Showing posts with label Ghost story. Show all posts
Showing posts with label Ghost story. Show all posts

Saturday, 4 March 2017

ଭୂତ ଗପ - (ଭାଗ ୨)

ସକାଳୁ ପଦ୍ମପୁର ଗାଁ'ଟା ସାରା ଗୋଟାଏ ଚର୍ଚ୍ଚା । ଗାଧୁଆ ତୁଠରୁ ନେଇ ଝାଡା ପଡିଆ ଯାଏ, ବିଲହୁଡ଼ାରୁ ନେଇ ଦାଣ୍ଡ ପିଣ୍ଢା ଯାଏ, ସବୁଠି କାଲି ରାତିର ଭୂତ ଉପରେ ଆଲୋଚନା, ପର୍ଯ୍ୟାଲୋଚନା । କିଏ କହିଲା ମଶାଣି ପଡ଼ିଆରୁ ଜିଅନ୍ତା ଭୂତଟାଏ ଉଠି ଆସିଛି ତ ଆଉ କିଏ କହିଲା ନା, ସେଇଟା ଇଆଡିକା ଭୂତ ନୁହେଁ, ବାହାର ଜାଗାରୁ ଚାଲି ଆସିଛି ଭୂତଟି । କେତେ ଜଣ ଏ ଭୂତକୁ ଆଗରୁ ଥରେ ସେଇ ଅଧେ ପାଟ ମଝିରେ ସାମନା କରିଥିବାର କଥା ମଧ୍ୟ କହିଲେ ।

ଏଣେ ଧନୁର ଅବସ୍ଥା କଥା କହିଲେ ନସରେ ।  ରାତିର ଘଟଣା ପରେ ଖୁବ ଭୟ ପାଇଯାଇଥାଏ ସେ । ଘରେ ଏକୁଟିଆ କ୍ଷଣେ ବସିଲେ, ରାତିର ଦୃଶ୍ୟ ଲେଉଟି ଆସୁଥାଏ ତା ଆଖି ସାମ୍ନାକୁ ।  ତା'କୁ ଲାଗୁଥାଏ ଯେମିତି ଘରର ଆଟୁ ଉପରେ ବସି ଭୂତଟି ତା' ଆଡକୁ ହାତ ଲମ୍ବାଉଛି ତ ଆଉ କେତେବେଳେ  ଲାଗୁଥାଏ ଝରକା ସେପଟରୁ ଲମ୍ବାଉଛି ହାତ ତା ଆଡକୁ । ଏଣେ ଗାଁ'ର ମୁରବି ମାନଙ୍କ ଠାରୁ ନେଇ ଛୋଟପିଲା ମାଇପେ ପର୍ଯ୍ୟନ୍ତ ସମସ୍ତେ ଆସି ଟିକେ ଟିକେ ଦେଖି ଯାଉଥାନ୍ତି ଧନୁକୁ ।  ସର୍କସକୁ ନୂଆ କରି ଆସିଥିବା ଜନ୍ତୁଟିଏ ପରି ଖାଲି ବଲବଲ କରି ଅନାଉଥାଏ ଧନୁ ଆଗନ୍ତୁକ ଲୋକଙ୍କୁ ।

ଖରାବେଳ ସମୟ ।
ଗାଧୋଇ ପଡି ଅଳ୍ପ ମୁଠେ କଣ ଖାଇ ଦେଇ ଦାଣ୍ଡଘର ଖଟ ଉପରେ ଗଡ଼ପଡ଼ ହେଉଥାଏ ଧନୁ । ଫାଳିକିଆ ଦୁଇ କବାଟ ମଧ୍ୟରୁ ଗୋଟେ ଖୋଲା ଓ ଆରଟି ଅଳ୍ପ ଆଉଜା ହୋଇଥାଏ । ଝରକା ସେପଟରୁ ଆସୁଥାଏ ବାରିଆଡେ ଖେଳକୁଦରେ ମାତିଥିବା ପିଲାମାନଙ୍କର କୋଳାହଳ । ପାଖଘର ଢ଼ିଙ୍କିଶାଳରୁ ମଝିରେ ମଝିରେ ଶୁଭୁଥାଏ ଢିଙ୍କି ପାହାରର ଦୁମ ଦୁମ ଶବ୍ଦ । ଚାଳକୁ ଲାଗିଥିବା ପଣସ ଗଛରୁ ଚଢେଇ ମାନଙ୍କ କିଚିରିମିଚିରି ଭିତରେ ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ବାଛୁରୀ ଦୁଇଟି ମଝିରେ ମଝିରେ ଛାଡୁଥାନ୍ତି ହମ୍ବା ରଡି ।

