Showing posts with label Odia Film review. Show all posts
Showing posts with label Odia Film review. Show all posts

Thursday, 1 November 2018

A Separation - ଏକ ବିଚ୍ଛେଦ (ଫିଲ୍ମ ରିଭ୍ୟୁ)


ଇରାନ ଦେଶର ଦିନକୁଦିନ ବିଗିଡି ଯାଉଥିବା ଅବସ୍ଥା ମଧ୍ୟରେ ଏକ ମଧ୍ୟବୟସ୍କ ଦମ୍ପତ୍ତି ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଏହାକୁ ନେଇ A Separation ର କାହାଣୀ ଆରମ୍ଭ ହୋଇଛି ।  


ସ୍ୱାମୀ ସ୍ତ୍ରୀ ଦୁହେଁ ମଧ୍ୟବିତ୍ତ ପରିବାରର । ସ୍ୱାମୀଙ୍କ ନାଁ ନାଦେର (Nader) ଓ ସ୍ତ୍ରୀ ସିମିନ (Simin) । ଦୁହେଁ କର୍ମଜୀବି ଓ ଉଚ୍ଚଶିକ୍ଷିତ । ଦୁହିଁଙ୍କର ଏଗାର ବର୍ଷର ଝିଅଟିଏ, Termeh । 
 
ଇରାନର ସାମ୍ପ୍ରତିକ ଅବସ୍ଥା ଦେଖି ସିମିନ ଦେଶ ଛାଡି ନିଜ ପରିବାର ସହ ଅନ୍ୟ ଦେଶରେ ଯାଇ ରହିବାକୁ ଚାହୁଁଛନ୍ତି । ଘରେ ଆଲଜମେର (Alzheimer's disease) ରୋଗରେ ପୀଡିତ ନାଦେରଙ୍କ ବୃଦ୍ଧ ବାପା । ଦୈନନ୍ଦିନ କାମ ନିଜେ କରିବାକୁ ଅକ୍ଷମ । ରୋଗରେ ପଡି ସ୍ମରଣ ଶକ୍ତି ହରେଇ ସାରିଛନ୍ତି । ବାପାଙ୍କୁ ଏପରି ଅବସ୍ଥାରେ ଛାଡି ବାହାର ଦେଶରେ ଯାଇ ରହିବାକୁ ନାଦେର ଅମଙ୍ଗ ।   

ସିମିନ ଡିଭୋର୍ସ ପାଇଁ ଫାମିଲି କୋର୍ଟରେ ଆବେଦନ କରିଛନ୍ତି । ନାଦେର କିନ୍ତୁ ଡିଭୋର୍ସ ଦେବାକୁ ଚାହୁଁନାହାନ୍ତି । ଝିଅ ବାପାକୁ ଛାଡିବାକୁ ନାରାଜ । ଏମିତି ପରିସ୍ଥିତିରେ କୋର୍ଟ ସିମିନଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଦେଇଛି ।
ସିମିନ ରାଗରେ ନିଜ ବାପଘରକୁ ଚାଲି ଯାଇଛନ୍ତି । ବୃଦ୍ଧ ଅସୁସ୍ଥ ବାପାଙ୍କ ଦେଖାରଖା ପାଇଁ ଏବେ ଜଣେ ଲୋକ ଦରକାର । ଜଣେ ଚାକରାଣୀ ଘରକାମ ତଥା ବୃଦ୍ଧଙ୍କ ଦେଖାରଖା ପାଇଁ ରାଜି ହୋଇଛି । 
 
ଆଗକୁ ପରିସ୍ଥିତି ଯେକୌଣସି ମଧ୍ୟବିତ୍ତ ପରିବାରର କାହାଣୀ ପରି ବଢିଛି । ମଧ୍ୟବିତ୍ତ ପରିବାରରେ ଗୋଟେ କଥା ଦେଖିବାକୁ ମିଳେ । ଲୋକଙ୍କର ଆର୍ଥିକ ଅବସ୍ଥା ଯେମିତି ବି ଥାଉ, ସେମାନଙ୍କ ମୋରାଲ ଦିଗଟି ସାଧାରଣତଃ ବହୁତ ଉଚ୍ଚ ଥାଏ । ବୋଧେ ଏଇଟା ସବୁ ଦେଶ ପାଇଁ ସମାନ । କାହାଣୀ କିଛି ନାଟକୀୟ ମୋଡ଼ ନେଇଛି । ହେଲେ ଏସବୁ ଭିତରେ ବାପା-ଝିଅ, ସ୍ୱାମୀ-ସ୍ତ୍ରୀ, ସମ୍ପର୍କ ଗୁଡିକ ଅତି ସୁନ୍ଦର ଭାବରେ ଦେଖାଯାଇଛି । 

ଫିଲ୍ମଟିର ନିର୍ଦ୍ଦେଶନା ଦିଗଟି ଏତେ ଉଚ୍ଚକୋଟିର ହୋଇଛି ଯେ, ଦର୍ଶକ ଫିଲ୍ମର ସବୁ ଚରିତ୍ର ମାନଙ୍କ ସହ ପୁରା ବାନ୍ଧି ହୋଇଯିବ । ଫିଲ୍ମ ସରିଲା ବେଳକୁ ଦର୍ଶକ ନିଜେ କେତେବେଳେ ସେ କାହାଣୀର ଅଂଶ ହୋଇଯାଇଥିବ, ନିଜେ ଜାଣିପାରି ନଥିବ । ବୋଧେ ସେଥିପାଇଁ ଶେଷ ଦୃଶ୍ୟରେ କୋର୍ଟ ଆଗରେ ଝିଅ ବାପା ପାଖରେ ରହିବ କି ମା ପାଖରେ ରହିବ, ଜଣାଇବା ପାଇଁ ଅନ୍ତିମ ନିଷ୍ପତ୍ତିକୁ ଦର୍ଶକ ଉପରେ ଛାଡି ଦେଇଛନ୍ତି ନିର୍ଦ୍ଦେଶକ । ଚରିତ୍ର ଗୁଡାକ ଦର୍ଶକକୁ କେତେ ମାତ୍ରାରେ ନିଜ ସପକ୍ଷରେ ଟାଣି ପାରିଛି, ତାହାକୁ ନେଇ ବୋଧହୁଏ ଦର୍ଶକ ନିଜ ଅନ୍ତିମ ନିଷ୍ପତ୍ତି ନିଜେ ନେବ ।