅଜା ଫିଲ୍ମ ଟି ଆଜି ଦେଖିଲି। ଏମିତି ଅନେକ ଚମତ୍କାର ଫିଲ୍ମ ଆମ ଆଖି ଆଢୁଆଳରେ ଲୁଚିରହି ଯାଇଥାଏ। ଗୋଟେ ରୁମରେ ପୁରା କାହାଣୀ, ବାକି କୋଉ suspense thriller ru କମ ନୁହଁ। ବହୁତ ବଢିଆ ଲାଗିଲା ରିଭ୍ୟୁ।

    ReplyDelete
    Replies
    1. ଥାଙ୍କୁ | ମୋ ସଜେସନ ଟା କାମ ଦେଲା ତାହେଲେ :)

      Delete
    2. ହେହେ, ହଁ ପୁରା ଭଲ କି କାମ ଦେଲା। ଆଉ କିଛି ଫିଲ୍ମ ର ରିଭ୍ୟୁ ଅପେକ୍ଷାରେ 😊

      Delete