ଆଖି ପତା ଟିକେ ଲାଗି ଆସିଛି ଧନୁର । ଏଇ ସମୟରେ କେଁ..ଏଁ..ଏଁ  ଶବ୍ଦ କରି ଖୋଲିଗଲା ଅଧା ଆଉଜା ହୋଇଥିବା ଫାଳିକିଆ କବାଟଟି । ଭିତରକୁ ପଶି ଆସିଲେ ବାଇଧର ବଡ଼ବାପା । ଧନୁ ତକିଆଟା ଟିକେ ଟାଣି ଆଣି ଖଟ ବାଡ଼କୁ ଅଧା ଆଉଜି ଉଠି ବସିଲା । ଗାଁ ହିସାବରେ ବାଇଧର ଧନୁର ବଡ଼ବାପା ହେବେ । ଗାଁରେ ସମ୍ପର୍କ ଗୁଡାକ ଏମିତି । ବାଇଧର ସ୍କୁଲରେ ଶିକ୍ଷକତା କରନ୍ତି । ଗାଁରେ ତାଙ୍କର ଭାରି ଖାତିରି । ନ୍ୟାୟ ନିଶାପରେ ସମସ୍ତେ ମାନନ୍ତି ତାଙ୍କୁ ।

"ସକାଳୁ ଶୁଣିଲି ତୋ କଥା । ଶନିବାରିଆ ସ୍କୁଲଟା ଥିଲା । ଆଉ ଆସିପାରିଲି ନାହିଁ । ସ୍କୁଲ ସାରି ଏଇନା ସିଧା ଆସୁଛି । "

ପାଖ କାଠ ଚେୟାର ଉପରେ ପଡିଥିବା ଲୁଗାଟା ଉଠେଇ ଦେଇ ବାଇଧର ବଡ଼ବାପାଙ୍କୁ ବସିବା ପାଇଁ କହିଲା ଧନୁ । ଚେୟାରକୁ ଟିକେ ଖଟ ଆଡକୁ ଟାଣିଦେଇ ବସିପଡି ପଚାରିଲେ ବାଇଧର,

"ରାତି ଅଧଟାରେ ଏମିତି ଏକୁଟିଆଟା କାହିଁକି ଆସୁଥିଲୁ? ଆଚ୍ଛା, କଣ ହେଲା କାଲି ମୋତେ ଟିକେ ଖୋଲିକି କହିଲୁ?"

ମୂଳରୁ ଶେଷ ଯାଏ ଯାହା ସବୁ ଘଟିଥିଲା ଗୋଟି ଗୋଟି କରି କହିଗଲା ଧନୁ । ଗମ୍ଭୀର ହୋଇ ଶୁଣୁଥାନ୍ତି ବାଇଧର ବଡ଼ବାପା । ମଥାର ଭୃକୁଟିକୁ ଟେକି ଆଶ୍ଚର୍ଯ୍ୟ ହୋଇ କହିଲେ, "ବଡ଼ ଆଚମ୍ବିତ କଥା ।"

ଚେୟାର ଉପରୁ ଉଠି ଖଟ ପାଖକୁ ଲାଗିଆସି ପିନ୍ଧିଥିବା ଧଳା କୁର୍ତ୍ତାର ଡାହାଣ ହାତକୁ କାନ୍ଧ ପର୍ଯ୍ୟନ୍ତ ଟାଣିଦେଇ ଧନୁ ଆଡକୁ ଦେଖେଇ ପଚାରିଲେ ବାଇଧର,  "ଦେଖିଲୁ ଦେଖିଲୁ ଧନୁ, ଏଇମିତି ଦିଶୁ ନଥିଲା ତ ସେ ହାତଟି?"

ଆଖି ଗୁଡାକ ବଡ଼ ବଡ଼ ହୋଇଗଲା ଧନୁର ।

ବୋ..ଉ..ଲୋ...

ବଡ଼ ପାଟିରେ ଚିତ୍କାର କରି ଗଛ କାଟିଲା ପରି ଭୁସକରି ଖଟ ଉପରେ ଗଡି ପଡିଲା ସେ ।

ଦଉଡ଼ା ଦଉଡ଼ି ହୋଇ ସମସ୍ତେ ଆସି ରୁଣ୍ଡ ହୋଇ ପଡିଲେ । ପାଣି ଛାଟି ଫୁଙ୍କା ଫୁଙ୍କି କରି ସାଷ୍ଟାମ କଲେ ଧନୁକୁ ।  ଅସ୍ପଷ୍ଟ ଭାଷାରେ ସବୁକଥା ବର୍ଣ୍ଣନା କଲା ଧନୁ ।  କିଏ କହିଲା ଗୁଣିଆ ଡାକି ତାକୁ ଟିକେ ଝଡ଼େଇ ଦିଅ । ଆଉ କିଏ କହିଲା, ଖରାପ ଦଶା ପଡିଛି । ହନୁମାନ ସାଧକଙ୍କ ପାଖକୁ ନେଇ ଜାତକଟା ଟିକେ ଦେଖେଇ ଆଣ । ଆଉ କିଏ କହିଲା, ତାକୁ ଜମା ଏକୁଟିଆ ରହିବାକୁ ଦିଅନା । ସବୁବେଳେ କେହି ନା କେହି ତା ପାଖରେ ରୁହ ।

ସନ୍ଧ୍ୟା ବେଳକୁ ପାଖ ଗାଁରୁ ଗୁଣିଆ ଆସି ଝାଡ଼ି ଦେଇଗଲା ଧନୁକୁ । ହାତରେ ଡେଉଁରିଆ ଗୋଟେ ମନ୍ତରାଇ ନାଲି ସୂତାରେ ବାନ୍ଧି ଦେଲା ।

