Thursday 30 August 2018

କୋକୋ - ଫିଲ୍ମ ରିଭ୍ୟୁ

ଆନିମେଟେଡ ଫିଲ୍ମ କଥା ପଡିଲେ ମନକୁ ଆସେ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଫିଲ୍ମର କଥା । ସତ କହିଲେ, ଏସବୁ ଫିଲ୍ମ ପିଲାମାନଙ୍କ ପାଇଁ ହିଁ ତିଆରି ହୋଇଥାଏ । ଘରେ କେହି ଛୋଟ ପିଲା ନଥିଲେ ଏସବୁ ଫିଲ୍ମକୁ କେହି ସିନେମା ହଲରେ ଯାଇ ପ୍ରାୟ ଦେଖନ୍ତିନି । ହେଲେ ଏସବୁ ଭିତରେ କିଛି ଏମିତି ଫିଲ୍ମ ଥାଏ, ଯାହା ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ଛୁଇଁଥାଏ । ସେହିଭଳି ଫିଲ୍ମଟିଏ ହେଉଛି Coco (କୋକୋ), 2017 ମସିହାର ଓସ୍କାର ପୁରସ୍କାର ପ୍ରାପ୍ତ ବେଷ୍ଟ ଆନିମେଟେଡ ଫିଲ୍ମ ।


ଫିଲ୍ମର କାହାଣୀଟି ବାର ବର୍ଷୀୟ ବାଳକ ମିଗେଲ୍ ଉପରେ କେନ୍ଦ୍ରୀଭୂତ । 12 ବର୍ଷର ପିଲା ମିଗେଲ୍ । ଗୀତ ସଂଗୀତରେ ଭାରି ମନ, ହେଲେ ଘରେ ଅଦ୍ଭୁତ ନିୟମ । ଗୀତ, ସଙ୍ଗୀତକୁ କଡାକଡି ବିରୋଧ । ସହର ମଝିରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ଅଭିନେତା ଏର୍ନଷ୍ଟୋ ଡେ'ଲା କ୍ରୁଜଙ୍କ ପ୍ରତିମୂର୍ତ୍ତି । ଲୋକଙ୍କ ମୁହଁରେ ସବୁବେଳେ ଶୁଣିବାକୁ ମିଳେ ଏ ମହାନ ସଙ୍ଗୀତଜ୍ଞଙ୍କ ପ୍ରଶଂସା । ଘର ପରିବାର ଛାଡି De La Cruz ଥରେ ବାହାରି ପଡ଼ିଥିଲେ ନିଜ ସଙ୍ଗୀତକୁ ଏକ ପରିଚୟ ଦେବା ଲକ୍ଷ୍ୟରେ । ବାକି ସବୁ ଇତିହାସ ।

ଜୋତା ତିଆରି କରିବା ମିଗେଲ୍ ର ପରିବାରର କୌଳିକ ବୃତ୍ତି । ଘରେ ଗୀତ, ସଙ୍ଗୀତ ଉପରେ ପୁରା ରୋକ । "ସଙ୍ଗୀତ ମଣିଷକୁ ବିଗାଡି ଦିଏ, ପରିବାରକୁ ଭାଙ୍ଗିଦିଏ" - ଏମିତି ଚିନ୍ତାଧାରା ଥାଏ ଏ ପରିବାରଟିରେ । ଅବଶ୍ୟ ଏହା ପଛରେ ଏକ କାହାଣୀ ଅଛି ।

ଲୋକଟିଏ ଥରେ ନିଜ ସଙ୍ଗୀତ ନିଶାରେ ଘରୁ ଗୀଟାର ଧରି ବାହାରିଗଲା ଯେ ଆଉ ଫେରିଲାନି । ଘରେ ରହିଗଲେ ସ୍ତ୍ରୀ ଓ ତିନି ବର୍ଷର କୁନିଝିଅ । ସ୍ତ୍ରୀ ଲୋକଟି ଶେଷକୁ ଜୋତା ତିଆରି କାମକୁ ଆଦରି ନେଲା ପରିବାର ଚଳେଇବା ପାଇଁ  । ଦୁଃଖ ଓ କ୍ରୋଧରେ ନିଜ ଖାତାରୁ ଚିରଦିନ ପାଇଁ କାଟିଦେଲା ସ୍ତ୍ରୀ ଲୋକଟି ଦୁଇଟି ନାଁ - ସଙ୍ଗୀତ ଓ ସେ ଲୋକଟାକୁ । ସେ  ତିନି ବର୍ଷର କୁନି ଝିଅଟି ହେଉଛି କୋକୋ (Coco) । ଆମ କାହାଣୀରେ ଥିବା ପରିବାରଟିର ସେ ଏବେ ହେଉଛି ସିନିୟର ମୋଷ୍ଟ ମେମ୍ବର ।

