Showing posts with label Puri. Show all posts
Showing posts with label Puri. Show all posts

Friday, 24 March 2017

ଭଲ ମଣିଷ

ପୁରୀର ବଡ଼ଦାଣ୍ଡ । ରାସ୍ତା କଡ଼ରେ ସିମେଣ୍ଟ ଅଖାଟିଏ ପାରିଦେଇ କାକୁଡ଼ି ମେଞ୍ଚାଏ ଗଦା କରି ବିକ୍ରି କରୁଥାଏ ଜଣେ ୫୦/୫୫ ବର୍ଷର ବୁଢ଼ୀ ଲୋକ । ପାଖରେ ଥାଏ ପ୍ଲାଷ୍ଟିକ ଡବାରେ ଲୁଣ ଲଙ୍କା ଗୁଣ୍ଡ, କାଟିବା ଓ ଚୋପା ଛଡ଼େଇବା ପାଇଁ ଦୁଇଟି ଛୁରୀ ଏବଂ ଓଜନ କରିବା ପାଇଁ ନିକିତିଟିଏ । ଗୋଟେ ଛୋଟ ପିଢା ଉପରେ ବସି ସେ ବିକୁଥାଏ କାକୁଡ଼ି ।

ସ୍ତ୍ରୀ ଓ ପୁଅ ସହ ବଡ଼ଦାଣ୍ଡରେ ବୁଲୁ ବୁଲୁ ମୋ ନଜର ପଡିଲା କାକୁଡ଼ି ଉପରେ । 
"ମାଉସୀ, କାକୁଡ଼ି କେତେ ଟଙ୍କା ?"
"ଗୋଟାକୁ ପାଞ୍ଚ ଟଙ୍କା, କେଜି ତିରିଶ ଟଙ୍କା ।"
"ତିନିଟା ଦିଅ ମାଉସୀ ।"
ମାଉସୀ ତିନିଟା କାକୁଡ଼ି ସାମ୍ନାରୁ ଉଠାଇଲା ବେଳେ ସ୍ତ୍ରୀ କହିଲେ, "ନା ନା, ବଡ଼ ଗୁଡାକ ଦିଅନି । ମଞ୍ଜି ହୋଇଯାଇଥିବ । ସେ ଛୋଟ ଛୋଟ କଷି କାକୁଡ଼ିରୁ ଦିଅ ।"
ତିନିଟା କଷି କାକୁଡି ବାଛି ପାଖରେ ରଖିଥିବା ପାଣି ଡବାରେ ବୁଡେଇ ଭଲକି ଧୋଇଦେଲା ମାଉସୀ । ଚାରି ଫାଳ କରି କାଟି, ସେଥିରେ ଲୁଣ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଆମ ହାତକୁ ବଢ଼େଇ ଦେଲା ।

କଷି କାକୁଡ଼ିକୁ ଏମିତି ଲୁଣ ଲଙ୍କା ଗୁଣ୍ଡ ଦେଇ ଖାଇବାର ମଜା ଅଲଗା । ଗଜା ମୁଗ, କଞ୍ଚା ଲଙ୍କା, ଟମାଟୋ ମିକ୍ସ ପରେ ଏଇଟା ମୋର ସବୁଠାରୁ ପ୍ରିୟ ଷ୍ଟ୍ରିଟ ସାଇଡ୍ ଖାଦ୍ୟ ।
କାକୁଡ଼ି ଖାଉଥିଲା ବେଳେ ମାଉସୀ ପଚାରିଲା ଆମ ପୁଅକୁ,
"କେମିତି ଲାଗୁଛି କାକୁଡ଼ି?"
ପୁଅ ହସି ଦେଇ କହିଲା, ଭଲ ଲାଗୁଛି ।
ମୁଁ ପଚାରିଲି, "ଆଉ ଖାଇବୁ କି?"
ପୁଅ ହଁ କଲା ।
ସ୍ତ୍ରୀ କହିଲେ, "ମୋର ବି ଆଉ ଗୋଟେ" ।