ହେଲେ ବିଶେଷ ପରିବର୍ତ୍ତନ କିଛି ହେଲାନି ଧନୁର । ସବୁବେଳେ ଡ଼ରିଲା ଡ଼ରିଲା ପରି ରହିଲା ସିଏ । ଖାଇବା ପିଇବାରେ ଜମା ଆଗ୍ରହ ଦେଖେଇଲା ନାହିଁ । କାହା ସହ ମିଳାମିଶା ନକରି ସବୁବେଳେ ଚୁପଚାପ ହୋଇ ରହିଲା । ଦିନକୁ ଦିନ ଦୁର୍ବଳ ଦେଖାଗଲା ଧନୁ । 

ଗାଁ'ର ମୁରବି ଲୋକ ପରାମର୍ଶ ଦେଲେ ଧନୁକୁ ଥରେ ନେଇ ଡାକ୍ତରଙ୍କୁ ଦେଖେଇ ଆଣିବା ପାଇଁ । ଯାହାକୁ ଆମେ ଭୁତ ପ୍ରେତ ବୋଲି ଭାବୁଛୁ ଆଜିକାଲି ବିଜ୍ଞାନ ଯୁଗରେ ଡାକ୍ତରମାନେ ତାକୁ ମାନସିକ ରୋଗ ବୋଲି କହୁଛନ୍ତି । ଭଲ ହେବ ଡାକ୍ତରଙ୍କ ପାଖରେ ଟିକେ ଦେଖେଇ ଆଣିବାଟା ।

ଡାକ୍ତରଖାନାର କୋଠରୀ ।
ଉଚ୍ଚା ଉଚ୍ଚା ମଥାନ ଛୁଆଁ ଧଳା ଚୁନ ବୋଳା ଛାତ । ବିରାଟ ବିରାଟ ଡେଣା ବାଲା ପଙ୍ଖାଟିଏ ବୁଲୁଥାଏ ଛାତରେ, ବାଦୁଡ଼ି ଭଳି ତଳକୁ ଓହଳି । ଲୁହା ଖଟିଆ ଉପରେ ବିଛଣା । ତା ଉପରେ ଶୋଇଥାଏ ଧନୁ ।

ଡାକ୍ତର ବାବୁ ଆସି ପରୀକ୍ଷା ରିପୋର୍ଟ ଉପରେ ଆଖି ବୁଲେଇ ନେଲେ । ତାପରେ କାନରେ ଷ୍ଟେଥୋସ୍କୋପ ଲଗେଇ ଧନୁର ଛାତି ଉପରେ ଗୋଲ ମୁଣ୍ଡଟା ଦାବି ଦେଇ ଜୋର ଜୋରରେ ନିଶ୍ଵାସ ପ୍ରଶ୍ଵାସ ନେବାକୁ କହିଲେ । କାଗଜରେ କିଛି ମେଡ଼ିସିନ ଲେଖି ପାଖରେ ଛିଡା ହୋଇଥିବା ଧନୁର ବାପାଙ୍କ ହାତକୁ ବଢ଼େଇ ଦେଇ କହିଲେ, "ବ୍ୟସ୍ତ ହେବାର କିଛି ନାହିଁ । ସବୁ କିଛି ନର୍ମାଲ ଅଛି । ମେଡ଼ିସିନ ଲେଖି ଦେଇଛି । ଏ କାଗଜଟା ନେଇ ମେଡ଼ିସିନ ଦୋକାନରୁ ଯାଇ ମେଡ଼ିସିନ ନେଇଆସ । ବଡ଼ ଡାକ୍ତର ବାବୁ ଆସି ଥରେ ଦେଖିଲା ପରେ ଆଜି ତମେମାନେ ଘରକୁ ଚାଲିଯିବ ।"

ଡାକ୍ତର ବାବୁ ପ୍ରେସ୍କ୍ରିପସନଟା ଧରେଇ ଦେଇ ପାଖ କୋଠରୀକୁ ଚାଲିଗଲେ ରୋଗୀ ଦେଖିବା ପାଇଁ । କାଗଜଟା ଧରି ଔଷଧ ଆଣିବା ପାଇଁ ପଛେ ପଛେ ଚାଲିଲେ ଧନୁର ବାପା । କାଲି ଅପେକ୍ଷା ଆଜି ଟିକେ ସୁସ୍ଥ ଦେଖା ଯାଉଥାଏ ଧନୁ ।

