Thursday, 30 August 2018

Driving Miss Daisy - ଡ୍ରାଇଭିଂ ମିସ୍ ଡେଜି

ଫିଲ୍ମର ନାଁ ଓ କଭର୍ ଫୋଟୋକୁ ଦେଖିଲେ ଯାହା କିଛି ଅନୁମାନ କରିହେଉଛି, ଫିଲ୍ମଟି ବି ଉଣା ଅଧିକେ ସେମିତି ହୋଇଛି  । ଜଣେ ବୟସ୍କା ମହିଳା ମିସ୍ ଡେଜି (Daisy) ଓ ତାଙ୍କ କାର ଡ୍ରାଇଭର ହୋକ୍ (Hoke) ଙ୍କୁ ନେଇ ଏ ଫିଲ୍ମର କାହାଣୀ । ଦେଢ଼ ଘଣ୍ଟାର ଛୋଟ ଫିଲ୍ମଟିଏ କିନ୍ତୁ ବହୁତ ସୁନ୍ଦର ।


ମିସ୍ ଡେଜି ଜଣେ 72 ବର୍ଷୀୟା ବୟସ୍କା ବିଧବା ମହିଳା । ଯଦିଓ ସେ ଧନୀ ତଥାପି ନିଜକୁ ଧନୀ ବୋଲି ଦେଖେଇ ହେବାକୁ ଭଲ ପାଆନ୍ତିନି । ଆଗରୁ ସ୍କୁଲ ଟିଚର୍ ଥିଲେ । ଏବେ ରିଟାୟାର୍ଡ଼ । ଘରେ ଏକା ରୁହନ୍ତି । ରୋଷେଇବାସ ତଥା ଦେଖାଶୁଣା କରିବାକୁ ଘରେ ଜଣେ କୃଷ୍ଣକାୟ ମହିଳା ଅଛନ୍ତି । ନାଁ ତାଙ୍କର ଇଡେଲା । ମିସ୍ ଡେଜିଙ୍କର 40/42 ବର୍ଷର ପୁଅଟିଏ ବୁଲି (Boolie) । ଶିଳ୍ପପତି | କପଡା ମିଲ୍ ର ମାଲିକ । ସେ ବି ସେହି ଏକା ସହରରେ ରୁହନ୍ତି । ଦେଖାଶୁଣା କରିବାକୁ କିମ୍ବା ଦରକାର ପଡିଲେ ମା’ଙ୍କ ପାଖକୁ ପ୍ରାୟ ସମୟରେ ଆସନ୍ତି ।

ମିସ୍ ଡେଜି ଟିକେ ଚିଡିଚିଡ଼ା ସ୍ୱଭାବର । କାହା ଉପରେ ଡିପେଣ୍ଡ ନ ହୋଇ  ସ୍ୱାଧୀନ ଭାବେ ନିଜ କାମ କରିବାକୁ ପସନ୍ଦ କରନ୍ତି ।
  
ଦିନେ ସକାଳୁ ମାର୍କେଟ ଯିବା ପାଇଁ ନିଜ ନୂଆ କାର ବାହାର କରୁ କରୁ ପଡୋଶୀ ଘର ଗାର୍ଡେନ ଭିତରେ ପଶେଇ ଦେଇଛନ୍ତି । କାର ଟିକେ damage ହୋଇଛି । ଇନ୍ସ୍ୟୁରାନ୍ସ କମ୍ପାନୀ ଡ୍ୟାମେଜ ପାଇଁ କ୍ଷତିପୂରଣ ଦେବାକୁ ମନା କରିଛି । ପୁଅ Boolie ସ୍ଥିର କରିଛନ୍ତି, ମାଆଙ୍କ ପାଇଁ ଜଣେ ଡ୍ରାଇଭର ରଖିବେ । 

