Saturday 13 October 2018

It's a Wonderful Life - ଫିଲ୍ମ ରିଭ୍ୟୁ

ଏ ଫିଲ୍ମଟା ଦେଖି ସାରିଲା ପରେ ଯେଉଁ ପ୍ରଶ୍ନଟି ମନକୁ ସର୍ବପ୍ରଥମେ ଆସିଥିଲା ସେଇଟା ଥିଲା, "ହଲିଉଡ଼ର ସବୁ ଭଲ ଫିଲ୍ମ କଣ 1940s ରେ ତିଆରି ହୋଇଥିଲା?"
ଅନେକ ଦିନ ତଳେ ଗୋଟେ ବ୍ଲଗ ଲେଖିଥିଲି । ଏ ପୃଥିବୀରେ ଏତେ ଚୋରି, ଡକାୟତି, ଲୁଣ୍ଠନ, ବଳାତ୍କାର ହେଉଛି । ଖବରକାଗଜର ପୃଷ୍ଠା ଓଲଟାଇଲେ ଡେଲି ଡେଲି ଅପରାଧର ଖବର ଭର୍ତ୍ତି । ଏମିତି ବିଷାକ୍ତ ବାତାବରଣ ମଧ୍ୟରେ ଏ ସୃଷ୍ଟି ଚାଲିଛି କେମିତି? ପୁଣି ମନକୁ ଆସିଥିଲା କିଛି ଭଲ ଲୋକଙ୍କ କଥା । ସେମାନେ ଆମ ନିଜର ବନ୍ଧୁ କୁଟୁମ୍ବ ହୋଇପାରନ୍ତି କିମ୍ବା କେହି ଅଜଣା ଅଶୁଣା ଲୋକ ମଧ୍ୟ ହୋଇପାରନ୍ତି । କୌଣସି ନା କୌଣସି ସମୟରେ ସେମାନଙ୍କ ଠାରୁ ମିଳିଥାଏ ଅକୁଣ୍ଠିତ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ସାହାଯ୍ୟ । ବୋଧେ ଏଇମିତି କିଛି ଭଲ ଲୋକଙ୍କ ଯୋଗୁ ଏ ପୃଥିବୀରେ ସମାନତା ବଜାୟ  ରହିଛି । ବୋଧେ ଏଇମିତି କିଛି ଲୋକ ଥିବାରୁ ଏ ଦୁନିଆଟା ସୁନ୍ଦର ହୋଇ ଆଜି ଯାଏ ତିଷ୍ଠି ରହିଛି । 

ଏ ଫିଲ୍ମଟି ଦେଖିଲା ବେଳେ ମୁଁ ନିଜେ ବ୍ୟକ୍ତିଗତ ଭାବେ ଗୋଟେ ନୈରାଶ୍ୟଜନକ ପରିସ୍ଥିତିରେ ଗତି କରୁଥିଲି । ଫିଲ୍ମଟି ଏତେ ମାତ୍ରାରେ ଭଲ ଲାଗିଥିଲା ଯେ ମୋ ନିଜ ଦୃଷ୍ଟିକୋଣ ବଦଳି ଯାଇଥିଲା ସେତେବେଳେ । ସଂକ୍ଷେପରେ କହିଲେ, It's a wonderful life ହେଉଛି ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ପରିପୂର୍ଣ୍ଣ କାହାଣୀଟିଏ ।
କାହାଣୀ :
କାହାଣୀଟି ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକଟିଏ ଉପରେ କେନ୍ଦ୍ରୀଭୂତ, ଯିଏ ପରିସ୍ଥିତିର ଶିକାର ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ସ୍ଥିର କରିଛି । ଭଗବାନ ସେ ଲୋକଟିର ମନୋଭାବ ବଦଳାଇବା ପାଇଁ ଜଣେ ଆଞ୍ଜେଲକୁ ସ୍ୱର୍ଗରୁ ପଠାଇଛନ୍ତି । ଆଞ୍ଜେଲ ସେ ଲୋକଟିକୁ ଏ ଦୁନିଆରେ ତା ଭଳି ଭଲଲୋକ ନଥିଲେ ଦୁନିଆଟି କେମିତି ହୋଇଥାନ୍ତା ସେସବୁ ଦେଖାଇଛି । 

ନିଜ ଆଖପାଖର ଲୋକ ଓ ଦୁନିଆଟି ତା ଅନୁପସ୍ଥିତିରେ ଅଲଗା ପ୍ରକାରର ଦେଖାଯାଉଛି । ଯେଉଁ ଲୋକଙ୍କ ମନରେ ଅଜଣା ଲୋକଙ୍କ ପାଇଁ ଶ୍ରଦ୍ଧା, ସହାନୁଭୂତି ଥିଲା, ସେମାନେ କେମିତି ଗୋଟେ ଯାନ୍ତ୍ରିକ ମଣିଷ ଭଳି ବ୍ୟବହାର କରୁଛନ୍ତି । ଲୋକମାନଙ୍କ ମଧ୍ୟରେ ଦ୍ୱେଷ, ଘୃଣା, ଅବିଶ୍ୱାସ ଭରି ରହିଛି । କେବଳ ଜଣେ ଭଲ ଲୋକର ଅନୁପସ୍ଥିତିରେ ଏତେ ପରିବର୍ତ୍ତନ !
ଲୋକଟିଏ ଛୋଟ ହେଉ କି ବଡ଼, ଧନୀ ହେଉ କି ଗରିବ, ନିଜ ଭଲ କର୍ମ ଦ୍ୱାରା ସେ କେବଳ ତା ନିଜ ଘର, ପରିବାରର ନୁହେଁ ବରଂ ନିଜ ଆଖପାଖର ଦୁନିଆକୁ ବି ପ୍ରଭାବିତ କରିଥାଏ ।  

ଫିଲ୍ମ : 
1946 ରେ ରିଲିଜ ହୋଇଥିଲା ଫିଲ୍ମଟି । ନିର୍ଦ୍ଦେଶନାରେ ଥିଲେ Frank Capra. ମୁଖ୍ୟ ଭୂମିକାରେ ଥିଲେ James Stewart. ଯଦିଓ ଫିଲ୍ମଟି ପ୍ରାରମ୍ଭିକ ସମୟରେ ଏତେ ସଫଳତା ପାଇଁ ନଥିଲା ତେବେ ପରେ ଦର୍ଶକଙ୍କ ଦ୍ୱାରା ବହୁତ ଆଦୃତ ହୋଇଥିଲା ।

No comments:

Post a Comment