ଏହି ସମୟରେ ରୁମ ଭିତରକୁ ପଶି ଆସିଲେ ବଡ଼ ଡାକ୍ତର ବାବୁ । ଧଳା ସାର୍ଟ ଉପରେ ପିନ୍ଧିଥାନ୍ତି ଧଳା ରଙ୍ଗର କୋର୍ଟଟିଏ । ଥନ୍ତଲ ପେଟକୁ ଲାଗି ଓହଳି ଥାଏ ଷ୍ଟେଥୋସ୍କୋପ । ଧୋବଲା କେଶ ତଳକୁ କାନ ଉପରେ ଲଗେଇଥାନ୍ତି ମୋଟା କଳା ଫ୍ରେମ ବାଲା ଚଷମା । ବେଡ୍ ପାଖକୁ ଆସି ଧନୁର ବାଁ ହାତକୁ ଅଳ୍ପ ଉପରକୁ ଟେକି ନାଡି ପରୀକ୍ଷା କରୁ କରୁ କହିଲେ ବଡ଼ ଡାକ୍ତର ବାବୁ,

"ଲାଗୁଛି ବହୁତ ଡରି ଯାଇଥିଲ ତମେ ସେଦିନ ରାତିରେ । ହେଲେ ଏବେ ବ୍ୟସ୍ତ ହେବାର ଆଉ କିଛି ନାହିଁ । "

ଟିକେ ସ୍ମିତ ହସି ପଚାରିଲେ, "ଆଚ୍ଛା ତମେ ସେଦିନ ରାତିରେ ପ୍ରକୃତରେ କଣ ଦେଖିଲ?"

ଧନୁ କହିଲା ସେଦିନର କଥା । କେମିତି ଅନ୍ଧାର ରାତିରେ ରିକ୍ସାବାଲାଟି ତାକୁ ଦେଖେଇଥିଲା ହାତ । ଡାକ୍ତର ବାବୁ ସବୁ ଶୁଣି ସାରି ଦୀର୍ଘ ନିଶ୍ଵାସଟିଏ ଛାଡିଲେ । ଧଳା କୋର୍ଟ ତଳୁ ନିଜ ଡାହାଣ ହାତଟି ଧନୁ ଆଡକୁ ବଢ଼େଇ କହିଲେ,

"ଦେଖିଲ, ଠିକ୍ ଏମିତି ଥିଲା କି ସେ ହାତଟି?"

କିଛି ସମୟ ପରେ ନର୍ସ ଜଣେ କୋଠରୀ ଭିତରକୁ ଆସି ଚିତ୍କାର କରି ଉଠିଲେ । ତାଙ୍କ ଚିତ୍କାର ଶୁଣି ଡାକ୍ତର ଓ ଅନ୍ୟ କର୍ମଚାରୀ କିଛି ଦଉଡ଼ି ଆସିଲେ ।

ବେଡ୍ ଉପରେ କାଠ ପରି ପଡିଥାଏ ଧନୁ । ହାତ ଦୁଇଟି ଅଧା ଟେକା ହୋଇ ଉପରକୁ ରହିଥାଏ । ଢିମା ଢିମା ଆଖି ଦୁଇଟି ଚାହିଁ ରହିଥାଏ ଛାତକୁ ।  ଉପରେ ବୁଲୁଥାଏ ଚଉଡା ଡେଣା ବାଲା ମାଟିଆ ଫ୍ୟାନଟି । ହେଲେ ଧନୁ ଆଖିର ପଲକ ଆଉ ବନ୍ଦ ହେଉ ନଥାଏ ଜମା ।

Friday, 3 March 2017

ଭୂତ ଗପ - (ଭାଗ ୧)

ଅଶୀ ଦଶକର ଶେଷ ଭାଗର କଥା ଇଏ । କଟକଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଗାଁ ଟିଏ । ନାଁ ତା'ର ପଦ୍ମପୁର । ଆଜିକାଲି ଭଳି ଯାତାୟାତର ବିଶେଷ ସୁବିଧା ନଥାଏ ସେତେବେଳେ । କଟକ ଆସିବାକୁ ହେଲେ ସାଇକେଲ କିମ୍ବା ରିକ୍ସାରେ ପାଖାପାଖି ଦଶ କିଲୋମିଟର ଆସିଲା ପରେ ଯାଇ ପଡେ ଜାତୀୟ ରାଜପଥ । ଏଇଠୁ ଧରିବାକୁ ହୁଏ କଟକ ପାଇଁ ବସ୍ । ପଦ୍ମପୁରକୁ ଲାଗି ଦୁଇ ଚାରୋଟି ଛୋଟ ଗାଁ ଆଉ ତା'ପରେ ଏକ ଲମ୍ବା ଶୁନଶାନ ପାଟ ରାସ୍ତା । ରାସ୍ତାର ଦୁଇ ପାଖେ ଖାଲି ବିଲବାଡ଼ି ନହେଲେ ଗୋଚର ପଡିଆ । ଦୁଇ ତିନି କିଲୋମିଟରର ଲମ୍ବା ଏହି ପାଟ ରାସ୍ତାଟି ପାର ହେଲେ ଆସେ ନାଲି ସଡକ । ପ୍ରାୟ ଆଠ କିଲୋମିଟର ଲମ୍ବା ଏହି ନାଲି ସଡକ ଯାଇ ଛୁଇଁଛି ଜାତୀୟ ରାଜପଥକୁ । ଏ ନାଲି ସଡ଼କକୁ ଲାଗି ରାସ୍ତାର ଦୁଇ ପଟେ ଅଛି କିଛି କିଛି ବ୍ୟବଧାନରେ ଗାଁ ଗଣ୍ଡା ସବୁ । ମୋଟ ଉପରେ ଏଇ ହେଲା ପଦ୍ମପୁରରୁ କଟକକୁ ବିନା ଗୁଗୁଲ ମ୍ୟାପରେ ଯିବାପାଇଁ ବାଟ ।

