Showing posts with label Some like it hot. Show all posts
Showing posts with label Some like it hot. Show all posts

Tuesday, 25 September 2018

ଫିଲ୍ମ ରିଭ୍ୟୁ - Some like it Hot



1959 ରେ ରିଲିଜ ହୋଇଥିଲା ଫିଲ୍ମଟି । ଏ ଫିଲ୍ମଟି ବି ଆମ ପୂର୍ବ ଫିଲ୍ମ ଗୁଡିକ ଭଳି କଳାଧଳା (b&w) ଫିଲ୍ମ । ଫିଲ୍ମଟି ତଥାପି ଭଲ ଲାଗିବ କାରଣ ଇଏ ଏକ କମେଡି ଫିଲ୍ମ ଓ ଫିଲ୍ମରେ ଅଛନ୍ତି ସେତେବେଳର ଚର୍ଚ୍ଚିତ ଅଭିନେତ୍ରୀ Marilyn Monroe. 


କାହାଣୀ  :
କାହାଣୀ ଆରମ୍ଭ ହୁଏ ଗୋଡ଼ାଗୋଡ଼ି ସିନ୍ ରୁ । ଏକ ଶବ ବୁହା ଗାଡିକୁ ପୁଲିସ ଗାଡି ଅଚାନକ ଫଲୋ କରେ । ପୁଲିସ ଫଲୋ କରୁଥିବାର ଦେଖି ଶବ ବୁହା କଫିନ ଗାଡିଟି ସ୍ପିଡ଼ ବଢାଏ । ପୁଲିସ ଗାଡି ବି ଦ୍ରୁତ କରେ ନିଜ ସ୍ପିଡ଼ । ଆଗେ ଆଗେ କଫିନ୍ ଗାଡି, ପଛେ ପଛେ ପୁଲିସ ଗାଡି । ଏପଟରୁ ଗୁଳି ଛୁଟେ । ସେପଟରୁ ବି ଗୁଳିମାଡ଼ ଆରମ୍ଭ ହୋଇଯାଏ ।  

ଗୋଡ଼ାଗୋଡ଼ି ହୋଇ, ଗୁଳିମାଡ଼ ଖାଇ କଫିନ୍ ବାଲା ଗାଡିଟି ଫାଇନାଲି ନିଜ ପାର୍କିଂ ଏରିଆରେ ପହଞ୍ଚିଯାଏ । ଯଦିଓ ଗୁଳି କିଛି ବାଜି କଫିନରୁ ତରଳ ପଦାର୍ଥ ବୋହି ଚାଲିଥାଏ । ଗାଡିରୁ ଓହ୍ଲାଇ କଫିନ୍ ବାକ୍ସ ଖୋଲିଲା ପରେ ଜଣାପଡେ ଯେ କିଛି ବୋତଲ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ।  

କଫିନ୍ ବାକ୍ସରେ ଥିଲା ଗଦାଏ ମଦ ବୋତଲ ।
 
ଏ ହେଉଛି “ମଦ ବ୍ୟାନ” ର ସମୟ । ନିତିଶ କୁମାର ବିହାରରେ ମଦ ବ୍ୟାନ୍ କଲା ପରି ସହରରେ ଲାଗିଥାଏ ମଦ ଉପରେ ରୋକ । ବ୍ୟାନ୍ ର ସଦୁପଯୋଗ କରୁଥାନ୍ତି ସହରର ବଡ଼ ବଡ଼ ଡ଼ନ୍ ଓ ସେମାନଙ୍କ ଗ୍ୟାଙ୍ଗ୍ । 

ଫିଲ୍ମ ଆରମ୍ଭରେ ଦୌଡୁଥିବା ଏ କଫିନ ଗାଡିରେ ଶବ ଜାଗାରେ ଆସୁଥିଲା ଚୋରା ମଦ । ଯାଇଥାନ୍ତା ଶୋକସଭା ଗୃହକୁ । ହେଲେ ମଝିରେ ଖବର ପହଞ୍ଚିଗଲା ପୁଲିସ କାନରେ.. ଖବରି "ଦାନ୍ତଖୁଣ୍ଟା" ଚାର୍ଲି ଦ୍ୱାରା । ଯେଉଁଥିପାଇଁ ଚାଲିଥିଲା ଏ ଗୋଡ଼ାଗୋଡ଼ି ଓ ଗୁଳିଫୁଟା । 