ସମୟ ଗଡି ଚାଲିଛି । ଏବେ କୋକୋକୁ ବୟସ ପାଖାପାଖି ଶହେ ଛୁଇଁଲାଣି । ସ୍ମରଣ ଶକ୍ତି ହ୍ରାସ ପାଇଲାଣି । ହୁଇଲ ଚେୟାରକୁ ଆଶ୍ରା । ଏ ଫିଲ୍ମର ମୁଖ୍ୟ ଚରିତ୍ର ମିଗେଲ୍ ହେଉଛି କୋକୋର ଅଣନାତି ।

ଆମ ଆଡିକା ଦୀପାବଳି ଭଳି ଉତ୍ସବଟିଏ ହୁଏ ସେପଟେ ବି । ପରିବାରର ମୃତ ବ୍ୟକ୍ତି ମାନଙ୍କୁ ସେଇଦିନ ସମସ୍ତେ ମନେ ପକାନ୍ତି । ତାଙ୍କର ଫୋଟୋ ରଖି, ପାଖରେ ମହମବତୀ ଜାଳି, ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ପାନୀୟ ଅର୍ପଣ କରନ୍ତି ।

ଦୀପାବଳି ଅବସରରେ ସହରରେ ଗୋଟେ ଟ୍ୟାଲେଣ୍ଟ ହଣ୍ଟ ସୋ' ହେଉଥାଏ । ଗୀତ, ସଙ୍ଗୀତର କାର୍ଯ୍ୟକ୍ରମ । ପ୍ରତିଯୋଗୀମାନଙ୍କୁ ନିଜ ବାଦ୍ୟଯନ୍ତ୍ର ସହ ପ୍ରତିଯୋଗିତାରେ ଗୀତ ଗାଇବାକୁ ପଡିବ ।

ଏଇ ସୋ ରେ ଭାଗ ନେବାପାଇଁ ଘରୁ ଲୁଚି ବାହାରିଛି ମିଗେଲ୍ । ହେଲେ ପ୍ରତିଯୋଗିତାରେ ଭାଗ ନେବାପାଇଁ ତା ପାଖରେ ଗୀଟାର ନାହିଁ । De La Cruz ଙ୍କ ସମାଧି ଘର ଭିତରେ ତାଙ୍କ ଗୀଟାର ସାଇତା ହୋଇ ରଖାଯାଇଥାଏ । ମୃତ ବ୍ୟକ୍ତିମାନେ ପୃଥିବୀକୁ ଯିବା ଆସିବା ସମୟ ଏବେ । ସମାଧି ଘରେ ଭୁଲବଶତଃ ମିଗେଲ୍ ଏପଟ ଦୁନିଆରୁ ସେପଟ ଦୁନିଆକୁ ଚାଲିଯାଇଛି ।

ମୃତ ବ୍ୟକ୍ତିଙ୍କ ଦୁନିଆ ବି ଆମ ଦୁନିଆ ଭଳି । ଏଠୁ ଯାଇଥିବା ଲୋକମାନେ ସେଠି ବି ନିଜ ବନ୍ଧୁ ପରିବାର ସହ ରୁହନ୍ତି । De la Cruz ସେ ଦୁନିଆରେ ବି ବିଶିଷ୍ଟ ସଙ୍ଗୀତଜ୍ଞ । ମିଗେଲ୍ ନିଜ ଆଦର୍ଶ De la Cruz ଙ୍କୁ ପାଇ ତାଙ୍କୁ ଦେଖା କରିବାକୁ ଯାଇଛି । ନିଜ ଜେଜେମା କୋକୋର ବାପାଙ୍କୁ ଭେଟିଛି ସେ ଦୁନିଆରେ । ନାନା ନାଟକୀୟ ଘଟଣା ମାନ ଘଟିଛି । ଶେଷରେ କୋକୋ ନିଜ ହଜିଲା ଗ୍ରାଣ୍ଡ ଜେଜେବାପାଙ୍କ ପ୍ରତି ଥିବା ଭୁଲ ଭାବନାକୁ ନିଜ ପରିବାରର ମନରୁ ଦୁରେଇ ଦେବାରେ ସଫଳ ହୋଇଛି । ପରିବାର ପୁଣି ସଙ୍ଗୀତକୁ ଆପଣେଇ ନେଇଛନ୍ତି ।

ଫିଲ୍ମଟିର ଆନିମେଟଡ଼ ଦୃଶ୍ୟ ସବୁ ଚମତ୍କାର ହୋଇଛି । ମିଗେଲ୍ ସମସ୍ତଙ୍କ ମନ ଜିତିଛି । ଫିଲ୍ମରେ ଗୀତ ବି ବହୁତ ସୁନ୍ଦର ହୋଇଛି । "What color is the sky ¡Ay, mi amor! ¡Ay, mi amor" ଗୀତଟି ତ ଯେକୌଣସି ବୟସର ଦର୍ଶକକୁ ଟିକେ ଗୋଡ଼ ହଲେଇବାକୁ ବାଧ୍ୟ କରିବ.. 😍

No comments:

Post a Comment