ପଦ୍ମପୁରରେ ସେତେବେଳେ ଏମିତି ଗୋଟେ ଘଟଣା ଘଟିଲା ଯାହା କିଛି ବର୍ଷ ପାଇଁ ଆଖପାଖ କୋଡିଏ ଖଣ୍ଡ ମୌଜାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେବି ସେକଥା ମନେ ପଡିଲେ ଲୋମମୂଳ ଟାଙ୍କୁରି ଉଠେ । ପଦ୍ମପୁର ଗାଁ'ର ଧନେଶ୍ୱର ପଢିଆରି । ଡାକ ନାଁ ଧନୁ ବା ଧନୁଆ ।  ବୟସ ୨୫/୨୬ ହେବ ।  ସାବନା ରଙ୍ଗ, ସାଧାରଣ ସ୍ୱାସ୍ଥ୍ୟ, ହାଡୁଆ ମୁହଁ । ଘଟଣାଟି ଘଟିବା ଦିନ କୌଣସି କାମରେ ଧନୁ ଯାଇଥିଲା କଟକ । କଟକରେ କାମ ସରୁ ସରୁ ଅନେକ ଡେରି ହୋଇଗଲା । ସେ ସମୟରେ ସନ୍ଧ୍ୟା ସାତଟା ପରେ କଟକ ବସଷ୍ଟାଣ୍ଡରୁ ଏପଟ ଲାଇନର ବସ ସବୁ ମିଳିବା କଷ୍ଟ । ରାତିରେ ଯାଉଥିବା ନାଇଟ କୋଚ୍ ବସ ସବୁ କେବଳ ମାତ୍ର ଭରସା । କଣ୍ଡକ୍ଟରକୁ କେତେ କୁହାବୋଲା କରି ସେସବୁ ବସରେ ଆସିବାକୁ ହୁଏ । ରାତି ଆଠଟା ସାଡେ ଆଠଟା ବେଳକୁ ଏମିତି ଏକ ରାତ୍ରି ବସରେ ଚଢି କଟକରୁ ଘରକୁ ଫେରିଲା ଧନୁ ।

ଜାତୀୟ ରାଜପଥ କଡ଼ ଛକରେ ଗାଡି ପହଞ୍ଚିଲା ବେଳକୁ ରାତି  ଆସି ହୋଇଥାଏ ଦଶଟା । ଛକ ସେତେବେଳକୁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଗଲାଣି । ବୁଲା କୁକୁର କେତୋଟି ଯାହା ଏପଟ ସେପଟ ହେଉଥାନ୍ତି । ସକାଳେ ଗଲାବେଳେ ଛକ ମୁଣ୍ଡରେ ଥିବା ମିଠା ଦୋକାନି ଯଦୁ ପାଖରେ ନିଜ ସାଇକେଲଟି ରଖିଦେଇ ଯାଇଥିଲା ଧନୁ । ମିଠା ଦୋକାନ ଆଗରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ବଲବଟିଏ । ଭିତରେ ତାଟି ଆଉଜାଇ ଶୋଇ ପଡିଥାଏ ଦୋକାନି ଯଦୁ । ଯଦୁକୁ ଉଠାଇ ତା ପାଖରୁ ସାଇକେଲ ନେଇ ଘରକୁ ଫେରିଲା ବେଳେ ତା'କୁ ବାରଣ କଲା ଯଦୁ ।

"ଏତେ ରାତିରେ ଆଉ ନଯାଇ ଆମ ଦୋକାନରେ ଆଜି ଶୋଇପଡ । ସକାଳୁ ବଡ଼ି ଭୋରରୁ ଉଠି ଗାଁ'କୁ ଚାଲିଯିବୁ ।"

"ସାଇକେଲରେ ଗଲେ ଅତି ବେଶୀରେ ଆଉ ଘଣ୍ଟାଏ ଲାଗିବ । ଏଗାରଟା ଭିତରେ ଯାଇ ପହଞ୍ଚିଯିବି ଘରେ । ତା'ପରେ ଘରେ କହିକି ଆସିନି । ରୋଷେଇ କରି ଅନେଇ ବସିଥିବେ ସମସ୍ତେ । ଖରାଦିନିଆ ରାତି । ଡର ଆଉ କଣ ! ଲୋକ କିଏ କେତେ ଦାଣ୍ଡ ପିଣ୍ଢାରେ ଶୋଇଥିବେ ନହେଲେ ଶୋଇଥିବେ ଗାଁ ମୁଣ୍ଡ ଚାନ୍ଦିନୀରେ । କିଛି ଅସୁବିଧା ହେବନି, ମୁଁ ଚାଲିଯିବି ।"