ଆଉ ତିନିଟା କାକୁଡ଼ି ଦେବା ପାଇଁ କହିଲି । ଏଥର ମାଉସୀ ତା ପସନ୍ଦରେ କାକୁଡ଼ି ତିନୋଟି ବାଛିଲା । ପାଣିରେ ଧୋଇଦେଇ କାଟି, ଲୁଣ ଲଙ୍କା ଗୁଣ୍ଡ ଦେଇ ବଢ଼େଇ ଦେଲା ଆମ ହାତକୁ । ଆମେ ମହାଆନନ୍ଦରେ କାକୁଡ଼ି ଖାଉଥିଲା ବେଳେ ସେଠାରେ ଆସି ପହଞ୍ଚିଲେ ଜଣେ ବଙ୍ଗାଳି ପରିବାର । ସ୍ୱାମୀ, ସ୍ତ୍ରୀ ଓ ଛୁଆ ଦୁଇଟି ।
"ମାସି ମା', କତୋ କରି ଶଶା?" ପଚାରିଲେ ବଙ୍ଗାଳି ଭଦ୍ର ବ୍ୟକ୍ତି ।
"ପାଞ୍ଚ ଟାକା କରି । କେଜି ତିରିଶ ।"
"ଅତୋ ଦାମ !"
ମୁହଁକୁ ଆଶ୍ଚର୍ଯ୍ୟ ରକମ କରି ଅଧ କେଜିଏ କାକୁଡ଼ି ଓଜନ କରିବା ପାଇଁ ସେ କହିଲେ ମାଉସୀକୁ । ବାଛି ବାଛି ଛଅ ସାତଟା ପକେଇଲେ ମାଉସୀ ନିକିତିରେ। ଓଜନ କଲାରୁ ଅଧ କେଜିରେ ଛଅଟା ଉଠିଲା । ମାଉସୀ ଗୋଟେ ପଲିଥିନ ଜରିରେ କାକୁଡ଼ି ତକ ପୁରେଇ ବଢ଼େଇ ଦେଲା ବଙ୍ଗାଳି ଭଦ୍ର ବ୍ୟକ୍ତିଙ୍କ ହାତକୁ । ସେମାନେ କାକୁଡି ଧରି ମାଉସୀକୁ ପନ୍ଦର ଟଙ୍କା ଦେଇ ଚାଲିଲେ ନିଜ ବାଟରେ ।

ମୁଁ ଅନେଇଲି ସ୍ତ୍ରୀଙ୍କୁ ଓ ସ୍ତ୍ରୀ ମୋତେ । ମନେ ମନେ ଭାବିଲୁ, କେଡେ ବୋକା ସତରେ ଆମେ । ଛଅଟା କାକୁଡି ଆମେ ବି କିଣିଲୁ । କିନ୍ତୁ ଏବେ ତିରିଶ ଟଙ୍କା ଦେବୁ । ସେମାନେ ପନ୍ଦର ଟଙ୍କାରେ ସମାନ କାକୁଡି ନେଇ ଚାଲିଗଲେ । ଛାଡ଼ ଏମିତି ହୁଏ ବେଳେ ବେଳେ । ମୁଁ କିଛି ନକହି ବୁଢୀ ମାଉସୀ ହାତକୁ ବଢ଼େଇ ଦେଲି ତିରିଶ ଟଙ୍କା । ପଇସାକୁ ବ୍ୟାଗରେ ରଖୁ ରଖୁ ଟିକେ କଣ ଭାବି ସେ ଦଶ ଟଙ୍କାଟିଏ ଫେରାଇ ଦେଲା ମୋତେ ।

"ଅଧିକ ପଇସା ତମଠାରୁ ନେବିନି ପୁଅ । ଅବିଚାର ହୋଇଯିବ ।"

ମାଉସୀ ଠାରୁ ଦଶ ଟଙ୍କା ଆଣିଲା ବେଳେ ଭାବୁଥିଲି, କେତେ ଧନୀ ହୋଇଥିବେ ଏମାନେ !! ଦଶ ଟଙ୍କାର ମୂଲ୍ୟ ଆମ ତୁଳନାରେ ତାଙ୍କ ପାଖରେ ନିଶ୍ଚୟ ବେଶୀ ହେବ । ହେଲେ ମୁଁ କିଛି କହି ନଥିଲେ ବି ସେ ନିଜ ତରଫରୁ ଫେରେଇ ଦେଲା ମୋତେ ଦଶ ଟଙ୍କା ।

କିଏ କହୁଛି ଏ ଦୁନିଆରେ ଭଲ ଲୋକ ନାହାନ୍ତି ବୋଲି । ଏମିତି ଅନେକ ଲୋକ ଆମ ସମସ୍ତଙ୍କ ଆଖପାଖରେ ଅଛନ୍ତି । ଆମ ଚାରିପଟେ ଏମିତି ଛୋଟମୋଟ ଘଟଣା କାହିଁ କେତେ ଘଟୁଛି ନିତିଦିନ । କାର୍ଯ୍ୟବ୍ୟସ୍ତ ଜୀବନ ଭିତରେ ଏସବୁ ଘଟଣା ଉପରେ ଆମର ଧ୍ୟାନ ଯାଏନି । ହେଲେ ଏସବୁ ଯୋଗୁ ହିଁ ଏ ପୃଥିବୀଟା ଏତେ ସୁନ୍ଦର ହୋଇ ରହିଛି ଆଜି ପର୍ଯ୍ୟନ୍ତ ।

ଯାଉ ଯାଉ ଟିକେ ଅଟକି ଗଲି । କ୍ୟାମେରା ବାହାର କରି ଟିକେ ଦୂରରୁ ମାଉସୀର ଫୋଟୋ ଗୋଟେ ଉଠେଇଲି । ମୁଁ ତା'ର ଫୋଟୋ ଉଠାଉଥିବାର ଦେଖି ଅଳ୍ପ ହସିଦେଲା ସେ ।