ମିସ୍ ଡେଜି କିନ୍ତୁ ଡ୍ରାଇଭର ରଖିବାକୁ ଇଛୁକ ନୁହଁନ୍ତି । ପୁଅ ବାଧ୍ୟକରି ଜଣେ କାର ଡ୍ରାଇଭରଙ୍କୁ ନିଯୁକ୍ତ କରିଛନ୍ତି । ଡ୍ରାଇଭରଙ୍କ ନାଁ ହୋକ୍ । ଭୂମିକାରେ Morgan Freeman। ହୋକ୍ ମିଷ୍ଟଭାଷୀ ତଥା ପଜିଟିଭ ସ୍ୱଭାବର । ପ୍ରଥମେ ହୋକଙ୍କୁ ନାପସନ୍ଦ କରୁଥିବା ଓ ଡ୍ରାଇଭର ଭାବେ ରଖିବାକୁ ଅନିଛୁକ ଥିବା ମିସ୍ ଡେଜି ଧୀରେ ଧୀରେ ପରିବର୍ତ୍ତିତ ହୋଇଛନ୍ତି । ଶେଷରେ Hoke ଙ୍କୁ ନିଜ ସାଙ୍ଗ ଭାବରେ ଦେଖିଛନ୍ତି । 

ସାଧାସିଧା କାହାଣୀଟିଏ । ମୁଖ୍ୟତଃ ମିସ୍ ଡେଜି ଓ ହୋକ୍ ଙ୍କ ଉପରେ କେନ୍ଦ୍ରୀଭୂତ । ବର୍ଣ୍ଣବୈଷମ୍ୟ, ଧନୀ ଗରିବ ଆଦି ସାମାଜିକ ତାରତମ୍ୟ ମଧ୍ୟରେ ବି ଦୁଇ ଅଲଗା ମଣିଷଙ୍କ ଭିତରେ ଥିବା ଭାବାତ୍ମକ ସମ୍ପର୍କକୁ ଫିଲ୍ମରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ହୋକ୍ ଙ୍କ smooth driving ପରି ଫିଲ୍ମ ବି ଗଡି ଚାଲିଛି ବିନା ଧକଡ଼ ଚକଡ଼ରେ । ଅଭିନୟରେ ଦୁଇ ବରିଷ୍ଠ ଅଭିନେତା । Morgan Freeman ଙ୍କ ବାବଦରେ ତ କିଛି କହିବା ଦରକାର ନାହିଁ । ସମ୍ମାନସ୍ପଦ କଳାକାର ଜଣେ । ଚକିତ କରିଛନ୍ତି କିନ୍ତୁ ମିସ୍ ଡେଜି ଭୂମିକାରେ ଅଭିନୟ କରିଥିବା 81 ବର୍ଷୀୟ ମହିଳା Jessica Tandy. ଏ ଫିଲ୍ମ ପାଇଁ ସେ 1990 ରେ Best Actress ର ଓସ୍କାର ଆୱାର୍ଡ ପାଇଥିଲେ । Best Actress ପୁରସ୍କାର ପାଇବାରେ ସେ ହେଉଛନ୍ତି ଇତିହାସରେ ସବୁଠାରୁ ବୟସ୍କା ମହିଳା । 

ଏ ଦୁଇ ଚରିତ୍ରଙ୍କ ଅଭିନୟରେ ଫିଲ୍ମଟି feel good ର ଅନୁଭୂତି ଦେଇ ଆଗେଇ ଚାଲିଛି । ଶେଷ ଦୃଶ୍ୟଟି ଅତି ଚମତ୍କାର ହୋଇଛି । ଫିଲ୍ମ ସରିଲା ବେଳକୁ ଦର୍ଶକ ମିଳନ ବିଚ୍ଛେଦର ଗୋଟେ ଫେଣ୍ଟାଫେଣ୍ଟି ଅନୁଭୂତି ନେଇ ଫେରିବ ।
***

2 comments:

  1. ଭାବିନଥିଲି ଏଇ ସିନେମା ଟା ବି ଦେବେ... ବହୁତ ଖୁସି ଲଗିଲା ଯେହେତୁ ଏଇଟା ବି ମୋର ଗୋଟେ ପ୍ରିୟ ସିନେମା

    ReplyDelete
    Replies
    1. ଧନ୍ୟବାଦ । ମୋତେ ବହୁତ ଭଲ ଲାଗିଥିଲା ଫିଲ୍ମଟି । ଅନ୍ୟମାନଙ୍କୁ କେମିତି ଲାଗିଥିବ ବୋଲି ସନ୍ଦେହରେ ଥିଲି । ଆପଣଙ୍କ କମେଣ୍ଟ୍ ଦେଖି ଖୁସି ଲାଗିଲା ।

      Delete