ଯଦୁ କଥା ଆଉ କିଛି ନଶୁଣି ସାଇକେଲ ଧରି ଚାଲିଲା ଧନୁ ।

କଳା କିଟିମିଟି ଅନ୍ଧାର ରାତି । ରାସ୍ତା କଡ଼ ଆମ୍ବ, ବଉଳ ଗଛର ପତ୍ର ଗହଳରୁ ବହୁଥାଏ ସୁଲୁସୁଲିଆ ପବନ । ଆକାଶରେ ଚିକିମିକି କରୁଥାଏ ଆକାଶେ ତାରା । ଅନ୍ଧାରରେ କା ଭାଁ କେଉଁଠି ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ଘର ଆଗରେ ଟଙ୍ଗା ହୋଇଥିବା ଇଲେକ୍ଟ୍ରି ବଲବ ଗୋଟେ ଅଧେ ।

ଅନାବନା କଣ ସବୁ ଖିଆଲି ଭାବନା ଭିତରେ ଗୁଣୁଗୁଣୁ ହୋଇ ଗୀତ ଗାଇ ଗାଇ ଅନ୍ଧାର ରାତିରେ ସାଇକେଲରେ ଚାଲିଥାଏ ଧନୁ । ପାଟପୁର ଗାଁ ପାଖାପାଖି ଆସି ହୋଇଗଲାଣି ସେ । ଏହାପରେ ବାକି ରହିଲା ଖାଲି ପାଟ ରାସ୍ତାଟି । ଆଉ ତା'ପରେ ଆସିଯିବ ତା' ଗାଁ ପଦ୍ମପୁର । ହଠାତ କଡ଼ କଡ଼ ହୋଇ ଗୋଟେ ଶବ୍ଦ ଶୁଭିଲା ସାଇକେଲର ପଛ ଚକରୁ । ଓହ୍ଲେଇ ଦେଖିଲା ଧନୁ । ସାଇକେଲର ପୁରୁଣା ଚେନଟା ଛିଣ୍ଡି ଯାଇଛି । ପାଟପୁର ଗାଁ ମନ୍ଦିର ପାଖ ଚାନ୍ଦିନୀରେ ଶୋଇଥାନ୍ତି କିଛି ଲୋକ । ସାଇକେଲଟି ଗଡେଇ ଗଡେଇ ଚାନ୍ଦିନୀ ପାଖରେ ପହଞ୍ଚିଲା ଧନୁ । ଚାନ୍ଦିନୀର ଗୋଟେ କଡ଼କୁ ତଉଲିଆ ପାରିଦେଇ ଶୋଇଥିଲା ବିଶିଆ । ବିଶିଆର ପତଳା ନିଦ । ଧଡ଼ କିନା ଉଠି ପଡିଲା ସେ । ଆଖି ମଳିମଳି ବାଉଁଶ ଖୁଣ୍ଟରେ ଓହଳି ଥିବା ଇଲେକ୍ଟ୍ରି ବଲବର ଆଲୁଅରେ ଚିହ୍ନିଲା ବିଶିଆ ।

"କିରେ ଧନୁ ନା କିଏ? ଏତେ ରାତିରେ କୁଆଡେ ଯାଇଥିଲୁ?"

"ଦାଦା, କଟକ ଯାଇଥିଲି କାମରେ । ଫେରୁଫେରୁ ଡେରି ହୋଇଗଲା ଟିକେ । ସାଇକେଲ ଚେନ୍ ଟା ତମରି ଗାଁ ପାଖରେ ଛିଡିଗଲା ।"

"ଅନ୍ଧାର ରାତିଟାରେ ଏକୁଟିଆ ଆଉ କେମିତି ଯିବୁ? ଏଇଠି ଚାନ୍ଦିନୀରେ ଶୋଇପଡ । ଭୋରରୁ ଉଠି ଘରକୁ ଚାଲିଯିବୁ ।"

"ନା, ଦାଦା । ଏଗାରଟା ହୋଇଛି ଏବେ । ଚାଲିକି ଗଲେ ଆଉ ଆଉ ପନ୍ଦର ମିନିଟ ଭଳିଆ ସମୟ ଲାଗିବ । ଚାଲି ଚାଲି ପଳେଇବି । ଦାଦା, ସାଇକେଲଟା ଏଇଠି ଚାବି ପକେଇ ରଖି ଦେଉଛି । କାଲି ସକାଳୁ କାହା ସାଙ୍ଗରେ ଆସି ସଜାଡିକି ନେଇଯିବି ।"

"ହଉ ଯାହା ତୋ ଇଚ୍ଛା । ଦେଖି ଚାହିଁ ଯିବୁ ।"