କଫିନ ଗାଡି ଉପରେ ଆଟାକ୍ ପରେ ପୁଲିସର ନଜରରେ ଏବେ ଶୋକସଭା ଗୃହ । ଅଚାନକ ଆସି ପୁଲିସ ଚଢ଼ାଉ କରିଛି "ରାମନାମ ସତ୍ୟ ହୈ" ନାମକ ଶୋକସଭା ଗୃହ ଉପରେ । ବାହାରକୁ ଇଏ ଗୋଟେ ଶୋକସଭା ଗୃହ, ହେଲେ ଭିତରେ ଚାଲିଛି ନାଚ, ଗୀତ ଓ ମଦ ପିଆ । ମଦ ନାଁ ବି ସେଠି କଫି ଭଳିଆ । ସ୍କଚ୍ କଫି, କଳା କୁକୁର କଫି, ବୁଢା ସନ୍ନ୍ୟାସୀ କଫି, ବଣ କୁକୁଡ଼ା କଫି.. । "ବଣ କୁକୁଡ଼ା" କଫି ମଗେଇଲେ ଦୁଇଟା କପ୍ ସହ ମଦ ବୋତଲଟିଏ ଆଣି ପହଞ୍ଚାଇଦେବ ପରିବେଷଣ କରୁଥିବା ବ୍ୟକ୍ତିଟି । ମାନିବାକୁ ପଡିବ ଏମାନଙ୍କ ଉର୍ବର ବୁଦ୍ଧିକୁ ।
 
ଶୋକସଭା ଗୃହ "ରାମନାମ ସତ୍ୟ ହୈ" ରେ ଅଚାନକ ପୁଲିସ ଚଢ଼ାଉ ପରେ bar ମାଲିକ ତଥା ଡନ୍ Spats Colombo ର ମଥା ଘୁରେଇ ଯାଇଛି । ଖୋଜି ଖୋଜି ଧରିଛି ବିଭୀଷଣ "ଦାନ୍ତଖୁଣ୍ଟା" ଚାର୍ଲିକୁ । ଦାନ୍ତଖୁଣ୍ଟାର କାମ ବଢ଼େଇଲା ବେଳେ bar ର ଦୁଇଜଣ ବାଦକ (Saxophone ଓ Double Bass ବଜେଇଲା ବାଲା) ଦେଖି ଦେଇଛନ୍ତି । Spats ଏ ଦୁଇ ଜଣଙ୍କର  ଉପରକୁ ଯିବାପାଇଁ ଟିକଟ କାଟିବା ବ୍ୟବସ୍ଥା କରୁଥିଲା ବେଳେ ପହଂଚି ଯାଇଛି ପୁଲିସ । ଏ ଦୁଇ ଜଣଙ୍କ ବ୍ୟବସ୍ଥା ଆଉ କେବେ କରିବା କହି Spats ନିଜ ଗ୍ୟାଙ୍ଗ ସହ କରିଛି ସେ ଜାଗାରୁ ପଳାୟନ ।
 
Saxophone ଓ Double Bass ବଜେଇଲା ବାଲା ବାଦକ ଦୁଇ ଜଣ ହେଲେ ଫିଲ୍ମର ହିରୋ Tony Curtis ଓ Jack Lemmon । ଗ୍ୟାଙ୍ଗଷ୍ଟାର ମାନଙ୍କ କବଳରୁ ନିଜ ପ୍ରାଣ ବଞ୍ଚେଇବା ପାଇଁ ଏ ଦୁହେଁ ପରେ ନାରୀ ବେଶ ଧାରଣ କରିଛନ୍ତି ଓ ଶିକାଗୋ ଅଭିମୁଖେ ବାହାରିଥିବା ଏକ ନାରୀ ସଙ୍ଗୀତଜ୍ଞ ଦଳରେ ମିଶି ଯାଇଛନ୍ତି । ଏଇ ସଙ୍ଗୀତଜ୍ଞ ଦଳ ବା ମ୍ୟୁଜିକାଲ୍ ବ୍ୟାଣ୍ଡରେ ଅଛି ଗାୟିକା ସୁଗାର୍ କେନ୍ (ଭୂମିକାରେ Marilyn Monroe) । ସମସ୍ତେ ଟ୍ରେନରେ ଯାତ୍ରା କରିଛନ୍ତି ଶିକାଗୋ ।
 
ଫିଲ୍ମଟି ଏହାପରେ ଅନେକ ରୋଚକ ମୋଡ଼ ଦେଇ ଗତି କରିଛି । 

ଫିଲ୍ମଟି ଯଦିଓ କମେଡି ତେବେ ଅନେକ ଟ୍ଵିଷ୍ଟ ଅଛି ଫିଲ୍ମଟିରେ । ପ୍ରଥମରୁ ଶେଷ ପର୍ଯ୍ୟନ୍ତ screenplay ଓ dialogues ଏମିତି ଭାବରେ ଲେଖା ଯାଇଛି ଯେ ଦର୍ଶକ ଖାଲି ହସି ହସି ଗଡିବ । ଏହା ସହିତ ଅଭିନୟରେ ତିନି ମୁଖ୍ୟ କଳାକାର ଜବରଦସ୍ତ ଅଭିନୟ କରିଛନ୍ତି ।