ମୁଣ୍ଡ ଟୁଙ୍ଗାରି ସାଇକେଲଟାକୁ ସେଇଠି ଡ଼େରିଦେଇ ଚାଲି ଚାଲି ବାହାରି ପଡିଲା ଧନୁ ।

ନିଛାଟିଆ ପାଟ ରାସ୍ତା । ପାଟ ମଝିରେ ଚାଲି ଚାଲି ଯାଉଯାଉ କାହିଁକି କେଜାଣି ଭାରି ଛନକା ଛନକା ଲାଗିଲା ଧନୁକୁ । ଏତେ ବାଟ ସାଇକେଲ ଚଲେଇ ଆସିଲା ବେଳେ ତ ଡର ଭୟ କିଛି ଜଣା ପଡୁନଥିଲା । ଏବେ ଏମିତି ଛାନିଆ କାହିଁକି ଲାଗୁଛି କେଜାଣି । ପାଖରେ ଥିବା ବାଉଁଶ ବୁଦାରୁ କଟକଟ ଶବ୍ଦ ଶୁଭିଲା । ବାଉଁଶ ବୁଦାରୁ ଏମିତି ଶବ୍ଦ ଆସିବାଟା କିଛି ନୂଆ ନୁହେଁ ।  କିନ୍ତୁ ଧନୁକୁ କାହିଁକି କେଜାଣି ଆଜି ଏ ଶବ୍ଦ ଭାରି ଛାନିଆ କରି ପକାଉଥାଏ ।

ପାଟକୁ ଲାଗି ଗୋଚର ପଡିଆଟି ହେଉଛି ପାଖ ଆଖ ଗାଁ'ର ଶଶ୍ମାନ ପଡିଆ । ଏଇଠି ପାଖଆଖ ଦୁଇ ଚାରି ଗାଁ'ର କେତେ ଯେ ଲୋକଙ୍କ ଶବ ପୋଡା ହୋଇଛି ତାହା କଳନା ବାହାରେ । ଏମିତିକି ଗାଈ କି କୁକୁରଟିଏ ମଲେ ତା ଶବକୁ ବି ଟାଣିଟାଣି ଆଣି ଏଇ ପଡିଆରେ ପକେଇ ଦେଇ ଯାଆନ୍ତି ଗାଁ ଲୋକେ ।

ଏ କଣ ସବୁ ଭାବୁଛି ସେ । ମନରୁ ବାଜେ ଭାବନା ସବୁ ଦୂରେଇ ଦେବା ପାଇଁ ଅଷ୍ଟପ୍ରହରୀ କିର୍ତ୍ତନରେ ଗାଉଥିବା ଗୀତକୁ ବଡ଼ ପାଟିରେ ଗାଇ ଗାଇ ଚାଲିଲା ଧନୁ । ହେଲେ ମନରୁ ଡର ଜମା ଯାଉ ନଥାଏ । ଲମ୍ବା ରାସ୍ତା ଜଲଦି ଜଲଦି ସରୁ ନଥାଏ ଜମା । ମନେ ମନେ ଭାବିଲା, ରିକ୍ସା ଗୋଟେ ମିଳନ୍ତା କି । ଯେତେ ପଇସା ନେଉ ପଛେ ରିକ୍ସାରେ ବସି ପଳାନ୍ତି ।

ଠିକ୍ ଏତିକି ବେଳେ ପଛରୁ ଶୁଭିଲା ଟ୍ରିଙ୍ଗ ଟ୍ରିଙ୍ଗ ଶବ୍ଦ ।

ଅନ୍ଧାର ରାତି । ମୁହଁକୁ ମୁହଁ ଦିଶୁନି । ରିକ୍ସାଟିଏ ଚଲେଇ ପୁଣି କିଏ ଆସୁଛି !!

ରିକ୍ସାଟି ଧନୁର ପାଖାପାଖି ଆସି ପହଞ୍ଚିଲା ।

"ଭାଇ, ଆଗକୁ ଯାଉଛ କି? ମୋତେ ଟିକେ ନିଅନ୍ତନି ରିକ୍ସାରେ । ପଦ୍ମପୁର ଯାଏ ଯିମି ମୁଁ ।"

ବ୍ରେକ ଲଗେଇ ଛିଡା କଲା ରିକ୍ସାକୁ ଲୋକଟି । ମୁଣ୍ଡ ହଲେଇ ସଂକେତ ଦେଲା ରିକ୍ସାରେ ବସିବା ପାଇଁ । ଧନୁ ରିକ୍ସାରେ ବସି ଗୋଟେ ଦୀର୍ଘଶ୍ଵାସ ଛାଡିଲା । ପିଣ୍ଡରେ ଯେମିତି ପ୍ରାଣଟା ପଶିଲା । ରିକ୍ସାବାଲାଟି ପେଡାଲ ମାରି ଗଡେଇଲା ରିକ୍ସାକୁ ଆଗକୁ ।

ରିକ୍ସାବାଲାଟି ମୁଣ୍ଡରୁ ଗୋଡ଼ଯାଏ ଘୋଡେଇ ହୋଇଥାଏ କଳା ଲୁଗାଟିଏ । ଚଢିଲା ବେଳେ ତା ମୁହଁଟା ବି ଭଲକି ଦେଖି ପାରିଲାନି  ଅନ୍ଧାରରେ । ଚୁପଚାପ କିଛି ନକହି ପେଡାଲ ମାରି ଚାଲିଥାଏ ରିକ୍ସାବାଲାଟି । ଅନ୍ଧାର ରାତି ହେଲେବି ରାସ୍ତା ଚିହ୍ନିବାରେ ଅସୁବିଧା ହେଉନଥାଏ । ଦୁଇ ପଟେ ଖୋଲା ବିଲ । ମୁଣ୍ଡ ଉପରେ ଚିକିମିକି ତାରାଭର୍ତ୍ତି ଆକାଶ । ବିଲ ମଝିରେ କେଉଁଠି ଆମ୍ବ କି ଜାମୁଗଛଟିଏ । ଅନ୍ଧାରରେ କଳା କମ୍ବଳ ଘୋଡେଇ ହୋଇ ବସିଲା ପରି ଦେଖାଯାଉଥାନ୍ତି ।

ଶୁନଶାନ ପରିବେଶକୁ ହାଲକା କରିବାକୁ ଯାଇ ପଚାରିଲା ଧନୁ, " ଭାଇ, କୁଆଡେ ଯାଇଥିଲ କି ଭଡା ନେଇ? ଏତେ ରାତିରେ ଫେରୁଛ? କୋଉ ଗାଁ'ରେ ତମ ଘର କି?"

ରିକ୍ସାବାଲାଟି ସେମିତି ନିର୍ବାକ ହୋଇ ଚଲାଉଥାଏ ରିକ୍ସା । ଉଁ କି ଚୁଁ କିଛି ହେବାର ନାହିଁ । ନିଶାପାଣି ପକେଇ ଦେଇଛି ନା ଗଞ୍ଜେଇ ଭିଡି ଦେଇଛି !! ପୁଣିଥରେ ପଚାରିଲା ଧନୁ, "କଣ ଭାଇ, ଏମିତି ଚୁପଚାପ ଚାଲିଛ? କଣ ହୋଇଛି? ମନ ଭଲ ନାହିଁ ନା କଣ? କିଛି କହୁନ ଯେ?"

ରିକ୍ସାବାଲାଟି ଏଥର ରିକ୍ସା ଅଟକାଇ ପଛକୁ ବୁଲି ଚାହିଁଲା । ଅନ୍ଧାରରେ ଘୋଡ଼େଇ ହୋଇଥିବା ଲୁଗା ଭିତରୁ ମୁହଁଟି ସ୍ପଷ୍ଟ ବାରି ହେଉନଥାଏ । ରିକ୍ସାବାଲା ବଢ଼େଇ ଦେଲା ତା' ଡାହାଣ ହାତଟି ଧନୁ ଆଡକୁ । ଲୁଗା ଭିତରେ ହାତଟା ଦେଖାଯାଉ ନଥାଏ । ଧୀରେ ଧୀରେ ସେ ହାତ ଉପରୁ ପଛକୁ ଟାଣିନେଲା ଲୁଗା ।

ହେ, ଭ..ଗ..ବା..ନ !! ଏ କଣ !!

ଦେହ ଶୀତେଇ ଉଠିଲା ଧନୁର ।  ଝାଇଁ ଝାଇଁ ହୋଇଗଲା କାନ ଆଉ ମୁଣ୍ଡ । ଶୁନ୍ୟରେ ଭାସିବା ଭଳି ଲାଗିଲା ତାକୁ ।

ହାତ ଜାଗାରେ ଥିଲା କେବଳ ହାଡ଼ ।  ମାଂସ, ଚମଡା କିଛି ନାହିଁ ତା' ଉପରେ । କେବଳ ଧଳା ଲମ୍ବା ହାଡ଼ ଆଉ ହାଡ଼ ଆଗରେ ଆଙ୍ଗୁଳି ପାଞ୍ଚୋଟି । 

ରିକ୍ସାରୁ ଡେଇଁପଡ଼ି ଚିତ୍କାର କରି ଗାଁ ଆଡକୁ ଧାଇଁଲା ଧନୁ । ଏକମୁହାଁ ହୋଇ ଧାଇଁଥାଏ ସେ । ଗାଁ'ମୁଣ୍ଡ ଠାକୁରାଣୀ ମନ୍ଦିର ପାଖରେ ଧଇଁସଇଁ ହୋଇ ଯାଇ ଲମ୍ବ କିନା ପଡିଗଲା ଧନୁ । ଦେହରୁ ବୋହୁଥାଏ ଗମଗମ ଝାଳ । ଧଇଁ ପେଲିଲା ଭଳି ନେଉଥାଏ ଗୋଟିକିଆ ଲମ୍ବା ନିଶ୍ଵାସ । ଚିତ୍କାର ଶୁଣି ଆଖପାଖରେ ଶୋଇଥିବା ଲୋକମାନେ ଧଡପଡ ହୋଇ ଉଠି ଧାଇଁ ଆସିଲେ । ଟର୍ଚ୍ଚ ଆଲୁଅ ମୁହଁକୁ ପକେଇ ଚିହ୍ନିଲେ ଧନୁକୁ । ହେଲେ ଧନୁର ଆଉ ଚେତା ନଥାଏ । ଚେତାଶୂନ୍ୟ ହୋଇ ପଡିଥାଏ ସେ ଗାଁ ଦାଣ୍ଡରେ..